Unknown

 

 

 

 

 

 

 

 

 

 

 

ଦେବୀ

ଶ୍ରୀ ମୁରଲୀଧର ମଲ୍ଲିକ

 

ଦ୍ୱିତୀୟ ସଂସ୍କରଣର ଭୂମିକା

 

ଅତୀତକାଳର ଘଟଣାବଳୀ ଇତିହାସ ନାମରେ ବିଦିତ । ପୁଣି ଇତିହାସରୁ ଉପାଦାନ ସଂଗ୍ରହ କରି ଐତିହାସିକ ଉପନ୍ୟାସ ପୁଷ୍ଟ ହୋଇଥାଏ । ମାତ୍ର ସ୍ୱତଃ ପ୍ରଶ୍ନଉଠେ—ଆମ ଦେଶରେ ପ୍ରକୃତ ଇତିହାସ ଲେଖା ଯାଇଛି କି ?

 

ପ୍ରାଚୀନଯୁଗ କଥା ଦୂରେ ଥାଉ, ମଧ୍ୟ ଯୁଗରେ କେବଳ ମୋଗଲ ସମ୍ରାଟଙ୍କ ଅମଳରେ ଯେଉଁ ଇତିହାସ ଲେଖା ଯାଇଥିଲା ତାହା କେବଳ ରାଜ ଦରବାର ଓ ରାଜବଂଶର ପ୍ରଶସ୍ତି ମଧ୍ୟରେ ସୀମାବଦ୍ଧ । ସେହିପରି ଇଂରେଜମାନେ ଯେଉଁ ଇତିହାସ ଲେଖିଲେ ତାହା କେବଳ ବ୍ରିଟିଶ ରାଜତ୍ୱକୁ ସୃଦୃଢ଼ କରିବାପାଇଁ ଉଦ୍ଦିଷ୍ଟ ।

 

ଆମ ଦେଶରେ ଯେଉଁ ଲୋକକଥା ଆଖ୍ୟାୟିକା ପ୍ରଭୃତି ପ୍ରଚଳିତ ଅଛି ତାହା ଇତିହାସର ଅଂଶ ବିଶେଷ ହୋଇଥିଲେ ହେଁ ପ୍ରାମାଣିକ ତଥ୍ୟ ଅଭାବରୁ ତାହାକୁ ଇତିହାସ ରୂପେ ସ୍ୱୀକୃତି ଦିଆଯାଇ ପାରୁନାହିଁ । ଏହିପରି ଏକ ଆଖ୍ୟାୟିକାର ନାୟିକା ‘ଦେବୀ’ ।

 

ପ୍ରବାଦ ଅଛି—ଢେଙ୍କାନାଳ ରାଜ୍ୟକୁ ଢେଙ୍କା ନାମକ ଜଣେ ଶବର ପ୍ରତିଷ୍ଠା କରିଥିଲା । ମାତ୍ର ଏହା ସତ୍ୟ କି ? ‘ଢେଙ୍କା’ କିଏ ଓ ପ୍ରକୃତରେ ସେ ଶବର ଥିଲା କି ? ଏହା ଐତିହାସିକମାନଙ୍କ ଗବେଷଣାର ବିଷୟ । ମାତ୍ର ଆଖ୍ୟାୟିକା ଉପରେ ନିର୍ଭର କରି ଏ ପୁସ୍ତକରେ ଲିପିବଦ୍ଧ କରାଯାଇଛି ଯେ ‘ଢେଙ୍କା’ ଜଣେ ରାଜପୁତ୍ର । ସେ ଆର୍ଯ୍ୟ ଓ ଆଦିବାସୀମାନଙ୍କ ମିଳନର କେନ୍ଦ୍ରବିନ୍ଦୁ । ଆଦିବାସୀର ଅର୍ଥ ଏଠାରେ ଆଦିମ ଅଧିବାସୀ । ଏମାନଙ୍କର ସଚ୍ଚୋଟତା, ନିର୍ଭିକତା, ପରୋପକାର ପ୍ରବୃତ୍ତି ଓ ସଂସ୍କୃତି ପ୍ରଭୃତି ରଙ୍ଗରେ ପୁସ୍ତକଟି ରଞ୍ଜିତ କରାଯାଇଛି । ପରିଶେଷରେ ପୁସ୍ତକଟିର ୨ୟ ସଂସ୍କରଣ ପାଇଁ ପ୍ରକାଶକଙ୍କୁ କୃତଜ୍ଞତା ଜଣାଉଛି ।

 

କଟକ

ବିନୀତ

ଡିସେମ୍ବର, ୧୯୭୮

ଲେଖକ

Image

 

ଦେବୀ

 

ଠକ୍‌ ଠକ୍‌ ଠକ୍‌ ।

 

ପାହାଡ଼ ଉପରେ ଘୋଡ଼ା ଟାପୁର ଶବ୍ଦ ନୈଶ୍ୟ ନିସ୍ତବ୍ଧତା ଭେଦ କରି ଦିଗ-ଦିଗନ୍ତ ପ୍ରତିଧ୍ୱନିତ କରୁଛି ।

 

ଜଣେ ବ୍ୟକ୍ତି ନିବିଷ୍ଟ ଚିତ୍ତରେ ଅଶ୍ୱାରୋହଣ କରି ଚାଲିଛନ୍ତି ।

 

ରାତ୍ର ପ୍ରଥମ ପ୍ରହର ଉତ୍ତୀର୍ଣ୍ଣ ପ୍ରାୟ ।

 

ଅଳ୍ପ ସମୟ ପୂର୍ବରୁ ପ୍ରହରିକିଆ ବିଲୁଆ ଭୁକି ସାରିଲେଣି ।

 

ଅଶ୍ୱାରୋହୀ ଉପରକୁ ଅନାଇଲେ ।

 

ସଞ୍ଜୁଆ ତାରା ମୁଣ୍ଡ ଉପରକୁ ଆସିଲାଣି । ଆଉ ଅଳ୍ପ ସମୟପରେ ଅସ୍ତମିତ ହୋଇଯିବ । ଆଜି ଦଶମୀ । ଚାନ୍ଦ ଉଠିଲା ବେଳକୁ ରାତି ଦଶଘଡ଼ି ।

 

ଅଶ୍ୱାରୋହୀ ଉଦ୍‌ବିଘ୍ନ ଭାବରେ ଚାରିଆଡ଼କୁ ଅନାଇଲେ । କେଉଁଠାରେ ଗାଁ ଗଣ୍ଡାର ଆଭାସ ମିଳୁନାହିଁ, ଏପରିକି ଆଲୋକଟାଏ ମଧ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ ।

 

ଚାରିଆଡ଼େ କେବଳ ନିବିଡ଼ ଜଙ୍ଗଲ ।

 

ଶାଳ, ମହୁଲ, କେନ୍ଦୁ, କୁସୁମ ଓ ଅଶନ ଗଛର ସମାବେଶ । ଭୂମିରେ ଚନ୍ଦ୍ର କିରଣ ପଡ଼ିବାର ଅବକାଶ ନାହିଁ, ବୃକ୍ଷ ଲତା ପତ୍ରର ଫାଙ୍କରେ ଆକାଶରେ ଯାହା ଗୋଟିଏ ଦୁଇଟି ତାରକା ସମୟେ ସମୟେ ଦେଖା ଯାଉଛି ।

 

ଅରଣ୍ୟପଥ ।

 

ଘୋଡ଼ା କଦମ ପକାଇ ପାହାଡ଼ ଉପରୁ ତଳକୁ ଚାଲିଛି ।

 

ରାସ୍ତାର ଗୋଟିଏ ପାଖରେ ପାହାଡ଼, ଆର ପାଖରେ ଗଭୀର ଖାତ । ଟିକିଏ ଅସାବଧାନ ହେଲେ ଘୋଡ଼ା ଓ ଆରୋହୀ ଦୁହେଁଯାକ ପାହାଡ଼ର କେଉଁ ଅତଳ ଗର୍ଭରେ ଲୀନ ହୋଇଯିବେ । ତା’ ବ୍ୟତୀତ ପଥଟି ମଧ୍ୟ ଶ୍ୱାପଦ ସଙ୍କୁଳ । କେତେବେଳେ ବାଘଟାଏ ବା ଭାଲୁଟାଏ ବାହାରି ପଡ଼ିବା ବିଚିତ୍ର ନୁହେଁ ।

 

ଅଶ୍ୱାରୋହୀଙ୍କ ଶରୀରରେ ମୃଦୁ କମ୍ପନ ଜାତ ହେଲା, ସେ ଡାହାଣ କଟିରେ ଝୁଲୁଥିବା ତରବାରି ଉପରେ ହାତ ପକାଇଲେ । ବାମ ହାତରେ ଅଶ୍ୱର ବଲ୍‌ଗା । ତା’ପରେ କମର ବନ୍ଧରେ ହାତ ବୁଲାଇନେଲେ ।

 

ଚାରିଆଡ଼େ ନିବିଡ଼ ଅନ୍ଧକାର ।

 

ଅଶ୍ୱାରୋହୀ ମନେ ମନେ ଭାବିଲେ—ବୋଧହୁଏ ଚାରିକ୍ରୋଶ ଆସି ଗଲିଣି । ଏ ପାହାଡ଼ର ଗଡ଼ାଣି ପାର ହେଲେ ଅରଣ୍ୟର ସମତଳ ଭୂମି । ଟିକିଏ ବେଗରେ ଘୋଡ଼ା ଝପଟାଇ ନେଇଗଲେ ରାତି ଅଧବେଳକୁ ଏକ ଶବର ପଲ୍ଲୀରେ ପହଞ୍ଚିଯିବି । ସେଠାରେ ରାତିଟା ବିତାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ଛଅକ୍ରୋଶ ପରେ ଏ ରାଜ୍ୟର ସୀମା ଶେଷ । ତେଣିକି ଆଉ ଭୟର କାରଣ ନାହିଁ ।

 

ଅଶ୍ୱାରୋହୀ ମାତ୍ର ଦୁଇଘଡ଼ି ମଧ୍ୟରେ ଚାରିକ୍ରୋଶ ପଥ ଅତିକ୍ରମ କରି ଆସିଥିବାରୁ କ୍ଳାନ୍ତ ହୋଇ ପଡ଼ିଗଲେ । ସେ ମନେମନେ ଭାବିଲେ ଘୋଡ଼ାର ଗତି କିଏ ଶିଥିଳ କରିଦେଲେ କ୍ଷତି କଣ ?

 

ତା’ପରେ ନିଜେ ନିଜେ କହି ଉଠିଲେ—ନାଁ

 

ଠିକ୍‌ ହେବ ନାହିଁ, ଏ ରାଜ୍ୟର ସୀମା ପାର ନ ହେଲେ ବିପଦ କଟିଛି ବୋଲି କହିହେବ ନାହିଁ । ବର୍ତ୍ତମାନ କେତେଲୋକ କେତେଆଡ଼େ ଯେ ଖୋଜୁଥିବେ କିଏ ଜାଣେ ?

 

ଅଶ୍ୱାରୋହୀ ଦୀର୍ଘ ନିଶ୍ୱାସ ଛାଡ଼ିଲେ ।

 

ସେ ଭୁଲ କରିଛନ୍ତି କି ଭଲ କରିଛନ୍ତି ତାହା ବିଚାର କରିବା ଭଳି ମନର ଅବସ୍ଥା ଆସିନାହିଁ । ତେବେ ଚିରଦିନ ପାଇଁ ଜନ୍ମଭୂମି ଛାଡ଼ି ଚାଲିଯାଉ ଥିବାରୁ ମନଟା ବେଳେବେଳେ କଣ ହୋଇଯାଉଛି । ପିଲାଦିନର କେତେ ସ୍ମୃତି ଏହି ଭୂମି ସହିତ ଜଡ଼ିତ ।

 

ଘୋଡ଼ା ଗଡ଼ାଣିଆରେ ତଳକୁ ଚାଲିଛି । ହଠାତ୍‌ ତାଙ୍କ ଭାବନାରେ ବାଧା ଆସିଲା । ଘୋଡ଼ା ଚିଁ.....ଇଁ.....ଇ.....ଇ..... ଶବ୍ଦ କରି ତଳେ ପଡ଼ିଗଲା । ଅଶ୍ୱାରୋହୀ ତଳକୁ ଡେଇଁ ପଡ଼ିଲେ-। ପାହାଡ଼ ଉପରେ ମଶାଲ ଆଲୋକ ଜଳି ଉଠିଲା ।

 

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ ।

 

ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ । ଉତ୍କଳ, କଳିଙ୍ଗ, କୋଙ୍ଗଦ ଓ କୋଶଳ—ଏହି ଚାରିଟି ରାଜ୍ୟର ସମ୍ମିଶ୍ରଣରେ ଯେଉଁ ବିଶାଳ ସାମ୍ରାଜ୍ୟ ଗଠିତ ହୋଇଥିଲା, ତହିଁରେ କେଶରୀ ବଂଶ ଓ ଗଙ୍ଗବଂଶ ପରେ ବର୍ତ୍ତମାନ ସୂର୍ଯ୍ୟବଂଶ ରାଜପଣ କରୁଛନ୍ତି-। ମାତ୍ର ଧର୍ମର ଅଭିମାନ ଏ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରୁ ଦୂରୀଭୂତ ହୋଇ ପାରିନାହିଁ ।

 

କଳିଙ୍ଗ ବିଜୟୀ ସମ୍ରାଟ ଅଶୋକ ପ୍ରଥମେ ଏହି ଭୂମିରୁ ବୌଦ୍ଧଧର୍ମର ଦୀକ୍ଷା ନେଇ ଏଠାରେ ବୌଦ୍ଧଧର୍ମ ପ୍ରଚାର କରିଥିଲେ । ତା’ପରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ସମୟରେ ଜୈନ ଧର୍ମର ପ୍ରସାର ଘଟିଲା । ସେ ତ୍ରିକଳିଙ୍ଗ ଜୟକରି ଏକ ବିଶାଳ ସାମ୍ରାଜ୍ୟ ସ୍ଥାପନ କଲେ । ମାତ୍ର ତାଙ୍କ ପରେ କଳିଙ୍ଗ ସାମ୍ରାଜ୍ୟ ଭାଙ୍ଗିପଡ଼ିଲା ।

 

ଯଯାତି କେଶରୀ ପୁଣି ଏହି ବିଚ୍ଛିନ୍ନ ରାଜ୍ୟଗୁଡ଼ିକୁ ଏକତ୍ର କରି ଯେଉଁ ସାମ୍ରାଜ୍ୟ ଗଠନ କଲେ ତାହାର ସୀମା ବଙ୍ଗ, ମାଳବ ଓ କାଞ୍ଚି ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ସେ ରାଜା ଶିବଭକ୍ତ ଥିବାରୁ ଦେଶରେ ଶୈବ ଧର୍ମର ପ୍ରସାର ଘଟିଲା । କେଶରୀ ବଂଶ ପରେ ଉତ୍କଳରେ ଗଙ୍ଗବଂଶର ରାଜାମାନେ ରାଜପଣ କଲେ । ଏମାନଙ୍କ ସମୟରେ ବ୍ରାହ୍ମଣ୍ୟଧର୍ମ ଉତ୍କଳରେ ପ୍ରଚାରିତ ହେଲା ।

ଦେଶରେ ଏହିପରି ନାନା ମତବାଦ ଓ ଧର୍ମର ପ୍ରଚାର ଯୋଗୁଁ ଅନ୍ତଃବିପ୍ଳବ ପ୍ରତି ମୁହୂର୍ତ୍ତରେ ଲାଗି ରହିଥିଲା । ଦେଶରେ ଏକତା ଆଣିବା ଓ ଅଖଣ୍ଡତ୍ୱ ରକ୍ଷା ପାଇଁ ଗଜପତି ରାଜାମାନେ ଏକ ନୂତନ ଧର୍ମର ପ୍ରଚଳନ କଲେ । ଯାହାର ନାମ ହେଲା ଜଗନ୍ନାଥ ଧର୍ମ । ଏହାର ନିଜସ୍ୱ ସଂସ୍କୃତି ଓ ବୈଶିଷ୍ଟ୍ୟ ରହିଲା । ଏ ଧର୍ମ ନିକଟରେ କେହି ବଡ଼ ସାନ ରହିଲେ ନାହିଁ କି ଧର୍ମ ମଧ୍ୟରେ ଭେଦାଭେଦ ରହିଲା ନାହିଁ । ସବୁ ଧର୍ମ ଏହା ସହିତ ମିଳିତ ହେଲେ । ଏପରିକି ଯେଉଁ ଆଦିମ ଅଧିବାସୀମାନେ ପ୍ରଥମେ ଏ ଦେଶରେ ବାସ କରୁଥିଲେ ସେମାନେ ମଧ୍ୟ ଜଗନ୍ନାଥଙ୍କୁ ନିଜର ଦେବତା ବୋଲି ଗ୍ରହଣ କରିନେଲେ । ଏହା ଫଳରେ ଧର୍ମଦ୍ୱେଷ ଅନେକ ପରିମାଣରେ କମିଗଲା ସତ; ମାତ୍ର ଛୋଟ ଛୋଟ ରାଜ୍ୟର ରାଜାମାନେ ଧର୍ମକୁ କେନ୍ଦ୍ରକରି ପରସ୍ପର ମଧ୍ୟରେ କଳହରେ ମାତି ରହିଲେ । ସେତେବେଳେ ଧର୍ମ ନିକଟରେ ଅନ୍ୟ ସମସ୍ତ ଗୌଣ ବୋଲି ବିବେଚିତ ହେଉଥିଲା ।

ଏ ଯେଉଁ ସମୟର କଥା କୁହାଯାଉଛି—ସେତେବେଳେ ବିଶାଳ ଉତ୍କଳ ସାମ୍ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ସତ, ମାତ୍ର ଏହାର ଗୋଟିଏ ବିସ୍ତୃତ ଭୂଖଣ୍ଡ ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ତାହାର ନିବିଡ଼ତମ ଅଂଶରେ ପ୍ରବେଶ କରିବା ଦୁଃସାଧ୍ୟ ଥିଲା । ହିଂସ୍ରଜନ୍ତୁଙ୍କ ଭୟରେ ଏବଂ ପଥ ହରାଇବା ଆଶଙ୍କାରେ କେହି ତା ମଧ୍ୟରେ ପ୍ରବେଶ କରୁ ନଥିଲେ-। ବିଶେଷତଃ ନୌବାଣିଜ୍ୟର ପ୍ରସାର ତଥା ଉନ୍ନତି ଯୋଗୁଁ ଲୋକେ ସମୁଦ୍ର ବା ନଦୀକୂଳରେ ବସବାସ କରୁଥିଲେ । ଅରଣ୍ୟର ପାଦ ଦେଶରେ କ୍ରମେ ଛୋଟ ଛୋଟ ରାଜ୍ୟ ଗୁଡ଼ାଏ ଗଢ଼ି ଉଠୁଥିଲା ।

ସେଦିନ ଗ୍ରୀଷ୍ମଋତୁର ଏକ ଅଳସ ମଧ୍ୟାହ୍ନ ।

ଶାଳଗଛରେ ଫୁଲ ଝଡ଼ି ଫଳ ଆସିଛି । ମହୁଲ ଗଛରୁ ମଧୁମଦିର ଗନ୍ଧ ଲୋପ ପାଇଯାଇଛି । ପିଆଶାଳ ଗଛର ପୁଷ୍ପସ୍ତବକ ତଳକୁ ଓହଳି ଧୀର ପବନରେ ଦୋଳି ଖେଳିବାରେ ଲାଗିଛି । କେନ୍ଦୁଗଛରେ ହଳଦି ରଙ୍ଗର ପାଚିଲା ଫଳ । ଅରଣ୍ୟର ଝରଣା ଓ ଜଳାଶୟଗୁଡ଼ିକ ଜଳହୀନ ।

ଅରଣ୍ୟର ପାଦ ଦେଶରେ ଅବସ୍ଥିତ ଏକ କ୍ଷୁଦ୍ର ରାଜ୍ୟର ଜଣେ ରାଜା ଶିକାର ନିମନ୍ତେ ନଦୀକୂଳକୁ ଆସିଛନ୍ତି । ଖୁବ୍‌ ନିକଟରେ ଲୋକାଳୟ, ଭୟର କୌଣସି କାରଣ ନାହିଁ । ଏହି ଲୋକାଳୟଠାରୁ ଜଙ୍ଗଲ ଆରମ୍ଭ । ରାଜା ନିଜର ସୈନ୍ୟ ସାମନ୍ତଙ୍କୁ ଦୂରରୁ ବିଦାୟ କରିଦେଇ ଉନ୍ମୁକ୍ତ କୃପାଣ ହସ୍ତରେ ଜଳଘାଟ ନିକଟରେ ଲୁଚି ବସିଲେ ।

ମୁହୂର୍ତ୍ତ ପରେ ମୁହୂର୍ତ୍ତ ଅତିବାହିତ ହେବାରେ ଲାଗିଲା । ମଧ୍ୟାହ୍ନର ସୂର୍ଯ୍ୟ ପଶ୍ଚିମ ଦିଗକୁ ଢଳିବାକୁ ଆରମ୍ଭ କଲେ । ବନଭୂମି ପ୍ରଶାନ୍ତ ଓ ଗମ୍ଭୀର । ରୌଦ୍ର ତାପରେ ଆକାଶରୁ ଅନଳ ବୃଷ୍ଟି ହେବାପରି ମନେ ହେଉଛି । ମଧ୍ୟେ ମଧ୍ୟେ ଅରଣ୍ୟର ନିସ୍ତବ୍ଧତା ଭେଦକରି କଜଳପାତି ଓ ହଳଦୀ ବସନ୍ତ ସ୍ୱର ଭାସି ଆସୁଛି । କୋକିଳର ସ୍ୱର କ୍ଳାନ୍ତ ।

ରାଜା ବହୁ ସମୟଧରି ବସି ବସି ବିରକ୍ତ ବୋଧ କଲେ । ସେ ଲୁଚିଥିବା ସ୍ଥାନରୁ ବାହାରି ପଳାଇ ଆସିବାକୁ ଚିନ୍ତା କରୁଥିବାବେଳେ ହରିଣୀଦଳ ଜଳ ପିଇବାକୁ ନଦୀକୁ ଆସିଲେ । ହରିଣ ଶାବକମାନେ କେତେବେଳେ ମା’ ସ୍ତନରେ ମୁହଁ ଲଗାଇ କ୍ଷୀର ପାନ କରୁଥାଆନ୍ତି ତ କେତେବେଳେ ଆଗକୁ ଦଉଡ଼ିଯାଇ ପଛକୁ ଫେରି ଚାହୁଁ ଥାଆନ୍ତି । ହରିଣୀ ଅଳସ ଗତିରେ ନଦୀକୁ ଯାଉଁ ଯାଉଁ ବାଟରେ ଠିଆହୋଇ କେତେବେଳେ ଶିଶୁକୁ ସ୍ତନ ଦାନ କରେ ତ କେତେବେଳେ ତାର ଶରୀର ଲେହନ କରେ । ରାଜା କେତେ ସମୟ ନୀରବରେ ଏ ଦୃଶ୍ୟ ଦେଖିବାରେ ଲାଗିଲେ । ହଠାତ୍‌ ମନ ତାଙ୍କର କେଉଁ ଅଜଣା ରାଜ୍ୟରେ ହଜିଗଲା । ବର୍ତ୍ତମାନ ତାଙ୍କର ବୟସ ଚାଳିଶ । ଦୀର୍ଘ କୋଡ଼ିଏ ବର୍ଷଧରି ସେ ବିବାହ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ହୋଇ ନାହାନ୍ତି । ବାତ୍ସଲ୍ୟ ରସରେ ରାଜାଙ୍କ ହୃଦୟ ଦ୍ରବୀଭୂତ ହୋଇଗଲା । ସେ ମୁଗ୍‌ଧ ଦୃଷ୍ଟିରେ ସେଆଡ଼କୁ ଚାହିଁ ରହିଲେ । ହରିଣୀଦଳ ଜଳପାନ କରି ପୁଣି ଅରଣ୍ୟ ଭିତରକୁ ଫେରିଗଲେ । ମାତ୍ର ରାଜା ନିଜର ଭାବନା ରାଜ୍ୟରୁ ଫେରି ପାରିଲେ ନାହିଁ । ସେ ଅନ୍ୟମନସ୍କ ହୋଇ ପଡ଼ିଲେ ।

ହଠାତ୍‌ ନିକଟରେ ଏକ ଭୀଷଣ ଗର୍ଜ୍ଜନ ଶୁଣି ରାଜାଙ୍କର ଚିନ୍ତାର ସୂତ୍ର ଛିନ୍ନ ହୋଇଗଲା-। ସେ ଦେଖିଲେ ତାଙ୍କ ପଛରେ ଏକ ମହାବଳ ବ୍ୟାଘ୍ର । ବ୍ୟାଘ୍ରଟି ଲାଙ୍ଗୁଳ ଟେକି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଛି । ମୁହୂର୍ତ୍ତକରେ ରାଜା ନିଜର ତରବାରିଟି କୋଷମୁକ୍ତ କରି ବ୍ୟାଘ୍ରର ସମ୍ମୁଖୀନ ହେଲେ । ଠିକ୍‌ ଏତିକିବେଳେ ବିପରୀତ ଦିଗରେ ପୁଣି ଏକ ଗର୍ଜ୍ଜନ ଶୁଣାଗଲା-। ରାଜା ସାମାନ୍ୟ ବୁଲିପଡ଼ି ଦେଖିଲେ ଯେ ଆଉ ଗୋଟିଏ ବ୍ୟାଘ୍ର । ବୋଧହୁଏ ବ୍ୟାଘ୍ରୀ-। ଦମ୍ପତ୍ତି ସାଥୀହୋଇ ଜଳପାନ ଉଦ୍ଦେଶ୍ୟରେ ଆସିଥିଲେ । ରାଜା କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ସୈନ୍ୟସାମନ୍ତ ବହୁ ଦୂରରେ । ଗୋଟିଏ ବ୍ୟାଘ୍ର ସହିତ ଯୁଦ୍ଧ କରିବାଭଳି ସାହସ ଓ ଶକ୍ତି ଅବଶ୍ୟ ତାଙ୍କର ଅଛି । ମାତ୍ର ଦୁହିଁଙ୍କ ବିରୁଦ୍ଧରେ ଅସୀ ଉତ୍ତୋଳନ.....-

ରାଜା ଜୀବନର ଆଶା ପରିତ୍ୟାଗ କଲେ । ତଥାପି ବିନା ଯୁଦ୍ଧରେ ମୃତ୍ୟୁବରଣ କରିବାକୁ ସେ ପସନ୍ଦ କଲେ ନାହିଁ ।

ଦୁଇ ବ୍ୟାଘ୍ର ଦୁଇ ଦିଗରୁ ରାଜାଙ୍କୁ ଆକ୍ରମଣ କଲେ । ରାଜା ତରବାରି ଧରି ଆତ୍ମରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରତି ଆକ୍ରମଣ କରିବାରେ ଲାଗିଲେ । ଦୀର୍ଘ ସମୟ ଧରି ରାଜା ଓ ବ୍ୟାଘ୍ର ଦୁହିଁଙ୍କର ଆକ୍ରମଣ ପ୍ରତି ଆକ୍ରମଣ ଚାଲିଲା । ଏହି ସମୟରେ ରାଜାଙ୍କ ତରବାରି ଆଘାତରେ ବ୍ୟାଘ୍ରୀଟି ଭୂତଳଶାୟୀ ହେଲା । ମାତ୍ର ବ୍ୟାଘ୍ରଟି ଅଧିକ କ୍ରୋଧିତ ଓ ହିଂସ୍ର ହୋଇ ରାଜାଙ୍କୁ ଆକ୍ରମଣ କରିବାରେ ଲାଗିଲା । ରାଜା ସେତେବେଳେ କ୍ଳାନ୍ତ । ତରବାରି ଧରିବାକୁ ମଧ୍ୟ ତାଙ୍କ ଦେହରେ ଶକ୍ତି ନ ଥାଏ । ଠିକ୍‌ ଏତିକିବେଳେ କାହୁଁ ଏକ ଶର ଆସି ବ୍ୟାଘ୍ରର ବକ୍ଷ ଭେଦକଲା । ବ୍ୟାଘ୍ରଟି ଭୀଷଣ ଗର୍ଜ୍ଜନ କରି ତଳେ ପଡ଼ିଗଲା । ରାଜା ଶର ଆସିଥିବା ଦିଗକୁ ଚାହିଁଲେ । ଦେଖିଲେ ଯେ ଜଣେ ଯୁବତୀ ଧନୁଶର ହସ୍ତରେ ଅଦୂରରେ ଦଣ୍ଡାୟମାନ । ରାଜାଙ୍କ ସହିତ ଦୃଷ୍ଟିର ବିନିମୟ ହେବାମାତ୍ରେ ଯୁବତୀ ବିଦ୍ୟୁତପରି ଲତା ଅଭ୍ୟନ୍ତରରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା-। ରାଜା ଗଛ ଉପରେ ଲୁଗା ଉଡ଼ାଇ ନିଜ ଲୋକଙ୍କୁ ଆସିବା ପାଇଁ ସଙ୍କେତ ଦେଲେ ।

ଦିବସ ପରେ ଦିବସ ଅତିବାହିତ ହେବାରେ ଲାଗିଲା । କ୍ରମେ ଗ୍ରୀଷ୍ମଋତୁ ଅତୀତ ହୋଇ ବର୍ଷାଋତୁ ଆସିଲା । ପୃଥିବୀରେ କେତେ ପରିବର୍ତ୍ତନ ଘଟିଲା । ନୀରସ, ଶୁଷ୍କ ଓ ବନ୍ଧ୍ୟା ମୃତ୍ତିକାରେ ନବ ଜୀବନ ସଞ୍ଚାରିତ ହେଲା । ବୃକ୍ଷଲତାର ଶୁଷ୍କ ଡାଳରେ ନୂଆପତ୍ର ଦେଖାଦେଲା । ଚାତକର ଆର୍ତ୍ତସ୍ୱର ବନ୍ଦ ହୋଇ ମୟୂରର କେକାରବ ଶ୍ରୁତି ଗୋଚର ହେଲା । ମାତ୍ର ରାଜାଙ୍କ ହୃଦୟରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ । ସେଦିନର ସେ ଶିକାର ଦୃଶ୍ୟ ରାଜା ଭୁଲି ପାରିଲେ ନାହିଁ । ଦିନକୁ ଦିନ ତାହା ରାଜାଙ୍କ ହୃଦୟରେ ଅଧିକରୁ ଅଧିକ ସ୍ଥାନ ଅଧିକାର କରିବାରେ ଲାଗିଲା-

ଦେ ଦିନର ଏକ ମ୍ଳାନ ଗୋଧୂଳି, ଗତ କେତେ ଦିନର ବର୍ଷଣ ପରେ ଆକାଶ ସାମାନ୍ୟ ପରିଷ୍କାର ହୋଇଛି । ଗଛ ଲତାର ସବୁଜ ପତ୍ରରୁ ଧୂଳି ଧୋଇଯାଇ ତାହା ଅପୂର୍ବଶ୍ରୀ ଧାରଣ କରିଛି-। ରାଜା ଅଳସ ପଦରେ ନବରରୁ ବାହାରି ଉଦ୍ୟାନର ମାଧବୀ ଲତା ତଳେ ଆସି ବସିଲେ । ହୃଦୟ ଗଭୀର ଚିନ୍ତାରେ ଆଚ୍ଛନ୍ନ, ମୁଖ ମଣ୍ଡଳରେ ତାର ଛାୟା ପ୍ରକଟିତ । ସେ ଅନ୍ୟମନସ୍କ ଭାବରେ କଣ ଭାବି ଚାଲିଛନ୍ତି ।

ଏହି ସମୟରେ ଆକାଶରେ ଖଣ୍ଡେ କଳା ବଉଦ ଦେଖା ଦେଇ ଘନ ଘନ ଲତା ବିଜୁଳି ମାରିବାରେ ଲାଗିଲା । ରାଜା ଅଧିକ ତନ୍ମୟ ହୋଇପଡ଼ିଲେ ।

ପଛଆଡ଼ୁ ଶବ୍ଦ ଶୁଭିଲା—ମହାରାଜା କଣ ଅସୁସ୍ଥ ?

ରାଜା ବାସ୍ତବତାକୁ ଫେରି ଆସିଲେ । ମୁହଁ ବୁଲାଇ ଦେଖିଲେ ଯେ ତାଙ୍କର ପ୍ରିୟ ବୟସ୍ୟ ଧନୁର୍ଦ୍ଧର ଶର୍ମା ନିକଟରେ ଠିଆ ହୋଇଛନ୍ତି ।

ରାଜା କହିଲେ—ଆସନ୍ତୁ ଧନୁର୍ଦ୍ଧର ।

ଧନୁର୍ଦ୍ଧର ମାଧବୀ ମଣ୍ଡପର ଗୋଟିଏ କୋଣରେ ବସୁ ବସୁ କହିଲେ—ମହାରାଜ, ଏ ଶର୍ମା କିନ୍ତୁ ଦିନେ ହେଲେ ଧନୁ ଧାରଣ କରି ନାହିଁ ।

 

ରାଜା ଶୁଖିଲା ହସ ହସି କହିଲେ—ତାହାହିଁ ତ ଏ ଦୁନିଆର ବୈଚିତ୍ର୍ୟ । ଯାହାଙ୍କର ଧନୁ ଧରିବାର କଥା, ସେ ଗୃହ କୋଣରେ ରହୁଛନ୍ତି, ମାତ୍ର ଯେ ଅସୂର୍ଯ୍ୟମ୍ପସ୍ୟା ସେ ଏବେ ଧନୁ ଧାରଣ କଲେଣି ।

 

ଧନୁର୍ଦ୍ଧର ଉତ୍ତର ଦେଲେ—ଏହାର ତାତ୍ପର୍ଯ୍ୟ ବୁଝିପାରିଲି ନାହିଁ ମହାରାଜ ?

 

ରାଜା ଉପରକୁ ଅନାଇ ଉତ୍ତର ଦେଲେ—ବୁଝିବାର ଆବଶ୍ୟକ ନାହିଁ । ଏହି ଦେଖ, କଳାମେଘ କୋଳରେ ଲତା ବିଜୁଳି । ସେଦିନ ସେ ଠିକ୍‌ ଏହିପରି ଭାବରେ ଲତା ଅଭ୍ୟନ୍ତରରେ ଲୁଚିଗଲା ।

 

ଧନୁର୍ଦ୍ଧର ଗମ୍ଭୀର ଭାବରେ କହିଲା—ହଁ, ଏଥର ବୁଝାଗଲା ।

 

ରାଜା ପଚାରିଲେ—କଣ ବୁଝିଲ ?

 

ଧନୁର୍ଦ୍ଧର ମାଧବୀ ଲତାକୁ ଆଉଜି ପଡ଼ି ଅର୍ଦ୍ଧଶାୟିତ ଅବସ୍ଥାରେ କହିଲାସେଦିନ ମଧ୍ୟ ଠିକ୍‌ ଏହିପରି ଘଟିଥିଲା ମହାରାଜ !

 

ରାଜା ତାଙ୍କ ମୁହଁକୁ ଅନାଇଲେ ।

 

ଧନୁର୍ଦ୍ଧର କିନ୍ତୁ ରାଜାଙ୍କ ଆଡ଼କୁ ନଚାହିଁ ଉପରକୁ ଅନାଇ କହିଲା—ଦୁଷ୍ମନ୍ତଙ୍କଦ୍ୱାରା ଅପମାନିତା ଓ ଲାଞ୍ଛିତା ଶକୁନ୍ତଳାକୁ ମା ମେନକା ନେଇଗଲେ ଏଣେ ମତ୍ସ୍ୟ ଥିର୍ଭରୁ ରାଜା ନିଜର ଅଙ୍ଗୁରୀୟ ଦେଖିବା ପରେ ଦୁର୍ବାସାଙ୍କ ଅଭିଶାପ ଖଣ୍ଡନ ହୋଇଗଲା । ରାଜା ଶକୁନ୍ତଳା ବିରହରେ ଉନ୍ମତ୍ତ ପ୍ରାୟ ହୋଇ ପଡ଼ିଲେ । ଆଷାଢ଼ ମାସ । କଳା ମେଘରେ ଲତା ବିଜୁଳି ମାରିବାରୁ ରାଜା ଭାବିଲେ—ଏହି ବୋଧହୁଏ ମେନକା ଶକୁନ୍ତଳାକୁ ନେଇ ଯାଉଛନ୍ତି । ତେଣୁ ସେ ପ୍ରିୟାକୁ ଉଦ୍ଧାର କରିବା ପାଇଁ ଧାଇଁଗଲେ ।

 

ସଙ୍ଗେ ସଙ୍ଗେ ଧନୁର୍ଦ୍ଧର ବସିବା ସ୍ଥାନରୁ ଉଠି, ଦଉଡ଼ିଯାଇ ପାଖରେ ଥିବା ତମାଳ ଗଛକୁ କୁଣ୍ଢାଇ ଧରି କହିଲେ—ପ୍ରିୟା, ପ୍ରିୟା, ପ୍ରିୟା ।

 

ରାଜା ହସି ହସି କହିଲେ—ଚମତ୍କାର ଅଭିନୟ ଧନୁର୍ଦ୍ଧର । ମାତ୍ର ତୁମେ ଭୁଲିଯାଉଛ ସେ ଦୁଷ୍ମନ୍ତଙ୍କ ପ୍ରିୟା ପଦ୍ମାଭ ଗୌର । ମାତ୍ର ତୁମର ପ୍ରିୟା ଏ ତମାଳ ଗଛ କୃଷ୍ଣବର୍ଣ୍ଣ ।

 

ଧନୁର୍ଦ୍ଧର ରାଜାଙ୍କ ନିକଟକୁ ଫେରିଆସି କହିଲା—ମହାରାଜ, ବିରହ ବିଧୂର ଲୋକ ନିକଟରେ ମର୍କଟୀହିଁ ଅପ୍‌ସରା । ତାର ଆଉ ଭାବନା ଶକ୍ତି ଆସିଲା କୁଆଡ଼ୁ ?

 

ରାଜା ପୁଣି ଗମ୍ଭୀର ହୋଇ କହିଲେ—ନାଁ, ଧନୁର୍ଦ୍ଧର । ମୁଁ ଅପ୍ରକୃତିସ୍ଥ ନୁହେଁ । ମାତ୍ର ସମୟେ ସମୟେ ମନଟା ଆୟତ୍ତରେ ରହୁ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ସେ ଦୃଶ୍ୟ ଭୁଲି ପାରୁନାହିଁ ।

 

ବାସ୍ତବରେ ଧନୁର୍ଦ୍ଧର ଏଥର ବିସ୍ମିତ ହୋଇଗଲି । ସେ କହିଲା—ମହାରାଜ, ବୋଧହୁଏ ମୋତେ କୌଣସି କଥା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ପ୍ରକୃତ ଘଟଣା ନ ଜାଣିଲେ କି ପ୍ରତିକାର କରିବି ?

 

ରାଜା କହିଲେ—ନାଁ, ଧନୁର୍ଦ୍ଧର ! ତୁମ ପାଖରେ ଲୁଚାଇବାର କିଛିନାହିଁ, ତେବେ ଶୁଣ ।

 

ରାଜା ସେଦିନର ଶିକାର ବୃତ୍ତାନ୍ତ ବର୍ଣ୍ଣନା କଲେ ।

 

ଧନୁର୍ଦ୍ଧର କହିଲା—ମହାରାଜ ମୋତେ ସାତଦିନ ସମୟ ଦିଅନ୍ତୁ । ସେ ରମଣୀ କିଏ ଏବଂ କଣ ତାର ପରିଚୟ ମୁଁ ସମସ୍ତ ସମ୍ବାଦ ଆଣି ତୁମୁରେ ଜଣାଇବି ।

 

ଝିପିଝିପି ବର୍ଷା ଆରମ୍ଭ ହେବାରୁ ଦୁହେଁ ନବରକୁ ଫେରି ଆସିଲେ ।

 

ବାସ୍ତବରେ ଏ ପୃଥିବୀ ଏପରି କି ଉପାଦାନରେ ଗଠିତ ଯେ ଏଠାରେ ସମସ୍ତେ ପ୍ରତି ମୁହୂର୍ତ୍ତରେ ଏକ ଲାଳସା ପଥରେ ଗତି କରୁଛନ୍ତି । ସବୁବେଳେ ଚାହୁଁଛନ୍ତି—କେଉଁ କାର୍ଯ୍ୟରେ କାହାର କେତେ ଲାଭ ବା କ୍ଷତି ନିହିତ । ଫଳରେ ମନୁଷ୍ୟ ହୃଦୟର ସମସ୍ତ ସ୍ନେହ, ମାୟା ଓ ମମତା ଦିନକୁ ଦିନ ଲୋପ ପାଇଯାଉଛି ।

 

ରାଣୀ ମାୟା ଦେବୀଙ୍କର ମଧ୍ୟ ଠିକ୍‌ ସେହି ଅବସ୍ଥା ଉପୁଜିଲା । ରାଜାଙ୍କର ଦ୍ୱିତୀୟ ବିବାହକୁ ସେ ପସନ୍ଦ କରି ପାରିଲେ ନାହିଁ । ଜୀବନରେ ତାଙ୍କର ପଞ୍ଚତିରିଶଟି ବସନ୍ତ ବହିଗଲାଣି । ସେ ପ୍ରୌଢ଼ା ହେବାକୁ ଯାଉଛନ୍ତି । ରାଜାଙ୍କର ମଧ୍ୟ ଚାଳିଶବର୍ଷ ପୂର୍ଣ୍ଣ ହୋଇଗଲାଣି । ମାତ୍ର ରାଣୀଙ୍କର କୋଳଶୂନ୍ୟ । ଏ ପର୍ଯ୍ୟନ୍ତ ସେ ସନ୍ତାନଟିଏ ଗର୍ଭରେ ଧାରଣ କରିପାରି ନାହାନ୍ତି । ନିଜର ନିରସ ଜୀବନ ପରିପୂର୍ଣ୍ଣ କରିବାପାଇଁ ସେ ଭାଇଙ୍କଠାରୁ ପୁଅଟିଏ ଆଣି ପାଳିଛନ୍ତି । ତାଙ୍କର ଇଚ୍ଛା—ଏହାକୁ ପୋଷ୍ୟ ପୁତ୍ରକରି ନିଜେ ରାଜାମାତା ହେବେ । ବର୍ତ୍ତମାନ ନୂତନ ବିବାହ କଥାଶୁଣି ମନରେ ତାଙ୍କର ଆଶଙ୍କା ଜାତ ହେଲା । ମନେ ହେଲା—ନୂତନ ରାଣୀ ଯଦି ସନ୍ତାନବତୀ ହୁଏ, ତେବେ—ଏତେ ଦିନଧରି ତିଳ ତିଳକରି ଗଢ଼ା ସଂସାର ତାଙ୍କର ମିଥ୍ୟା ହୋଇଯିବ । ଯାହାପାଇଁ ତାଙ୍କର ସାଧ, ଆହ୍ଲାଦ, ସୁଖ ଓ ସୋହାଗ ମଞ୍ଜରିତ ହୋଇ ଉଠୁଥିଲା ସେହି ମନୁଷ୍ୟଟି ମଧ୍ୟ ଅସ୍ପଷ୍ଟ ହୋଇଯିବ । ସେତେବେଳେ....

 

ଏ ମଧ୍ୟରେ ସପ୍ତାହଟାଏ ବିତିଯାଇଛି । ଧନୁର୍ଦ୍ଧର ବହୁ ଅନୁସନ୍ଧାନ କରି ରମଣୀଟିର ପରିଚୟ ସଂଗ୍ରହ କରିଛି ।

 

ଅରଣ୍ୟର ପାଦ ଦେଶରେ ଅବସ୍ଥିତ ଏକ କ୍ଷୁଦ୍ର ଗ୍ରାମରେ ଜଣେ ଦରିଦ୍ର କ୍ଷତ୍ରୀୟର କନ୍ୟା ଦେବୀ । ବାସ୍ତବରେ ସେ ଦେବୀପରି ସୁନ୍ଦରୀ ଓ ସୁଶିକ୍ଷିତା । ଶରୀରଟି ତାର ପଦ୍ମାଭ ଗୌର, କୃଷ୍ଣ କୁଞ୍ଚିତ କେଶଦାମ, କଟାକ୍ଷରେ ପୁଞ୍ଜ ପୁଞ୍ଜଦାମିନୀ । ଆୟିତ୍ତ ଚକ୍ଷୁ ଯୁଗଳ । ଭ୍ରୂଯୁଗ୍ମରେ ଖେଳା ଖଞ୍ଜରୀଟର ଦୃଶ୍ୟ; ଈଷତ୍‌ ଲମ୍ବମାନ ଗ୍ରୀବା ।

 

ବାଲ୍ୟବୟସରୁ ଦେବୀ ତୀର ନିକ୍ଷେପ ଓ ଅସୀ ଚାଳନାରେ ଦକ୍ଷତା ଲାଭ କରିଥିଲା । ତା’ପରେ କୈଶୋରରେ ଅଶ୍ୱାରୋହଣ ଶିକ୍ଷା କରିନେଲା । ପିତା ତାକୁ ନିଜ ଗୃହରେ କାବ୍ୟ ଓ ବ୍ୟାକରଣ ମଧ୍ୟ ଶିକ୍ଷା ଦେଇଥିଲେ ।

 

ଯୌବନ ଆରମ୍ଭରେ ଦେବୀ ଏକାକୀ ଅରଣ୍ୟ ମଧ୍ୟରେ ବୁଲି ଶିକାର କରେ । ଲକ୍ଷ୍ୟ ଭେଦରେ ସେ ଏପରି ଅଦ୍ୱିତୀୟା ଯେ ଗୋଟିଏ ତୀର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସଙ୍ଗେ ଅନ୍ୟ ତୀରଟି ତା’ ନିକଟରେ ଲାଗିଯାଏ । ପିଲାଦିନେ ତାର କୋଷ୍ଠି ବିଚାର କରି ଦୈବଜ୍ଞ କହିଥିଲେ—ଏ ଦିନେ ରାଜରାଣୀ ହେବ । ତେଣୁ ତାଙ୍କର ବାଣୀକୁ ବିଶ୍ୱାସ କରି ତାର ପିତା ଯୁଦ୍ଧବିଦ୍ୟା ଶାସ୍ତ୍ର ଶିକ୍ଷା ମଧ୍ୟ ଦେଇଥିଲେ ।

 

ଦେବୀ ଷୋଡ଼ଶ ବର୍ଷରେ ପଦାର୍ପଣ କରିବାବେଳକୁ ଦୈବଜ୍ଞଙ୍କର ବାଣୀ ଦରିଦ୍ର କ୍ଷତ୍ରୀୟ ନିକଟରେ ଆକାଶ କୁସୁମ ପରି ପ୍ରତୀତ ହେଲା । ମାତ୍ର ସେ ମନକଥା ମନରେ ମାରି ରହିଲେ ।

 

ଯୁବତୀ ଦେବୀ ସେଦିନ ଶିକାର ଉଦ୍ଦେଶ୍ୟରେ ଯାଇ ଲତାକୁଞ୍ଜରେ ଆତ୍ମଗୋପନ କରିଥିଲା । ହଠାତ୍‌ ବ୍ୟାଘ୍ରର ଗର୍ଜ୍ଜନ ଶୁଣି ଅନାଇ ଦେଖିଲା ଯେ, ଜଣେ ବଳିଷ୍ଠ ବପୁ ସୌମ୍ୟକାନ୍ତି ପୁରୁଷ ଏକାକୀ ଦୁଇଟି ବ୍ୟାଘ୍ରଙ୍କ ସହିତ ଯୁଦ୍ଧ କରୁଛନ୍ତି । ପୁରୁଷଟିର ସାହସ ଦେଖି ସେ ଚମତ୍କୃତା ହୋଇଗଲା ।

 

କେତେ ସମୟ ନିର୍ନିମେଷ ନୟନରେ ବ୍ୟାଘ୍ର ଓ ମନୁଷ୍ୟର ଯୁଦ୍ଧ ଦେଖିବାରେ ଲାଗିଲା-। ହଠାତ୍‌ ଉକ୍ତ ପୁରୁଷର ତରବାରି ଆଘାତରେ ଗୋଟିଏ ବ୍ୟାଘ୍ର ଭୂତଳରେ ପତିତ ହେଲା-। ମାତ୍ର ଅନ୍ୟ ବ୍ୟାଘ୍ରଟି ଭୀମ ବିକ୍ରମରେ ପୁରୁଷଟିକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା । ପୁରୁଷ ସେତେବେଳକୁ କ୍ଳାନ୍ତ । ତାଙ୍କର ତରବାରି ଚାଳନାରେ ଶିଥିଳତା ଅନୁଭବ କରି ଦେବୀ ଧନୁରେ ତୀର ସଂଯୋଗ କରି ଛାଡ଼ିଦେଲା । ବ୍ୟାଘ୍ରଟି ମଧ୍ୟ ସେତେବେଳକୁ କ୍ଳାନ୍ତ ହୋଇ ପଡ଼ିଥିଲା । ଦେବୀର ତୀର ତାର ବକ୍ଷ ଭେଦକଲା । ବ୍ୟାଘ୍ରଟି ବିକଟ ଚିତ୍କାର କରି ଭୂମିରେ ପଡ଼ିଗଲା । ଏହି ସମୟରେ ବିପନ୍ନ ପୁରୁଷ ଜଣକ ତା ଆଡ଼କୁ ଅନାଇଦେଲା । ଚକ୍ଷୁରେ ଚକ୍ଷୁ ମିଳିତ ହେବାମାତ୍ରେ ଦେବୀ ଲତା କୁଞ୍ଜରେ ଅନ୍ତର୍ଦ୍ଧାନ ହୋଇଗଲା ।

 

ରାଜା ଯେ ଦେବୀର ପାଣିପ୍ରାର୍ଥୀ ଏ ସମ୍ବାଦ ଶୁଣି ଦେବୀର ପିତା ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ । ପରେ ଦୈବଜ୍ଞଙ୍କ କଥା ମନେ ପଡ଼ିବାରୁ ଏବଂ ଧନୁର୍ଦ୍ଧରଙ୍କର ଏକାନ୍ତ ଅନୁରୋଧରେ ସେ ସମ୍ମତି ଦେଲେ । ମାତ୍ର ବିପଦ ଆସିଲା ଅନ୍ୟଆଡ଼ୁ ।

 

ଦେବୀର ପିତା ଶିବ ଉପାସକ ଜାଣି ରାଣୀ ଏବଂ କେତେକ ରାଜକର୍ମଚାରୀ ବିବାହରେ ପ୍ରତିବାଦ କଲେ । ପରିଶେଷରେ ରାଜପୁରୋହିତଙ୍କର ପରାମର୍ଶ ଲୋଡ଼ାଗଲା । ରାଜପୁରୋହିତ ବିଦ୍ୟା ବାଚସ୍ପତି ମହାଶୟ କହିଲେରାଜା ଅପୁତ୍ରିକ, ଏଣୁ ଦ୍ୱିତୀୟ ବିବାହରେ କୌଣସି ଆପତ୍ତି ନାହିଁ । ମାତ୍ର ଗୋଟିଏ ନବରରେ ଶିବ ଓ ବିଷ୍ଣୁଙ୍କର ପୂଜା ଉଚିତ ନୁହେଁ । ଏଣୁ କନିଷ୍ଠା ରାଣୀଙ୍କପାଇଁ ସ୍ୱତନ୍ତ୍ର ନବର ନିର୍ମାଣ କରାଯିବା ଆବଶ୍ୟକ ।

 

ପୁରୋହିତଙ୍କ ନିର୍ଦ୍ଦେଶ ଅନୁସାରେ ନୂତନ ନବର ନିର୍ମାଣ କରାଯାଇ ବିବାହ କାର୍ଯ୍ୟ ଶେଷ ହେଲା । ଦେବୀ ରାଜରାଣୀ ହୋଇ ନବରରେ ଅବସ୍ଥାନ କଲା । ତାର ଦରିଦ୍ର ପିତାର ସ୍ୱପ୍ନ ମଧ୍ୟ ସାର୍ଥକ ହେଲା ।

 

ଚାହୁଁ ଚାହୁଁ ବରଷଟାଏ ଅତିବାହିତ ହେଲା । ସେବା, ମମତା, ସ୍ନେହ, କରୁଣା ଓ ପ୍ରେମରେ ଦେବୀ ରାଜାଙ୍କର ହୃଦୟ ଜୟ କରିନେଲା । ରାଜା ତାର ଏକାନ୍ତ ଅନୁଗତ ହୋଇ ପଡ଼ିଲେ । ଶିକ୍ଷା, ଦୀକ୍ଷା, ରୁଚି ଓ ମର୍ଯ୍ୟାଦା ବୋଧରେ ଦେବୀ ଠିକ୍‌ ଦେବୀପରି ଥିଲା । ଯୁଦ୍ଧ ବିଦ୍ୟାଠାରୁ ସଙ୍ଗୀତ ଶାସ୍ତ୍ର, ପୁଣି ଗୃହକର୍ମ ଠାରୁ ସୂକ୍ଷ୍ମାତିସୂକ୍ଷ୍ମ ରାଜନୀତି ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ତାର ଅସାଧାରଣ ନୈପୁଣ୍ୟ ଥିଲା । ରାଜା ସବୁ କାର୍ଯ୍ୟରେ ତାର ସହାୟତା ଲୋଡ଼ୁଥିଲେ । ଏପରି କି ରାଜ୍ୟ ଶାସନ, ଦଣ୍ଡ ବା କ୍ଷମାରେ ମଧ୍ୟ ତାହାର ପରାମର୍ଶ ଅପରିହାର୍ଯ୍ୟ ହୋଇ ପଡ଼ୁଥିଲା । ତେଣୁ ଧୀରେ ଧୀରେ ତା ହାତକୁ ଶାସନ ଡୋରି ଚାଲି ଆସିବାରେ ଲାଗିଲା ।

 

ଏ ପୃଥିବୀକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହା ଯେପରି ସ୍ୱର୍ଗ ନୁହେଁ, ସେହିପରି ନରକ ମଧ୍ୟ ନୁହେଁ । ଏଠାରେ ସ୍ନେହ, ମାୟା, ମମତା ଓ କରୁଣା ଯେପରି ଅଛି, ସେହିପରି ହିଂସା, କପଟ, କୁଟୀଳତା ଓ ଷଡ଼ଯନ୍ତ୍ର ମଧ୍ୟ ରହିଛି । ଏ ଉଭୟର ସମ୍ମିଶ୍ରଣରେ ଏ ପୃଥିବୀ ନିର୍ମିତ ହୋଇଥିବାରୁ ଏହାକୁ ମର୍ତ୍ତ୍ୟ ବୋଲି କୁହାଯାଉଛି । ଏଠାରେ ମନୁଷ୍ୟ ଯୁଗେ ଯୁଗେ ବଦଳେ ନାହିଁ । ଅନ୍ତରରେ ସେ ଚିରନ୍ତନ ଶାନ୍ତି ଚାହେଁ, ଭଲ ପାଇବାକୁ ଚାହେଁ ଏବଂ ଶକ୍ତି ମାଟି ଉପରେ ନିଭୃତ ଶାନ୍ତିର ନୀଡ଼ ରଚନା କରି ବଞ୍ଚି ରହିବାକୁ ଚାହେଁ । ଯେତେବେଳେ ତାହା ପାଏ ନାହିଁ । ସେତେବେଳେ ସେ ନିଜକୁ ଜାଳିପୋଡ଼ି ଚାରିଆଡ଼େ ବ୍ୟର୍ଥ ଅନ୍ୱେଷଣ କରେ, ଏବଂ ସେହି ଜ୍ୱାଳାର ଅଗ୍ନିରେ ପାରିପାର୍ଶ୍ୱିକକୁ ମଧ୍ୟ ଜାଳିପୋଡ଼ି ଛାରଖାର କରିଦିଏ ।

ସାନରାଣୀ ଦେବୀ ଯେତେବେଳେ ନୂତନ ନବରରେ ସ୍ୱର୍ଗର ପରିବେଶ ରଚନା କରିଥିଲି, ସେତେବେଳେ ବଡ଼ରାଣୀ ମାୟା ଅପରିସୀମ କ୍ରୋଧରେ ନିଜର ପାରିପାର୍ଶ୍ୱକକୁ ଦଂଶନ କରିବାରେ ଲାଗିଥିଲା ।

ରାଜାଙ୍କର ବଡ଼ରାଣୀ ମାୟା । ପଞ୍ଚତ୍ରିଂଶ ବର୍ଷ ବୟସର ଏକ ଫଳହୀନ ବୃକ୍ଷ । ପେଶୀ ବହୁଳ ଦେହ ଏବଂ ମାଂସ ବହୁଳ ନିତମ୍ବ । ଉଦର ଓ ଉରୁରେ ବ୍ୟର୍ଥ ମାତୃତ୍ୱର ଧିକ୍‌କାର । ପ୍ରୌଢ଼ତ୍ୱର ଦ୍ୱାର ଦେଶରେ ପହଞ୍ଚିଥିବାରୁ କପାଳରେ ଗୋଟିଏ ଦୁଇଟି କଳାଶିରା ଦେଖା ଦେଲାଣି-। ଚକ୍ଷୁର ଚଞ୍ଚଳତା ହଜି ଯାଇଛି । ପୁଷ୍କରିଣୀର ଆବଦ୍ଧ ଜଳପରି ତାହା ତରଙ୍ଗହୀନ । ମସ୍ତକରେ କେତୋଟି କେଶ ମଧ୍ୟ ରୂପ ପରିବର୍ତ୍ତନ କରି ସାରିଲାଣି । ମାତୃତ୍ୱର ଆକାଂକ୍ଷା ପୂରଣ ପାଇଁ ଭାଇର ପୁଅକୁ ଆଣି ପୁଅରୂପେ ପାଳନ କରିଛନ୍ତି । ଏହି ପିଲାଟି ରାଜାହେଲେ ସେ ରାଜମାତା ହେବେ । ମାତ୍ର ପିଲାଟି ରାଣୀଙ୍କର ଅତ୍ୟଧିକ ସ୍ନେହ ଓ ଆଦରରେ ଦିନକୁ ଦିନ ବେପରୁଆ ଓ ଜିଦଖୋର ହୋଇ ପଡ଼ିଲାଣି । ଠିକ୍‌ ଏହି ସମୟରେ ଏକ ଦୁଃସମ୍ବାଦ ରାଣୀଙ୍କର କର୍ଣ୍ଣଗୋଚର ହେଲା ।

ସାନ ନଅରର ଦାସୀ ମାଳତୀ ସହିତ ବଡ଼ ନଅରର ଦାସୀ ଚମ୍ପାର ଖୁବ୍‌ ସଦ୍ଭାବ ଥିଲା-। ମାଳତୀ ଅଧିକାଂଶ ସମୟରେ ବଡ଼ରାଣୀଙ୍କ ନଅରକୁ ଯାଏ । ଚମ୍ପା ପାଖରେ ବସେ ଏବଂ ସୁଖ ଦୁଃଖ ହୋଇ ଫେରି ଆସେ ।

 

ସେଦିନ କଥାବାର୍ତ୍ତା ହେଉଁ ହେଉଁ ଟିକିଏ ବିଳମ୍ବ ଘଟିବାରୁ ମାଳତୀ କହିଲା ଯାଉଛି ଲୋ ଚମ୍ପା ! ରାଣୀମା’ ତେଣେ ଖୋଜୁଥିବେ । ଅସଜ ଲୋକ, ତାପରେ ସେ ଜିଭ କାମୁଡ଼ି ପକାଇ ନିଜକୁ ସଂଯତ କରିନେଲା ।

 

ସାଧାରଣତଃ ନାରୀମାନଙ୍କର ସ୍ୱଭାବ ହେଉଛି—କେଉଁଠି ଟିକିଏ ରହସ୍ୟର ଗନ୍ଧ ପାଇଲେ, ତାହାର ସବିଶେଷ ବିବରଣୀ ନ ଜାଣିବାଯାଏ, ସେମାନଙ୍କୁ ନିଦ୍ରାହୁଏ ନାହିଁ କି ଖାଦ୍ୟରେ ମଧ୍ୟ ରୁଚି ଆସେ ନାହିଁ । ଚମ୍ପା ବା ତହିଁରୁ ବ୍ୟତିକ୍ରମ ହେବ କିପରି ? ସେ ସଙ୍ଗେ ସଙ୍ଗେ ମାଳତୀର ଲୁଗା କାନିଧରି କହିଲା—ବସମ’ ମାଳ ! ଯିବୁ ଏଡ଼େ ତରବର କିଆଁ ? ପାନ ଖିଲେ ହେଲେ ଖାଇଯା’ ଭଲ ଦୋକ୍ତା ଅଛି ।

 

ପାନ ଓ ଦୋକ୍ତା ଲୋଭରେ ମାଳତୀ ଆଉ ଟିକିଏ ବସିଲା । ଚମ୍ପା ପାନରେ ଚୂନ ଲଗାଉ ଲଗାଉ କହିଲା–ଆଲୋ ମାଳ, ତୁ କଣ ମୋତେ ଏତେ ପର ବୋଲି ଭାବିଛୁ ?

 

ମାଳତୀ ଟିକିଏ ଅପ୍ରସ୍ତୁତ ହୋଇ ଉତ୍ତର ଦେଲା—ଏକଥା କାହିଁକି କହୁଛୁ ? ଏମିତି ମୋ ଆଚରଣରେ କେଉଁଠି କି ଭୁଲ ଦେଖିଲୁ କି ?

 

ଚମ୍ପା ତା ହାତକୁ ପାନଖିଲ ବଢ଼ାଇ ଦେଉଁ ଦେଉଁ କହିଲା—ମୋ ପାଖରେ ତୋର ଯେତେବେଳେ ଏତେ ଲୁଚାଛପା କାରବାର ସେତେବେଳେ ଆଉ କଣ କହିବି ?

 

ମାଳତୀ କିଛି ବୁଝି ନପାରି ପଚାରିଲା—କିଲୋ କଥା କଣ କହିଲେ ସିନା ବୁଝିବି ?

 

ଚମ୍ପା କହିଲା—ନାଁ ଛାଡ଼, ଆମକୁ ସେଥିରୁ କଣ ମିଳିବ ? ଆମେତ ଦାସୀ ବାନ୍ଦୀ ଲୋକ-?

 

ମାଳତୀ ଘଟଣା କଣ ଏ ପର୍ଯ୍ୟନ୍ତ ବୁଝିପାରି ନାହିଁ, ତାର ମଧ୍ୟ ଜିଦ୍‌ ବଢ଼ିଗଲା । ସେ ପଚାରିଲା—ଆଲୋ, କଣ କହ ଭଲା ? କଥା କହିବା ଆଗରୁ ତ ସାତ କାହାଣ ଭଣିତା କରି ସାରିଲୁଣି । ମୋତେ ଉଛୁର ହେଉଛି ପରା ? ମା’ ତେଣେ ବିରକ୍ତ ହେବଣି ?

 

ଚିମ୍ପା କହିଲା କଣ କହୁଥିଲୁ ମା ଅସଯ । ପୁଣି କଥାଟା ଲୁଚାଇ ଦେଲୁ ।

 

ମାଳତୀ କହିବ କି ନାହିଁ ଦୁଇ ଚାରିଥର ଢୋକ ଗିଳି ଶେଷରେ ଏଣେତେଣେ ଚାରିଆଡ଼କୁ ଚାହିଁ କହିଲା—ବୁଝି ଖବରଦାର । ମୋ ରାଣଟି, କେଉଁଠି କହିବୁ ନାହିଁ । କେଉଁଠି କହିବାକୁ ଆମକୁ ମନା କରାଯାଇଛି ।

 

ଚମ୍ପା କଥାଟାକୁ ହାଲୁକା କରିଦେବା ପାଇଁ କହିଲା—ମୋତେ କଣ ପିଲା ମନେ କରିଛୁ-? ତୋ କଥା ମୁଁ ପୁଣି କେଉଁଠି କହିଦେବି ? କିଲୋ ଏତେଦିନ ମୋ ସହିତ ଭାବକଲୁ, ମୋତେ ଆଜିଯାଏ ଚିହ୍ନି ପାରିଲୁ ନାହିଁ ?

 

ମାଳତୀ ତା କାନ ନିକଟକୁ ମୁହଁ ଆଣି କହିଁଲା—ସାନ ମାଙ୍କର କଣ ପିଲାଟିଏ ହେବ । ତା’ପରେ ସେ ଆଉ ପ୍ରଶ୍ନର ଅପେକ୍ଷା ନ କରି ଦ୍ରୁତ ପଦରେ ଚାଲିଗଲା ।

 

କଥାରେ ଅଛି—‘ତୁଣ୍ଡ ବାଇଦ ସହସ୍ର କୋଶ’ । କଥାଟା କ୍ରମେ କ୍ରମେ ଏ କାନ ସେ କାନ ହୋଇ ବଡ଼ ରାଣୀଙ୍କର କର୍ଣ୍ଣ ଗୋଚର ହେଲା । ରାଣୀ ପ୍ରଥମେ କଥାଟାକୁ ସତ୍ୟ ବୋଲି ବିଶ୍ୱାସ କରି ପାରିଲେ ନାହିଁ । ମାତ୍ର ପରେ ଯେତେବେଳେ ତାଙ୍କର ହୃଦବୋଧ ହେଲା ଯେ ଘଟଣାଟି ସତ୍ୟ, ସେତେବେଳେ ସେ ଅସ୍ଥିର ଆକ୍ରୋଶରେ ଉନ୍ମତ୍ତ ପ୍ରାୟ ହୋଇପଡ଼ିଲେ । ମାତ୍ର ଉପାୟ ନାହିଁ ।

 

କେତେଦିନ ପରେ ଦେବୀର ପୁଅଟିଏ ଜାତ ହେଲା । ସମସ୍ତ ରାଜ୍ୟରେ ଆନନ୍ଦର ପ୍ଳାବନ ବହିଗଲା । ରାଜା ମୁକ୍ତ ହସ୍ତରେ ଦୀନ ଦରିଦ୍ରମାନଙ୍କୁ ଧନ ବିତରଣ କରିବାରେ ଲାଗିଲେ । ପୁଅର ନାମ ରହିଲା ଅର୍ଜ୍ଜୁନ ସିଂହ । ଏଥିରେ ସମସ୍ତେ ସୁଖି ହେଲେ ସତ, ମାତ୍ର ବଡ଼ ରାଣୀଙ୍କ ହୃଦୟରେ ଯେଉଁ ଈର୍ଷାର ବହ୍ନି ଜାତ ହୋଇଥିଲା, ତାହା ଦିନକୁଦିନ ଅଧିକ ବେଗରେ ପ୍ରଜ୍ଜ୍ୱଳିତ ହେବାରେ ଲାଗିଲା ।

 

ଚିରଦିନ କାହାରି ସମାନରେ ଯାଏ ନାହିଁ କି ଯିବା ମଧ୍ୟ ସମ୍ଭବ ନୁହେଁ । ଏ ସଂସାରରେ ସୁଖ ଦୁଃଖର ରଥଚକ୍ର ଅବିରତ ଘୂରିବାରେ ଲାଗିଛି । ଠିକ୍‌ ଆଲୁଅ ଓ ଅନ୍ଧାର ପରି କେତେବେଳେ ସୁଖ ଆସେ ତ କେତେବେଳେ ଦୁଃଖ । ଏହି ଚକ୍ର ଦୁଇଟିର ଉତ୍‌ଥାନ ପତନ ସଙ୍ଗେ ସଙ୍ଗେ କେତେବେଳେ ପଥର ଭିକାରୀ ରାଜଗାଦୀ ପାଇଯାଏ ତ, କେତେବେଳେ ଚକ୍ରବର୍ତ୍ତୀ ରାଜା ମଧ୍ୟ ଅନାହାରରେ ଦିବସ ବିତାଇବାକୁ ବାଧ୍ୟ ହୁଏ । ପୁରାଣ ଯୁଗର କଥା ପଚାରେ କିଏ, ଇତିହାସରେ ଏହାର ଭୁରି ଭୁରି ଦୃଷ୍ଟାନ୍ତ ରହିଛି । ଏଣୁ ସମୟରେ ନିତାନ୍ତ ନାସ୍ତିକ ମଧ୍ୟ ସ୍ୱୀକାର କରେ ଯେ ନିୟତି ବୋଲି ଗୋଟାଏ କିଛି ଅଛି । ଯାହାର ଅଦୃଶ୍ୟ ଇଙ୍ଗୀତରେ ସମସ୍ତ ଜଡ଼ ଓ ଚେତନ ପରିଚାଳିତ ହୁଅନ୍ତି ।

 

ସାନରାଣୀ ଦେବୀ ଯେତେବେଳେ ପୁଅ ଅର୍ଜ୍ଜୁନ ପ୍ରତି ସମସ୍ତ ମୋହ ମମତା ଅଜାଡ଼ି ଦେଇ ଭବିଷ୍ୟତରେ ତାକୁ ରାଜାରୂପେ ଗଢ଼ି ତୋଳିବାକୁ ପରିକଳ୍ପନା କରୁଥିଲେ, ସେତେବେଳେ ତାର ନିୟତି ଅଲକ୍ଷ୍ୟରେ ରହି ହସୁଥିଲା । ଫଳରେ ଅର୍ଜ୍ଜୁନ ସିଂହ ଯେତେବେଳେ ବର୍ଷକର ଶିଶୁ ସେତେବେଳେ ରାଜାଙ୍କର ହଠାତ୍‌ ପରଲୋକ ଘଟିଗଲା । ବଡ଼ ରାଣୀଙ୍କ ପୋଷ୍ୟପୁତ୍ର ଦୁର୍ଜ୍ଜୟ ସିଂହ ଚତୁର୍ଦ୍ଦଶ ବର୍ଷର କିଶୋର ।

 

ଏ ସଂସାରରେ ରାଜନୀତି ନିର୍ମମ ଓ ନିଷ୍ଠୁର, ତା ନିକଟରେ ପିତା, ମାତା, ଭାଇ, ଭଗିନୀ, ସ୍ନେହ-ମମତା କିଛି ନାହିଁ । ତାର ପ୍ରୟୋଜନ ନିକଟରେ ଅନ୍ୟ ସମସ୍ତ ତୁଚ୍ଛ । ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳିବ ଯେ ଏଥି ପାଇଁ କେତେ ପିତା ନିଜର ଜନ୍ମିତ ପୁତ୍ରକୁ ହତ୍ୟା କରିଛନ୍ତି । କେତେ ଭାଇ ନିଜର ସହଦରକୁ ଅନ୍ଧକାର କାରା କକ୍ଷରେ ନିକ୍ଷେପ କରିଛନ୍ତି । ପୁତ୍ର ପିତାକୁ ଜୀବନ୍ତ ସମାଧି ଦେଇଛି । ପୁଣି ଶିରିଷ କୋମଳା ସୁକୁମାରୀ ତରୁଣୀର ଶାଣିତ ଛୁରିକା ବିଦ୍ଧ ହୋଇଛି ପ୍ରିୟତମର ବକ୍ଷରେ । ଏ କ୍ଷେତ୍ରରେ ବା ତାର ବ୍ୟତିକ୍ରମ ହେବ କିପରି ?

 

ପ୍ରଭାତୀ ତାରାର ଉଦୟ ସଙ୍ଗେ ସଙ୍ଗେ ରାଜା ପ୍ରାଣତ୍ୟାଗ କଲେ । ମୁହୂର୍ତ୍ତକ ମଧ୍ୟରେ ସମସ୍ତ ରାଜପୁରୀରେ ଶୋକର ବାର୍ତ୍ତା ପ୍ରଚାରିତ ହୋଇଗଲା । ସମସ୍ତ ପ୍ରାସାଦ ଶୋକାକୁଳ । ମାତ୍ର ଏକାକୀ ମାୟାଦେବୀ ଗଭୀର ଚିନ୍ତାରେ ନିମଗ୍ନ । ରାଜା ପ୍ରାଣତ୍ୟାଗ କଲେ ସତ୍ୟ, ମାତ୍ର ଦୁର୍ଜ୍ଜୟ ସିଂହ ରାଜଗାଦୀ ଲାଭ କରିବା ସହଜ ନୁହେଁ । କାରଣ ରାଜା ତାକୁ ବିଧିସମ୍ମତ ଭାବେ ପୋଷ୍ୟପୁତ୍ର ରୂପେ ଗ୍ରହଣ କରି ନାହାନ୍ତି କି ଉତ୍ତରାଧିକାରୀ ନିର୍ବାଚିତ କରି ନାହାନ୍ତି । ରାଜାଙ୍କର ଔରସଜାତ ପୁତ୍ର ବିଦ୍ୟମାନ ଥାଉଁ ଥାଉଁ ରାଜ୍ୟର ପାତ୍ରମନ୍ତ୍ରୀ ଓ ପ୍ରଜାମାନେ ଦୁର୍ଜ୍ଜୟ ସିଂହକୁ ରାଜାରୂପେ ଗ୍ରହଣ କରିନେବା ସମ୍ଭାବନା ଯଥେଷ୍ଟ କମ୍‌ ।

 

ରାଣୀ ନିଜ ପଲଙ୍କ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ତକିଆରେ ଭରାଦେଇ ନିଜ ସହିତ ନିଜେ ସଂଗ୍ରାମ କରିବାରେ ଲାଗିଛନ୍ତି । ରଜନୀ ଆଉ ପ୍ରହରେ ମାତ୍ର ବାକୀ । ଏ ପ୍ରହରକ ପରେ ନୂତନ ଦିବସର ସୂର୍ଯ୍ୟ ଉଦିତ ହେବା ସଙ୍ଗେ ସଙ୍ଗେ ରାଜାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆୟୋଜନ ଚାଲିବ । ମାତ୍ର ନିୟମ ଅନୁସାରେ ରାଜଗାଦୀ ଶୂନ୍ୟ ରହିବ ନାହିଁ । ନୂତନ ରାଜା ସିଂହାସନ ଆରୋହଣ କରିବା ସଙ୍ଗେ ସଙ୍ଗେ ତାଙ୍କ ନିର୍ଦ୍ଦେଶରେ ଶବ ଶୋଭାଯାତ୍ରା ଆରମ୍ଭ ହେବ । ମାତ୍ର ରାଜା କିଏ ହେବ—ଦୁର୍ଜ୍ଜୟ ସିଂହ ନାଁ ଅର୍ଜ୍ଜୁନ ସିଂହ ? ଯଦି ପାତ୍ରମନ୍ତ୍ରୀ ମାନେ ଅର୍ଜ୍ଜୁନ ସିଂହଙ୍କୁ ରାଜାଙ୍କ ଉତ୍ତରାଧିକାରୀ ରୂପେ ନିର୍ବାଚନ କରନ୍ତି ତେବେ....

 

ମାୟାଦେବୀ ଉତ୍ତେଜିତା ହୋଇ ଉଠି ବସିଲେ । ନାଁ, ସେ ବଞ୍ଚି ଥାଉଁ ଥାଉଁ ଏ କାର୍ଯ୍ୟ କଦାପି କରାଇ ଦେବେ ନାହିଁ । ଥରେ ଯଦି ଅର୍ଜ୍ଜୁନ ସିଂହ ରାଜଗାଦୀ ଲାଭକରେ ଏବଂ ଦେବୀ ତାଙ୍କର ପ୍ରତିଭୂ ରୂପେ ନିର୍ବାଚିତା ହୁଏ, ତେବେ.....

 

ମାୟାଦେବୀ ପଲଙ୍କ ଉପରୁ ତଳକୁ ଓହ୍ଲାଇ ଆସି ଚିତ୍କାର କରି ଉଠିଲେ—ନାଁ ନାଁ । ସୂର୍ଯ୍ୟୋଦୟ ପୂର୍ବରୁ ଏ ପ୍ରଶ୍ନ ଦୁଇଟିର ସମାଧାନ କରିବାକୁ ହେବ ।

 

ରାଣୀ ବାରନ୍ଦାକୁ ଆସି ଉପରକୁ ଅନାଇଲେ । ରାତ୍ର ଆଉ ବେଶୀ ନାହିଁ । ଚନ୍ଦ୍ର ନିକଟରେ ରୋହିଣୀ ତାରା ଥରି ଥରି କମ୍ପି ଉଠୁଛି ।

 

ରାଣୀ ଦୁଇହାତରେ ତାଳି ବଜାଇଲେ । ପରିଚାରିକା ପାଖ କୋଠରୀରୁ ବାହାରି ଆସିଲା ।

 

ରାଣୀ କହିଲେ—ଚମ୍ପା, ତୁ ବର୍ତ୍ତମାନ ଯାଇ ଦୁର୍ଜ୍ଜୟକୁ ମୋ ନିକଟକୁ ନେଇ ଆ’ । ମାତ୍ର କେହି ଯେପରି କିଛି ନ ଜାଣନ୍ତି । ଖୁବ୍‌ ସାବଧାନ ।

 

ଚମ୍ପା ଚାଲିଗଲା । ମାୟାଦେବୀ ଅସ୍ଥିର ଭାବରେ ବାରନ୍ଦାରେ ପଦଚାରଣା କରିବାରେ ଲାଗିଲେ । କାକଟିଏ କା’ କା’ ଡାକି ଆକାଶରେ ଉଡ଼ିଗଲା । ଅନ୍ଧକାର ଏ ପର୍ଯ୍ୟନ୍ତ ଦୂରୀଭୂତ ହୋଇ ନାହିଁ । ରାତ୍ରି ପାହିବାର ସଙ୍କେତ ଦେଇ କପୋତଟିଏ ପାଖ ଗଛରୁ ଡାକି ଉଠିଲା—

 

‘‘ମାଣ ପୂରିଲା, ସେର ପୂରିଲା

ଉଠରେ ପୁତା ।’’

 

ଚମ୍ପା ଦୁର୍ଜ୍ଜୟ ସିଂହକୁ ଆଣି ରାଣୀଙ୍କ ନିକଟରେ ଉପସ୍ଥିତ ହେଲା । ମାୟାଦେବୀ ଚମ୍ପାକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇ ଦୁର୍ଜ୍ଜୟର କାନେ କାନେ କଣ କହି ଦେଲେ । ଦୁର୍ଜ୍ଜୟ ସିଂହ ମୁହୂର୍ତ୍ତକ ମଧ୍ୟରେ ସେ ସ୍ଥାନ ପରିତ୍ୟାଗ କଲା ।

 

ପ୍ରଭାତ ହେବାମାତ୍ରେ ସମସ୍ତ ରାଜ୍ୟରେ ଚହଳ ପଡ଼ିଗଲା ଯେ ରାଜା ପରଲୋକ ଗତ । ରାଜ୍ୟର ପାତ୍ର ମିତ୍ର ଓ ମନ୍ତ୍ରୀମାନେ ସମସ୍ତେ ଆସି ନଅରରେ ଉପସ୍ଥିତ ହେଲେ । ଏଣେ ଠିକ୍‌ ସେତିକିବେଳେ ଦୁର୍ଜ୍ଜୟ ସିଂହ ଏକ ନଗ୍ନ ତରବାରି ହସ୍ତରେ ସାନ ରାଣୀଙ୍କ ନଅର ଭିତରେ ପ୍ରବେଶ କଲା । ଦ୍ୱାର ରକ୍ଷୀମାନେ ପ୍ରଥମେ ବାଧା ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିଲେ ନାହିଁ ।

 

ରାଜାଙ୍କର ଅକାଳ ବିୟୋଗରେ ଦେବୀର ନୟନରୁ ଲୋତକ ଶୁଖିଯାଇଛି । ରାତ୍ରୀ ଜାଗରଣ ଯୋଗୁଁ ଚକ୍ଷୁ ଦୁଇଟି ଲୋହିତ ବର୍ଣ୍ଣ । କେଶ ଫିଟିଯାଇଛି, ପିନ୍ଧାବସନ ଅସ୍ତବ୍ୟସ୍ତ ।

 

ଦେବୀ ତଳେ ଶୋଇ ନିଜର ଅତୀତ ଓ ଭବିଷ୍ୟତ ଭାବନାରେ ଚିନ୍ତାନ୍ୱିତା ହୋଇପଡ଼ିଛି-। ରାଜା ସ୍ୱର୍ଗବାସୀ, ବଡ଼ ରାଣୀଙ୍କ ମନୋଭାବ ତାକୁ ଅଜ୍ଞାତ ନାହିଁ । ଆହୁରି ସୁଦୀର୍ଘ ଭବିଷ୍ୟତ ଅଛି । ଯାହାହେଉ, ସେ ନିଜପାଇଁ ଯେତେ ବ୍ୟାକୁଳ ନୁହେଁ, ତାଠାରୁ ଅଧିକ ବ୍ୟାକୁଳ ନିଜର ଶିଶୁପୁତ୍ର ସମ୍ପର୍କରେ । ରାଜପୁରରେ ଯେପରି ଷଡ଼ଯନ୍ତ୍ର ଏବଂ ସିଂହାସନ ପାଇଁ ଯେପରି ହତ୍ୟାର ବିଭୀଷିକା ସୃଷ୍ଟି ହୁଏ, ତାହା ତାକୁ ଅବିଦିତ ନାହିଁ ।

 

ହଠାତ୍‌ ଏହି ସମୟରେ ଚିତ୍କାର ଶୁଭିଲା—କିଏ, କିଏ ?

 

ଦେବୀ ମୁଣ୍ଡ ଟେକି ଅନାଇଲା । ଆଗରେ ତାର ଦୁର୍ଜ୍ଜୟ ସିଂହ ।

 

ଦୁର୍ଜ୍ଜୟ କୈଶୋରତ୍ୱ ଅତିକ୍ରମ କରି ନଥିଲେ ମଧ୍ୟ ହୃଷ୍ଟପୁଷ୍ଟ ଓ ବଳିଷ୍ଠ । ପେଶୀବହୁଳ ବାହୁ । ତାକୁ ଦେଖିଲେ ବିଂଶ ବର୍ଷ ବୟସର ଯୁବକପରି ମନେହୁଏ ।

 

ଦେବୀ ତରବରରେ ଉଠି ନିଜର ବିସ୍ରସ୍ତ ବସନ ସଜାଡ଼ି ନେଲା । ତା’ପରେ ପଚାରିଲା–ତୁମେ ଏପରି ସମ୍ବାଦ ନଦେଇ ନଅର ଭିତରକୁ ଆସିଲ କିପରି ?

 

ଦୁର୍ଜ୍ଜୟ ସିଂହକୁ ଦେଖି ସେତେବେଳକୁ ମାଳତୀ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ହୋଇ ସାରିଥିଲା ।

 

ଦୁର୍ଜ୍ଜୟ ସିଂହ ଗମ୍ଭୀର ଭାବରେ ଉତ୍ତର ଦେଲା—ସମ୍ବାଦ ଦେବାର କୌଣସି ଆବଶ୍ୟକ ନଥିଲା ।

 

ଦେବୀ କହିଲା—ମାତ୍ର ମହିଳା ମହଲକୁ କୌଣସି ପୁରୁଷ ଲୋକ ପ୍ରବେଶ କରିବା ପୂର୍ବରୁ ସାଧାରଣତଃ ଅନୁମତି ନେବାକୁ ପଡ଼ିଥାଏ ।

 

ଏ ସୌଜନ୍ୟତା କ’ଣ ଆଜି ପର୍ଯ୍ୟନ୍ତ ଶିକ୍ଷା କରିନାହଁ ?

 

ଦୁର୍ଜ୍ଜୟ ସିଂହ ପୂର୍ବପରି ଉତ୍ତର ଦେଲା—ତାହାର ଆବଶ୍ୟକ ନାହିଁ । କାରଣ ତୁମେ ଜାଣିଥିବ ଯେ ରାଜା ଗତ ରାତ୍ରରେ ପରଲୋକ ଗମନ କରିଛନ୍ତି । ବର୍ତ୍ତମାନ ମୁଁ ତାଙ୍କର ଉତ୍ତରାଧିକାରୀ । ଏଣୁ କାହାରି ଅନୁମତି ନେବାର ଆବଶ୍ୟକ ଥିଲାପରି ମୁଁ ମନେକରୁ ନାହିଁ ।

 

ଦେବୀ ଏକଥା ଶୁଣି ଚମକି ପଡ଼ିଲା । ସେ କୌଣସି ଉତ୍ତର ନଦେଇ ଦୁର୍ଜ୍ଜୟ ସିଂହକୁ ଥରେ ଗଭୀର ଭାବରେ ନିରୀକ୍ଷଣ କଲା ।

 

ଦେବୀର କେଶ ଆଲୁଳାୟିତ, ବଦନ ଶୁଷ୍କ, ଚକ୍ଷୁ ଲୋହିତ ବର୍ଣ୍ଣ ଏବଂ ଦୃଷ୍ଟି ସ୍ଥିର । ନୟନ ଯୁଗଳରୁ ଲୋତକ ଧାର ବହି ଗଣ୍ଡ ଦେଶରେ ଶୁଖିଯାଇଛି ।

 

ଦୁର୍ଜ୍ଜୟ ସିଂହ କହିଲା—ତୁମେ ବର୍ତ୍ତମାନ ବନ୍ଦୀ । ତୁମକୁ କାରାଗୃହକୁ ଯିବାକୁ ହେବ ଏବଂ ତୁମ ଶିଶୁ ପୁତ୍ରର ଅନ୍ୟତ୍ର ପ୍ରତିପାଳନ ବ୍ୟବସ୍ଥା କରାଯିବ ।

 

ଦୁର୍ଜ୍ଜୟ ସିଂହ ଆଉ ଉତ୍ତରର ଅପେକ୍ଷା ନ ରଖି ଅର୍ଜ୍ଜୁନ ସିଂହ ନିକଟକୁ ଅଗ୍ରସର ହେଲା-

 

ଦେବୀ ଚକ୍ଷୁକୋଣରେ ମାଳତୀକୁ କ’ଣ ସଙ୍କେତ ଦେଲା । ମାଳତୀ ମୁହୂର୍ତ୍ତକ ମଧ୍ୟରେ ଏକ ତରବାରି ଆଣି ଦେବୀ ହାତରେ ଦେଲା ।

 

ଅଳ୍ପ ସମୟ ପୂର୍ବରୁ ଯେଉଁ ଚକ୍ଷୁରୁ ଶୋକର ସ୍ମାରକୀ ନିର୍ଗତ ହେଉଥିଲା, ସେହି ଚକ୍ଷୁରୁ ଝରିପଡ଼ିଲା ବଜ୍ରର ସ୍ଫୁଲିଙ୍ଗ । ନଗ୍ନ ତରବାରି ହସ୍ତରେ ଦେବୀ ଗର୍ଜ୍ଜନ କରି ଉଠିଲା—ସାବଧାନ ଦୁର୍ଜ୍ଜୟ ସିଂହ ଆଉ ପାଦେ ଯଦି ଅଗ୍ରସର ହେବ, ତେବେ ତୁମର ମସ୍ତକ ଭୂଲୁଣ୍ଠିତ ହେବ । ସିଂହୀ ନିକଟରୁ ତାର ଶାବକକୁ ଅପହରଣ କରିନେବା ଏଡ଼େ ସହଜ ବ୍ୟାପାର ନୁହେଁ ।

 

ସେ ଶବ୍ଦରେ ଦୁର୍ଜ୍ଜୟ ସିଂହ ଚମକି ପଡ଼ିଲା । ସେ ପଛକୁ ଚାହିଁ ଦେଖେ ଯେ ଦେବୀ ନଗ୍ନଅସୀ ହସ୍ତରେ ତା’ ନିକଟକୁ ଅଗ୍ରସର ହେଉଛି । ସେ ମଧ୍ୟ ଅସୀ ଧରି ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ହେଲା ।

 

ଅଳ୍ପ ସମୟପାଇଁ ନବର ପ୍ରାଙ୍ଗଣରେ ଦୁହିଁଙ୍କ ମଧ୍ୟରେ ଅସୀଯୁଦ୍ଧ ଲାଗିଗଲା । ମାତ୍ର ଦେବୀର କ୍ଷିପ୍ର ଅସୀ ଚାଳନାରେ ତରୁଣ ଦୁର୍ଜ୍ଜୟ ସିଂହ କ୍ଳାନ୍ତ ହୋଇପଡ଼ିଲା । ତରବାରି ହସ୍ତଚ୍ୟୁତ ହେଲା । ସେ ତଳକୁ ମୁହଁପୋତି ସେହିଠାରେ ଠିଆ ହୋଇରହିଲା ।

ଦେବୀର ସମସ୍ତ ଶରୀର ଘର୍ମାକ୍ତ, ନିଶ୍ୱାସର ଗତି ପ୍ରଖର ।

ତରବାରି ଚାଳନା ବନ୍ଦକରି ସେ କହିଲା—ତୁମକୁ ପ୍ରାଣଦାନ ଦେଲି, ଫେରିଯାଅ, ଆଉଦିନେ ଏଭଳି ଦୁଃସାହସ କରିବାକୁ ଇଚ୍ଛା କରିବ ନାହିଁ ।

ଦେବୀର ବାକ୍ୟ ଶେଷ ନହେଉଣୁ ରାଣୀ ମାୟାଦେବୀ ପ୍ରାଙ୍ଗଣ ମଧ୍ୟକୁ ପଶିଆସି କହିଲେ—ଦୁଗ୍‌ଧ ପୋଷ୍ୟ ଶିଶୁଟାକୁ ଯୁଦ୍ଧରେ ହରାଇ ଦେଇ ବଡ଼ ଆତ୍ମପ୍ରଶଂସା ଅନୁଭବ କରୁଛୁ ।

ଆଚ୍ଛା ଦେଖେ, କିପରି ତରବାରି ଚାଳନା କରି ଜାଣୁ ।

ରାଣୀ କ୍ଷିପ୍ର ପଦରେ ଯାଇ ତଳୁ ଦୁର୍ଜ୍ଜୟ ସିଂହର ତରବାରିଟି ଉଠାଇ ନେଲେ ।

ଦେବୀ ନିଜର ତରବାରି ଫିଙ୍ଗିଦେଇ କହିଲା—ନାଁ, ରାଣୀ, ତୁମ ବିରୁଦ୍ଧରେ ଅସୀ ଉତ୍ତୋଳନ କରି ପାରିବି ନାହିଁ । ତୁମେ ମୋ ସ୍ୱାମୀଙ୍କର ପ୍ରଥମ ବିବାହିତା ସ୍ତ୍ରୀ । ମୋର ଅଗ୍ରଜା ସଦୃଶ । ତୁମ ବିରୁଦ୍ଧରେ ତରବାରି ଉଠାଇ ମୁଁ ପାପରେ ଭାଗୀ ହୋଇପାରିବି ନାହିଁ । ରାଜାଙ୍କ ଅନୁପସ୍ଥିତିରେ ତୁମେ ଧର୍ମତଃ ବର୍ତ୍ତମାନ ରାଜ୍ୟର ମାଲିକ । ତୁମ ଆଦେଶ ମୋର ଶିରୋଧାର୍ଯ୍ୟ, ମାତ୍ର ମୋର ଅନୁରୋଧ ମୋ ଶିଶୁ ପୁତ୍ରଟିକୁ ମୋ ନିକଟକୁ ଛଡ଼ାଇ ନିଅ ନାହିଁ ।

ମାୟାଦେବୀ ମୁହୂର୍ତ୍ତେ କ’ଣ ଭାବିଲେ । ତା’ପରେ ଗମ୍ଭୀର ସ୍ୱରରେ ଆଦେଶ ଦେଲେ–ତୁମକୁ ବନ୍ଦୀ କରାଗଲା । ଇଚ୍ଛାକଲେ ତୁମେ ତୁମର ଶିଶୁପୁତ୍ର ସହ କାରାଗାରରେ ରହିପାର । ସମୟ ନାହିଁ, ତୁରନ୍ତ ମୋ ସହିତ ଚାଲିଆସ-

 

ଦେବୀ ନିଜର ଶିଶୁପୁତ୍ର ସହ ନୀରବରେ ରାଣୀଙ୍କର ପଶ୍ଚାଦ୍‌ ଗମନ କଲା ।

 

ଯଥା ସମୟରେ ଦୁର୍ଜ୍ଜୟ ସିଂହର ଅଭିଷେକୋତ୍ସବ ହୋଇ ଶବ ସତ୍କାରର ବ୍ୟବସ୍ଥା କରାଗଲା ।

 

ରାଜପୁରୋହିତ, ପାତ୍ର, ମିତ୍ର ଓ ମନ୍ତ୍ରୀଙ୍କ ମଧ୍ୟରେ କେତେକ ଏ ଅଭିଷେକକୁ ପସନ୍ଦ ନକଲେ ମଧ୍ୟ ବିରୋଧ କରି ପାରିଲେ ନାହିଁ ।

 

ମାୟାଦେବୀ ନାଁବାଳକ ରାଜାଙ୍କର ଅଭିଭାବିକା ରୂପେ ଶାସନ କାର୍ଯ୍ୟ ପରିଚାଳନା କଲେ ।

 

କାରାକକ୍ଷରେ ଦୁଃଖିନୀ ଦେବୀ ନିଜର ଅତୀତ ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବାରେ ଲାଗିଛି । ଗରିବ ଘରର ଝିଅ ସେ । ବାପାଙ୍କଠାରୁ ଅସ୍ତ୍ର ଓ ଶାସ୍ତ୍ରବିଦ୍ୟା ଶିକ୍ଷାକରି ଆନନ୍ଦରେ ଦିନ ବିତାଇବାରେ ଲାଗିଥିଲା । ହସି, ଖେଳି, ଶିକାର କରି ଏବଂ କଠିନ କାୟିକ-ଶ୍ରମ ବିନିମୟରେ ସେ ଦୁଃଖରୁ ସୁଖ ଆହରଣ କରି ପାରିଥିଲା । ମାତ୍ର ହଠାତ୍‌ ତା ଭାଗ୍ୟାକାଶରେ ସୁଦିନର ରବି ଉଦିତ ହେଲେ । ଗରିବ କ୍ଷତ୍ରିୟର କନ୍ୟା ରାଜରାଣୀର ସମ୍ମାନ ଲାଭ କଲା । ମାତ୍ର ସେ ସୁଖ ଦୁଇଦିନ ପାଇଁ । ତା’ପରେ ଏବେ ଘନ ତିମିର । ଭବିଷ୍ୟତକୁ ଦୃଷ୍ଟିପାଏ ନାହିଁ ।

 

ଦେବୀ ଯେତିକି ଚିନ୍ତା କରେ ସେତିକି ଅଧିକ ଅନ୍ଧକାର ତା’ ଆଖି ଆଗରେ ଛାଇଯାଏ-। ରାଜରାଣୀ ନହେଲେ ମଧ୍ୟ ସେ ଦରିଦ୍ର ଭାବରେ ସୁସ୍ଥ ଜୀବନଯାପନ କରିବାକୁ ଚାହେଁ । ତାହା ମଧ୍ୟ ତା’ ଭାଗ୍ୟରେ ନାହିଁ । ସେ ବନ୍ଦିନୀ । ଅନନ୍ତ କାଳଧରି ଏହି ବନ୍ଦୀ ଦଶାରେ ତାକୁ ଜୀବନ ବିତାଇବାକୁ ପଡ଼ିବ । ମୁକ୍ତି ସୁଦୂର ପରାହତ । ତା ନିଜର ମଧ୍ୟ ଏପରି କେହି ନାହିଁ, ଯିଏ ଆସି ତାକୁ ବନ୍ଦୀଶାଳାରୁ ମୁକ୍ତି ଦେଇ ପାରିବ । ଏଠାରେ ତାର ଏକମାତ୍ର ସମ୍ବଳ ଚକ୍ଷୁର ଜଳ ଏବଂ ଦିନ ରାତି ମୃତ୍ୟୁ ନିମନ୍ତେ ପ୍ରହର ଗଣିବା । ଅବଶ୍ୟ ମୃତ୍ୟୁ ନିମନ୍ତେ ତାର ଭୟ ନାହିଁ । କାରଣ ସେ କ୍ଷତ୍ରିୟର କନ୍ୟା । ମାତ୍ର ଏକମାତ୍ର ଚିନ୍ତା ଏହି ଶିଶୁପୁତ୍ର ନିମନ୍ତେ । ସେ ଯଦି ମରିଯାଏ, ତେବେ ପିଲାଟିର ଅବସ୍ଥା କଣ ହେବ ?

 

ଦେବୀ ଆଉ ଅଧିକ ଚିନ୍ତା କରି ପାରେ ନାହିଁ । ସମସ୍ତ ଶରୀରରେ ତାର ବେଦନାର ସ୍ରୋତ ବହିଯାଏ । ସେ ଅର୍ଜ୍ଜୁନ ସିଂହକୁ କୋଳକୁ ଉଠାଇ ନେଇ ତାର ମୁଖ ଚୁମ୍ବନ କରେ । ତାପରେ ମନକୁ ମନ କହି ଉଠେ—ନାଁ, ରେ—ମୁଁ ମରିବି ନାହିଁ । ଜୀବନ ଯେଡ଼େ ଦୁର୍ବିସହ ହେଉପଛେ ତୋରି ପାଇଁ ମୁଁ ବଞ୍ଚି ରହିବି ।

 

ରାଜନବରର ଏକ ଅନ୍ଧକାର ପ୍ରକୋଷ୍ଠରେ ଦେବୀ ବନ୍ଦୀ ହୋଇ ରହିଛି । ପୂର୍ବେ ସେ ଗୃହରେ ଅସ୍ତ୍ରଶସ୍ତ୍ର ରହୁଥିଲା । କାରାଗାରରୁ ଅଳ୍ପ ଦୂରରେ ରନ୍ଧନଶାଳା ଓ ଭଣ୍ଡାର ଘର । ତାର ବିପରୀତ ପାର୍ଶ୍ୱରେ ଦାସୀମାନଙ୍କର ବାସଗୃହ । ଦେବୀକୁ ଉକ୍ତ ଘରେ ବନ୍ଦୀ କରି ରଖି ରାଣୀ ଦ୍ୱାରରେ ତାଲା ଲଗାଇ ନିଜ ପାଖରେ ଚାବି ରଖିଲେ । ଅଗଣାକୁ ଥିବା ଏକମାତ୍ର କ୍ଷୁଦ୍ର ଗବାକ୍ଷଟି କେବଳ ଉନ୍ମୁକ୍ତ ରହିଲା । ପଥରର କାନ୍ଥରେ ଶକ୍ତ ଲୌହ ଶଳାକା ଦିଆଯାଇ ଗବାକ୍ଷଟି ଏପରି ନିର୍ମାଣ କରାଯାଇଛି ଯେ ଗୃହ ମଧ୍ୟକୁ ବିରାଡ଼ିଟିଏ ଯିବା ମଧ୍ୟ ଅସମ୍ଭବ ।

 

ଗୃହ ମଧ୍ୟରେ ଏକ କ୍ଷୁଦ୍ର ଜଳ ଚୌକି, ଗୋଟିଏ ମାଟି କଳସୀରେ ପିଇବା ପାଣି ଏବଂ ଦୁଇ ଚାରିଟି ମାଟିପାତ୍ର ରହିଛି । ବିଛଣା କେବଳ ଖଣ୍ଡିଏ ମସିଣା । ଯାହା ବନ୍ଦୀମାନଙ୍କ ପାଇଁ ସାଧାରଣତଃ ବ୍ୟବହାର କରାଯାଇଥାଏ । ତୂଳିତଳ୍ପର କଳ୍ପନା ସ୍ୱପ୍ନ ତୁଲ୍ୟ ।

 

ଲିତା, ବିଲିତା, ଦଣ୍ଡ ଓ ପ୍ରହରରେ ଦିବସ ଅତିବାହିତ ହୁଏ । ତା’ପରେ ରାତ୍ରୀ ଆସେ । ସେ ପୁଣି ଚାଲିଯାଏ । ଏ କ୍ଳାନ୍ତିକର ଜୀବନ ଭଲ ଲାଗେ ନାହିଁ । ଦେବୀ ନିଜର ଅତୀତ ଉପରେ ଦୃଷ୍ଟି ବୁଲାଇ ନିଏ । ମୁକ୍ତ ଆକାଶର ମୁକ୍ତ ବିହଙ୍ଗିନୀ ପରି ସେ ନିଜର ବାଲ୍ୟ ଓ କୈଶୋର ବିତାଇ ଦେଇଛି । ରାଜ ଅନ୍ତଃପୁରର ସ୍ୱଳ୍ପକାଳ ମଧ୍ୟରେ ବି ସେ କମ ସୁଖ ସୌଭାଗ୍ୟ ଲାଭ କରି ନାହିଁ । ମାତ୍ର ଆଜି ବନ୍ଦିନୀ । ଉଷାର ଅରୁଣିମା, ମଧ୍ୟାହ୍ନର ସୂର୍ଯ୍ୟ ଏବଂ ପ୍ରଦୋଷର ଗୋଧୂଳି ସେ ଉପଲବ୍‌ଧି କରିପାରୁନାହିଁ । ସକାଳ, ସନ୍ଧ୍ୟା, ମଧ୍ୟାହ୍ନ ଓ ରାତ୍ରିସବୁ ଏକାପରି ଆସି ଚାଲି ଯାଉଛନ୍ତି-

 

ପ୍ରଥମ ଦିନ ଯେଉଁ ଖାଦ୍ୟ ଦିଆଗଲା, ତାକୁ ଦେଖି ଦେବୀ ନାସିକା କୁଞ୍ଚନ କରିଥିଲା । ତା’ ରାଜ୍ୟର ନିତାନ୍ତ ଗରିବ ପ୍ରଜାଟିଏ ମଧ୍ୟ ଏହାଠାରୁ ଭଲ ଖାଇବାକୁ ପାଏ । ମୋଟା ବଗଡ଼ା ଚାଉଳର ଭାତ, ସାମାନ୍ୟ ଡାଲିପାଣି ଓ ମିଶାମିଶି ପରିବାର ଏକ ତରକାରୀ । ଦେବୀ ଏହାର ପ୍ରତିବାଦ କରିଥିଲା । ମାତ୍ର ମାୟାଦେବୀ ଉତ୍ତର ଦେଇଥିଲେ—ଜଣେ ବନ୍ଦୀ ଏହାଠାରୁ ଅଧିକ ଭଲ ଖାଦ୍ୟ ଆଶା କରିବା ନିରର୍ଥକ ।

 

ଦିନେ ଦୁଇଦିନ ଉପବାସ ରହି ଦେବୀ ବାଧ୍ୟ ହୋଇ ସେ ଖାଦ୍ୟ ଖାଇଥିଲା । ମାତ୍ର ଏବେ ଖାଦ୍ୟର ପରିମାଣ କ୍ରମେ କମାଇ ଦିଆଗଲାଣି । ଯାହା ମିଳୁଛି, ତହିଁରେ ପେଟ ପୂରୁ ନାହିଁ । କେବଳ ଜଳପାନ କରି ଉଦର ଜ୍ୱାଳା ଶାନ୍ତ କରିବାକୁ ପଡ଼ୁଛି । ମାତ୍ର ଏଣେ ଖାଦ୍ୟ ଅଭାବରୁ ସ୍ତନରେ କ୍ଷୀର ହେଉ ନାହିଁ । ପେଟ ନପୂରିବାରୁ ଅର୍ଜ୍ଜୁନ ଅଧିକାଂଶ ସମୟରେ କାନ୍ଦୁଛି । ଅବୋଧ ବାଳକ । ସେ ଏସବୁ କଣ ବୁଝେ । ଦେବୀ ସ୍ତନଧରି କ୍ଷୀର ନିଗାଡ଼ିବାକୁ ଚେଷ୍ଟା କରେ । ମାତ୍ର ଭାଣ୍ଡ ଶୂନ୍ୟ । କ୍ଷୀର ବା କେଉଁଠୁ ଆସିବ ?

 

ଦେବୀ ଚିନ୍ତାକରେ—ବୋଧହୁଏ ରାଣୀଙ୍କ ନିର୍ଦ୍ଦେଶରେ ଖାଦ୍ୟ କମାଇ ଦିଆଯାଇଛି । ହୁଏତ ଆଉ କେତେଦିନ ପରେ ସଂପୂର୍ଣ୍ଣ ବନ୍ଦକରି ଦିଆଯାଇ ପାରେ । ଅନାହାରରେ ମା ପୁଅ ଦୁହିଁଙ୍କୁ ମାରିବା ପାଇଁ ରାଣୀଙ୍କର ବୋଧହୁଏ ଏହା ଏକ ଷଡ଼ଯନ୍ତ୍ର । ହତ୍ୟା କଲେ ରାଜ୍ୟରେ ବିପ୍ଳବ ଦେଖା ଦେଇପାରେ ବୋଲି ଆଶଙ୍କା କରି ରାଣୀ ଏହିପରି ଉପାୟ ଅବଲମ୍ବନ କରିଛନ୍ତି ।

 

କ୍ରୋଧିତା ନାଗୁଣୀପରି ଦେବୀ ଗର୍ଜି ଉଠେ । ମନକୁ ମନ କହେ—ନାଁ, ମୁଁ ବଞ୍ଚିବି, ଏହି ସୁନ୍ଦର ଧରଣୀରେ ଓ ସବୁଜ ପୃଥିବୀରେ ଅନ୍ତତଃ ଅର୍ଜ୍ଜୁନ ସିଂହ ପାଇଁ ମୋତେ ବଞ୍ଚି ରହିବାକୁ ପଡ଼ିବ । ବର୍ତ୍ତମାନ ଆତ୍ମରକ୍ଷାର ଏକମାତ୍ର ଉପାୟ—କାରାଗାରରୁ ପଳାୟନ । ମାତ୍ର ଏ ସମ୍ଭବ ହେବ କିପରି..... ?

 

ଦେବୀ ନିମ୍ନୋଷ୍ଠରେ ତର୍ଜନୀ ରଖି ଚିନ୍ତା କରେ ।

 

ମୁକ୍ତିର ସମ୍ଭାବନା କଳ୍ପନାତୀତ ।

 

ଦିନରେ ଥରେ ମାତ୍ର ଏ ଘରର ଦ୍ୱାର ଖୋଲେ । ରାଣୀ ଉନ୍ମୁକ୍ତ କୃପାଣ ହସ୍ତରେ ତାଲା ଖୋଲି ଦ୍ୱାରରେ ଠିଆ ହୋଇ ରହନ୍ତି । ଜଣେ ଲୋକ ଭିତରକୁ ଆସି ଘରଦ୍ୱାର ପରିଷ୍କାର କରିଦିଏ-। ଏବଂ ଆଉ ଜଣେ ଆସି ଖାଦ୍ୟ ଓ ଜଳ ରଖିଦିଏ । ସେମାନଙ୍କୁ ଏ ଘରେ କୌଣସି ଶବ୍ଦ ଉଚ୍ଚାରଣ କରିବାକୁ ନିଷେଧ କରାଯାଇଛି । କାର୍ଯ୍ୟ ସରିବା ମାତ୍ରେ ରାଣୀ ନିଜ ହାତରେ ତାଲା ଲଗାଇ ଚାବି ନେଇ ଯାଆନ୍ତି । ତାପରେ ତାଙ୍କର ଦୁଇଜଣ ବିଶ୍ୱାସୀ ଅନୁଚର ପାଳି କରି ଘର ବାରନ୍ଦାରେ ପ୍ରହରା ଦିଅନ୍ତି । ଘରକୁ ପବନ ଆସିବାପାଇଁ କ୍ଷୁଦ୍ର ଗବାକ୍ଷଟି କେବଳ ଉନ୍ମୁକ୍ତ ରହେ ।

 

ଏତେ ବିପଦରେ ମଧ୍ୟ ଦେବୀ ହସି ଉଠେ । ମନରେ ଭାବେ ମୁକ୍ତ ପବନ ଟିକିଏ ଦେବା ପାଇଁ ରାଣୀଙ୍କର ଅନୁଗ୍ରହ ଅପରିସୀମ । ଯାହାହେଉ ଏହି ଗବାକ୍ଷହିଁ ତାର ମୁକ୍ତିର ସହାୟକ ହେବ କି ନାହିଁ, ଥରେ ପରୀକ୍ଷା କରିବା ଆବଶ୍ୟକ ।

 

ଦେବୀ କ୍ଷୁଦ୍ର ଗବାକ୍ଷ ପଥରେ ବାରନ୍ଦାକୁ ଚାହିଁ ରହେ । ପ୍ରହରାରେ ରାଣୀଙ୍କର ବିଶ୍ୱସ୍ତ ଅନୁଚର ବାରନ୍ଦାରେ ନୀରବରେ ପଦଚାରଣ କରିବାର ଦେଖେ ।

ବେଳେ ବେଳେ ଅର୍ଜ୍ଜୁନ ସିଂହ ଆସି ପଛଆଡ଼ୁ ଦେବୀର ଗୋଡ଼ ଦୁଇଟି ଧରି ଡାକେ—ମା’ ମା’ ।

ଦେବୀ ତାକୁ କୋଳକୁ ଉଠାଇ ନେଇ ଚୁମ୍ବନର ରେଖା ଆଙ୍କିଦିଏ । ତା’ପରେ ତାର ନୟନ ଯୁଗଳରୁ ଅଶ୍ରୁର ଝରଣା ଝରିପଡ଼େ ।

ଦିବସ ପରେ ଦିବସ ଅତିବାହିତ ହୁଏ ।

ହଠାତ୍‌ ଦିନେ ଦେବୀ ଲକ୍ଷ୍ୟକଲା ଯେ ଦିନରେ ପ୍ରହରା ଦେଉଥିବା ପୂର୍ବର ଲୋକଟି ପରିବର୍ତ୍ତିତ ହୋଇଛି । ତା’ ସ୍ଥାନରେ ଜଣେ ନୂତନ ଲୋକ ଆସିଛି ।

ନୂତନ ପ୍ରହରୀ ଯୁବକ । ବୟସ ବୋଧହୁଏ କୋଡ଼ିଏ ହେବ । ତାର ଚାଲି ଚଳଣ ଦେଖି ଦେବୀ ଅନୁମାନ କରିନେଲା ଯେ ଯୁବକଟି ଚତୁର ଏବଂ ଦାମ୍ଭିକ ମଧ୍ୟ । ମୁହୂର୍ତ୍ତକ ମଧ୍ୟରେ ସେ ଏକ ପରିକଳ୍ପନା ସ୍ଥିର କରିନେଲା ।

 

ସେ ଦିବସର ମଧ୍ୟାହ୍ନ । ସମସ୍ତେ ଖାଇସାରି ନିଜ ନିଜ ପ୍ରକୋଷ୍ଠରେ ବିଶ୍ରାମ ନେଉଛନ୍ତି-। ପ୍ରହରାରତ ଯୁବକଟି ମଧ୍ୟ ବାରନ୍ଦାର ଗୋଟିଏ ସ୍ତମ୍ଭକୁ ଆଉଜି ବିଶ୍ରାମ କରୁଛି ।

କାରାକକ୍ଷର ଝରକାରେ ଶବ୍ଦ ଶୁଭିଲା—ଠକ୍‌, ଠକ୍‌, ଠକ୍‌ ।

ଯୁବକଟି ଉଠି ବସିଲା । ଏଣେ ତେଣେ ଚାହିଁଲା ।

ଦେବୀ ଝରକାରେ ହାତ ଗଳାଇ ତାକୁ ନିକଟକୁ ଆସିବା ପାଇଁ ସଙ୍କେତ ଦେଲା ।

ଯୁବକଟି ଏଣେ ତେଣେ ଥରେ ଦୁଇଥର ଚାହିଁ ଝରକା ନିକଟକୁ ଯିବ କି ନାହିଁ କେତେ ସମୟ ଚିନ୍ତା କରିବାକୁ ଲାଗିଲା ।

ଦେବୀ ମୃଦୁ ସ୍ୱରରେ କହିଲା—ଶୁଣ ।

ଯୁବକଟି ନୂଆରାଣୀଙ୍କୁ ଏ ପର୍ଯ୍ୟନ୍ତ ଦେଖି ନ ଥିଲା । ତାଙ୍କୁ ଦେଖିବା ପାଇଁ ତା ମନରେ ମଧ୍ୟ କୌତୁହଳ ଜାତ ହେଲା । ସେ ଉଠି ଠିଆହୋଇ ଏଣେ ତେଣେ ଚାହିଁ ଝରକା ନିକଟକୁ ଗଲା-

ଦେବୀ ପଚାରିଲା—ଆଗରୁ ଯେଉଁ ଲୋକ ପ୍ରହରାରେ ଥିଲା, ସେ କୁଆଡ଼େ ଗଲା ?

ଯୁବକଟି ଝରକା ଫାଙ୍କରେ କାରାକକ୍ଷକୁ ଦୃଷ୍ଟି ନିକ୍ଷେପ କଲା । ବିଂଶୋତୀର୍ଣ୍ଣା ଯୁବତୀରାଣୀଙ୍କୁ ସମ୍ମୁଖରେ ଦେଖି ସେ ଦୃଷ୍ଟି ଫେରାଇ ଆଣି ପାରିଲା ନାହିଁ । ତାର ମନେ ହେଲା–ସେ ବୋଧହୁଏ ଏପରି ସୁନ୍ଦରୀ ଯୁବତୀ ଏଥିପୂର୍ବରୁ କେଉଁଠି ଦେଖି ନାହିଁ ।

 

ଦେବୀ ତାର ମନର ଭାବ ଅନୁମାନ କରିନେଇ ମୃଦୁ ମୃଦୁ ହସିବାରେ ଲାଗିଲା । ମାତ୍ର ମୁହୂର୍ତ୍ତକରେ ନିଜକୁ ସଂଯତ କରିନେଇ ପୁଣି ପଚାରିଲା—କଥା କହୁନାହଁ କାହିଁକି ?

 

ଯୁବକ ବାସ୍ତବତାକୁ ଫେରି ଆସି ଉତ୍ତର ଦେଲା—କଣ କହୁଛ ?

 

ଦେବୀ ପଚାରିଲା—ତୁମ ପୂର୍ବରୁ ଏଠାରେ ଯେ ପ୍ରହରା ଦେଉଥିଲେ, ସେ କୁଆଡ଼େ ଗଲେ ?

 

ଯୁବକ ଉତ୍ତର ଦେଲା—ସେ ମୋର କକା ହୁଅନ୍ତି । କାଲିଠାରୁ ତାଙ୍କୁ ଭୀଷଣ ଜ୍ୱର । ତାଙ୍କ ବଦଳରେ ମୁଁ ପ୍ରହରା ଦେବାକୁ ଆସିଛି ।

 

ଦେବୀ ପୁଣି ପଚାରିଲା—ତୁମ ନାମ କଣ ?

 

—ଜଗନ୍ନାଥ ।

 

—ତୁମେ ମୋ ଆଡ଼କୁ ଏପରି ଅନାଇଥିଲ କାହିଁକି ?

 

ଜଗନ୍ନାଥ ଳଜ୍ଜିତ ହୋଇ ତଳକୁ ମୁହଁ ପୋତିଲା ।

 

ଦେବୀ ଝରକାରେ ହାତ ଗଳାଇ ତା’ ମୁଣ୍ଡଟିକୁ ଆଉଁସି ଦେବାରେ ଲାଗିଲା ।

 

ଯୁବକର ଶିରା ପ୍ରଶିରାରେ ଉଷ୍ମ ରକ୍ତର ସ୍ରୋତ ପ୍ରବାହିତ ହେବାରେ ଲାଗିଲା ।

 

ଦେବୀ ପୁଣି ପଚାରିଲା—କଥା କହୁନାହଁ କାହିଁକି ?

 

ଜଗନ୍ନାଥ ସେହିପରି ତଳକୁ ମୁହଁପୋତି ଉତ୍ତର ଦେଲା—କକା କହୁଥିଲେ, ତୁମେ କୁଆଡ଼େ କୁହୁକିନୀ । କୁହୁକ ବଳରେ ଭେଣ୍ଡାକୁ ମେଣ୍ଢା କରିଦେବ ।

 

ଦେବୀ ପୂର୍ବପରି ମୃଦୁ ମୃଦୁ ହସି କହିଲା—କାହିଁ, ତୁମେତ ମେଣ୍ଢା ହେଲ ନାହିଁ ?

 

ଯୁବକ ଏଥର ଦେବୀକୁ ଚାହିଁ ଉତ୍ତର ଦେଲା—ନା, ନାଁ, ମୁଁ ସେସବୁ ବିଶ୍ୱାସ କରେ ନାହିଁ-

 

ଦେବୀ କହିଲା ଆଚ୍ଛା ହେଉ, ତୁମ ସ୍ଥାନକୁ ଚାଲିଯାଅ । କେହି ଦେଖିଲେ ମହା ଅନର୍ଥ ହେବ ।

 

ଯୁବକ ନିଜ ସ୍ଥାନକୁ ଫେରିଗଲା ।

 

ଦେବୀ ପୂର୍ବପରି ସେହି ଝରକା ନିକଟରେ ଠିଆ ହୋଇ ମୁକ୍ତିର ଉପାୟ ଚିନ୍ତା କରିବାରେ ଲାଗିଲା ।

 

ପର ଦିବସର ପୁଣି ସେହି ମଧ୍ୟାହ୍ନ । ଯୁବକଟି ଆସି ନିଜ ସ୍ଥାନରେ ବସିବା ସଙ୍ଗେ ସଙ୍ଗେ ଦେବୀ ଝରକାରେ ମୃଦୁ ଆଘାତ କଲା ।

 

ଜଗନ୍ନାଥ ଚାରିଆଡ଼କୁ ଥରେ ଅନାଇ ଦେଇ ଝରକା ନିକଟରେ ଯାଇ ଠିଆ ହେଲା ।

 

ଦେବୀ ପଚାରିଲା—କକାଙ୍କ ଦେହ କିପରି ଅଛି ?

 

ଜଗନ୍ନାଥ ଉତ୍ତର ଦେଲା—ଜ୍ୱର ଛାଡ଼ି ନାହିଁ । କବିରାଜ କହିଲେ—କମ୍ପଜ୍ୱର । ଛାଡ଼ିବାକୁ ସପ୍ତାହଟାଏ ଲାଗିଯିବ ।

 

ଦେବୀର ଚକ୍ଷୁ ଦୁଇଟି ଉଦ୍ଭାସିତ ହୋଇଉଠିଲା । ମାତ୍ର ନିଜକୁ ସଂଯତ କରିନେଇ ସେ ଝରକାରେ ହାତ ବଢ଼ାଇ ଯୁବକଟିର ମସ୍ତକକୁ ସାଉଁଳିବାରେ ଲାଗିଲା ।

 

ଦେବୀର ନରମ ହାତର ସ୍ପର୍ଶପାଇ ଜଗନ୍ନାଥର ଦେହ ପୁଲକିତ ହୋଇଉଠିଲା । ସେ ଅପୂର୍ବ ଶିହରଣ ଅନୁଭବ କଲା ।

 

ଦେବୀ ପଚାରିଲା—ତୁମେ ବିବାହ କଲଣି ?

 

ଜଗନ୍ନାଥ ତଳକୁ ମୁହଁପୋତି ଲାଜୁଆ ଗଳାରେ ଉତ୍ତର ଦେଲା—ନାଁ ।

 

ଦେବୀ ବେକରୁ ସୁନାହାରଟି ବାହାର କରି ତା ହାତକୁ ଦେଇ କହିଲା—ନିଅ, ଏହାକୁ ଲୁଚାଇ ରଖିଥିବ । ବିବାହ ବେଳେ ତୁମ ସ୍ତ୍ରୀକୁ ଉପହାର ଦେବ ।

 

ସୁନାହାର ଦେଖି ଜଗନ୍ନାଥ ଚମକି ପଡ଼ିଲା । ଏତେବଡ଼ ସୁନାରହାର ସେ ବୋଧହୁଏ ଜୀବନରେ ଏହି ପ୍ରଥମ ଥର ଦେଖିଲା । ଏଣୁ ଭୟରେ ଝରକା ନିକଟରୁ ଅପସରି ଗଲା ।

 

ଦେବୀ ମୃଦୁ ସ୍ୱରରେ ତାକୁ ପାଖକୁ ଡାକି କହିଲା—ଭୟ କର ନାହିଁ । କଥା କଣ ଜାଣ-? ମୋର ଠିକ୍‌ ତୁମରିପରି ଭାଇଟିଏ ଥିଲା । ବାରବର୍ଷ ବେଳେ ସେ ମରିଗଲା । ମୁଁ ତାକୁ ଖୁବ୍‌ ସ୍ନେହ କରୁଥିଲି । ତୁମେ ଠିକ୍‍ ତାରି ପରି ଦିଶୁଛ ? ତେଣୁ ତୁମକୁ ଏ ହାରଟି ଦେଉଛି । ମୋର ବା ଏ କଣ ହେବ ? ନିଅ, ଭୟ କର ନାହିଁ । ମାତ୍ର ସାବଧାନ, କାହାରିକୁ ଦେଖାଇବ ନାହିଁ ଏପରି କି ତୁମ ଘରେ ମଧ୍ୟ କାହାକୁ କହିବ ନାହିଁ ।

 

ଜଗନ୍ନାଥ ଲୋଭ ସମ୍ବରଣ କରି ନ ପାରି ସୁନାହାରଟି ନେଇ କମର ବନ୍ଦରେ ବାନ୍ଧି ରଖିଲା ।

 

ଦେବୀ ତାକୁ ଝରକା ପାଖରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇ ମନେ ମନେ କହିଲା—ଠିକ୍‌ ଔଷଧ ଧରିଛି । ଏଥର ଦେଖିବି ରାଣୀ ! ମୋତେ କିପରି ତୁମେ ବନ୍ଦୀକରି ରଖିବ ? ଏହି ଯୁବକ ସାହାଯ୍ୟରେ ମୁଁ କିପରି ମୁକ୍ତିର ପଥ ସୁଗମ କରି ନେଉଛି ଦେଖ ?

 

ସେଦିନ ବିତିଗଲା । ପରଦିନ ଜଗନ୍ନାଥ ପ୍ରହରା ଦେବାକୁ ଆସିଲାବେଳେ କିଛି ମିଠାଇ ନେଇ ଆସିଲା । ସାନ ରାଣୀଙ୍କୁ ଏଠାରେ କିପରି ଖାଦ୍ୟ ଦିଆଯାଏ, ତାହା ତାକୁ ଅଜ୍ଞାତ ନଥିଲା । ପ୍ରତିଦିନ ବଡ଼ରାଣୀ ଆସି ଯେତେବେଳେ ଘର ଖୋଲନ୍ତି, ସେ ଦେଖେ—କେଉଁଦିନ ଖାଦ୍ୟ ସେହିପରି ଥୁଆ ଯାଇଛି ତ, କେଉଁଦିନ ସାମାନ୍ୟ କିଛି କମି ଯାଇଛି । ତେଣୁ ସେ ଆସିବା ବେଳେ କିଛି ମିଠାଇ ଲୁଗା କାନିରେ ବାନ୍ଧି ନେଇ ଆସିଥିଲା ।

 

ଦ୍ୱିପ୍ରହର ସମୟରେ ବଡ଼ରାଣୀ ଚାଲିଯିବା ପରେ ଜଗନ୍ନାଥ ଚାରିଆଡ଼କୁ ଥରେ ଭଲ ଭାବରେ ଅନାଇଲା । ତାପରେ ଝରକା ନିକଟକୁ ଯାଇ ଡାକିଲା—ଅପା !

 

କିଏ ଜଗନ୍ନାଥ ! ଘର ଭିତରୁ ଦେବୀ ଉତ୍ତର ଦେଲା ।

 

—ହଁ,

 

ଦେବୀ ଝରକା ନିକଟକୁ ଆସିଲା ।

 

ଜଗନ୍ନାଥ କହିଲା—ମିଠାଇ ଆଣିଥିଲି । ତାପରେ ସେ ଝରକା ଉପରେ ପୁଡ଼ିଆଟି ରଖିଦେଲା ।

 

ଦେବୀ ପଚାରିଲା—କେଉଁଠୁ ଆଣିଲୁ ? ଜଗନ୍ନାଥ କହିଲା—ବାଟରେ ଆସୁ ଆସୁ କିଣି ଆଣିଲି ।

 

ଦେବୀ ପୁଣି କହିଲା—ଏକାମ କାହିଁକି କଲୁ ? ଯଦି କିଏ ଦେଖିବ..... ?

 

ଜଗନ୍ନାଥର ଚକ୍ଷୁଦୁଇଟି ଛଳ ଛଳ ହୋଇଗଲା । ସେ ଉତ୍ତର ଦେଲା—ଅପା, ତୁମକୁ ଯେଉଁ ଖାଦ୍ୟ ଦିଆଯାଉଛି; ତାହା କଣ ମୁଁ ଦେଖୁ ନାହିଁ ? ଏଭଳି ଉପବାସରେ ରହି କେତେଦିନ ବଞ୍ଚିବ ?

 

ଦେବୀ ଦୀର୍ଘ ନିଶ୍ୱାସଟାଏ ପକାଇଲା । ତାପରେ ଝରକାରେ ହାତ ଗଳାଇ ତା’ ମୁଣ୍ଡ ଆଉଁସି ଦେଉଁ ଦେଉଁ କହିଲା—କକାଙ୍କ ଦେହ କିପରି ଅଛି ?

 

ଜଗନ୍ନାଥ ଉତ୍ତର ଦେଲା—ଜ୍ୱର ଟିକିଏ କମିଛି । ମାତ୍ର ଚାଲବୁଲ କରିବାକୁ ବଳ ପାଉନାହିଁ, ସେ ଏ ଦୁଇ ଚାରିଦିନ ଭିତରେ ଆସି ପାରିବେ ନାହିଁ ।

 

ଦେବୀ ଟିକିଏ ଚଞ୍ଚଳତା ହୋଇ ପଡ଼ିଲା । ତାପରେ ଧୀର ଭାବରେ କହିଲାହଉ, ତୁ ତୋ ଜାଗାରେ ଯାଇ ବସ ।

 

ଜଗନ୍ନାଥ ପଚାରିଲା—ମିଠାଇ ଖାଇବତ ?

 

ଦେବୀ ଉତ୍ତର ଦେଲା—ସାନ ଭାଇର ଦାନ କ’ଣ କିଏ ଉପେକ୍ଷା କରେ ? ବିଶେଷତଃ ମୁଁ ଯଦି ନ ଖାଏଁ, ତେବେ କାଲି ବଡ଼ରାଣୀ ଦେଖିଲେ ଆଉ ତୋ ମୁଣ୍ଡ ରହିବ ?

 

ଜଗନ୍ନାଥ ଚମକି ପଡ଼ିଲା । ବାସ୍ତବିକ୍‌ ସେ ଏ ବିଷୟ ଆଦୌ ଚିନ୍ତା କରି ନ ଥିଲା । ଏହି ଯୁବତୀଟି ଯେ କେଡ଼େ ବୁଦ୍ଧିମତୀ ସେ କେବଳ ତାହାହିଁ ଚିନ୍ତା କରିବାରେ ଲାଗିଲା ।

 

ଦେବୀ ମିଠାଇତକ ଖାଇ, ପାଣିପିଇ ଶାନ୍ତିରେ ନିଶ୍ୱାସ ମାରିଲା । ପ୍ରକୃତରେ ସେ ବନ୍ଦୀ ହେବା ଦିନଠାରୁ ଏପରି କୌଣସି ଦିନ ପେଟପୂରା ଖାଇବାକୁ ପାଇ ନ ଥିଲା । ତା’ପରେ ଘର ଭିତରେ ବସି ବସି ମନେ ମନେ ଏକ ପରିକଳ୍ପନା ସ୍ଥିର କରିନେଲା ।

 

ସେ ଦିବସ ବିତିଲା । ପରଦିନ ଜଗନ୍ନାଥ ପ୍ରହରାକୁ ଆସିଲା । ଏଣେ ଦେବୀ ତାର ଆସିବା ବାଟକୁ ଚାହିଁ ବସିଥିଲା ।

 

ମଧ୍ୟାହ୍ନ ବେଳକୁ ସମସ୍ତେ ଖାଇପିଇ ନିଜ ନିଜ କକ୍ଷରେ ବିଶ୍ରାମ ନେଲେ । ଜଗନ୍ନାଥ ଧୀର ଭାବରେ ଆସି ଝରକା ନିକଟରେ ଠିଆ ହେଲା । ଦେବୀ ଝରକାରେ ହାତ ବଢ଼ାଇ ତା ମୁଣ୍ଡ ଓ ପିଠିକୁ ଆଉଁସି ଦେଉଁ ଦେଉଁ ପଚାରିଲା—ଜଗନ୍ନାଥ, ମୁଁ ଆଉ କେତେଦିନ ଏପରି ବନ୍ଦୀ ହୋଇ ରହିଥିବି ?

 

ତାର ସେ କଥା ପଦକରେ କି କୁହୁକ ଥିଲା କେଜାଣି, ଜଗନ୍ନାଥ ଚକ୍ଷୁରୁ ଦୁଇଟୋପା ଲୁହ ଝରି ପଡ଼ିଲା । ସେ ଲୁଗା କାନିରେ ଆଖି ପୋଛିଦେଇ କହିଲା—ଅପା, ମୁଁ ଆଉ କଣ କରିବି-? ଯଦି ମୋ ଦ୍ୱାରା କୌଣସି କାର୍ଯ୍ୟ ହେବାର ଥାଏ କହ, ମୁଁ ଜୀବନ ଦେଇ ମଧ୍ୟ ସେ କାମ ତୁଲାଇବି-

 

ଦେବୀ କେତେ ସମୟ କଣ ଭାବିଲା । ତାପରେ ଧୀର କଣ୍ଠରେ ପଚାରିଲା—ତୋର ଜଣାଶୁଣା କେହି ଭଲ କମାର ଅଛି ?

 

ଜଗନ୍ନାଥ ଉତ୍ତର ଦେଲା—ହଁ, ରାଜାଙ୍କର ଅସ୍ତ୍ରଶସ୍ତ୍ର ଯେଉଁ କମାର ତିଆରି କରେ, ତା ପୁଅ ମୋର ସାଙ୍ଗ । ସେ ଭଲ କାମ ଜାଣେ ।

 

ଦେବୀ କହିଲା—ତାହାହେଲେ ତୁ ଗୋଟାଏ କାମକର । କାଲି ମହମ ଆଣି ଏ ତାଲାର ଛାଞ୍ଚ ନେଇ ଯା’ । ତାକୁ କହି ଗୋଟାଏ ଚାବି ତିଆରି କର । ମାତ୍ର ସାବଧାନ, ମୋ ବିଷୟରେ କିଛି କହିବୁ ନାହିଁ । ଏହାଦ୍ୱାରା ତୋର ଓ ମୋର ଦୁହିଁଙ୍କର ବିପଦ ଅଛି । ସେ କାମ ସରିଗଲେ କଣ କରାଯିବ, ମୁଁ କହିବି ।

 

ଜଗନ୍ନାଥ ଆଗ୍ରହ ସହକାରେ ଉତ୍ତର ଦେଲା—ଏ କାମ ମୁଁ ଅକ୍ଳେଶରେ କରି ପାରିବି ।

 

ଦେବୀ ନିଜ ଆଙ୍ଗୁଳିରୁ ଦୁଇଟି ସୁନାମୁଦି ବାହାର କରି ତା ହାତକୁ ବଢ଼ାଇ ଦେଇ କହିଲା—ଏ ଦୁଇଟି ନିଏ । ତାକୁ ଗୋଟିଏ ଦେଇ ଚାବି ତିଆରି କରିବୁ ଏବଂ ତୁ ଗୋଟାଏ ନେବୁ ।

 

ଜଗନ୍ନାଥ ହାତ ବଢ଼ାଇ ସେ ଦୁଇଟି ଗ୍ରହଣ କଲା ।

 

ଏ ମଧ୍ୟରେ ଦୁଇଟି ଦିବସ ବିତି ଯାଇଛି । ଆଉ ଦୁଇ ତିନି ଦିନ ପରେ ଜଗନ୍ନାଥର କକା ଆସି ପ୍ରହରା ଦେବ । ସେତେବେଳେ ଆଉ ଜଗନ୍ନାଥ ସହିତ ସାକ୍ଷାତ ହେବ ନାହିଁ । ତାପରେ ମୁକ୍ତି ସୁଦୂର ପରାହତ ।

 

ଦେବୀ ଝରକା ନିକଟରେ ଠିଆ ହୋଇ ଗାଲରେ ହାତଦେଇ ଚିନ୍ତା କରିବାରେ ଲାଗିଛି-। ଜଗନ୍ନାଥର ପାଦଶବ୍ଦ ଶୁଣାଗଲା । ଦେବୀ ତା ଆଡ଼କୁ ଶଙ୍କିତ ନେତ୍ରରେ ଚାହିଁବା ମାତ୍ରେ ଜଗନ୍ନାଥ ସାମାନ୍ୟ ହସିଦେଇ ମୁହଁ ବୁଲାଇ ନେଲା । ତାପରେ ନିଜ ସ୍ଥାନରେ ବସି ଚାରିଆଡ଼କୁ ଅତିସନ୍ତର୍ପଣରେ ଅନାଇ ଚାବିଟି ପକେଟରୁ ବାହାର କରି ଦେଖାଇଲା ।

 

ଦେବୀର ହୃଦୟରେ କମ୍ପନ ଓ ମନରେ ଉତ୍କଣ୍ଠା ଭରିଗଲା ।

 

ଏକ ସମୟରେ ସମସ୍ତେ ଖାଇପିଇ ନିଜ ନିଜ କକ୍ଷକୁ ବିଶ୍ରାମ ନିମନ୍ତେ ଯିବାପରେ ଜଗନ୍ନାଥ ଆସି ଝରକା ନିକଟରେ ଠିଆ ହୋଇ କହିଲା—କାଲି ସାରା ରାତ୍ରୀ ଅନିଦ୍ରା ରହି ଚାବିଟି ତିଆରି କରାଇଛି । ଏଣିକି ତୁମ ଭାଗ୍ୟ ।

 

ଆଶା, ନିରାଶା, ଶଙ୍କା ଓ ଉତ୍କଣ୍ଠାରେ ଦେବୀର ଦେହ ଥରି କଣ୍ଠରୁଦ୍ଧ ହେଲାପରି ମନେହେଲା । କୌଣସି ମତେ ସେ ନିଜକୁ ସଂଯତ କରି ନେଇ କହିଲା—ଚାରିଆଡ଼କୁ ଭଲ ଭାବରେ ଚାହିଁ ତାଲା ଖୋଲୁଛି କି ନାହିଁ ପରୀକ୍ଷା କରିନିଅ ।

 

ଜଗନ୍ନାଥ ବାରନ୍ଦାର ଏପାଖ ସେପାଖ ବୁଲିଆସି ତାଲାରେ ଚାବି ଲଗାଇଲା । ତା ହୃଦୟରେ ମଧ୍ୟ କମ୍ପନ । ଏ କେତୋଟି ମୁହୂର୍ତ୍ତ ଦେବୀର କୋଟିଯୁଗ କରି ମନେହେଲା । ଅଧୀର ଆଗ୍ରହରେ ସେ କେବଳ ହଁ କି ନାହିଁ ଶୁଣିବା ପାଇଁ କାନଡେରି ଚାହିଁ ରହିଛି ।

 

ବାସ୍ତବରେ ଦେବୀର ଭାଗ୍ୟ ସୁପ୍ରସନ୍ନ ଥିଲା । ଜଗନ୍ନାଥ ତାଲା ଭିତରେ ଚାବି ପୂରାଇ ମାଡ଼ିଦେବା ମାତ୍ରେ ତାହା ସାମାନ୍ୟ ଶବ୍ଦକରି ଖୋଲିଗଲା । ଜଗନ୍ନାଥ ପୁଣି ତାଲା ଲଗାଇଦେଇ ଆସି ଦେବୀକୁ କହିଲା—ହଁ ଠିକ୍‌ ଅଛି । ତାପରେ ସେ ଚାବିକୁ ତା ହାତକୁ ବଢ଼ାଇ ଦେଲା ।

 

ଦେବୀର ଚକ୍ଷୁରେ ଲୁହ, ବୁକୁରେ କୋହ । ମୁକ୍ତିଲାଭର ଆନନ୍ଦରେ ସେ ଅଭିଭୂତା ।

 

ମୁହୂର୍ତ୍ତ ପରେ ମୁହୂର୍ତ୍ତ ବିତିବାରେ ଲାଗିଲା ।

 

କେତେ ସମୟ ପରେ ଦେବୀ ବାସ୍ତବତାକୁ ଫେରି ଆସିଲା । ନାଁ, ଆଉ କାଳକ୍ଷେପଣ ଉଚିତ ନୁହେଁ । ପୁଣି କେଉଁ ମୁହୂର୍ତ୍ତରେ କଣ ଘଟିବ କିଏ ଜାଣେ ?

 

ପଣତ କାନିରେ ଲୋତକ ପୋଛି ଦେବୀ ନିଜ ଦେହର ସମସ୍ତ ସୁନା ଅଳଙ୍କାର ବାହାର କରି ଖଣ୍ଡିଏ କନାରେ ବାନ୍ଧିଲା । ତାପରେ ତାହା ଜଗନ୍ନାଥ ନିକଟକୁ ବଢ଼ାଇ ଦେଇ କହିଲା—ଭାଇ, ଜଗନ୍ନାଥ, ତୁମ ଋଣ ଏ ଜୀବନରେ ସୁଝି ପାରିବି ନାହିଁ । ମୁଁ ଯଦି ପୁଣି କେବେ ଏ ରାଜ୍ୟକୁ ସସମ୍ମାନର ସହିତ ଫେରେ, ତେବେ ତୁମ ଋଣ ପରିଶୋଧ କରିବାକୁ ଯତ୍ନ କରିବି । ଯାହାହେଉ, ଆଉ ଗୋଟିଏ କଥା ବାକି ରହିଲା । ତୁମେ ଏ ଅଳଙ୍କାରତକ ନିଅ । କାଲି ଏଗୁଡ଼ିକ ବିକ୍ରୀକରି ଦୁଇଟି ଘୋଡ଼ା କିଣିବ । ତାପରେ କଣ କରାଯିବ, ମୁଁ ସେ ବିଷୟ କହିବି ।

 

ଜଗନ୍ନାଥ ଅଳଙ୍କାରତକ ନିଜ କମରପଟୀରେ ବାନ୍ଧୁ ବାନ୍ଧୁ କହିଲା—ଦୁଇଟି ଘୋଡ଼ା କଣ ହେବ ?

 

ଦେବୀ ଉତ୍ତର ଦେଲା—ଗୋଟିଏ ତୁମର ଓ ଅନ୍ୟଟି ମୋର । ଯାଅ, ଆଉ ବିଳମ୍ବ କର ନାହିଁ । ଅନ୍ୟ ପ୍ରହରୀ ଆସିବାର ବେଳ ହୋଇଗଲାଣି ।

 

ଜଗନ୍ନାଥ ନିଜ ସ୍ଥାନକୁ ଫେରି ଯାଉଥିଲା । ଦେବୀ ପୁଣି ତାକୁ ଡାକି କହିଲା–ଖୁବ୍‌ ସତର୍କତାର ସହିତ ଏ କାମ କରିବ । କେହି ଯେପରି କୌଣସି ପ୍ରକାର ସନ୍ଦେହ ନ କରେ । ତାପରେ କାଲି ଆସିଲା ବେଳେ ଖଣ୍ଡିଏ କାଗଜ ଓ ଗୋଟିଏ ପେନ୍‌ସିଲ୍‌ ନେଇ ଆସିବ ।

 

ଜଗନ୍ନାଥ ଚାଲିଗଲା ।

 

ସେ ଦିନ ରାତିରେ ଦେବୀ ଶୋଇ ପାରିଲା ନାହିଁ । ବହୁ ଆକାଂକ୍ଷିତ ମୁକ୍ତିର ଆନନ୍ଦ କଳ୍ପନା କରି ସେ କେବଳ ବିଛଣାରେ ଛଟପଟ ହେବାରେ ଲାଗିଲା ।

 

ସେ ଦିନର ରାତ୍ରି ବିତିଲା । ଦିବସର ପ୍ରଥମ ପ୍ରହରବେଳକୁ ବଡ଼ ରାଣୀ ଆସି ଦ୍ୱାର ଖୋଲି ଦେଲେ । ଜଣେ ଲୋକ ଘର ଭିତରେ ପଶି ତାହା ପରିଷ୍କାର କରିଦେଇ ଫେରି ଆସିଲା । ରାଣୀ ଘର ଦୁଆରରେ ତାଲା ଲଗାଇ ଚାଲିଗଲେ ।

 

ଦେବୀ ଯାହା ସନ୍ଦେହ କରିଥିଲା, ତାହା ହିଁ ସତ୍ୟରେ ପରିଣତ ହେଲା । ରାଣୀ କୌଣସି ଖାଦ୍ୟ ଦେଇଗଲେ ନାହିଁ । ଦେବୀର ଶୁଖିଲା ମୁହଁରେ ହସ ଫୁଟି ଉଠିଲା । ଆଜିହିଁ ତା ଭାଗ୍ୟର ଶେଷ ମୀମାଂସା ହେବ । ସେ ଦୁଇ ହାତଯୋଡ଼ି ଭଗବାନ ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଣାମ ନିବେଦନ କଲା ।

 

ଠିକ୍‌ ମଧ୍ୟାହ୍ନବେଳକୁ ଜଗନ୍ନାଥ ଆସି ଉପସ୍ଥିତ ହେଲା । ସମସ୍ତେ ଖାଇ ପିଇ ନିଜ କକ୍ଷରେ ବିଶ୍ରାମ ନେଲେ ।

 

ଜଗନ୍ନାଥ ନିଜ ବସିବା ସ୍ଥାନରୁ ଉଠି ଝରକା ନିକଟକୁ ଯାଇ ଗୋଟିଏ ପୁଡ଼ିଆ ଓ କାଗଜ ପେନ୍‌ସିଲ୍‍ ବଢ଼ାଇ ଦେଇ କହିଲା—ଘୋଡ଼ା ଠିକ୍‌ ହୋଇଗଲା ।

 

ଦେବୀ ପୁଡ଼ିଆଟି ଫିଟାଇ ଦେଖିଲା ଯେ ତହିଁରେ ନାନା ପ୍ରକାର ମିଠାଇ ରହିଛି । ସେ ଅନୁମାନ କଲା ଏତିକି ମିଠାଇରେ ତାର ଦୁଇଦିନ ସୁନ୍ଦର ଭାବରେ ଚଳିଯିବ । ସେଦିନ କିଛି ଖାଇ ନ ଥିବାରୁ ତାକୁ ଭୋକ ମଧ୍ୟ ଲାଗୁଥିଲା । ସେ ପୁଡ଼ିଆ ଖୋଲି କିଛି ମିଠାଇ ଖାଇ ପାଣି ପିଇଲା । ତାପରେ ଝରକା ନିକଟକୁ ଆସି ଠକ୍‌ ଠକ୍‌ ଶବ୍ଦ କଲା ।

 

ଜଗନ୍ନାଥ ଆସି ଝରକା ନିକଟରେ ଠିଆ ହେଲା । ଦେବୀ ତା ହାତକୁ କାଗଜ ପେନ୍‌ସିଲ୍‍ ବଢ଼ାଇ ଦେଇ କହିଲା—ତୁମର ଯାହା ଜିନିଷପତ୍ର ଅଛି, ତାହା ନେଇ ଆଜି ରାତିରେ ତାଳଚେର ଚାଲିଯିବ । ସେଠାକାର ରାଜା ମୋ ସ୍ୱାମୀଙ୍କର ବିଶେଷ ବନ୍ଧୁ । ତାଙ୍କୁ ଏ ପତ୍ରଟି ଦେଖାଇଲେ ସେ ତୁମ ରହିବାର ସମସ୍ତ ସୁବିଧା କରି ଦେବେ । ତାପରେ ଏଠାରୁ ଯିବା ସଙ୍ଗେ ସଙ୍ଗେ ମୋ ଘୋଡ଼ାଟି ଆଣି ଫୁଲ ବଗିଚାର ପଶ୍ଚିମ ପାଖରେ ଥିବା ବଉଳ ଗଛ ମୂଳେ ବାନ୍ଧି ଦେଇଯିବ ।

 

ଜଗନ୍ନାଥ ହଁ ଭରିଲା । କ୍ରମେ ସନ୍ଧ୍ୟା ହେଲା । ଅନ୍ଧାର ମାଡ଼ି ଆସିବା ସଙ୍ଗେ ସଙ୍ଗେ ଜଗନ୍ନାଥ କହିଲା—ମୋର କାମ ସରିଗଲା । ଏବେ ଅନ୍ୟ ପ୍ରହରୀ ଆସିବ । କଣ କରିବି କୁହ ।

 

ଦେବୀ ଝରକାରୁ ଚାରି ଆଡ଼କୁ ଚାହିଁ ଚାବିଟି ଜଗନ୍ନାଥ ହାତକୁ ବଢ଼ାଇ ଦେଇ କହିଲା–ତାଲା ଖୋଲିଦିଅ ।

 

ଜଗନ୍ନାଥ ଖୋଲି ଦେଲା ।

 

ଦେବୀ ଅର୍ଜ୍ଜୁନ ସିଂହକୁ କୋଳରେ ଧରି ପଦାକୁ ବାହାରି ଆସି ଦୁଆରେ ତାଲା ଲଗାଇ ଦେଲା । ତାପରେ ସେହି ଅନ୍ଧାରରେ ବାଡ଼ିପଟ ଦୁଆର ଖୋଲି ଅନ୍ଧକାରରେ କେଉଁଆଡ଼େ ଚାଲିଗଲା । ଜଗନ୍ନାଥ ଦୁଆର ବନ୍ଦକରି ନିଜ ସ୍ଥାନରେ ଆସି ବସି ରହିଲା ।

 

ଦଣ୍ଡ, ଲିତା ଓ ବିଲିତାରେ ସମୟ ଉତ୍ତୀର୍ଣ୍ଣ ହେବାରେ ଲାଗିଲା । କେଉଁଠି ପତ୍ରଟାଏ ଖଡ଼ଖଡ଼ ଶୁଭିଲେ କିଏ ଆସିଲା ବୋଲି ମନେକରି ଦେବୀ ସତର୍କ ହୋଇଯାଏ । ମାତ୍ର ପର ମୁହୂର୍ତ୍ତରେ ନିଜର ଭ୍ରମ ବୁଝିପାରେ । ମନେମନେ ଭାବେ—ଗୋଟାଏ ତରବାରି ଯୋଗାଡ଼ କରିବା ପାଇଁ ଜଗନ୍ନାଥକୁ କହିଥିଲେ ବୋଧହୁଏ ଭଲ ହୋଇ ଥାଆନ୍ତା ।

 

ମାଧବୀ ମଣ୍ଡପ ତଳେ ଘନଲତା ଭିତରେ ଦେବୀ ଆତ୍ମଗୋପନ କରି ବସି ରହିଛି । ମଶା କାମୁଡ଼ି ଅସ୍ଥିର କରି ଦେଲେଣି । ସେମାନଙ୍କୁ ଘଉଡ଼ାଇବା ପାଇଁ ସାହସ କୁଳାଉ ନାହିଁ । ବୁଦା ଭିତରେ ଯେ ସାପ ନ ଥିବେ ତାହା ମଧ୍ୟ କହିହେବ ନାହିଁ ।

 

କଥାରେ ଅଛି ‘ଦୁର୍ବଳର ବଳ ଭଗବାନ’ । ଲୋକ ଯେତେ ନାସ୍ତିକ ହେଲେ ମଧ୍ୟ ଦିଗନ୍ତ ବିସ୍ତାରି ଜଳରାଶି ମଧ୍ୟରେ ଯେତେବେଳେ ତାର ନୌକା ବୁଡ଼ିଯାଏ ସେତେବେଳେ ସେ ଡାକେ ଭଗବାନ ରକ୍ଷାକର । ଦେବୀ ଅବଶ୍ୟ ନାସ୍ତିକ ନୁହେଁ । ସେ ଶକ୍ତିର ପୂଜାରୀ ଏବଂ ଶିବଙ୍କର ଉପାସକ । ତଥାପି ବିଷଧର ଭୟରେ ସେ ମନେ ମନେ କହିବାରେ ଲାଗିଲା—‘ଆସ୍ତିକ, ଆସ୍ତିକ’-

 

କୋଳରେ ଶିଶୁ ଅର୍ଜ୍ଜୁନ ସିଂହ ପରମ ନିଶ୍ଚିନ୍ତରେ ଶୋଇ ଯାଇଛି । ଅବୋଧ ଶିଶୁ, ବିପଦ-ଆପଦ, ଜୀବନ ବା ମରଣର ଅର୍ଥ ସେ କଣ ବୁଝେ । ଦେବୀ ସେହି ଅନ୍ଧକାରରେ ତା ମୁହଁକୁ ଅନାଇ ପିଠି ଆଉଁସି ଦେଲା ।

 

ଅତି ନିକଟରୁ ଅଣ୍ଡିରା ବିଲୁଆଟାଏ ଭୁକି ଉଠିଲା–ହୁକେ–ହୋ, ହୁକେ–ହୋ, ହୁଆ, ହୁଆ, ହୁଆ ।

 

ଦେବୀ ନିଜକୁ ପ୍ରସ୍ତୁତ କରିନେଲା । ରାତ୍ର ପ୍ରହରେ ହୋଇଗଲାଣି । ସେ କାନ ପାତିଲା-। ନାଁ, ନଅରରେ କୌଣସି ଗୋଳମାଳ ନାହିଁ । ବୋଧହୁଏ ତାର ପଳାୟନ ସମ୍ବାଦ କେହି ଜାଣି ନାହାନ୍ତି । କାଲି ଯେତେବେଳେ ବଡ଼ରାଣୀ ଘର ପରିଷ୍କାର କରାଇବା ପାଇଁ ଯିବେ, ସେତେବେଳେ......

 

ଦେବୀର ଦେହ ଶିହରି ଉଠିଲା । ସେ ଆଉ କାଳ ବିଳମ୍ବ ନ କରି ସେହି ମାଧବୀଲତା ଭିତରେ ଆଣ୍ଠୋଇ ପଡ଼ି ଭଲ ଭାବରେ ଲୁଘା ପିନ୍ଧି ନେଲା । ତାପରେ ପଣତ କାନିରେ ଅର୍ଜ୍ଜୁନକୁ ଶୁଆଇ, ତାକୁ ପିଠିରେ ବାନ୍ଧି ଅତି ସନ୍ତର୍ପଣରେ ଗୁରୁଣ୍ଡି ଗୁରୁଣ୍ଡି ପଦାକୁ ଆସିଲା । ସେଠାରେ କେତେ ସମୟ ବସି ସେ ଚାରିଆଡ଼େ ଥରେ ସତର୍କ ଦୃଷ୍ଟି ବୁଲାଇ ନେଲା । ନାଁ, କେହି କୁଆଡ଼େ ନାହାନ୍ତି । ଦେବୀ ଦିଗ ନିର୍ଣ୍ଣୟ କରି ଧୀରେ ଧୀରେ ଚାଲିଲା ।

 

ଜଗନ୍ନାଥ ସେତେବେଳକୁ ବଉଳଗଛ ମୂଳେ ଘୋଡ଼ାଟି ବାନ୍ଧିଦେଇ ଚାଲି ଯାଇଥିଲା । ଦେବୀ ଦୂରରୁ ଘୋଡ଼ାର ଉପସ୍ଥିତି ଅନୁମାନ କରିନେଇ ତା ନିକଟକୁ ଗଲା । ତାପରେ ଏକ ସମୟରେ ଘୋଡ଼ା ପାଖରେ ପହଞ୍ଚି ତାର ବନ୍ଧନ ଖୋଲି ଦେଲା ଏବଂ ଘୋଡ଼ା ପିଠିରେ ବସି ତାକୁ କଷାଘାତ କଲା । ଘୋଡ଼ା ବିଦ୍ୟୁତ୍‌ ବେଗରେ ସେହି ଅନ୍ଧକାରରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଘୋଡ଼ାର ଗତି ସଙ୍ଗେ ତାଳଦେଇ ଦେବୀର ମନର ଗତି ବଢ଼ି ଚାଲିଛି । ଯେକୌଣସି ଉପାୟରେ ହେଉ ଆଜି ରାତି ମଧ୍ୟରେ ଏ ରାଜ୍ୟର ସୀମା ପାର ହେବାକୁ ପଡ଼ିବ । ନଚେତ୍‌ କାଲି ସକାଳେ ତାର ପଳାୟନର ସମ୍ବାଦ ପ୍ରଚାରିତ ହୋଇଗଲେ ଆଉ ଉଦ୍ଧାରର ଉପାୟ ନାହିଁ ।

 

ପ୍ରହରକ ମଧ୍ୟରେ ଘୋଡ଼ା ରାଜଧାନୀ ପାରହୋଇ ଗ୍ରାମ୍ୟ ରାସ୍ତାରେ ଉପସ୍ଥିତ ହେଲା । ଦେବୀ ଆକାଶକୁ ଅନାଇଲା । ସଞ୍ଜୁଆତାରା ମୁଣ୍ଡ ଉପରକୁ ଆସିଗଲାଣି । ରାତ୍ର ପ୍ରାୟ ଦ୍ୱିତୀୟ ପ୍ରହର । ଏଣେ ପୂର୍ବ ଆକାଶରେ ଉଜ୍ଜ୍ୱଳ ଧଳା ଗାରଟିଏ ଦେଖାଗଲାଣି । ବୋଧହୁଏ ଚନ୍ଦ୍ରମା ଉଦିତ ହେବେ । ଅନ୍ଧକାର ସାମାନ୍ୟ ଦୂର ହୋଇଗଲେ ପଥ ଚାଲିବାରେ ସାମାନ୍ୟ ସୁବିଧା ହୋଇପାରେ । ଦେବୀ ଦୀର୍ଘ ନିଶ୍ୱାସଟାଏ ପକାଇଲା ।

 

ଦୂର ଆକାଶରେ ଗୋଟିଏ ପାଖରେ ଉଜ୍ଜ୍ୱଳ ଜ୍ୱଳନ୍ତ ରେଖାରେ ଗାରକାଟି ଉଲକାଟିଏ ଖସି ପଡ଼ିଲା । ଆକାଶରେ ଗୋଟିଏ ମୁହୂର୍ତ୍ତ ମାତ୍ର ତାର ଅସ୍ତିତ୍ୱ । ତାପରେ ଛାୟା ପଥରେ ତାର କୌଣସି ଚିହ୍ନ ମଧ୍ୟ ରହେ ନାହିଁ ।

 

କ୍ରମେ ଚନ୍ଦ୍ର ଉଦିତ ହେଲେ । ତାଙ୍କର ସ୍ନିଗ୍‌ଧ କିରଣରେ ଜଳ, ସ୍ଥଳ ଓ ଆକାଶ ହସି ଉଠିଲେ । ରାତ୍ରି ପାହିଲା ବୋଲି ମନେକରି ପାଖ ଗଛରୁ କେଉଁଠି ପକ୍ଷୀଟିଏ ବୋବାଇ ଉଠିଲା । ଘୋଡ଼ା ଉଦ୍ଦାମ ଗତିରେ ଧାଇଁ ଚାଲିଛି ।

 

ରାତ୍ର ତୃତୀୟ ପ୍ରହର ବେଳକୁ ଅଶ୍ୱ ଆସି ବନ ଭୂମିରେ ପାଦ ଦେଲା । ଅଶ୍ୱ ଓ ଆରୋହୀ ଉଭୟେ କ୍ଳାନ୍ତ । ଦେବୀ ଘୋଡ଼ାର ଲଗାମ ଟାଣି ତାର ଗତି ସଂଯତ କରିନେଲା । ଏଣିକି ଧୀର ଭାବରେ ଗଲେ ମଧ୍ୟ ବିଶେଷ କିଛି କ୍ଷତି ନାହିଁ । ଏହାଦ୍ୱାରା ଦୁହେଁ ସାମାନ୍ୟ ବିଶ୍ରାମ ମଧ୍ୟ ନେଇ ପାରିବେ । ଏଣିକି ପଥ ବନ୍ଧୁର ଓ କଣ୍ଟକାକୀର୍ଣ୍ଣ ।

 

ଆରଣ୍ୟକ ପରିବେଶରେ ଆଦିମ ବନ୍ୟରାତ୍ରି ଆସିଛି । ଏହି ଆକାଶ ଛୁଆଁ ପାହାଡ଼ ଏବଂ ଶାଳବନ ମଧ୍ୟରେ ଥିବା ଉପତ୍ୟକାରେ, ଦିବସର ଆଲୋକରେ ମନୁଷ୍ୟମାନେ ସହଜରେ ଚଲାବୁଲା କରନ୍ତି । ମାତ୍ର ରାତ୍ରି ଆରମ୍ଭ ହେବା ମାତ୍ରେ ସ୍ଥାନଟି ସ୍ୱାପଦ ସଙ୍କୁଳ ହୋଇଉଠେ । ମନୁଷ୍ୟ କଥା ଦୂରେଥାଉ, ବନ୍ୟପଶୁ ମଧ୍ୟ ଶଙ୍କିତ ଭାବରେ ଚଳପ୍ରଚଳ ହୁଅନ୍ତି । ପଥର ଖୋଲରେ ପୁଞ୍ଜିଭୂତ ଅନ୍ଧକାର ଜମି ଉଠେ । ମାତ୍ର ଦେବୀ ଆଜି ସେସବୁ ଭୁଲି ଯାଇଛି । ହିଂସ୍ର ପଶୁର ଭୟ ଅପେକ୍ଷା ମନୁଷ୍ୟର ଭୟ ତା’ ନିକଟରେ ଆଜି ଦୁର୍ଦ୍ଦାନ୍ତ ରୂପରେ ଆତ୍ମପ୍ରକାଶ କରିଛି ।

 

ଅତି ନିକଟରୁ ଶବ୍ଦ ଶୁଭିଲା—ହୁଆ....ଓ । ହୁଆ....ଓ । ଦେବୀ ଏ ଶବ୍ଦର ଅର୍ଥ ଜାଣେ । ଅତି ପିଲାଟି ଦିନରୁ ସେ ଗ୍ରାମ୍ୟ ପରିବେଶରେ ବଢ଼ି, ସ୍ଥାନୀୟ ଆଦିବାସୀଙ୍କ ସହିତ ମିଶି ସେମାନଙ୍କ ସାଙ୍କେତିକ ଶବ୍ଦ ଏବଂ ଆଚାର ବ୍ୟବହାର ସମ୍ପର୍କରେ ପୂର୍ଣ୍ଣଜ୍ଞାନ ଲାଭ କରିଛି । ଯେ କୌଣସି ହିଂସ୍ରଜନ୍ତୁ ନିକଟରୁ ସହଜରେ ଆତ୍ମରକ୍ଷା କରିହୁଏ, ମାତ୍ର ଏମାନଙ୍କ ନିକଟରୁ ଖସିଯିବା ସହଜ ନୁହେଁ । ସେ ଆହୁରି ମଧ୍ୟ ଜାଣେ ଏ ଘରର ପିଲାମାନେ ଅତି ଛୋଟ ବୟସରୁ ଖେଳି ଖେଳି ଅରଣ୍ୟ ଭିତରକୁ ଚାଲି ଯାଆନ୍ତି । ସେହି ଦିନରୁ ସେମାନେ ଚିହ୍ନନ୍ତି ଅରଣ୍ୟକୁ । ବଣ ଭିତରେ ଯେଉଁ ରହସ୍ୟମୟ ପ୍ରକୃତି ଅଛି, ତାର ବିଚିତ୍ର ରୂପ ସମ୍ପର୍କରେ ଏମାନେ ଜ୍ଞାନଲାଭ କରନ୍ତି । ସେତେବେଳେ ଏମାନଙ୍କ ଗୋଟିଏ ଅଙ୍ଗରେ ଥାଏ ଫୁଲର ହାର, ଫୁଲର କଙ୍କଣ, ପରିଧାନ ଗଛର ବକଳ—ତହିଁରେ ପତ୍ରର ଧଡ଼ି । ଗୋଟିଏ ହାତର ଏକତାରାରେ ଶୁଭେ ପକ୍ଷୀର ଗାନ, ଝରଣାର ଶବ୍ଦ । ମାତ୍ର ଅନ୍ୟ ଅଙ୍ଗକୁ ଅନାଇଲେ ଶିହରି ଉଠିବାକୁ ପଡ଼େ । ସେ ଅଙ୍ଗରେ ସାପର ହାର, ହାତରେ ବୃଶ୍ଚିକର ବାଜୁବନ୍ଧ, ହାତରେ କଙ୍କଣ ଓ ଆଙ୍ଗୁଠିରେ ବାଘର ନଖ । ଅନ୍ୟ ହାତରେ ଥାଏ ଗୟଳ ଶିଙ୍ଗା । ତାକୁ ଫୁଙ୍କିଲେ—ତହିଁରୁ ବାଘର ଡାକ ଓ ହାତୀର ଗର୍ଜ୍ଜନ ଶୁଭେ । ସେ ଅଙ୍ଗର ପରିଧାନ ବାଘଛାଲ—ତହିଁରେ ଅଜଗର ଚମଡ଼ାର ଧଡ଼ି । ବଣ ଠାକୁରାଣୀଙ୍କ ଗୋଟିଏ ପାଖ ଓଠରେ ହସ, ଅନ୍ୟ ପାଖରେ କ୍ରୋଧ । ଗୋଟିଏ ପାଖ ମୁଖରେ ମଧୁ, ଅନ୍ୟ ପାଖରେ ବିଷ ।

 

ପୁଣିଥରେ ଶବ୍ଦ ଶୁଭିଲା—ହୁଆ.....ଓ...... । ଟିକିଏ ଦୂରରୁ କେତେଗୁଡ଼ିଏ କଣ୍ଠର ସମ୍ମିଳିତ ଶବ୍ଦ ଶୁଭିଲା—ହଇ—ହଇ—ହଇ ।

 

ଦେବୀ ଘୋଡ଼ାରେ ଲଗାମ ଟାଣିଦେଲା । ଘୋଡ଼ାଟି ଆଗ ଦୁଇଗୋଡ଼ ଉପରକୁ ଟେକି ଠିଆ ହୋଇଗଲା । ଦେବୀ କଣ କରିବ ମୁହୂର୍ତ୍ତେ ଚିନ୍ତା କରିବାରେ ଲାଗିଲା । ପରେ ସ୍ଥିର କରିନେଲା ଯେ ପଳାଇଯିବା ବୁଦ୍ଧିମାନର କାମ ହେବ ନାହିଁ । କାରଣ ପଳାଇ ଯିବାକୁ ବସିଲେ କେଉଁ ମୁହୂର୍ତ୍ତରେ ଆସି ବିଷାକ୍ତ ତୀରଟାଏ ଯେ କେଉଁଠି ବସିବ, ତାହା ସ୍ୱୟଂ ଭଗବାନଙ୍କୁ ମଧ୍ୟ ଅଜ୍ଞାତ । ରାତିରେ ଘରୁ ବାହାରିଲେ ଏମାନେ ଶର ଫଳାରେ ଅଜଗର ବିଷ କିମ୍ବା ଭାଲିଆ ଲଗାଇ ଥାଆନ୍ତି । ତାହା ଥରେ ରକ୍ତକୁ ସ୍ପର୍ଶକଲେ ସ୍ୱୟଂ ଧନନ୍ତ୍ୱରୀ ମଧ୍ୟ ମୃତ୍ୟୁ ମୁଖରୁ ରକ୍ଷା କରିପାରେ ନାହିଁ । ଆଉ ଯାହାହେଉ ବଣର ଏହି ଆଦିମ ଅଧିବାସୀମାନଙ୍କର ଲକ୍ଷ୍ୟ ନିର୍ଭୁଲ । ଏ ପର୍ଯ୍ୟନ୍ତ ଯେତେବେଳେ ତାର ପଳାଇଯିବା ଜଣା ପଡ଼ି ନାହିଁ, ସେତେବେଳେ ଏ ଲୋକ ନିକଟକୁ ଯିବାରେ କ୍ଷତି କ’ଣ ?

 

ଦେବୀ ଘୋଡ଼ାର ମୁହଁ ଫେରାଇ ଶବ୍ଦ ଶୁଭୁଥିବା ଦିଗକୁ ଚାଲିଲା । ଘୋଡ଼ାର ପାଦଶବ୍ଦ ଶୁଣି ଲୋକଟି ମଧ୍ୟ ତା ଆଡ଼କୁ ଆସୁଥିଲା ।

 

ଦେବୀ ସେହି ସ୍ୱଳ୍ପ ଚନ୍ଦ୍ରାଲୋକରେ ଲୋକଟିକୁ ଦେଖି ତା ନିକଟରେ ଘୋଡ଼ାରୁ ଓହ୍ଲାଇ ପଡ଼ିଲା । ଲୋକଟିର ଦେହ ଶାଳଗଛ ପରି ରୁଜୁ ଓ ସମୁନ୍ନତ । ହାତରେ ଧନୁଶର । ପ୍ରୌଢ଼—ଏକ ଆଦିମ ଅଧିବାସୀ ।

 

ଦେବୀ ତାକୁ ଦେଖିବା ମାତ୍ରେ ଚିହ୍ନି ପାରିଲା । ସେ ରାଣୀ ହେବା ପରେ ଏହି ଲୋକଟି ବହୁବାର ରାଜାଙ୍କ ନିକଟକୁ ଯାଇ ଉପଢୌକନ ଦେଇଛି ଏବଂ ହାରି ଗୁହାରୀ ମଧ୍ୟ କରିଛି ।

 

ଲୋକଟି ପଚାରିଲା—କିଏ ?

 

ଦେବୀ କହିଲା—ସର୍ଦ୍ଦାର, ମୁଁ ତୋ ଦେଶର ରାଣୀ ।

 

ଲୋକଟି ପ୍ରଥମେ ବିଶ୍ୱାସ କରି ପାରିଲା ନାହିଁ । ହାତରେ ଥିବା ଦୁଇଖଣ୍ଡ କାଠ ଘସି, ତହିଁରୁ ନିଆଁ ବାହାର କରି ସେ ମଶାଲଟି ଜାଳିଲା । ମଶାଲ ଆଲୋକରେ ସେ ଦେବୀକୁ ଚିହ୍ନି ପାରିଲା । ତାପରେ ତା ପାଦତଳେ ମୁଣ୍ଡିଆ ମାରି କହିଲା—ରାଣୀ ମା’ ତୁ ଏପରି ପଳାଇ ଯାଉଛୁ କୁଆଡ଼େ ?

 

ଦେବୀ କହିଲା—ସର୍ଦ୍ଦାର, ମୁଁ ବର୍ତ୍ତମାନ ବଡ଼ ବିପଦରେ । ରାଜା ତୋର ମରି ଯାଇଛି । ଏଇ ତୋର ନୂଆରାଜା । ନିଅ, ୟାକୁ ରକ୍ଷାକର ।

 

ଦେବୀ ପଣତର ଗଣ୍ଠି ଖୋଲି ଅର୍ଜ୍ଜୁନ ସିଂହକୁ ଆଣି ସର୍ଦ୍ଦାରର ପାଦତଳେ ଶୁଆଇ ଦେଲା ।

 

ସର୍ଦ୍ଦାର ଚିତ୍କାର କରି ଉଠିଲା—ଏ କଣ କଲୁରେ ରାଣୀ ମା’ ! ମୋ ଦେଶର ରଜାକୁ ଭୂଇଁରେ ଶୁଆଇ ଦେଲୁ ?

 

ସର୍ଦ୍ଦାର ସଙ୍ଗେ ସଙ୍ଗେ ଅର୍ଜ୍ଜୁନ ସିଂହକୁ କୋଳକୁ ଉଠାଇ ନେଲା ।

 

ଦେବୀ କହିଲା—ସର୍ଦ୍ଦାର ମୋର କାମ ଏବେ ସରିଗଲା । ଏଣିକି ମୁଁ ମରିଗଲେ ମଧ୍ୟ ଆଉ ମୋର ଦୁଃଖ ନାହିଁ । ତୋ ଦେଶର ରଜାକୁ ତୋ ହାତରେ ଦେଇ ମୁଁ ନିଶ୍ଚିନ୍ତ ।

 

ଦେବୀ ସ୍ୱସ୍ତିର ନିଶ୍ୱାସ ଛାଡ଼ି ସର୍ଦ୍ଦାର ନିକଟରେ ବଡ଼ ରାଣୀର ନିର୍ଯ୍ୟାତନା ଓ ତାର ପଳାଇ ଆସିବାର କାହାଣୀ ବର୍ଣ୍ଣନା କଲା ।

 

ସବୁ ଶୁଣି ସର୍ଦ୍ଦାର କହିଲା—ଭୟ ନାହିଁ ରାଣୀ ମା’ । ଆମେ ଜୀବନ ଦେଇ ତୋର ଏ ଶିଶୁ ପୁତ୍ରକୁ ରକ୍ଷା କରିବୁ । ତୁ ମୋ ସାଙ୍ଗରେ ଆ’ ।

 

ଦୁହେଁ ସେହି ଅନ୍ଧକାରରେ କେଉଁଆଡ଼େ ଉଭାଇ ଗଲେ ।

 

ଏ ସଂସାରରେ ମୁଖ୍ୟତଃ ତିନିପ୍ରକାର ଲୋକ ଦେଖା ଯାଆନ୍ତି । ଦଳେ ବିପଦ ଆସିବା ପୂର୍ବରୁ ତାହା ଜାଣିପାରି ସେଥିପ୍ରତି ସତର୍କ ହୁଅନ୍ତି । ଆଉଦଳେ ବିପଦ ଆସିବା ଜାଣି ତହିଁରୁ ଉଦ୍ଧାରର ଉପାୟ ଚିନ୍ତା କରନ୍ତି । ମାତ୍ର ତୃତୀୟ ଦଳଟି ବିପଦରେ ପଡ଼ି ଚରମ ଦୁର୍ଦ୍ଦଶା ଭୋଗ କଲେ ମଧ୍ୟ କହିଥାଆନ୍ତି—ଦେଖାଯାଉ କଣ ହେଉଛି । ଏମାନଙ୍କୁ ଭବିଷ୍ୟତଜ୍ଞତା, ପ୍ରତ୍ୟୁତ୍ପନମତି ଓ ଦୀର୍ଘସୂତ୍ରି ବୋଲି କୁହାଯାଉଛି ।

 

ପଳାଇ ଯାଇ ସାରିବା ପରେ ଅବସ୍ଥା କଣ ହେବ, ଦେବୀ ତାହା ଭଲ ଭାବରେ ଅନୁମାନ କରି ନେଇଥିଲା । ତେଣୁ ନିଜର ସମସ୍ତ ଅଳଙ୍କାର ଦେଇ ରାଜ୍ୟଛାଡ଼ି ପଳାଇ ଯିବାକୁ ଜଗନ୍ନାଥକୁ ପରାମର୍ଶ ଦେଇଥିଲା । ମାତ୍ର ପରିଣାମ ଯେ ଏଡ଼େ ଭୀଷଣ ଆକାର ଧାରଣ କରିବ, ଜଗନ୍ନାଥ ତାହା କଳ୍ପନା କରି ନ ଥିଲା । ତେଣୁ ଆଉଦିନେ ରହି ସେ ଅନ୍ୟ କେତେକ କାର୍ଯ୍ୟ ଶେଷ କରି ପଳାଇ ଯିବାକୁ ସ୍ଥିର କରିନେଲା ।

 

ପରଦିନ ମଧ୍ୟାହ୍ନରେ ରାଣୀ ଯେତେବେଳେ ଘର ପରିଷ୍କାର କରାଇବା ଉଦ୍ଦେଶ୍ୟରେ ଆସିଲେ, ସେତେବେଳେ ଦେଖିଲେ ଯେ ପିଞ୍ଜରା ଶୂନ୍ୟ । ପକ୍ଷୀ କେତେବେଳେ ଉଡ଼ି ଯାଇଛି । ଅଥଚ ତାଲା ଠିକ୍‌ ପଡ଼ିଛି । ସେ ଅସ୍ଥିର ଆକ୍ରୋଶରେ ଉନ୍ମତ୍ତପ୍ରାୟ ହୋଇଉଠିଲେ ।

 

ସେଦିନ ଜଗନ୍ନାଥର ଯିବା ବିଳମ୍ବ ହେବାରୁ ରାତ୍ରର ପ୍ରହରୀ ସେ ପର୍ଯ୍ୟନ୍ତ ଜଗି ରହିଥିଲା ।

 

ରାଣୀ ଚିତ୍କାର କରି ଉଠିଲେ—ମାଣିକ !

 

ଜଗୁଆଳୀ ତାଙ୍କ ନିକଟକୁ ଆସି ହାତଯୋଡ଼ି କହିଲା—ମା’ ।

 

ରାଣୀ ପଚାରିଲା—ବନ୍ଦୀ ପଳାଇଲା କିପରି ?

 

ମାଣିକ କିଛି ବୁଝି ନ ପାରି ରାଣୀଙ୍କ ମୁହଁକୁ ଅନାଇଲା ।

 

ରାଣୀ ପୁଣି ପଚାରିଲେ—ମୋତେ ଏପରି ଚାହିଁଛ କଣ ? କାଲି ରାତ୍ରିରେ ପ୍ରହରୀ କିଏ ଥିଲା ?

 

—ମୁଁ ଥିଲି ରାଣୀ ମା’ !

 

—ତେବେ ଏ ପଳାଇଳା କିପରି ?

 

ମାଣିକ ମୁହଁରୁ କୌଣସି କଥା ବାହାରିଲା ନାହିଁ । ସେ ମୁକଙ୍କ ଭଳି ଠିଆ ହୋଇ ରହିଲା ।

 

—ତୁ କାଲି କେତେବେଳେ ପହରା ଦେବାକୁ ଆସିଥିଲୁ ?

 

—ରାତି ପହରେ ବେଳକୁ ମା’ ।

 

ରାଣୀ ଦୁଇ ହାତରେ ତାଳି ବଜାଇଲେ । ଦୁଇଜଣ ଭୀମକାୟ ଦେହରକ୍ଷୀ ଆସି ରାଣୀଙ୍କ ନିକଟରେ ଉପସ୍ଥିତ ହେଲେ ।

 

ରାଣୀ ଆଦେଶ ଦେଲେ ଏ ବଦମାସକୁ ବିଚାର କକ୍ଷକୁ ନେଇ ଆସ ।

 

ରାଣୀ ଆଗେ ଆଗେ ଚାଲିଲେ । ରକ୍ଷୀ ଦୁଇଜଣ ମାଣିକକୁ ଧରି ବିଚାର କକ୍ଷକୁ ନେଇଗଲେ । ସେଠାରେ ରାଣୀ ବେତଟାଏ ବାହାର କରି ମାଣିକକୁ ବେତ୍ରାଘାତ କରିବାରେ ଲାଗିଲେ ।

ମାଣିକ କହିଲା—ଦୁହାଇ ମା’ । ଏ ଖବର ମୁଁ କିଛି ଜାଣେ ନାହିଁ । ରାତିରେ ମୁଁ ଠିକ୍‌ ଭାବରେ ପହରା ଦେଇଛି ।

ମାଣିକର ସମସ୍ତ ଶରୀର ରକ୍ତାକ୍ତ ହୋଇଗଲା ପରେ ରାଣୀ ପଚାରିଲେ—ତୋ ପୂର୍ବରୁ କିଏ ପହରାରେ ଥିଲା ?

ମାଣିକ ବହୁ କଷ୍ଟରେ ଜଗନ୍ନାଥ ବୋଲି କହି ଭୂମିରେ ପଡ଼ିଗଲା ।

ରାଣୀ ତାକୁ ଅନ୍ଧକାର କାରାକକ୍ଷରେ ନିକ୍ଷେପ କରିବାକୁ ନିର୍ଦ୍ଦେଶ ଦେଇ ଜଗନ୍ନାଥକୁ ଧରି ଆଣିବାକୁ ନିର୍ଦ୍ଦେଶ ଦେଲେ ।

କେତେ ସମୟ ପରେ ହଠାତ୍‌ ରାଣୀଙ୍କର ମନେ ପଡ଼ିଲା ଯେ ଚାବି ନହେଲେ ତାଲା ଖୋଲି ତାକୁ ପକାଇବା ସମ୍ଭବ ନୁହେଁ । ମାତ୍ର ଚାବି ଆସିଲା କୁଆଡ଼ୁ ? ସଙ୍ଗେ ସଙ୍ଗେ ରାଣୀଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଲୋକଯାଇ କମାର ଓ ତାର ପୁତ୍ରକୁ ଧରି ଆଣିଲା ।

ବହୁ ନିର୍ଯ୍ୟାତନା ପରେ କମାରର ପୁତ୍ର ସ୍ୱୀକାର କଲା ଯେ ଜଗନ୍ନାଥ ତା ନିକଟରୁ ଗୋଟିଏ ଚାବି ତିଆରି କରି ନେଇଛି । ମାତ୍ର ଚାବି କାହାର, କାହିଁକି ବା ସେ ତିଆରି କରିଥିଲା ସେ ବିଷୟରେ କିଛି ଜାଣି ନାହିଁ ।

 

ରାଣୀ ପିତା ପୁତ୍ର ଦୁହିଁଙ୍କୁ କାରାଗାରରେ ରଖିବାକୁ ନିର୍ଦ୍ଦେଶ ଦେଲେ । ତାଙ୍କର ସମସ୍ତ ଆକ୍ରୋଶ ଯାଇ ଜଗନ୍ନାଥ ଉପରେ କେନ୍ଦ୍ରୀଭୂତ ହେଲା । ମାତ୍ର ଅନୁଚର ଆସି ଜଣାଇଲା ଯେ ଜଗନ୍ନାଥ କାଲି ରାତିରୁ କେଉଁଆଡ଼େ ଯାଇଛି, ଏ ପର୍ଯ୍ୟନ୍ତ ଘରକୁ ଫେରି ନାହିଁ । ତାଙ୍କ ଘରେ ଏ ବିଷୟରେ କେହି କିଛି ଜାଣନ୍ତି ନାହିଁ ।

 

ରାଣୀ ଓଠରେ ଦାନ୍ତ ଚାପି କହିଲେ—ସୟତାନ । ତାପରେ କେତେକ ବିଶ୍ୱସ୍ତ ଅନୁଚରଙ୍କୁ ଆଦେଶ ଦେଲେ—ଏହି ମୁହୂର୍ତ୍ତରେ ଯାଇ ରାଜ୍ୟର ସମସ୍ତ ସ୍ଥାନରେ ଖୋଜି, ଦେବୀ ଓ ଜଗନ୍ନାଥକୁ ବାହାର କର । ତା ସହିତ ଆଜିଠାରୁ ସାତଦିନ ପର୍ଯ୍ୟନ୍ତ ରାଜ୍ୟରୁ ବାହାରକୁ ଯାଇଥିବା ସମସ୍ତ ପଥ ଦିନ ରାତି ଜଗିରୁହ । ମୃତ ବା ଜୀବିତ ଅବସ୍ଥାରେ ସେ ଦୁହିଁଙ୍କୁ ଯିଏ ଆଣିଦେବ, ତାକୁ ଯଥେଷ୍ଟ ପୁରସ୍କାର ଦିଆଯିବା ସଙ୍ଗେ ସଙ୍ଗେ ଉଚ୍ଚ ରାଜ କାର୍ଯ୍ୟରେ ନିଯୁକ୍ତି ମିଳିବ ।

 

ଅନୁଚର ଓ ରାଣୀଙ୍କ ବିଶ୍ୱସ୍ତ ସୈନିକମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ମୁହୂର୍ତ୍ତକ ମଧ୍ୟରେ ଚାଲିଗଲେ ।

 

ଏଣେ ଜଗନ୍ନାଥ ସେଦିନ ଘରୁ ପଳାଇଗଲା ସତ, ମାତ୍ର ରାଜ୍ୟ ଛାଡ଼ି ଯାଇ ପାରିଲା ନାହିଁ । ଜନ୍ମଭୂମିକୁ ଛାଡ଼ି ଚାଲିଯାଉଛି, ପୁଣି କେବେ ଫେରିବ କି ନାହିଁ ତାହା ଭଗବାନ ଜାଣନ୍ତି । ଏଣୁ ରାଜ୍ୟ ଛାଡ଼ିବା ପୂର୍ବରୁ ସେ ମାମୁଁ ଘରେ ଯାଇ ଦିନଟାଏ ବିଶ୍ରାମ ନେବାକୁ ଠିକ୍‌କଲା ।

 

ତହିଁ ପରଦିନ ସେ ଯେଭଳି ସମ୍ବାଦମାନ ଶୁଣିଲା ତହିଁରେ ତାର ହୃତକମ୍ପ ଜାତ ହେଲା । କୌଣସି ମତେ ସେ ଦିନଟା ସେଠାରେ ଲୁଚି ବିତାଇ ଦେଲା । ଠିକ୍‌ ରାତି ପ୍ରହରେ ବେଳକୁ ଘୋଡ଼ାରେ ବସି ତାଳଚେର ଉଦ୍ଦେଶ୍ୟରେ ଯାତ୍ରାକଲା । ଘୋଡ଼ା ଛୁଟି ଚାଲିଛି । ତା ସହିତ ଜଗନ୍ନାଥ ମଧ୍ୟ ନାନା କଳ୍ପନା କରି ଚାଲିଛି । ଏକ ସମୟରେ ଘୋଡ଼ା ଆସି ରାଜ୍ୟର ସୀମାରେ ଉପସ୍ଥିତ ହେଲା । ଏଠାରେ ଗୋଟିଏ ମାତ୍ର ପାର୍ବତ୍ୟ ପଥ । ଏହାପରେ ନିବିଡ଼ ଅରଣ୍ୟ ତାକୁ ଅତିକ୍ରମ କଲେ ତାଳଚେର ରାଜ୍ୟକୁ ପଥ ମିଳିଯିବ । ତେଣିକି ଆଉ ଭୟର କୌଣସି କାରଣ ନାହିଁ-

 

ଜଗନ୍ନାଥ ଏକ ସମୟରେ ପାହାଡ଼ ଉପରକୁ ଆସି ତଳକୁ ଓହ୍ଲାଇବାକୁ ଆରମ୍ଭ କଲା । ଏ ଗଡ଼ାଣିଟା ପାର ହେଲେ ଅରଣ୍ୟର ସମତଳ ଭୂମି । ତେଣିକି ଭୟର ବିଶେଷ କିଛି କାରଣ ନାହିଁ-। ଜଗନ୍ନାଥ ପଥର ଭୟାବହତା ସମ୍ପର୍କରେ ଚିନ୍ତା କରିବାରେ ଲାଗଛି । ହଠାତ୍‌ ଘୋଡ଼ା ଚି.... ଇ.... ଶବ୍ଦକରି ତଳେ ପଡ଼ିଗଲା । ଟିକିଏ ଅସାବଧାନ ହୋଇଥିଲେ ଜଗନ୍ନାଥ ତା ସହିତ ମଧ୍ୟ ତଳେ ପଡ଼ିଯାଇ ଥାଆନ୍ତା । ମାତ୍ର ବିପଦର ସମ୍ଭାବନା ଜାଣି ସେ ଘୋଡ଼ା ପିଠିରୁ ତଳକୁ ଡେଇଁ ପଡ଼ିଲା । ଠିକ୍‌ ଏତିକିବେଳେ ପାହାଡ଼ ଉପରେ ମଶାଲ ଆଲୋକ ଜଳି ଉଠିଲା ।

 

ଜଗନ୍ନାଥର ଦେହ ଶିହରି ଉଠିଲା । ସେ ତଳେ ପଡ଼ିଥିବା ଘୋଡ଼ାକୁ ଲକ୍ଷ୍ୟ କରିବାରେ ଲାଗିଲା । ଦେଖିଲା ଯେ ଏକ ତୀର ଆସି ଘୋଡ଼ାର ବକ୍ଷ ଭେଦ କରିଛି । ଘୋଡ଼ାଟି ମୃତ୍ୟୁ ଯନ୍ତ୍ରଣାରେ ଛାଟିପିଟି ହେଉଛି । ଜଗନ୍ନାଥ ଆଉ କାଳବିଳମ୍ବ ନ କରି ଘୋଡ଼ାଟିକୁ ପାହାଡ଼ ଖାତକୁ ଠେଲିଦେଲା । କାରଣ ସେ ଅନୁମାନ କରିନେଲା ଯେ ଘୋଡ଼ା ନିକଟରେ ତାକୁ ନ ଦେଖି ଦୁବୃର୍ତ୍ତମାନେ ଅନୁସନ୍ଧାନ କରିବେ । ତାପରେ ସେ ଲଘୁ ପଦକ୍ଷେପରେ ଗୋଟିଏ ବୁଦା ଭିତରକୁ ଯାଇ ଆତ୍ମଗୋପନ କଲା ।

 

ଘୋଡ଼ାର ଚିତ୍କାର ଶୁଣି ପାହାଡ଼ ଉପରେ ଥିବା ଲୋକମାନେ ମଶାଲ ଧରି ତଳକୁ ଓହ୍ଲାଇ ଆସିଲେ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ସେମାନେ ଦେଖିଲେ ଯେ ସେଠାରେ କେବଳ ଗୁଡ଼ାଏ ରକ୍ତ ପଡ଼ିଛି । ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ—ତୀର ଆଘାତରେ ଘୋଡ଼ାଟି ବୋଧହୁଏ ଆରୋହୀକୁ ଧରି ପାହାଡ଼ ତଳକୁ ଖସିପଡ଼ିଛି । କାଲି ସକାଳେ ତାକୁ ଖୋଜି ବାହାର କରିବାକୁ ହେବ । ଆଜି ଫେରି ଚାଲ ।

 

ଜଗନ୍ନାଥ ବୁଦା ଉହାଡ଼ରୁ ଲୋକମାନଙ୍କ କଥା ଶୁଣି ପାରିଲା ଏବଂ ସେମାନଙ୍କୁ ମଶାଲ ଆଲୋକରେ ଭଲଭାବରେ ଚିହ୍ନିପାରିଲା ମଧ୍ୟ । ସେ ଅନୁମାନ କରିନେଲା ଯେ ତାକୁ ଧରିବାପାଇଁ ରାଣୀ ବୋଧହୁଏ ଏମାନଙ୍କୁ ପଠାଇଛନ୍ତି । ସେ ସେଠାରେ ନୀରବରେ କେତେ ସମୟ ବସି ରହିଲା । ଲୋକମାନେ ଚାଲିଯିବା ପରେ ସେ ଧୀର ପଦକ୍ଷେପରେ ପାହାଡ଼ ଉପରୁ ତଳକୁ ଚାଲିଲା-

 

ସେଦିନ ଦେବୀ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ସର୍ଦ୍ଦାରର ଡାକରା ପାଇ ସମସ୍ତେ ଆସି ଏକତ୍ରିତ ହେଲେ । ଶବର ପଲ୍ଲୀରେ ବୈଠକ ବସିଲା । ସର୍ଦ୍ଦାର ସମସ୍ତଙ୍କୁ ରାଣୀର ଦୁଃଖ କାହାଣୀ କହି କଣ କରାଯିବ ପରାମର୍ଶ ଲୋଡ଼ିଲା ।

 

ଜଣେ କହିଲା—ରାଣୀ ଓ ତାର ପୁଅ ଏହିଠାରେ ରହନ୍ତୁ । ଆମେ ଗୋଟିଏ ଘର ତିଆରି କରିଦେବା । ଏଇଠି ରାଣୀ ଆମ ସହିତ ଫଳମୂଳ ଖାଇ ରହୁ । ତାପରେ ଆମେ ଏକଜୁଟ ହୋଇ ରାଜଧାନୀ ଆକ୍ରମଣ କରିବା ।

 

ଅନ୍ୟମାନେ ତା କଥାରେ ଏକମତ ହୋଇଗଲେ । ମାତ୍ର ଦେବୀ ମନାକଲା । କହିଲା–ଗଣ୍ଡଗୋଳ ଭିଆଇ ଲାଭ କ’ଣ ? ଅର୍ଜ୍ଜୁନ ସିଂହ ଯେତେବେଳେ ବଡ଼ ହେବ, ସେତେବେଳେ ସେ ତାର ରାଜ୍ୟ ଦଖଲ କରିନେବ । ମାତ୍ର ଏଠାରେ ରହିବା ନିରାପଦ ହେବ ବୋଲି ମୁଁ ମନେ କରୁ ନାହିଁ ।

 

ଶବରମାନେ କାରଣ ଜାଣିବାକୁ ଚାହିଁଲେ ।

 

ଦେବୀ କହିଲା—ଯଦି ରାଣୀ କୌଣସି ମତେ ଏ ସମ୍ବାଦ ଜାଣିପାରେ ତେବେ ତାର ସୈନ୍ୟବାହିନୀ ଆଣି ଏ ପଲ୍ଲୀକୁ ଆକ୍ରମଣ କରିବ । ଯୁଦ୍ଧରେ ଯେ ଜୟକରୁ ପଛେ ବହୁଲୋକ ଯେ ମରିବେ ଏବଂ ବହୁ ରକ୍ତକ୍ଷୟ ଘଟିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହା ବ୍ୟତୀତ ଆଉ ଗୋଟିଏ ବିଷୟ ପ୍ରତି ମୋର ସନ୍ଦେହ ହେଉଛି । ରାଣୀ ଯଦି ତୁମମାନଙ୍କ ସହିତ ଯୁଦ୍ଧ କରିବାକୁ ସାହସ ନ କରି କାହାରି ଦ୍ୱାରା ଅର୍ଜ୍ଜୁନ ସିଂହକୁ ବିଷ ଦେଇଦିଏ ବା ହତ୍ୟାକରେ ତେବେ କଣ କରାଯିବ ? ଅର୍ଜ୍ଜୁନ ସିଂହକୁ ତ ଆଉ ଦିନ ରାତି ସବୁବେଳେ ଜଗି ରହି ହେବ ନାହିଁ ? ଏଣୁ ମୋ ମତରେ କୌଣସି ଏକ ନିରାପଦ ଆଶ୍ରୟକୁ ପଳାଇଯିବା ଭଲ ।

 

ସର୍ଦ୍ଦାର ଦେବୀର ଯୁକ୍ତିରେ ଏକମତ ହେଲା । ଅନ୍ୟମାନେ ମଧ୍ୟ ଧୀର ଭାବରେ ବସି ନୀରବ ସମର୍ଥନ ଜଣାଇଲେ ।

 

ଦେବୀ କହିଲା—ଆଉ ଗୋଟିଏ ଦିନ ମଧ୍ୟ ମୁଁ ଏ ରାଜ୍ୟରେ ରହିବାକୁ ଇଚ୍ଛାକରେ ନାହିଁ-। ଏଣୁ ମୋ ସହିତ ଦୁଇଜଣ ଲୋକ ଦିଅନ୍ତୁ; ସେମାନେ ମୋତେ ନେଇ ରାଜ୍ୟ ସୀମାରେ ଛାଲାଦେଇ ଆସିବେ । ତେଣିକି ମୁଁ ମୋ ଭାଗ୍ୟକୁ ଆଦରି ଚାଲିଯିବି । ଯଦି କୌଣସିଠାରେ ଆଶ୍ରୟ ପାଏ ଅର୍ଜ୍ଜୁନ ସିଂହକୁ ମଣିଷ କରିପାରେ, ତେବେ ଏ ରାଜ୍ୟକୁ ଫେରିଲେ ପୁଣି ତୁମ୍ଭମାନଙ୍କ ସହିତ ସାକ୍ଷାତ ହେବ ।

 

ଦେବୀର କଥା ଶେଷ ହେବା ସଙ୍ଗେ ସଙ୍ଗେ ସର୍ଦ୍ଦାର ଦୃଢ଼ ପ୍ରତିବାଦ ଜଣାଇ କହିଲା—ନାଁ ନାଁ ତା ହେବନାହିଁ । ଆଜି ବିପଦରେ ପଡ଼ି ରାଣୀମା’ ଆସି ଆମର ଶରଣ ପଡ଼ିଛି । ଆମେ ତାକୁ ଏକୁଟିଆ ଛାଡ଼ି ପାରିବୁ ନାହିଁ । ଯଦି ଯିବାର କଥା ହେବ, ତେବେ ସମସ୍ତେ ଏ ରାଜ୍ୟ ଛାଡ଼ି ଚାଲିଯିବା ।

 

ଅନ୍ୟମାନେ ମଧ୍ୟ ଏଥିରେ ଏକମତ ହୋଇ କହିଲେ—ଆମେ ଶବର ଜାତି । ବଣର ଫଳ ମୂଳ ଓ ଝରଣାର ଜଳ ମିଳିଲେ ଆମର ଦୁଃଖ ଶେଷ । ନିଜ ରାଜ୍ୟ ପରରାଜ୍ୟ ସହିତ ଆମର ସମ୍ପର୍କ କଣ ? ତେବେ ଚାଲ ଆଜି ରାତି ଭିତରେ ସମସ୍ତେ ଗହନ ଅରଣ୍ୟକୁ ଯାଇ ସେଠାରେ ରହିବା ।

 

ସର୍ଦ୍ଦାର ଏଥିରେ ବାଧା ଦେଲା । ସ୍ଥାନ ଠିକ୍‌ ନକରି ପିଲାପିଲିଙ୍କି ନେଇ ହଇରାଣ ହେବା କାହିଁକି ? ଆମର ଏ ପଲ୍ଲୀରେ ପନ୍ଦରଜଣ ଜବାନ ଅଛନ୍ତି । ପାଞ୍ଚଜଣ ଏଠାରେ ରହି ପିଲାମାନଙ୍କୁ ଦେଖାଶୁଣା କରନ୍ତୁ । ବାକି ଦଶଜଣ ରାଣୀମା’ଙ୍କୁ ନେଇ ଆଜି ରାତି ଭିତରେ ଏ ରାଜ୍ୟ ଛାଡ଼ି ଚାଲି ଯାଆନ୍ତୁ । ସ୍ଥାନ ଠିକ୍‌କରି ସେମାନେ ଫେରି ଆସିଲେ ପିଲାପିଲି ସମସ୍ତଙ୍କୁ ନେଇଯିବା ।

 

ପ୍ରସ୍ତାବଟି ସମସ୍ତଙ୍କ ମନକୁ ପାଇଲା । କିଏ କିଏ ପାଞ୍ଚଜଣ ରହିବେ ତାହା ମଧ୍ୟ ସ୍ଥିର ହୋଇଗଲା । ଅବଶିଷ୍ଟ ଦଶଜଣ ଲୋକଙ୍କୁ ଧରି ସର୍ଦ୍ଦାର ସେହି ରାତି ମଧ୍ୟରେ ଦେବୀ ସହିତ ବାହାରି ପଡ଼ିଲା । ଦୁଇଜଣ ଶବର ଏକ ବେତ ଦୋଳାରେ ଅର୍ଜ୍ଜୁନ ସିଂହକୁ ଶୁଆଇ ତାକୁ ଧରିଲେ । ଦେବୀ ଘୋଡ଼ାଟି ସେହିଠାରେ ଛାଡ଼ିଦେଇ ସେମାନଙ୍କ ସହିତ ଚାଲି ଚାଲିଗଲା ।

 

ରାତି ପାହିବା ବେଳକୁ ଦେବୀ ଶବରମାନଙ୍କ ସହିତ ଚାଲି ଚାଲି ଆସି ରାଜ୍ୟ ସୀମାରେ ପହଞ୍ଚିଲା । ଏଣିକି ନିବିଡ଼ ଅରଣ୍ୟ, ରାସ୍ତା ନାହିଁ ।

 

ଦେବୀ ଓ ଅର୍ଜ୍ଜୁନ ସିଂହଙ୍କୁ ମଝିରେ ରଖି ଶବରମାନେ ଚାରି ପାଖରେ ଘେରି ଚାଲିଛନ୍ତି-। ସମସ୍ତଙ୍କ ବେକରେ ପଥରର ମାଳ । କାନ୍ଧରେ ଧନୁଶର ହାତରେ ଭାଲା ଓ ବଲମ । ଫେରିବା ବେଳକୁ କାଳେ ରାସ୍ତା ନ ମିଳିବ, ସେଥି ପାଇଁ ଲୋକ ପାଖ ଗଛରେ ଚିହ୍ନ ଦେଇ ଦେଇ ଯାଉଛି ।

 

କ୍ରମେ ମଧ୍ୟାହ୍ନବେଳକୁ ସେମାନେ ଆସି ଗହନ ଅରଣ୍ୟ ମଧ୍ୟରେ ପହଞ୍ଚିଲେ । ଏତେବେଳକୁ ଦେବୀ କ୍ଳାନ୍ତ । ଦୀର୍ଘଦିନ ଅନାହାରରେ ଶରୀର କୃଶ ଓ ଦୁର୍ବଳ । ତା ମଧ୍ୟରେ ପୁଣି ଉତ୍ତେଜନା । ଯାହାହେଉ ରାଜ୍ୟ ପାରହେବା ସଙ୍ଗେ ସଙ୍ଗେ ଉତ୍ତେଜନା ଟିକିଏ କମିଯିବାରୁ ଅବସାଦ ଆସିଲା ।

 

ଦେବୀ ପଚାରିଲା—ସର୍ଦ୍ଦାର, ଆମେ କେତେ ବାଟ ଆସିଲେଣି ?

 

ସର୍ଦ୍ଦାର କହିଲା—ରାଣୀ ମା’ ଦଶକୋଶ ହେବ । ଆଉ ଏଣିକି ବିପଦର କାରଣ ନାହିଁ-

 

ଦେବୀ କହିଲା—ମୁଁ ବଡ଼ କ୍ଳାନ୍ତ ଆଉ ଚାଲିପାରୁ ନାହିଁ ।

 

ସର୍ଦ୍ଦାର ସେଠାରେ ଏକ ବଡ଼ ଶାଳଗଛ ମୂଳେ ବିଶ୍ରାମ ନେବାପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲା । ଦେବୀ ଗଛକୁ ଭରାଦେଇ ବସିଗଲା ।

 

କେତେଜଣ ଶବର କୋମଳ ପତ୍ରଗୁଡ଼ିଏ ତୋଳି ଆଣି ଗଛମୂଳେ ଶଯ୍ୟା ରଚନା କରି ଦେଲେ । ଦେବୀ ଅର୍ଜ୍ଜୁନ ସିଂହଙ୍କ ସହିତ ସେଠାରେ ପରମ ନିଶ୍ଚିନ୍ତରେ ଶୋଇଗଲା । ଆଉ କେତେଜଣ ଶବର ବଣର ଫଳମୂଳ ଆଣିବାକୁ ଚାଲିଗଲେ । ସେଦିନ ସେଠାରେ ଏହିପରି ବିତିଗଲା ।

 

ଦୀର୍ଘ ପନ୍ଦରଦିନ କାଳ ଏଣେତେଣେ ବୁଲିବୁଲି ଶବରମାନେ ଆସି ଏକ ପାହାଡ଼ ନିକଟରେ ଉପସ୍ଥିତ ହେଲେ । ଦେବୀ ସ୍ଥାନ ନିରୂପଣ ଉଦ୍ଦେଶ୍ୟରେ ସର୍ଦ୍ଦାର ସହିତ ପାହାଡ଼ ଉପରକୁ ଗଲା । ଅଳ୍ପଦୂର ଯିବାପରେ ସେ ବିସ୍ମିତ ନ ହୋଇ ରହି ପାରିଲା ନାହିଁ ।

 

ଦେବୀ ଦେଖିଲା—ପାହାଡ଼ର ଏକ ସ୍ଥାନରେ ମୟୂରଗୁଡ଼ିଏ ପକ୍ଷି ମେଲାଇ ବସିଛନ୍ତି । ସୂର୍ଯ୍ୟ ତାପରୁ ରକ୍ଷା ପାଇବା ପାଇଁ ସାପମାନେ ଆସି ସେମାନଙ୍କ ପକ୍ଷତଳେ ବିଶ୍ରାମ ନେଇଛନ୍ତି ।

 

ଦେବୀ ମନେମନେ ଭାବିଲା—ଏଠାରେ ନିଶ୍ଚୟ କୌଣସି ଦେବତାର ଅଦୃଶ୍ୟ ହାତ କାର୍ଯ୍ୟ କରୁଛି । ତାହା ନ ହେଲେ ଖାଦ୍ୟ ଖାଦକ ଏକ ସ୍ଥାନରେ ବାସ କରନ୍ତେ କିପରି ?

 

ଦେବୀ ଅଲକ୍ଷ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ନିବେଦନ କରି କହିଲା—ସର୍ଦ୍ଦାର, ମୋର ମନେ ହେଉଛି, ଏଠାରେ ରହିଲେ ଭଲ ହେବ । ତୁମେ ସ୍ଥାନଟିକୁ ଭଲ ଭାବରେ ପରୀକ୍ଷା କରିନିଅ ।

 

ସର୍ଦ୍ଦାର, ଦେବୀ ଓ ଅର୍ଜ୍ଜୁନ ସିଂହକୁ ସେଠାରେ ବସାଇ ଜଣେ ଲୋକଙ୍କୁ ସେମାନଙ୍କ ନିକଟରେ ଛାଡ଼ି ଅବଶିଷ୍ଟ ଆଠଜଣଙ୍କ ସହିତ ପାହାଡ଼ ଉପରକୁ ଚାଲିଗଲା ।

 

ସମସ୍ତ ଦିବସ ପାହାଡ଼ ଉପରେ ବୁଲି ଶବରମାନେ ସନ୍ଧ୍ୟାବେଳକୁ ଦେବୀ ନିକଟକୁ ଫେରି ଆସିଲେ । ସମସ୍ତେ ଏକ ସ୍ଥାନରେ ବସି ମନ୍ତ୍ରଣା କଲେ ।

Unknown

 

ସର୍ଦ୍ଦାର କହିଲା—ରାଣୀମା’ ଜାଗାଟି ବେଶ ଭଲ ବୋଲି ମୋର ମନେହୁଏ । ଗୋଟିଏ ପାଖରେ ପାହାଡ଼ କାନ୍ଥପରି ଉଠିଛି । ସେ ବାଟେ ଶତ୍ରୁ ଆସିବାର ସମ୍ଭାବନା ନାହିଁ । ଆଉ ଗୋଟିଏ ପାଖ ବଣରେ ମହୁବସା । ସେବାଟେ ଶତ୍ରୁ ଆସିବାବେଳେ ମହୁ ପୋକମାନଙ୍କୁ ଟିକିଏ ଉଡ଼ାଇ ଦେଲେ ଆଉ କାହାରି ପାଦ ଦେବାର ସାଧ୍ୟନାହିଁ । ଆଉ ଗୋଟିଏ ପାଖରେ ବାଘ, ଭାଲୁ ପ୍ରଭୃତି ହିଂସ୍ରଜନ୍ତୁ ଅଛନ୍ତି । ତା ବ୍ୟତୀତ ବଡ଼ବଡ଼ ସାପ ମଧ୍ୟ ଗଛ ଡାଳରେ ଲାଞ୍ଜଭିଡ଼ି ତଳକୁ ଓହଳିଛନ୍ତି । ଏଣୁ ସେପାଖ ମଧ୍ୟ ନିରାପଦ । ବାକି ଯେଉଁ ପାଖଦେଇ ଆମେ ଯାଉଅଛୁ ସେ ପାଖରେ ଗୋଟିଏ ବଡ଼ ଝରଣା ଅଛି । ପାହାଡ଼ ଉପରୁ ଝରଣାଟି ବହିଆସି ଗୋଟିଏ ସମତଳ ଭୂମିଦେଇ ତଳକୁ ବହିଯାଉଛି । ଯଦି ଝରଣାଟି ବନ୍ଦକରି ଦିଆଯାଇ ପାରିବ, ତେବେ ସମତଳ ଭୂମିଟି ଏକ ବଡ଼ ପୋଖରୀରେ ପରିଣତ ହୋଇଯିବ । ଆବଶ୍ୟକ ଅନୁସାରେ ବନ୍ଧକାଟି ଦିଆଗଲେ ଏ ବାଟରେ ଯେତେ ଲୋକ ଆସୁଥିବେ ସମସ୍ତେ ଭାସିଯିବେ । ଏହାବ୍ୟତୀତ ଏଠାକାର ଜଙ୍ଗଲରେ ମଧ୍ୟ ପ୍ରଚୁର ଫଳମୂଳ ଅଛି । ବର୍ଷ ବର୍ଷଧରି ଖାଇଲେ ଶେଷ ହେବ ନାହିଁ ।

 

ଦେବୀ ସବୁଶୁଣି ସମ୍ମତି ଜଣାଇଲା । ଶବରମାନେ ପାହାଡ଼ ଉପରକୁ ଉଠି କାଠକାଟି ଘର ତିଆରି କରିବାରେ ଲାଗିଗଲେ । ପ୍ରାୟ ପନ୍ଦର ଦିନରେ ଘରକାମ ଶେଷ ହୋଇଗଲା । ଛଅଜଣ ଶବର ସେଠାରେ ଦେବୀ ନିକଟରେ ରହି ଅବଶିଷ୍ଟ ଚାରିଜଣ ଦେଶକୁ ଫେରି ପିଲାପିଲିଙ୍କୁ ନେଇଗଲେ ।

 

ପାହାଡ଼ ଉପରେ ଶବର ପିଲାମାନଙ୍କ ସହିତ ଅର୍ଜ୍ଜୁନ ସିଂହ ବଢ଼ିବାରେ ଲାଗିଲା । ଏ ମଧ୍ୟରେ ଦିନେ ଦେବୀ ପାହାଡ଼ ଉପରେ ବୁଲୁ ବୁଲୁ ଏକ ବେଲଗଛ ମୂଳେ ଶିବ ଲିଙ୍ଗଟିଏ ଦେଖିବାକୁ ପାଇଲା । ଏତେଦିନେ ସେ ଜାଣି ପାରିଲା ଯେ ଏହି ଶିବଙ୍କ କୃପାରୁ ଏଠାରେ ଖାଦ୍ୟ ଓ ଖାଦକଙ୍କ ମଧ୍ୟରେ କୌଣସି ବୈରୀଭାବ ନାହିଁ ।

 

ଦେବୀର ବଞ୍ଚିବା ପାଇଁ ଆଉ ଗୋଟିଏ ଅବଲମ୍ବନ ମିଳିଗଲା । ସେ ଅର୍ଜ୍ଜୁନ ସିଂହର ଲାଳନ ପାଳନ କରିବା ସଙ୍ଗେ ସଙ୍ଗେ ଶିବ ପୂଜାକରି ଦିନ ବିତାଇବାରେ ଲାଗିଲା ।

 

ପୃଥିବୀ ବଟ ବୃକ୍ଷରେ କାଳର ଦୋଳା ଲାଗିଛି । ତହିଁରେ ଝୁଲି ଝୁଲି କିଏ ଉପରକୁ ଉଠି ଯାଉଛିତ, କିଏ ତଳେ ପଡ଼ି ଯାଉଛି । ପୁଣି କିଏ ତଳେ ପଡ଼ି ଯାଉ ଯାଉ ଶ୍ୱେନ ଗତିରେ ଉପରକୁ ଚାଲି ଯାଉଛି ।

 

ବିଚିତ୍ର ଏ ସଂସାର, ପୁଣି ବିଚିତ୍ର ଏହାର ଗତି ।

ଏ ମଧ୍ୟରେ ସତରଟି ବସନ୍ତ ପାଖକୁ ପାଖ ଚାଲି ଯାଇଛନ୍ତି । ମହାକାଳର ହିସାବ ଖାତାରେ ଏ ସତରଟି ବର୍ଷ ଅବଶ୍ୟ କିଛି ନୁହେଁ । ମାତ୍ର ଯେଉଁମାନେ ଏ ସଂସାରରେ ଜନ୍ମଗ୍ରହଣ କରି ମୃତ୍ୟୁ ନିକଟକୁ ପାଦେ ପାଦେ ଅଗ୍ରସର ହେଉଛନ୍ତି ସେମାନଙ୍କ ପକ୍ଷେ ଏହାର ମୂଲ୍ୟ ଯଥେଷ୍ଟ ବେଶୀ । କାରଣ ଏ ସତରଟି ବର୍ଷରେ ପୃଥିବୀରେ କେତେ ଉତ୍‌ଥାନ ପତନ, ଜନ୍ମ-ମୃତ୍ୟୁ, ହସ-କାନ୍ଦ ଓ ବିରହ ମିଳନର କେତେ ଯେ ସମାବେଶ ଘଟେ ତାର କ’ଣ କୌଣସି ଇୟତା ଅଛି ? ଏହି ସମୟରେ ସତରବର୍ଷ ତଳର ଶିଶୁ ହୁଏ ଯୁବକ, ଯୁବକ ହୁଏ ପ୍ରୌଢ଼, ପୁଣି ପ୍ରୌଢ଼ ହୁଏ ବୃଦ୍ଧ । ଦିନ ଦିନକରି ସମୟ ବିତେ, ପୁଣି ଦିନ ଦିନକରି ବୟସ ବଢ଼େ । ଏହି କ୍ରମରେ ସେଦିନର ଶିଶୁ ଅର୍ଜ୍ଜୁନ ସିଂହ ଆଜି ତାରୁଣ୍ୟ ଅତିକ୍ରମ କରି ପ୍ରଥମ ଯୌବନରେ ପଦାର୍ପଣ କରିଛି । ସବଳ ବିଶାଳ ଦେହ, ନାକତଳେ ଗୋଟିଏ ଦୁଇଟି କଳାକେଶ ଉଙ୍କି ମାରିଲାଣି । କୈଶୋରର ଧୂଳିଖେଳ ଛାଡ଼ି ସେ ଏଣିକି ଗଭୀର ଭାବରେ ଚିନ୍ତା କରିବାକୁ ଶିଖିଲାଣି ।

ସେଦିନ ଅର୍ଜ୍ଜୁନ ସିଂହ ଏକ ଶାଳଗଛକୁ ଭରାଦେଇ ପ୍ରକୃତିର ଦୃଶ୍ୟରେ ନିଜକୁ ହଜାଇ ଦେଇଥିବା ବେଳେ—ପଛଆଡ଼ୁ ଡାକ ଶୁଭିଲା—ଅର୍ଜ୍ଜୁନ !

ଅର୍ଜ୍ଜୁନ ଅନ୍ୟମନସ୍କ ଭାବରେ ଉତ୍ତର ଦେଲା—ମା’ ।

—ତୁ ଏପରି ଅନ୍ୟମନସ୍କ ଭାବରେ ବସିରହୁ କାହିଁକି ? ନିଅ ଧର ।

ଦେବୀ ଅର୍ଜ୍ଜୁନ ସିଂହ ହାତରେ ଗୋଟିଏ ତରବାରି ଦେଇ ନିଜେ ଅନ୍ୟ ଗୋଟିଏ ତରବାରି ଧରି ତାକୁ ସମର କୌଶଳ ଶିକ୍ଷା ଦେବାରେ ଲାଗିଲା । ମାତ୍ର ଅଳ୍ପ ସମୟ ପରେ ଅର୍ଜ୍ଜୁନ କ୍ଳାନ୍ତ ହୋଇ ତରବାରି ଫିଙ୍ଗିଦେଇ କହିଲା—ନାଁ, ମା’ ଆଉ ପାରିବି ନାହିଁ ।

 

ସେଦିନର ଯୁବତୀ ଦେବୀ ଆଜି ପ୍ରୌଢ଼ା । ମୁଣ୍ଡରେ ଗୋଟିଏ ଦୁଇଟି କେଶ ଧଳା ପଡ଼ିଗଲାଣି । ମାତ୍ର ସଂଯମ ଓ କାୟିକ ପରିଶ୍ରମ ଯୋଗୁଁ ଶରୀରର କୌଣସି ସ୍ଥାନରେ ପ୍ରୌଢ଼ତ୍ୱର ଲକ୍ଷଣ ପରିସ୍ଫୁଟ ହୋଇ ନାହିଁ ।

 

ଦେବୀ ତରବାରିଟି ତଳେ ରଖି ଅର୍ଜ୍ଜୁନ ନିକଟକୁ ଯାଇ ପଣତ କାନିରେ ତା’ ମୁହଁରୁ ଝାଳ ପୋଛି ଦେଲା । ତା’ପରେ ତାର ମୁହଁଟିକୁ ଛାତି ଉପରକୁ ଆଉଜାଇ ଆଣି କହିଲା—ତୋତେ କେତେ ଆଶା କରିଛିରେ ଧନ ! ସେଦିନର ଦୁର୍ଦ୍ଦଶା କଣ ମୁଁ ଆଜି ଭୁଲି ପାରିଲିଣି ? ମୁଁ କେବଳ ତୋରି ପାଇଁ ବଞ୍ଚି ରହିଛି । ଆଶା ରଖିଛି—ତୁ ଦିନେ ବଡ଼ ହୋଇ ତୋର ପୈତୃକ ରାଜ୍ୟ ଦଖଲ କରିବୁ ସେଦିନ ମୁଁ ମୁଣ୍ଡ ବାନ୍ଧିବି । ଏହି ଦେଖ—

 

ଦେବୀ ଅର୍ଜ୍ଜୁନକୁ ନିଜର ମୁକ୍ତ କେଶ ଦେଖାଇ କହିଲା—ତୋ ବାପା ମରିବା ଦିନଠାରୁ ଏ କେଶ ଖୋଲା ରହିଛି । ମୁଁ ପ୍ରତିଜ୍ଞା କରିଛି—ଯେଉଁଦିନ ତୁ ସିଂହାସନରେ ବସିବୁ, ସେଦିନ ଏ କେଶ ବନ୍ଧାଯିବ । ମାଆର ଏ ପ୍ରତିଜ୍ଞା କଣ ତୁ ପୂରଣ କରି ପାରିବୁ ନାହିଁ ?

 

ଅର୍ଜ୍ଜୁନ ମା ବୁକୁରେ ମୁହଁ ଲୁଚାଇ କହିଲା—ମା’ ଆମେତ ବେଶ୍‌ ଶାନ୍ତି ଓ ସୁଖରେ ଅଛୁଁ-। ଆମର ସେ ରାଜ୍ୟ କ’ଣ ହେବ ? କାହିଁକି ବା ଆମେ ରକ୍ତପାତ କରି ଅଯଥା ଲୋକକ୍ଷୟ କରିବା-?

 

ଦେବୀ ପଛକୁ ଘୁଞ୍ଚିଯାଇ ଡାକିଲା—ଅର୍ଜ୍ଜୁନ ?

 

ତାର ସେ ଶବ୍ଦରେ ଅର୍ଜ୍ଜୁନ ସିଂହ ଚମକିପଡ଼ି ମା ମୁହଁକୁ ଅନାଇଲା ।

 

ଦେବୀ କହିଲା—ଅର୍ଜ୍ଜୁନ, ତୁ କ୍ଷତ୍ରିୟର ସନ୍ତାନ, ଜାଣୁ ପ୍ରତିଜ୍ଞା ପାଳନ ହେଉଛି—କ୍ଷତ୍ରିୟର ଶ୍ରେଷ୍ଠ ଧର୍ମ । ସେହି ପ୍ରତିଜ୍ଞା ରକ୍ଷା ପାଇଁ ସେ ହସି ହସି ମରଣକୁ ବରଣ କରେ ପଛେ, କୌଣସି ଅନ୍ୟାୟ ବା ଅନୀତି ନିକଟରେ ମୁଣ୍ଡ ନୁଆଏଁ ନାହିଁ । ତୁ କଣ ଭାବିଛୁ ଏହିପରି ଢେକାଙ୍କ ପରି ସାରାଜୀବନ ବିତାଇ ଦେବୁ । ମାତ୍ର ମନେରଖ—ଏହା ମୁଁ କଦାପି କରାଇ ଦେବି ନାହିଁ ।

 

ଠିକ୍‌ ଏତିକିବେଳେ ପାଖଗଛ ଉହାଡ଼ରୁ କିଏ ଜଣେ ହସି ଉଠିଲା ।

 

ଦେବୀ ତରବାରିଟି ଉଠାଇ ନେଇ ପଚାରିଲା—କିଏ ?

 

ଗଛ ଉହାଡ଼ରୁ ଜଣେ ଯୁବତୀ ହସି ହସି ବାହାରି ଆସିଲା ।

 

ଦେବୀ କହିଲା—କିଏ ଫୁଲି ? ତୁ ସେଠାରେ କଣ କରିଥିଲୁ ?

 

ଫୁଲରା ଦେବୀ ନିକଟକୁ ଆସି ପଚାରିଲା—ରାଣୀମା’ ଢେ—ଢେ—ଢେଙ୍କା କଣ ?

 

ଦେବୀ ସସ୍ନେହରେ ତା ମୁଣ୍ଡଟିକୁ ଛାତି ଉପରକୁ ଟାଣିନେଇ କହିଲା—ଢେଙ୍କା ହେଉଛି–ଢିରା । ଯାହାର ନିଜତ୍ୱ କିଛି ନଥାଏ । କେବଳ ଗୋଟାଏ ଅବଲମ୍ବନ ହୋଇ ପଡ଼ିଥାଏ-

 

ଫୁଲରା ଅର୍ଜ୍ଜୁନକୁ କଣେଇ କଣେଇ ଚାହିଁ ମୁଣ୍ଡ ହଲାଇ କହିଲା—ହଁ ଢେଙ୍କା ।

 

ଯୌବନୋଚ୍ଛଳ ପ୍ରାଣ ଚଞ୍ଚଳ ଏହି ଝିଅଟିକୁ ଦେବୀ ଖୁବ୍‌ ଭଲପାଏ । ଶବର ସର୍ଦ୍ଦାରଙ୍କର ଏକମାତ୍ର କନ୍ୟା କଳା ମୁଗୁନି ପଥରରେ ନିର୍ମିତ ଯେପରି ଏକ ଭାସ୍କର୍ଯ୍ୟ । ବର୍ତ୍ତମାନ ବୟସ ପନ୍ଦର । ଏବେ କୈଶୋର ଅତିକ୍ରମ କରି ଯୌବନରେ ପଦାର୍ପଣ କରିଛି ।

 

ଦେବୀ ଏଠାକୁ ଆସିବା ପରେ ଫୁଲରା ଜନ୍ମ ଗ୍ରହଣ କରିଛି । ପିଲାଟି ଦିନରୁ ସେ ଅର୍ଜ୍ଜୁନର ଖେଳସାଥୀ । ଦେବୀ ଯେତେବେଳେ ଅର୍ଜ୍ଜୁନଙ୍କୁ ବସି ପଢ଼ାଏ, ସେତେବେଳେ ଫୁଲରା ଦୁଆରରେ ବସି ମୁଣ୍ଡ ହଲାଉଥାଏ । କ୍ରମେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଦେବୀ ନିକଟରେ ଖିଆ, ପିଆ, ଶୁଆ, ବସା କରିବାରେ ଲାଗିଲା । ତା ସଙ୍ଗେ ସଙ୍ଗେ ଦେବୀର ସମସ୍ତ କାର୍ଯ୍ୟ ଏପରିକି ଲୁଗା ଧୋଇବାଠାରୁ ଆରମ୍ଭକରି, ବାସନ ମାଜିବା ଓ ଘର ଝାଡ଼ିବା ପର୍ଯ୍ୟନ୍ତ କାମକରେ-। ତେଣୁ ଦେବୀ ତାକୁ ନିଜର କନ୍ୟାଠାରୁ ଅଧିକ ସ୍ନେହ କରେ ।

 

ବାଲ୍ୟ ଓ କୈଶୋର ଅତିକ୍ରମ କରି ଫୁଲରା ଯୌବନରେ ପଦାର୍ପଣ କଲା । ଚକ୍ଷୁ ଆନତ ହେଲା । ଗତିରେ ଆସିଲା ନୂଆ ଛନ୍ଦ, ମନରେ ମାଦକତା ।

 

ମନେ ହେଲା ସେ ଯେପରି କୁସୁମ କଳିକାପରି ଫୁଟି ନାହିଁ, ପୁଣି ଫୁଟିଛି । ଫୁଟିବାପାଇଁ ଉଦଯୋଗ କରୁଛି । ଅର୍ଥାତ୍‌ ରାତ୍ରିର ଫୁଲପରି ସନ୍ଧ୍ୟାର ଜାଗରଣ ଅବସ୍ଥା । ଯେତେବେଳେ ପରିପୂର୍ଣ୍ଣ ଭାବରେ ଫୁଟିବ, ସେତେବେଳେ କି ରୂପରେ ଦେଖା ଦେବ ଜଣା ନାହିଁ । ବର୍ତ୍ତମାନ କେବଳ ପାଖୁଡ଼ା ମେଲିବାର ପ୍ରଥମ ପର୍ବ । ଶିରାରେ ଶିରାରେ ଭ୍ରମରର ଗୁଞ୍ଜନ ଶୁଣିବାପାଇଁ ଉତ୍କୀର୍ଣ୍ଣ । ପକ୍ଷାଘାତ ଆଶାରେ ଥରଥର ।

 

ସମୟେ ସମୟେ ଯେତେବେଳେ ମହୁଆର ଗନ୍ଧ ଭାସିଆସେ, ପିଆଶାଳ ଶାଖାରେ କୋକିଳର କୁହୁରବ ଶୁଭେ, ସେତେବେଳେ ଅରଣ୍ୟର ଆହ୍ୱାନକୁ ଏଡ଼ାଇଦେବା କାହାରି ପକ୍ଷେ ସମ୍ଭବ ହୁଏ ନାହିଁ । ଶବର ଯୁବକ ଓ ଯୁବତୀମାନଙ୍କ ସହିତ ଅର୍ଜ୍ଜୁନ ସିଂହ ବଣର ପରିବେଶରେ ନିଜକୁ ହଜାଇ ଦିଏ । ଅର୍ଜ୍ଜୁନ ସିଂହ ଓ ଫୁଲରା ସେମାନଙ୍କର ମଧ୍ୟ ମଣି । ସେ ଦୁହିଁଙ୍କୁ କେନ୍ଦ୍ରକରି କେତେ ହସ, ଥଟ୍ଟା, ଗୀତ, ନାଚ ହୋଇଯାଏ । ଫୁଲରା ଫୁଲ ବେଶରେ ଫୁଲରାଣୀ ସାଜେ । ଅର୍ଜ୍ଜୁନ ବଂଶୀ ବଜାଏ । ଯୁବକ ଯୁବତୀମାନେ ବଣର ପ୍ରତ୍ୟେକ ବୃକ୍ଷଲତା, ପାହାଡ଼ର ପ୍ରତ୍ୟେକ ପଥର ଖଣ୍ଡକୁ ଆନନ୍ଦ ମୁଖର କରି ତୋଳନ୍ତି ।

 

ଶବରମାନେ ସେଦିନ ଆସି କପିଳାସ ପର୍ବତ ଉପରେ ବସବାସ କରିବାର ମନସ୍ଥ କଲେ । ଦେବୀ ମଧ୍ୟ ସ୍ଥାନଟିକୁ ବେଶ୍‌ ନିରାପଦ ଓ ଆନନ୍ଦ ଦାୟକ ବୋଲି ସ୍ଥିର କରିଥିଲା । ମାତ୍ର ଅସୁବିଧା ଦେଖାଦେଲା ଅନ୍ୟଆଡ଼ୁ । ଆଖ ପାଖରେ କୌଣସି ଗାଁ ଗଣ୍ଡା ନାହିଁ । ତେଲ, ଲୁଣ, ଲଙ୍କା ଓ ଲୁଗାପଟା ପ୍ରଭୃତି ଅତ୍ୟାବଶ୍ୟକ ଜିନିଷ ଆସିବ କେଉଁଠୁ ? ଦେବୀ ନିକଟରେ ଗହଣା ମଧ୍ୟ କିଛି ନାହିଁ । ନିଜର ମୁକ୍ତି ପାଇଁ ସେ ଜଗନ୍ନାଥକୁ ସମସ୍ତ ଗହଣା ଦେଇ ଦେଇଛି । ବାମ ହସ୍ତର ଅନାମିକାରେ କେବଳ ସ୍ୱାମୀଙ୍କର ନାମାଙ୍କିତ ମୁଦ୍ରିକା । ସ୍ୱଳ୍ପ ସମୟ ପାଇଁ ସେ ରାଣୀ ହୋଇଥିବାର ଏକମାତ୍ର ଜ୍ୱଳନ୍ତ ନିଦର୍ଶନ ।

ଅନ୍ୟ ଉପାୟ ନଦେଖି ଶବରମାନେ ଶେଷରେ ଲୁଣ୍ଠନ କରିବା ପାଇଁ ସ୍ଥିର କଲେ । ପାହାଡ଼ରୁ ବାହାରି ସେ ଦୁଇ ତିନି ଜଣରେ ଗୋଟିଏ ଗୋଟିଏ ଦଳବାନ୍ଧି ପଥପାର୍ଶ୍ୱର ଘନବୁଦା ମୂଳେ ଲୁଚି ରହନ୍ତି । କୌଣସି ପଥିକ କିମ୍ବା ବ୍ୟବସାୟୀ ସେ ବାଟରେ ଗଲାବେଳେ ଶବରମାନେ ସେମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଆବଶ୍ୟକୀୟ ଦ୍ରବ୍ୟ ଲୁଣ୍ଠନ କରି ନିଅନ୍ତି । ତାପରେ ସନ୍ଧ୍ୟା ସମୟରେ ବାସ ସ୍ଥାନକୁ ଫେରି ଆସନ୍ତି ।

ଏହି କ୍ରମରେ ଦିବସ ପରେ ଦିବସ ଅତିବାହିତ ହୁଏ । ଅର୍ଜ୍ଜୁନ ସିଂହର ବୟସ ଦିନ ଦିନକରି ବଢ଼ିଉଠେ । ସେ ସମବୟସୀ ଶବର ପିଲାମାନଙ୍କ ସହିତ ଖେଳିବୁଲି ଦିନ ବିତାଇ ଦିଏ ।

ପୁଣି ବସନ୍ତ ଆସିଛି, ଶାଳ ମହୁଆ ଜଙ୍ଗଳରେ, ପୁଷ୍ପର ସ୍ତବକରେ ଲତା କୁଞ୍ଜରେ ନବ ଜୀବନ ସଞ୍ଚାରିତ ହୋଇଛି । ଭ୍ରମରର ଗୁଞ୍ଜରଣରେ ଓ କୋକିଳର କୁହୁତାନରେ ବନ ପ୍ରଦେଶ ପ୍ରକମ୍ପିତ କରି ଯେପରି କହୁଛନ୍ତି— ‘ବସନ୍ତ ଜାଗ୍ରତ ଦ୍ୱାରେ ।’ ଆଦିବାସୀ ବାଳକ, ବାଳିକା, ଯୁବକ-ଯୁବତୀ ସମସ୍ତେ ଆଜି ଅରଣ୍ୟମୁଖି । ଘରେ ରହିବାକୁ ମନ ଲାଗେ ନାହିଁ । ଦକ୍ଷିଣା ପବନ ସ୍ପର୍ଶରେ ଦେହରେ କିପରି ଶିହରଣ ଜାଗେ ।

ସେଦିନ ଅର୍ଜ୍ଜୁନ ସିଂହ ସାଙ୍ଗ ଯୁବକ ଯୁବତୀମାନଙ୍କୁ ଧରି ପାହାଡ଼ର ଗୋଟିଏ ପାଖକୁ ଚାଲିଗଲା । ପାହାଡ଼ ତଳକୁ ଯିବା ପାଇଁ ମା’ଙ୍କର ନିଷେଧ ଅଛି ।

ଝରଣାର ଜଳକୁ ଯେଉଁଠି ବନ୍ଧ କରାଯାଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରାଯାଇଛି ସେହିଠାରେ ସମସ୍ତେ ଯାଇ ପହଞ୍ଚିଲେ । ଯୁବତୀମାନେ ସଙ୍ଗେ ସଙ୍ଗେ ଲତାରେ ଦୋଳି ତିଆରି କରିବାରେ ଲାଗିଗଲେ । ଅର୍ଜ୍ଜୁନ ସିଂହର ସାଙ୍ଗସାଥୀ, ଆନନ୍ଦ ଉଲ୍ଲାସରେ ମନ ନାହିଁ । ପ୍ରକୃତିର ନୈସର୍ଗିକ ଶୋଭାରେ ମନ ତାର କେଉଁ ଦୂର ଦିଗନ୍ତରେ ହଜିଯାଇଛି । ଅର୍ଜ୍ଜୁନ ଏକ ଶାଳଗଛକୁ ଭରାଦେଇ ଅଣ୍ଟାରୁ ବଇଁଶୀଟି ବାହାର କରି ବଜାଇବାରେ ଲାଗିଲା ।

ଦୋଳି ତିଆରି ପରେ ଫୁଲରା ଆସି ଡାକିଲା—ଆ, ଦୋଳି ଖେଳିବୁ ?

ଅର୍ଜ୍ଜୁନ ତାର କଥାଶୁଣି ଯେପରି ଶୁଣି ପାରିଲା ନାହିଁ । ବଇଁଶୀର ତାଳ, ଲୟ ଓ ଛନ୍ଦରେ ମନ ତାର ଯେପରି କେଉଁ ଦୂର ଦିଗନ୍ତରେ ହଜି ଯାଇଛି ।

ଥରେ, ଦୁଇଥର, ତିନିଥର ଡାକି ଅର୍ଜ୍ଜୁନଠାରୁ କୌଣସି ଉତ୍ତର ନ ପାଇ ବିରକ୍ତ ସହକାରେ ଫୁଲରା କହିଲା—ଦେଖିବୁ କହିଦେବି ?

ଅର୍ଜ୍ଜୁନ ବଇଁଶୀ ବଜାଇବା ବନ୍ଦକରି ପଚାରିଲା—କଣ କହିଦେବୁ ?

ସେତେବେଳକୁ ଅନ୍ୟ ଯୁବତୀମାନେ ଆସି ଫୁଲରା ପାଖରେ ପହଞ୍ଚି ଯାଇଥିଲେ । ଫୁଲରାର କହିଦେବା କଥାଶୁଣି ସେମାନେ କୌତୁହଳ ଅନୁଭବ କଲେ । ଭାବିଲେ—ବୋଧହୁଏ ଅର୍ଜ୍ଜୁନର କୌଣସି ଗୋପନ ରହସ୍ୟ ଫୁଲରାର ହସ୍ତଗତ ହୋଇଛି । ସମସ୍ତେ ଜିଦ୍‌କଲେ—ଫୁଲି, କଣ କହିବୁ କହ । ଅର୍ଜ୍ଜୁନ ତୋତେ କଣ କହିଛି କି ?

ଫୁଲରା ଆଖି ଖୋସି ବାମହସ୍ତ ତର୍ଜନୀ ଓଷ୍ଠରେ ରଖି କହିଲା—କହିବି....ହେ.....ହେ.... ଢେଙ୍କା ଶବର ଆୟ ଖେଳିବୁ ଆୟ ।

 

ସମସ୍ତ ଏକାବେଳେ ହସି ଉଠିଲେ । ଅର୍ଜ୍ଜୁନ ସିଂହ ବଇଁଶୀ ଧରି ଫୁଲରାକୁ ପିଟିବା ପାଇଁ ଚାଲିଗଲା । ବନ୍ୟ ହରିଣୀପରି ଫୁଲରା ଚପଳ ଗତିରେ ଯାଇ ଦୋଳିରେ ବସି ଗୀତ ଆରମ୍ଭ କଲା—

 

‘‘ଝୁଲା ଲୋ ଝୁଲଣ ଦୋଳି

କହି ଯାଇଛନ୍ତି ଆସିବେ ଆଜି,

ଆସିବେ ଆଜି ଲୋ—ମୋ ଧନମାଳି

ବସିଛି ଜାଗର ଜାଳି ।୧।

 

ଅନ୍ୟ ଯୁବତୀମାନେ ଆସି ଦୋଳି ଝୁଲାଇ ଗୀତ ଗାଇଲେ—

 

ଗଇଶ ପତର ସରୁ

ଶୁଣି ଯାଇଅଛି ଚନ୍ଦ୍ର ବଦନ, ଚନ୍ଦ୍ର ବଦନ ଲୋ

ଚାରୁ ରମ୍ଭୋରୁ

କାହା କଥା ମନେ ଝୁରୁ ।୨।

 

ହାତୀ ବୁଲେ ବନେ ବନେ

କାହା ପୀରତିରେ ମଜ୍ଜିଲୁ ଧନ,

ମଜ୍ଜିଲୁ ଧନ ଲୋ, କି ଥିଲା ମନେ

କେହି ନ ଜାଣିଲୁ ଦିନେ ।୩।

 

ଯୁବତୀମାନଙ୍କର ଗୀତ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଯୁବକମାନେ ବଇଁଶୀ ଧରି ସେମାନଙ୍କ ଦୁଇ ପାଖରେ ଝୁଲି ଝୁଲି ବଇଁଶୀ ବଜାଇବାରେ ଲାଗିଲେ ।

 

ଅର୍ଜ୍ଜୁନ ଏତେବେଳ ଯାଏ ନିରବରେ ଗଛମୂଳେ ବସିଥିଲା । ଯୁବକ ଯୁବତୀମାନଙ୍କର ଆନନ୍ଦ ଉଲ୍ଲାସରେ ଯୋଗ ଦେବା ପାଇଁ ସେ ମଧ୍ୟ ସେଠାକୁ ଗଲା । କେତେଜଣ ଯୁବକ ତାକୁ ଟେକି ନେଇ ଫୁଲରା ପାଖରେ ବସାଇ ଦେଇ ଦୋଳି ଝୁଲାଇ ଦେଲେ ।

 

ଯୁବତୀମାନେ ପୁଣି ଗାଇ ଉଠିଲେ—

 

ବଜାରେ ବାଇଦ ବଜା

ଫୁଲରା ରାଣୀକୁ ଫୁଲ ବେଶରେ, ଫୁଲ ବେଶରେ ଲୋ

ବସାଇ ସଜ୍ଜା ।

 

ଯୁବକମାନେ କହିଲେ—

 

ଅର୍ଜ୍ଜୁନ ଆମର ରଜା

—ଫୁଲ ଆମର ରାଣୀ ।

—ଅର୍ଜ୍ଜୁନ ଆମର ରଜା ।୪।

 

ଯୁବକ ଯୁବତୀମାନେ ଆନନ୍ଦ ଉଲ୍ଲାସରେ ଦିବସ ବିତାଇବାରେ ଲାଗିଛନ୍ତି । ଅତୀତ ପ୍ରତି ଶୋଚନା ନାହିଁ, ଭବିଷ୍ୟତ ପ୍ରତି ଲକ୍ଷ୍ୟ ନାହିଁ । ମାନସପଟରେ କେବଳ ବର୍ତ୍ତମାନର ଚିନ୍ତା ପୂରି ରହିଛି ।

 

ଶବର ପଲ୍ଲୀରେ ଅର୍ଜ୍ଜୁନ ସହିତ ଆହୁରି ପନ୍ଦରଟି ଯୁବକ ଅଛନ୍ତି । ବର୍ଷେ, ଦୁଇବର୍ଷ ଲେଖାଏଁ ବୟସର ପ୍ରଭେଦ ।

 

ବନ୍ୟ ଶବର, ପିଲାଟି ଦିନରୁ ଧନୁତୀର ଏମାନଙ୍କର ପ୍ରଧାନ ଅବଲମ୍ବନ । ତାହାରିଦ୍ୱାରା ସେମାନଙ୍କର ପିଲାଦିନର ଖେଳ ଆରମ୍ଭ । ସେହି ପୁଣି ଭବିଷ୍ୟତରେ ସେମାନଙ୍କୁ ଆହାର ଯୋଗାଏ, ଆପଦ ବିପଦରୁ ରକ୍ଷାକରେ । ଏଣୁ ଏମାନଙ୍କର ଲକ୍ଷ୍ୟ ପ୍ରାୟ ଅବ୍ୟର୍ଥ ।

 

ପିଲାଟି ଦିନରୁ ଅର୍ଜ୍ଜୁନ ଶବର ପିଲାମାନଙ୍କ ସହିତ ମିଶି ଲକ୍ଷ୍ୟଭେଦ ଶିଖିଛି, ବର୍ଚ୍ଛା ଫୋପାଡ଼ିବା ଅଭ୍ୟାସ କରିଛି । ତା ବ୍ୟତୀତ ମା ଠାରୁ ତରବାରି ଚାଳନା ମଧ୍ୟ ଆୟତ୍ତ ନେଇଛି । ଶବର ବସ୍ତିରେ ସେ ମଧ୍ୟ ବର୍ତ୍ତମାନ ଏକ ଶବର ପିଲା । ସେମାନଙ୍କ ପରିବେଶ, ପୋଷାକ-ପରିଚ୍ଛେଦ କାନ୍ଧରେ ଧନୁତୀର । ପ୍ରଭେଦ କେବଳ କଟୀରେ ତରବାରି ଓ ଦେହର ବର୍ଣ୍ଣ । ତାର ଗୌରବର୍ଣ୍ଣଟି ବାଦଦେଲେ ଆଉ ତାକୁ କେହି ରାଜକୁମାର ବୋଲି ଚିହ୍ନିବାର ଉପାୟ ନାହିଁ । ଏଣେ ସାଙ୍ଗ ସାଥୀ ଓ ଯୁବତୀମାନଙ୍କ ଦ୍ୱାରା ସେ ଢେଙ୍କା ଶବର ନାମରେ ପରିଚିତ । କୌତୁକରେ ସମସ୍ତେ ଏ ନାମରେ ତାକୁ ଡାକୁ ଡାକୁ କ୍ରମେ ତାହା ଅଭ୍ୟାସରେ ପଡ଼ିଗଲାଣି । କେବଳ ଦେବୀ ବ୍ୟତୀତ ଆଉ ସମସ୍ତେ ତାକୁ ଢେଙ୍କା ଶବର ନାମରେ ଡାକନ୍ତି । ଯାହାହେଉ ଏଥିପ୍ରତି ତାର ଆଦୌ ଶୋଚନା ନାହିଁ । ତାର କେବଳ ଗୋଟିଏ ଆପତ୍ତି ଯୁଦ୍ଧ, ହଣାକଟା ଓ ରକ୍ତପାତରେ । ଏ ସବୁକୁ ସେ ଆଦୌ ପସନ୍ଦ କରେନାହିଁ । ସାଙ୍ଗ ସାଥୀଙ୍କ ସହିତ ଶିକାର କରିବାକୁ ଗଲେ ଶରବିଦ୍ଧ ହରିଣୀର ବ୍ୟାକୁଳ ଚିତ୍କାର ଓ ରକ୍ତସ୍ରୋତ ଦେଖି ସେ ଶିହରି ଉଠେ । ସାଙ୍ଗ ସାଥୀମାନେ ଏହା ଦେଖି ତାକୁ ପରିହାସ କରନ୍ତି ।

 

ଏଣେ ଦେବୀ ପ୍ରତିଦିନ ଘର ନିକଟରେ ଥିବା ଅର୍ଜ୍ଜୁନ ଗଛକୁ ଦୃଷ୍ଟି ପକାଏ । ନାଁ ଗଛରେ ଫୁଲ ଆସି ନାହିଁ ।

 

ଦେବୀ ଯେଉଁଦିନ କପିଳାସ ପାହାଡ଼ ଉପରେ ବସବାସ କରିବାର ମନସ୍ଥକଲା, ସେଦିନ ସେ ଘର ନିକଟରେ ନିଜ ହାତରେ ଅର୍ଜ୍ଜୁନ ଗଛଟିଏ ଲଗାଇ ଥିଲା । ସେ ମନେମନେ ସଂକଳ୍ପ କରିଛି–ଯେଉଁ ବର୍ଷ ଏ ଗଛରେ ଫୁଲଫଳ ଆସିବ, ସେବର୍ଷ ସେ ଅର୍ଜ୍ଜୁନକୁ ଯୁଦ୍ଧ କରିବା ନିମନ୍ତେ ପଠାଇବେ । ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହେବାରେ ଲାଗିଛି; ମାତ୍ର ଏ ପର୍ଯ୍ୟନ୍ତ ଗଛରେ ମୁକୁଳ ଆସି ନାହିଁ ।

 

ଦେବୀ ଦୀର୍ଘ ନିଶ୍ୱାସ ତ୍ୟାଗ କଲେ ।

 

ଏହି କେତୋଟି ବର୍ଷରେ କ’ଣ ତାକୁ କମ୍‍ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ? ଏଠାରେ ଆସି ବସବାସ କରିବା ପରେ ପ୍ରଥମେ ବାଘ ଉପଦ୍ରବ ଦେଖା ଦେଲା, ମାତ୍ର ଶବରମାନେ କୌଣସି ଉପାୟରେ ତାହା ନିବାରଣ କଲେ । ତା’ପରେ ଦେଖା ହେଲା—ସାପର ଉପଦ୍ରବ । ସର୍ଦ୍ଦାରର ଗୁଣି; ଗାରିଡ଼ି ଓ ଗଛର ଚେର ମୂଳରେ ତହିଁରୁ ରକ୍ଷା ମିଳିଲା । ତାପରେ ଦେଖାଦେଲା–କମ୍ପଜ୍ୱରର ପ୍ରାଦୁର୍ଭାବ । ଶବରମାନେ ବିଶ୍ୱାସ କଲେ—ଏଠାରେ ବାସ କରିବାଦ୍ୱାରା ଦେବତା ରୁଷ୍ଟ । ତେଣୁ ଏ ସ୍ଥାନ ପରିତ୍ୟାଗ କରିବାକୁ ପଡ଼ିବ । କାରଣ ବାଘ, ସାପ ଓ ଜ୍ୱର ଏ ତିନୋଟିଯାକ ଶିବଙ୍କର ଦୂତ । ଶିବ ବୋଧହୁଏ ଏଠାରେ କାହାରି ରହିବା ଚାହାନ୍ତି ନାହିଁ । ମାତ୍ର ଦେବୀର ଏ ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ମନ ବଳିଲା ନାହିଁ । ଏଭଳି ନିରାପଦ ଦୁର୍ଗ ଆଉ କେଉଁଠି ମିଳିବା ସମ୍ଭବ ନୁହେଁ । ତେଣୁ ଶବରମାନଙ୍କୁ ବୁଝାଇ ନିଜେ ବଣରୁ ଶୃଙ୍ଗାରହାର ପତ୍ର ସଂଗ୍ରହ କରି ତାହା ବ୍ୟବହାର କରିବାଦ୍ୱାରା ଜ୍ୱର ଉପଶମ ହେଲା । ଏହାପରେ ସେ ଜ୍ୱରର ନିରୋଧ ପାଇଁ ତୁଳସୀଗଛ ଅଣାଇ ପାହାଡ଼ରେ ଲଗାଇଲା । ଫଳରେ ଜ୍ୱର ରୋଗରୁ ଉଦ୍ଧାର ମିଳିଲା ।

 

ଏବେ ବର୍ଷ ପରେ ବର୍ଷ ବିତି ଚାଲିଛି । ଏ ପର୍ଯ୍ୟନ୍ତ ସ୍ୱାମୀଙ୍କ ରାଜ୍ୟ ଉଦ୍ଧାର ହୋଇ ନାହିଁ । ଏହାହିଁ ତାର ଚରମ ଓ ପରମ ଲକ୍ଷ୍ୟ । ଅର୍ଜ୍ଜୁନ ସିଂହ ସିଂହାସନରେ ବସିବା ପର୍ଯ୍ୟନ୍ତ ଯେ କୌଣସିମତେ ତାକୁ ବଞ୍ଚି ରହିବାକୁ ପଡ଼ିବ ।

 

ଦେବୀ ଅର୍ଜ୍ଜୁନ ଗଛକୁ ଚାହିଁ ଚାହିଁ ନିରାଶରେ ଘର ଭିତରକୁ ଚାଲିଯାଏ ।

 

ଚାହୁଁ ଚାହୁଁ ବସନ୍ତ ଋତୁ ଧରାପୃଷ୍ଠରୁ ବିଦାୟ ନେଲା । ମହୁଆ ମାତାଲ ହେଲା । କୃଷ୍ଣଚୂଡ଼ାର ଫୁଲ ଫୁଟିଲା । ପାହାଡ଼ି ଦେଶକୁ ଦକ୍ଷିଣ ଦିଗରୁ ମୁକ୍ତ ପବନ ଛୁଟି ଆସିଲା । ରକ୍ତ ମୁକୁଟ ପିନ୍ଧି ଶାଳ, ପିଆଶାଳ ପତ୍ରରେ ପଳାସ ଓ କୃଷ୍ଣଚୂଡ଼ାର ଡାଳେ ଡାଳେ ବନାନୀ ଗର୍ବୋଦ୍ଧତ ଯୌବନର ଆଗମନରେ ଗାନକଲା ।

 

ଚୈତ୍ରମାସ ଶେଷରେ ଝାମୁଯାତ୍ରା । କୁଟୀରରୁ ପ୍ରାସାଦବାସୀ ପୁଣି ବନ୍ୟ ଶବରଠାରୁ ସିଂହାସନରେ ଉପବିଷ୍ଟ ନରପତି ପର୍ଯ୍ୟନ୍ତ ସମସ୍ତେ ଶକ୍ତି ପୂଜାରେ ପ୍ରମତ୍ତ । ସମସ୍ତଙ୍କର ବିଶ୍ୱାସ ଶକ୍ତିପୂଜା ନ କଲେ ଶିବ ଲାଭ ସମ୍ଭବ ନୁହେଁ । କେବଳ ଶକ୍ତିପୂଜା ନୁହେଁ, ଶକ୍ତି ପରୀକ୍ଷାର ଏ ମଧ୍ୟ ଏକ ଉତ୍ସବ ।

 

ସେଦିନ ଅର୍ଜ୍ଜୁନ ନିଜ ସାଙ୍ଗ ସାଥୀମାନଙ୍କ ସହିତ ଶିକାର କରିବାକୁ ପାହାଡ଼ ଉପରକୁ ଯାଇଥିବା ବେଳେ ଗୋଟିଏ ହରିଣୀ ପଛରେ ଗୋଡ଼ାଉ ଗୋଡ଼ାଉ ପାହାଡ଼ ତଳକୁ ଚାଲି ଆସିଲା । ପାହାଡ଼ର ପାଦ ଦେଶରେ କ୍ଷୁଦ୍ର ଅଙ୍କାବଙ୍କା ରାସ୍ତାଟିଏ କେଉଁ ଦୂର ଦେଶକୁ ଚାଲିଯାଇଛି । ହରିଣୀଟି ସେଠାରୁ ଘନ ବନ ମଧ୍ୟରେ କେଉଁଆଡ଼େ ଚାଲିଗଲା । ଅର୍ଜ୍ଜୁନ ଶବର ଯୁବକମାନଙ୍କ ସହ କ୍ଳାନ୍ତି ଅପନୋଦନ ପାଇଁ ଗୋଟିଏ ଗଛମୂଳେ ବସିଲା ।

 

ଏହି ସମୟରେ କେତେଜଣ ପଥିକ ସେ ବାଟଦେଇ ବଳଦ ଗାଡ଼ିରେ ଜିନିଷପତ୍ର ବୋଝେଇ କରି ଗଲେ । ଶବର ଯୁବକମାନେ ସେମାନଙ୍କୁ ପଚାରି ବୁଝିଲେ ଯେ ଏହି ରାସ୍ତାରେ ଦଶକୋଶ ବାଟ ଗଲେ ଗୋଟିଏ ରାଜ୍ୟ ପଡ଼େ । ସେଠାରେ ବନ ଦୁର୍ଗାଙ୍କର ମନ୍ଦିର ଅଛି । ଝାମୁ ଯାତ୍ରାପାଇଁ ସେଠାକୁ ବହୁ ଦୂର ଦୁରାନ୍ତରୁ ଲୋକ ଯାଆନ୍ତି । ମେଳା ବସେ, ବହୁ ଜିନିଷ ବିକାକିଣା ହୁଏ । ତା ବ୍ୟତୀତ ସେଠାରେ ଆଉ ଗୋଟିଏ ବଡ଼ ଉତ୍ସବ ହେଉଛି—ଶକ୍ତି ପରୀକ୍ଷା । ରାଜ୍ୟର ଯେତେ ଯୁବକ ଅଛନ୍ତି ସେମାନେ ସେଠାରେ ମଲ୍ଲଯୁଦ୍ଧ କରନ୍ତି । ଯେଉଁ ଯୁବକ ସବୁଠାରୁ ବେଶୀ ବଳୁଆ ହୁଏ, ତାକୁ ଦେବୀଙ୍କ ନିକଟରେ ବଳୀ ପଡ଼ିଥିବା ବୋଦାର ମୁଣ୍ଡ ଉପହାର ଦିଆଯାଏ । ରାଜ୍ୟର ସମସ୍ତେ ତାକୁ ସମ୍ମାନ କରନ୍ତି ।

 

ବାଟୋଇମାନେ ନିଜ ବାଟରେ ଚାଲିଗଲେ । ମାତ୍ର ଶବର ଯୁବକମାନଙ୍କ ମନରେ ଯେଉଁ କୌତୁହଳ ଜାତହେଲା, ତାହା ଦମନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଯୁବକମାନେ ସ୍ଥିର କଲେ ଯେ କାହାକୁ ନ ଜଣାଇ କାଲି ସକାଳୁ ମେଳା ଦେଖିବାକୁ ଯିବେ ପୁଣି ସନ୍ଧ୍ୟାବେଳକୁ ଫେରି ଆସିବେ । କାରଣ ମେଳା ନିକଟକୁ ଯିବା ଦୂରେ ଥାଉ, ପାହାଡ଼ ତଳକୁ ଯିବା ପାଇଁ ମଧ୍ୟ ରାଣୀମା’ ମନା କରିବେ । ମନକଥା ମନରେ ରଖି ଯୁବକମାନେ ଘରକୁ ଫେରିଗଲେ ।

 

ସେଦିନ ରାତ୍ରି ଅତୀତ ହେଲା । ପର ଦିବସର ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ଯୁବକମାନେ ଆସି ଝରଣା ନିକଟରେ ଏକତ୍ରିତ ହେଲେ । ସମସ୍ତେ ପରାମର୍ଶ କରି ଶିକାର କରିବାକୁ ଯାଉଛୁ ବୋଲି ଘରେ କହି ଆସିଲେ । ଅର୍ଜ୍ଜୁନ ମଧ୍ୟ ଦେବୀକୁ କହିଲା—ମା’ ଶିକାର କରିବାକୁ ଯାଉଛି । ଫେରିବାକୁ ବିଳମ୍ବ ହେବ ।

 

ଦେବୀ ଅନୁମତି ଦେଲା । ଅର୍ଜ୍ଜୁନ ଝରଣା କୂଳରେ ଯାଇ ଯୁବକମାନଙ୍କ ସହିତ ମିଳିତ ହେଲା । ଅର୍ଜ୍ଜୁନର ସାଜସଜ୍ଜା ଓ ବେଶ ପୋଷାକରେ କେହି କିଛି ସନ୍ଦେହ ନ କଲେ ମଧ୍ୟ ଫୁଲରାର ଆଖିକୁ ତାହା ଏଡ଼ାଇ ପାରିଲା ନାହିଁ । ସେ ସନ୍ଦେହ କରି ଲୁଚି ଲୁଚି ଯୁବକମାନଙ୍କୁ ଅନୁସରଣ କରିବାରେ ଲାଗିଲା ।

 

ଯୁବକମାନେ ପାହାଡ଼ ଉପରକୁ ଯାଇ କ୍ରମେ ତଳକୁ ଖସିଲେ । ସମସ୍ତଙ୍କ କାନ୍ଧରେ ଧନୁଶର, କଟୀରେ ଗୟଳ ଶିଙ୍ଗା ଓ ହାତରେ ବର୍ଚ୍ଛା ।

 

ପାହାଡ଼ର ପାଦ ଦେଶରେ ଥିବା ସରୁ ଅଙ୍କାବଙ୍କା ରାସ୍ତାକୁ ଓହ୍ଲାଇ ଯୁବକମାନେ ପୂର୍ବ ଦିଗକୁ ମୁହଁକରି ଚାଲିଲେ, ଫୁଲରାର ମନର ସନ୍ଦେହ ଏଥର ଦୂରୀଭୂତ ହୋଇଗଲା । ସେ ଅନୁମାନ କରିନେଲା ଯେ ଏମାନେ ନିଶ୍ଚୟ କୌଣସି ଏକ ସ୍ଥାନକୁ ଯାଉଛନ୍ତି । ଏତେ ବାଟଯାଏ ସେ ବୁଦା ଉହାଡ଼ରେ ଲୁଚି ଲୁଚି ଚାଲିଥିଲା । ମାତ୍ର ବର୍ତ୍ତମାନ ଆଉ ତାର ଆବଶ୍ୟକତା ନ ଦେଖି କ୍ଷିପ୍ର ପଦରେ ଆସି ଯୁବକମାନଙ୍କ ସହିତ ମିଳିତ ହେଲା ।

 

ଯୁବକମାନେ ଫୁଲରାକୁ ଦେଖି ପ୍ରଥମେ ଚମକି ପଡ଼ିଲେ ।

 

ଅର୍ଜ୍ଜୁନ ପଚାରିଲା—ତୁ’ କୁଆଡ଼େ ଆସିଲୁ ?

 

ଫୁଲରା ଉତ୍ତର ଦେଲା—ବାହାରେ ତୁମେ ରାଣୀମା’କୁ ନ କହି ଲୁଚି ଲୁଚି କୁଆଡ଼େ ଯାଉଛ, ଆଉ ମୁଁ ଯାଆନ୍ତି ନାହିଁ । ରୁହ, ଫେରିଲେ ମୁଁ ରାଣୀମା’ଙ୍କୁ କହି ଦେଉଛି ।

 

ଯୁବକମାନେ ତାର ଏ କଥାରେ ବିବ୍ରତ ହୋଇ ପଡ଼ିଲେ । ଫେରିଯିବେ କି ନାହିଁ କିଛି ସ୍ଥିର କରି ପାରିଲେ ନାହିଁ ।

 

ଅର୍ଜ୍ଜୁନ କହିଲା—ଯାହା ହେବାର ତ ହୋଇଗଲାଣି । ଏତେବାଟ ଆସି ଆଉ ଫେରିଯିବା କଣ ?

 

ଫୁଲରା ବି ଆମ ସଙ୍ଗରେ ଥାଉ । ଚାଲ, ସମସ୍ତେ ଯାଇ ମେଳା ଦେଖି ଆସିବା ।

 

ଅର୍ଜ୍ଜୁନ କଥାରେ ସମସ୍ତେ ଏକମତ ହୋଇ ଚାଲିଲେ । ଠିକ୍‌ ମଧ୍ୟାହ୍ନ ବେଳକୁ ସେମାନେ ଯାଇ ମେଳା ନିକଟରେ ଉପସ୍ଥିତ ହେଲେ । ମାତ୍ର ସେତେବେଳକୁ ସମସ୍ତେ କ୍ଳାନ୍ତ । କାହାରି ବୁଲାଚଲା କରିବାରେ ପ୍ରବୃତ୍ତି ନାହିଁ । ମେଳାର ଅଳ୍ପ ଦୂରରେ ଏକ ପୋଖରୀ ନିକଟରେ ବରଗଛ ମୂଳେ ବସି ବିଶ୍ରାମ ନେଲେ । ସେମାନଙ୍କ ପରି ଆଉ କେତେକ ବାଟୋଇ ମଧ୍ୟ ଗଛ ମୂଳରେ ଇଟାରେ ଚୁଲା ତିଆରି କରି ରୋଷେଇ ବାସରେ ବ୍ୟସ୍ତ; ମାତ୍ର ଏମାନଙ୍କ ନିକଟରେ ରୋଷେଇ କରିବାର କୌଣସି ସରଞ୍ଜାମ ନାହିଁ । ବାଧ୍ୟହୋଇ ପାଖରେ ଥିବା ଫଳ ମୂଳଖାଇ ପୋଖରୀରୁ ପାଣି ପିଇ ଗଛମୂଳେ ବସିଲେ ।

 

ଅରୁଣ ଦେବ ମଧ୍ୟ ଗଗନରୁ ପଶ୍ଚିମକୁ ଢଳିବା ମାତ୍ରେ ବାଟୋଇମାନେ ମେଳା ସ୍ଥାନକୁ ଚାଲିଲେ । ଶବର ଯୁବକମାନେ ମଧ୍ୟ ସେମାନଙ୍କ ସହିତ ମେଳାକୁ ଯାଇ ଏଣେ ତେଣେ ବୁଲାବୁଲି କଲେ । କାହାରି ପାଖରେ ପଇସା ନାହିଁ । ଏଣୁ କୌଣସି ଜିନିଷ କିଣିବା ଅସମ୍ଭବ । ଏଣେ ତେଣେ ବୁଲାବୁଲି କରୁ କରୁ ମେଳାର ଗୋଟିଏ ପାଖରେ ଦଳେ ଲୋକ ରୁଣ୍ଡହୋଇ ପାଟିତୁଣ୍ଡ କରୁଥିବାର ଶୁଣାଗଲା । ଅର୍ଜ୍ଜୁନ ସାଙ୍ଗ ସାଥୀମାନଙ୍କୁ ଛାଡ଼ି ସେ ଆଡ଼କୁ ଚାଲିଲା । ଫୁଲରା ଏତେ ଲୋକ ଦେଖି ସେତେବେଳକୁ ବାସ୍ତବରେ ଭୟ ପାଇ ଯାଇଥିଲା । ତେଣୁ ସାଙ୍ଗମାନେ ଅର୍ଜ୍ଜୁନକୁ ଛାଡ଼ିଗଲେ ମଧ୍ୟ ଫୁଲରା ତାକୁ ଛାଡ଼ି ନ ଥିଲା । ସେ ମଧ୍ୟ ଅର୍ଜ୍ଜୁନ ସଙ୍ଗେ ସଙ୍ଗେ ସେଠାକୁ ଗଲା ।

 

ମେଳାର ସେହି ଅଂଶରେ ଯୁବକମାନଙ୍କ ମଧ୍ୟରେ ମଲ୍ଲଯୁଦ୍ଧ ପ୍ରତିଯୋଗିତା ଚାଲିଥିଲା । ଜଣେ ଯୁବକ ସେତେବେଳକୁ ଅନ୍ୟ ସମସ୍ତଙ୍କୁ ହରାଇ ବାହାସ୍ଫୋଟ ମାରି କହୁଥାଏ—ଆଉ ଯଦି କିଏ ଅଛ ଆସ ।

 

ଘୋଷାକ ଜଣାଇ ଦେଲା—ଆଉ ଯଦି କେହି ମଲ୍ଲଯୁଦ୍ଧକୁ ନ ଆସନ୍ତି, ତେବେ ଦେବୀଙ୍କ ବଳୀ ଏହି ବୋଦା ମୁଣ୍ଡଟି ଯୁବକକୁ ଦିଆଯାଇ ତାକୁ ସବୁଠାରୁ ଅଧିକ ବଳଶାଳୀ ବୋଲି ଘୋଷଣା କରାଯିବ । ଯଦି କେହି ବୀର ଯୁବକ ଅଛ, ତେବେ ଆସି ଦେବୀଙ୍କ ପ୍ରାସାଦ ଗ୍ରହଣ କର-

 

ଦେବୀଙ୍କ ପ୍ରସାଦ ଲୋଭରେ ହେଉ ବା ଯୁବକର ଆସ୍ଫାଳନରେ ହେଉ ଅର୍ଜ୍ଜୁନ ସହ୍ୟକରି ନ ପାରି ଯୁଦ୍ଧ ସ୍ଥଳୀକୁ ଯିବାପାଇଁ ଉଦ୍ୟମ କଲା । ଫୁଲରା ତାର ଏଭଳି ଭାବ ଦେଖି ହାତଧରି ନିଷେଧ କଲା । ମାତ୍ର ଅର୍ଜ୍ଜୁନ କିଛି ନ ଶୁଣି ନିଜର ଧନୁଶର ଓ ବର୍ଚ୍ଛାଟି ତା ହାତକୁ ବଢ଼ାଇ ଦେଇ ଯୁଦ୍ଧସ୍ଥଳୀକୁ ଚାଲିଗଲା ।

 

ଅର୍ଜ୍ଜୁନର ବେକରେ ନାନା ରଙ୍ଗର ପଥରର ମାଳ, କଟୀରେ କୌପୀନ ଓ ମୁଣ୍ଡ ବାଳରେ ଗୋଟିଏ ନାଲି ଫିତା ବନ୍ଧାଯାଇଛି । ତାକୁ ଯେ କେହି ଦେଖିଲେ ଜଣେ ଶବର ଯୁବକ ବୋଲି ଅନୁମାନ କରିନେବ ।

 

ଅର୍ଜ୍ଜୁନ କେନ୍ଦ୍ରସ୍ଥଳକୁ ଯାଇ ତଳୁ ମୁଠାଏ ମାଟି ଆଣି ମୁଣ୍ଡରେ ଲଗାଇଲା । ତାପରେ ଆଉ ମୁଠାଏ ମାଟି ଆଣି ନିଜର ପେଶୀ ବହୁଳ ବାହୁରେ ଲଗାଇ ବାହାସ୍ଫୋଟ ମାରି ଯୁବକଟି ନିକଟକୁ ଗଲା ।

 

ଯୁବକ ସହିତ ଅର୍ଜ୍ଜୁନର ଦୀର୍ଘ ସମୟଧରି ମଲ୍ଲଯୁଦ୍ଧ ଲାଗିଲା । ଦର୍ଶକମାନେ ବେଶ ଆନନ୍ଦ ସହକାରେ ଏ ଦୃଶ୍ୟ ଉପଭୋଗ କରିବାରେ ଲାଗିଲେ । ପରିଶେଷରେ ଅର୍ଜ୍ଜୁନ ସିଂହ ବିଜୟୀ ହେଲା । ଯୁବକଟି ଆହତ ହୋଇ ଯୁଦ୍ଧସ୍ଥଳରୁ ପଳାଇଗଲା ।

 

ଘୋଷକ ପଚାରିଲା—ତୁମ ନାମ କଣ ? ଅର୍ଜ୍ଜୁନ କୌଣସି ଉତ୍ତର ଦେବା ପୂର୍ବରୁ ଜନତା ମଧ୍ୟରୁ କିଏ ଜଣେ କହିଲା—ଢେଙ୍କା ଶବର ।

 

ଘୋଷକ କହିଲା—ଆଉ ଯଦି କେହି ଯୁବକ ମଲ୍ଲଯୁଦ୍ଧ କରିବାକୁ ଚାହଁ ତେବେ ଚାଲିଆସ । ମାତ୍ର କେହି ଯୁଦ୍ଧ ସ୍ଥଳକୁ ଆସିଲେ ନାହିଁ । ଘୋଷକ ଘୋଷଣାକଲା ଯେ ଏ ବର୍ଷ ମଲ୍ଲ ଯୁଦ୍ଧରେ ଢେଙ୍କା ଶବର ସମସ୍ତଙ୍କୁ ପରାସ୍ତକରି ଦେବୀଙ୍କ ପ୍ରସାଦ ଲାଭକଲା । ସେ ଏ ବର୍ଷର ଶ୍ରେଷ୍ଠ ବଳଶାଳୀ ଯୁବକ ।

 

ଘୋଷକଙ୍କ ଘୋଷଣା ଶେଷ ହେବାମାତ୍ରେ ଲୋକେ ନିଜ ନିଜ କାମରେ ଚାଲିଗଲେ । ଅର୍ଜୁନ ବୋଦା ମୁଣ୍ଡଟି ଆଣି ଫୁଲରାକୁ ଧରାଇ ଦେଲା, ଫୁଲରାର ଆନନ୍ଦ କହିଲେ ନ ସରେ । ଅର୍ଜ୍ଜୁନ ପୌରୁଷ ବଳରେ ନିଜ ଜୀବନରେ ଯାହା ପ୍ରଥମ ଲାଭକଲା, ତାହା ତା ହାତରେ ଅର୍ପଣ କଲା ।

 

ସୂର୍ଯ୍ୟ ସେତେବେଳକୁ ଅସ୍ତାଚଳନ୍ମୁଖି । ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ବାକିଅଛି । ଫୁଲରା କହିଲା—କିଏ, କୁଆଡ଼େ ଗଲେଣି, ଚାଲ ଚଞ୍ଚଳ ଦେବୀ ଦେଖି ଫେରି ଆସିବା । ତାପରେ ସମସ୍ତେ ଏକଜୁଟ ହୋଇ ଚାଲିଯିବା । ବନପଥ । ବେଶୀ ରାତି ହେଲେ ବିପଦ ଅଛି ।

ଅର୍ଜ୍ଜୁନ ହଁ ଭରିଲା ।

ଦୁହେଁ ଦେବୀଙ୍କ ମନ୍ଦିର ନିକଟକୁ ଗଲେ ।

ସନ୍ଧ୍ୟା ହୋଇ ନାହିଁ, ଦେବୀଙ୍କ ମନ୍ଦିରରେ ଆରତିର ଆୟୋଜନ ଚାଲିଛି । ମନ୍ଦିର ନିକଟରେ ବିଶେଷ ଜନସମାଗମ ନାହିଁ, ପୁରୋହିତ ମନ୍ଦିର ପାବଚ୍ଛରେ ବସି ଦେବୀଙ୍କ ସ୍ତୋତ୍ର ଗାନ କରୁଛନ୍ତି ।

ଫୁଲରା ଏବଂ ଅର୍ଜ୍ଜୁନ ସିଂହ ତଳେ ମୁଣ୍ଡିଆ ମାରି ଦେବୀଙ୍କୁ ପ୍ରଣାମ ଜଣାଇ ପୁରୋହିତଙ୍କ ନିକଟରେ ହାତଯୋଡ଼ି ଠିଆ ହେଲେ । ପୁରୋହିତଙ୍କର ସେମାନଙ୍କ ପ୍ରତି ଲକ୍ଷ୍ୟ ନାହିଁ-। ସେ ନିବିଷ୍ଟ ଚିତ୍ତରେ ଦେବୀଙ୍କ ସ୍ତୋତ୍ର ବୋଲି ଚାଲିଛନ୍ତି ।

ବିଳମ୍ବ ହେବା ଦେଖି ଫୁଲରା କହିଲା—ଏ ଠାକୁର, ଆମ ରଜାଙ୍କୁ ଦେବୀଙ୍କ ପ୍ରସାଦ ଦିଏ, ଆମେ ଚାଲିଯିବୁ ।

ରଜା ନାମ ଶୁଣି ପୁରୋହିତ ଚକ୍ଷୁ ଖୋଲି ଏ ଦୁହିଁଙ୍କୁ ଅନାଇଲେ । ଜଣେ ଯୁବତୀ ଓ ଜଣେ ଯୁବକ ତାଙ୍କ ନିକଟରେ ହାତଯୋଡ଼ି ଠିଆ ହୋଇଛନ୍ତି । ବେଶ ପୋଷାକରୁ ଦୁହେଁ ଶବର ବୋଲି ଅନୁମିତ ହୁଏ ।

 

ଫୁଲରା ପୁଣି କହିଲା—ଦେରେ ଠାକୁର, ଆମର ରଜା ଠିଆହୋଇ ରହିଲେ ।

 

ପୁରୋହିତ ଏଥର ଯୁବକଟିକୁ ଗଭୀର ଭାବରେ ନିରୀକ୍ଷଣ କଲେ । ମାତ୍ର ଏ କଣ ?

 

ହଠାତ୍‌ ପୁରୋହିତଙ୍କର ସ୍ତୋତ୍ର ବନ୍ଦ ହୋଇଗଲା । ଠିକ୍‌ ଏହିପରି ମୁଖ, ଚକ୍ଷୁ ଓ ନାସିକା ସେ ଯେପରି ଆଉ କେଉଁଠି ଦେଖି ଥିବାପରି ମନେ ହେଲା । ମାତ୍ର ବହୁ ଚେଷ୍ଟାକରି ମଧ୍ୟ ସେ ଯୁବକଟିକୁ ଚିହ୍ନି ପାରିଲେ ନାହିଁ । ଯାହାହେଉ ଥରେ ଯେତେବେଳେ ଧ୍ୟାନ ଭଗ୍ନ ହୋଇଛି ସେତେବେଳେ ଏମାନଙ୍କୁ ବିଦାକରି ଦେଲେ ରକ୍ଷା । ପୁରୋହିତ ବେଲପତ୍ର, ସିନ୍ଦୂର ଥାଳି ଓ ଚରଣୋଦକ ଧରି ଦୁହିଁଙ୍କୁ ହାତ ପାତିବାକୁ କହିଲେ । ପୁରୋହିତ ଯୁବକ ହସ୍ତରେ ଚରଣୋଦକ ଦେବାକୁ ଯାଇ ଚମକି ପଡ଼ିଲେ । ସେ ହଠାତ୍‌ କହି ପକାଇଲେ—ଏଁ, ତୁମେ.....ତୁମେ କିଏ ? ତାପରେ ସେ ଯୁବକର ହସ୍ତଟି ଧରି ତା’ ଆଙ୍ଗୁଠିରେ ଥିବା ମୁଦ୍ରିକାଟିକୁ ଭଲ ଭାବରେ ଦେଖିବାରେ ଲାଗିଲେ ।

 

ଫୁଲରା ପ୍ରକୃତରେ ସେତେବେଳକୁ ଭୟଭୀତ ହୋଇ ପଡ଼ିଥିଲା । ପୁରୋହିତ ଅର୍ଜ୍ଜୁନର ହାତକୁ ଧରି ମୁଦ୍ରିକା ଦେଖୁଥିବାବେଳେ ସେ କହିଲା—ଏମିତି କଣ ଦେଖୁଛୁରେ ଠାକୁର । ଠାକୁରର ପ୍ରସାଦ ଦେ, ଆମେ ଚାଲିଯିବୁ ।

 

ପୁରୋହିତ ଦୀର୍ଘ ନିଶ୍ୱାସ ପକାଇ କହିଲେ—ହଁ, ଚିହ୍ନିଲି । ତାପରେ ଫୁଲରାକୁ କହିଲେ–ଦେଉଛି ମା । ପୁରୋହିତ ଅର୍ଜ୍ଜୁନର ହାତ ଛାଡ଼ି ଦେଲେ ।

 

ଅର୍ଜ୍ଜୁନ ଏତେବେଳେ ଦେବୀଙ୍କ ଥାଳିରୁ ସିନ୍ଦୂର ଆଣି ଫୁଲରାର ମୁଣ୍ଡରେ ଲଗାଇ ଦେଲା ।

 

ଫୁଲରା ଚମକି ପଡ଼ି କହିଲା—ଏ କଣ କଲୁରେ ରାଜା । ମୋର ଜୀବନଟା ନଷ୍ଟ କରିଦେଲୁ । କଣ୍ଠ ତାର ଥରି ଉଠିଲା ।

 

ଅର୍ଜ୍ଜୁନ କି ଭୁଲ୍‌ କଲା କିଛି ବୁଝି ନ ପାରି ତା ମୁହଁକୁ କାତର ଦୃଷ୍ଟିରେ ଚାହିଁଲା ।

 

ଫୁଲରା କାନ୍ଦ କାନ୍ଦ ସ୍ୱରରେ କହିଲା—ଆମ ଜାତିରେ ଯେ ମୁଣ୍ଡରେ ସିନ୍ଦୂର ପିନ୍ଧାଏ ସେ ବର ହୁଏ । ତୁଇ ମୋ ମୁଣ୍ଡରେ ସିନ୍ଦୂର ଲଗାଇ ଦେଲୁ ମୋତେ ଆଉ କେହି ବାହା ହେବେ ନାହିଁ ।

 

ପୁରୋହିତ ସେ ଦୁହିଁଙ୍କ ମୁହଁକୁ ବିସ୍ମୟରେ ଚାହିଁ ରହିଛନ୍ତି । ତାଙ୍କର ଅନୁମାନ ସତ୍ୟରେ ପରିଣତ ହେଲା । ସେ ବୁଝିଲେ ଯେ ଶବର ବେଶଧାରୀ ଯୁବକଟି ପ୍ରକୃତ ଶବର ନୁହେଁ ।

 

ଠିକ୍‌ ଏତିକିବେଳେ ଦୂରରୁ ଶବ୍ଦ ଶୁଭିଲା—ତଫାତ୍‌ ଯାଅ । ରାଜା ଦୁର୍ଜ୍ଜୟ ସିଂହ ଦେବୀ ଦର୍ଶନକୁ ଆସୁଛନ୍ତି ।

 

ପୁରୋହିତ ଚମକି ପଡ଼ି କହିଲେ—ମା ପାଟି ବନ୍ଦ କର, ରାଜା ଦେବୀ ଦର୍ଶନକୁ ଆସୁଛନ୍ତି-। ଏହାପରେ ସେ ଅନ୍ୟ ଉପାୟ ନ ପାଇ ନିଜର ରହିବା ଘରେ ଦୁହିଁଙ୍କୁ ପୂରାଇ ଦେଇ ବାହାରୁ କବାଟ ବନ୍ଦ କରି ଦେଲେ ।

 

ରାଜା ଦୁର୍ଜ୍ଜୟ ସିଂହ ପାରିଷଦ ଗହଣରେ ଆସି ଦେବୀ ଦର୍ଶନ ଶେଷକରି ଫେରିଗଲେ-। ମନ୍ଦିରର ଆରତି ଶେଷ ହେଲା ।

 

ପୁରୋହିତ ଦ୍ୱାର ଖୋଲି ଘର ଭିତରକୁ ଗଲେ ।

 

ଫୁଲରା ପଚାରିଲା—ଠାକୁର, ଆମକୁ ଏପରି ଦୁଆର ବନ୍ଦ କରିଦେଲ କାହିଁକି ?

 

ପୁରୋହିତ ଉତ୍ତର ଦେଲେ ମା’ ତୋପରି କେତେ ଯୁବତୀଙ୍କର ଏ ରାଜ୍ୟରେ ସର୍ବନାଶ ହୋଇଗଲାଣି । ତୁ ଯଦି ଏ ରାଜାର ଦୃଷ୍ଟିରେ ପଡ଼ିଥାଆନ୍ତୁ, ତେବେ ତୋର ମଧ୍ୟ ଆଜି ରକ୍ଷା ନ ଥାନ୍ତା । ତେଣୁ ତା ଗ୍ରାସରୁ ତୋତେ ଉଦ୍ଧାର କରିବା ପାଇଁ ଏହି ଉପାୟ ଅବଲମ୍ବନ କଲି ।

 

ଫୁଲରା ନୀରବ ହେଲା ।

 

ଅର୍ଜ୍ଜୁନ କହିଲା—ଏବେ ଆମକୁ ଛାଡ଼ିଦିଅ, ଆମର ସାଙ୍ଗମାନେ ତେଣେ ଖୋଜୁଥିବେ ।

 

ପୁରୋହିତ ଉତ୍ତର ଦେଲା—ଆଉ ଟିକିଏ ଅପେକ୍ଷା କର । ରାଜା ବୋଧହୁଏ ବର୍ତ୍ତମାନ ମେଳାରେ ବୁଲୁଥିବେ । ସେ ଚାଲିଗଲେ ତୁମେ ନିରାପଦରେ ଏଠାରୁ ଚାଲିଯିବ । ମାତ୍ର ଆଉଦିନେ ଏ ରାଜ୍ୟକୁ ଆସିବ ନାହିଁ ।

 

ଅର୍ଜ୍ଜୁନ ସିଂହ ମଧ୍ୟ ନୀରବ ହେଲା ।

 

ପୁରୋହିତ ପଚାରିଲା—ଆଚ୍ଛା ବାବା, ତୁମ ନାମ କଣ ?

 

ଫୁଲରା ବାସ୍ତବିକ ସେତେବେଳକୁ ଭୟ ପାଇ ଯାଇଥିଲା, ସେ ମନେମନେ ଅନୁମାନ କରି ନେଲା, ଏହି ଭଦ୍ରଲୋକମାନଙ୍କ ଭୟରେ ରାଣୀମା’ ବୋଧହୁଏ ପାହାଡ଼ ତଳକୁ ଯିବା ପାଇଁ ମନା କରିଥିଲେ । ତେଣୁ ଅର୍ଜ୍ଜୁନ ସିଂହ କୌଣସି ଉତ୍ତର ଦେବା ପୂର୍ବରୁ ସେ ତାର ପ୍ରକୃତ ନାମ ଗୋପନ କରି କହିଲା—

 

ୟା ନାଁ ଢେଙ୍କା ଶବର ।

 

ପୁରୋହିତ ମୃଦୁ ମୃଦୁ ହସିଲେ ।

 

ତାପରେ ଅର୍ଜ୍ଜୁନକୁ ପଚାରିଲେ—ତୁମ ବାପାଙ୍କ ନାମ କଣ ?

 

ଅର୍ଜ୍ଜୁନ କଣ କହିବ କିଛି ସ୍ଥିରକରି ପାରିଲା ନାହିଁ । ସମସ୍ତଙ୍କର ବାପା ଅଛନ୍ତି, ତାର ମଧ୍ୟ ଥିବ; ମାତ୍ର ବାପାକୁ ସେ କେବେ ଦେଖି ନାହିଁ । ତେଣୁ ତାଙ୍କର ନାମ ଜାଣିବା ବି ଆବଶ୍ୟକ ପଡ଼ି ନାହିଁ । ପିତୃ ପରିଚୟରୁ ଯେ ଲୋକଙ୍କୁ ପରିଚୟ ଦେବାକୁ ପଡ଼େ ଏହା ମଧ୍ୟ ତାକୁ ଜଣା ନ ଥିଲା ।

 

—ତୁମ ବାପା ଅଛନ୍ତି ?

 

ଅର୍ଜ୍ଜୁନ ମୁଣ୍ଡ ହଲାଇ ମନାକଲା ।

 

ପୁରୋହିତ ଏଥର ତାଙ୍କର ଶେଷ ଅବ୍ୟର୍ଥ ଶର ପ୍ରୟୋଗ କଲେ ।

 

ଅର୍ଜ୍ଜୁନ ହାତର ମୁଦ୍ରିକାଟି ଆଲୋକରେ ଦେଖୁ ଦେଖୁ ପଚାରିଲେ—ଏ ମୁଦ୍ରିକା ତୁମକୁ କିଏ ଦେଲା ?

 

—ମା ।

 

—ମା’ଙ୍କ ନାମ କଣ ?

 

—ଦେବୀ ।

 

ପୁରୋହିତ ଦୁଇହାତ ଯୋଡ଼ି କୌଣସି ଅଜ୍ଞେୟ ଶକ୍ତିଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲେ ।

 

ଫୁଲରା କହିଲା—ଠାକୁର, ଅନ୍ଧାର ହୋଇଗଲାଣି, ଆମେ ଯିବୁ ।

 

ପୁରୋହିତ ଉତ୍ତର ଦେଲେ—ହଁ ଯିବ ମା । ଆଉ ଗୋଟିଏ କାମ ବାକି ରହିଗଲା । ତୁମ ଜାତିରେ ଅଛି—ଅବିବାହିତା ଯୁବତୀ ମୁଣ୍ଡରେ ଯେ ସିନ୍ଦୂର ଲଗାଇ ଦେବ, ସେ ତାର ବର ହେବ । ମାତ୍ର ଏହାଙ୍କ ଜାତିରେ ସେ ସବୁ କିଛି ନାହିଁ । ପୁରୋହିତ ମନ୍ତ୍ରପଢ଼ି, ଦିଅଁଙ୍କୁ ସାକ୍ଷୀରଖି ବିବାହ ଦେଇଥାଏ । ଏଣୁ ବର୍ତ୍ତମାନ ଅର୍ଜ୍ଜୁନ ଯେତେବେଳେ ତୁମ ମୁଣ୍ଡରେ ସିନ୍ଦୂର ପିନ୍ଧାଇ ଦେଲାଣି, ସେତେବେଳେ ସେ ଅନୁଷ୍ଠାନଟା ଆଉ ବାକି ରହିବ କାହିଁକି ?

 

ଅର୍ଜ୍ଜୁନ ଓ ଫୁଲରା ଦୁହେଁ ଏକାବେଳକେ ଚମକି ପଡ଼ିଲେ । ଫୁଲରା ନିଜର ଅବସ୍ଥା ଭୁଲିଯାଇ ପଚାରିଲା—ଠାକୁର, ତୁମେ ଏହାଙ୍କ ନାମ ଜାଣିଲ କେମିତି ?

 

ପୁରୋହିତ କହିଲେ—ମା’ ମୋତେ କଣ ଲୁଚାଇ ପାରିବ ? ଏହି ମୁଦ୍ରିକାରେ ଅର୍ଜ୍ଜୁନର ବାପାଙ୍କ ନାମ ଲେଖାଅଛି । ଅର୍ଜ୍ଜୁନର ବାପା ଏହି ଦେଶର ରାଜାଥିଲେ । ମୁଁ ତାଙ୍କର ପୁରୋହିତ । ଅର୍ଜ୍ଜୁନ ଯେତେବେଳେ ବର୍ଷକର ପିଲା, ସେତେବେଳେ ତାର ମା ତାକୁ ନେଇ ପଳାଇ ଗଲେ । ବର୍ତ୍ତମାନ ସେ କେଉଁଠି କିପରି ଅଛି ମୁଁ ଜାଣି ନାହିଁ । ମୋର ଜାଣିବା ମଧ୍ୟ ଆବଶ୍ୟକ ନାହିଁ । ତୁମେ ମୋଠାରୁ ଖଣ୍ଡିଏ ପତ୍ରନେଇ ଦେବୀକୁ ଦେଲେ ସେ ସବୁ ବୁଝିପାରିବ । ଆସ, ଆଗେ ମୁଁ ତୁମର ବିବାହଟା ସାରିଦିଏ ।

 

ପୁରୋହିତ ଦେବୀଙ୍କୁ ସାକ୍ଷୀକରି କଣଗୁଡ଼ାଏ ମନ୍ତ୍ରପଢ଼ି ଦୁହିଁଙ୍କ ହାତ ବାନ୍ଧିଦେଲେ । ତାପରେ ପୁଣି କଣଗୁଡ଼ାଏ ମନ୍ତ୍ରପଢ଼ି ଦେବୀଙ୍କ ଗଳାରୁ ଦୁଇଟି ଫୁଲମାଳ ଆଣି ଦୁହେଁ ଦୁହିଁଙ୍କୁ ପିନ୍ଧାଇ ଦେବାକୁ କହିଲେ । ସେ କାର୍ଯ୍ୟ ଶେଷ ହେଲାପରେ ଦୁହିଁଙ୍କ ମୁଣ୍ଡରେ ଚନ୍ଦନ ଓ ସିନ୍ଦୂର ପିନ୍ଧାଇ ଦେଇ କହିଲେ—ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କର ।

 

ମନ୍ତ୍ରଚାଳିତ ପରି ଦୁହେଁ ଦେବୀଙ୍କୁ ପ୍ରମାଣ କରି, ପୁରୋହିତଙ୍କୁ ମଧ୍ୟ ପ୍ରଣାମ କଲେ ।

 

ପୁରୋହିତ ସେ ଦୁହିଁଙ୍କ କାନ୍ଧରେ ଦୁଇହାତ ରଖି କହିଲେ—ଆଜିଠାରୁ ତୁମେ ଦୁହେଁ ସ୍ୱାମୀ ସ୍ତ୍ରୀ ହେଲ । ତାପରେ ଫୁଲରାକୁ ଉଦ୍ଦେଶ୍ୟ କରି କହିଲେ—ମା’ ତୁମେ ଶକ୍ତି, ରାଜା ତୁମର ଶିବ । ଭୋଳା ମହେଶ ସେ । ତାଙ୍କୁ କାୟାସଙ୍ଗେ ଛାୟାପରି ଜଗିରହି ଏଣିକି ରକ୍ଷା କରିବ ।

 

ପୁରୋହିତଙ୍କ ନୟନରୁ ଦୁଇଧାର ଲୁହ ବୋହିଗଲା । ସେ ନିଜ ଉତ୍ତରୀୟରେ ଲୋତକ ପୋଛି ଦେଇ କହିଲେ—ମା’ ଏ ପତ୍ରଟି ନେଇ ଦେବୀକୁ ଦେବୁ । ତାପରେ ଏ ରାଜ୍ୟଛାଡ଼ି ଚଞ୍ଚଳ ଚାଲିଯାଅ । ବାଟରେ ଖୁବ୍‌ ସାବଧାନ ସହକାରେ ଯିବ ।

 

ପୁରୋହିତ ତାଙ୍କୁ ଦେବୀଙ୍କ ପ୍ରସାଦ କିଛି ଦେଇ ବିଦାୟ ଦେଲେ ।

 

ଫୁଲରା ପତ୍ରଟି ପଣତ କାନିରେ ବାନ୍ଧି ପୁରୋହିତଙ୍କୁ ପ୍ରଣାମ ଜଣାଇ ଅର୍ଜ୍ଜୁନର ହାତଧରି ପଦାକୁ ବାହାରି ଆସିଲା ।

 

ଏଣେ ଅର୍ଜ୍ଜୁନର ସାଙ୍ଗମାନେ ମେଳାରେ ଅର୍ଜ୍ଜୁନ ଓ ଫୁଲରାକୁ ନ ଦେଖି ଚାରିଆଡ଼େ ଖୋଜାଖୋଜି କଲେ । ରାତ୍ର ପ୍ରାୟ ପ୍ରହରେ ହୋଇଗଲାଣି । ସେ ଦୁହିଁଙ୍କୁ ଛାଡ଼ି ଘରକୁ ଯିବେ କି ନାହିଁ ଚିନ୍ତା କରୁଥିବାବେଳେ ପୋଖରୀ ନିକଟରୁ ଶିଙ୍ଗାନାଦ ଶୁଭିଲା । ଶବର ଯୁବକମାନେ ଶବ୍ଦ ଅନୁସରଣ କରି ସେଠାରେ ଯାଇ ଉପସ୍ଥିତ ହେଲେ ।

 

କୁଆଡ଼େ ଯାଇଥିଲ, ଏତେ ବେଳଯାଏ କେଉଁଠି ଥିଲ ? ପ୍ରଭୃତି ଯୁବକମାନେ ନାନା ପ୍ରଶ୍ନ ପଚାରିଲେ ।

 

ଅର୍ଜ୍ଜୁନ କହିଲା—ରାତି ହୋଇଗଲାଣି । ଏବେ ସମସ୍ତେ ଚଞ୍ଚଳ ଫେରିଚାଲ । ବାଟରେ ସବୁକଥା କହିବି । ପୋଖରୀ ତୁଠରେ ସମସ୍ତେ ଦେବୀଙ୍କ ପ୍ରସାଦ ଖାଇ ପାଣିପିଇ ଆଗକୁ ଚାଲିଲେ ।

 

ଶବର ଯୁବକମାନେ ନଗର ସୀମା ପାରହୋଇ ବନ ପଥରେ ପାଦ ଦେଲେ । ଫୁଲରାର ପୁରୋହିତଙ୍କ କଥା ମନେ ପଡ଼ିଲା । ସେ ସମସ୍ତଙ୍କୁ ଠିଆ କରାଇ କହିଲା ରୁହ । ଏମିତି ଯାଇହେବ ନାହିଁ । ଠାକୁର କହିଛନ୍ତି ସାବଧାନରେ ଯିବାକୁ ହେବ ।

 

ସମସ୍ତେ ତା କଥା ଅନୁସାରେ ସେଠାରେ ଠିଆହୋଇ ପରାମର୍ଶ କରିବାରେ ଲାଗିଲେ । ପ୍ରାୟ ଅଧଘଣ୍ଟା ମଧ୍ୟରେ ସବୁ ଠିକ୍‌ ହୋଇଗଲା । ଯୁବକମାନେ ଲୁଗାପଟା ଭିଡ଼ି କାନ୍ଧରେ ଧନୁଶର ଓ ହାତରେ ବର୍ଚ୍ଛାଧରି ଦଳଦଳ ହୋଇଗଲେ । ଆଗ ଦଳରେ ଚାରିଜଣ ଚାଲିଲେ । ସେମାନଙ୍କର ପ୍ରାୟ ପଚାଶ ହାତ ପଛରେ ଅର୍ଜ୍ଜୁନ ଓ ଚାରିଜଣ ଯୁବକ ରହିଲେ । ଫୁଲରା ଏମାନଙ୍କ ସହିତ ରହିଲା । ସେ ମଧ୍ୟ କମରରେ ଲୁଗାଭିଡ଼ି ହାତରେ ଭାଲାଟାଏ ଧରି ଚାଲିଲା । ତାର ଆଗରେ ଅର୍ଜ୍ଜୁନ ଏବଂ ଦୁଇପାଖରେ ଦୁଇଜଣ ଯୁବକ ଚାଲିଲେ ।

 

ଶୁକୁରୁ ଯୁବକମାନଙ୍କ ମଧ୍ୟରେ ଗଛ ଚଢ଼ାରେ ଓସ୍ତାଦ୍‌ । କଥାହେଲା ସେ ଗଛରେ ଚଢ଼ି ଏ ଗଛ ସେ ଗଛ ହୋଇଯିବ । ଶହେହାତ ଯିବାପରେ ସେ ଚଢ଼େଇ ବୋଇବା ପରି ଶବ୍ଦ କରିବ । ପ୍ରଥମ ଦଳ ତା ଶବ୍ଦକୁ ଅନୁସରଣ କରିଯିବେ । ଦ୍ୱିତୀୟ ଦଳ ତାଙ୍କର ପଚାଶ ହାତ ଦୂରରେ ଯିବେ-। ଯଦି କେଉଁଠି ବିପଦର ସମ୍ଭାବନା ଜଣାପଡ଼େ ତେବେ ଶୁକୁରୁ ଭେରେଣ୍ଡା ପରି ଶବ୍ଦ କରିବ-। ସେ ଶବ୍ଦ ଶୁଣିବା ମାତ୍ରେ ପ୍ରଥମ ଦଳ ସତର୍କତାର ସହିତ ଯାଇ ଶତ୍ରୁକୁ ଆକ୍ରମଣ କରିବେ-। ଯଦି ବିପଦ ବେଶୀ ଗୁରୁତର ବୋଲି ମନେ କରାଯାଏ, ତେବେ ସେ ବାଘପରି ଗର୍ଜ୍ଜନ କରିବ ଏବଂ ପଛରେ ଥିବା ଦଳଯାକ ବୁଦା ଭିତରେ ଆତ୍ମଗୋପନ କରିବେ ।

 

ପ୍ରଥମେ ଶୁକୁରୁ ଗଛରେ ଚଢ଼ି ଚାଲିଲା । ତାଙ୍କ ପଛରେ ସମରୁ ଓ ସବା ପଛରେ ଅର୍ଜ୍ଜୁନ ସିଂହର ଦଳ ଚାଲିଲେ । କେତେବାଟ ଯିବାପରେ ଶୁକୁରୁ ଦେଖିଲା ଯେ ସଡ଼କ ପାଖ ବୁଦାରେ କେତେଜଣ ଲୋକ କଣ ଫୁସ୍‌ଫାସ ହେଉଛନ୍ତି । ମନରେ ତାର ସନ୍ଦେହ ହେଲା । ସେ ଗଛ ଉପରେ ବସି ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଚେଷ୍ଟାକଲା । ମାତ୍ର କିଛି ବୁଝି ପାରିଲା ନାହିଁ ।

 

ଶୁକୁରୁଠାରୁ କୌଣସି ସଙ୍କେତ ନ ପାଇ ଆଗ ଦଳଟି ଗତି ବନ୍ଦ କରିଦେଲେ । ଏଣେ ପଛଦଳଟି ଧୀରେ ଧୀରେ ଯାଇ ସେମାନଙ୍କ ସହିତ ମିଳିତ ହେଲେ ।

 

ଶୁକୁରୁ ଆଗପଛ ଏପାଖ ସେପାଖ ହୋଇ ଅନୁମାନ କରିନେଲା ଯେ ବହୁତ ଲୋକ ସେଠାରେ ଲୁଚି ବସିଛନ୍ତି । ସେ ଆଉ କାଳ ବିଳମ୍ବ ନ କରି ସଡ଼କରୁ ଟିକିଏ ଦୂରକୁ ଯାଇ ବାଘପରି ଗର୍ଜ୍ଜନ କଲା । ତାର ଶବ୍ଦ ଶୁଣି ଦଳର ଲୋକମାନେ ବୁଦା ଭିତରେ ଲୁଚିଗଲେ । ଏଣେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନଙ୍କ ମନରେ ଭୟ ଜାତହେଲା । ସଡ଼କର ଦୁଇ ପାଖରେ ଲୁଚିଥିବା ଲୋକେ ଆସି ସଡ଼କରେ ଏକଜୁଟ ହେଲେ । ଶୁକୁରୁ ଦେଖିଲା—ସେମାନଙ୍କ ସଂଖ୍ୟା ପ୍ରାୟ କୋଡ଼ିଏ । ସେମାନଙ୍କ ମଧ୍ୟରୁ ଜଣେ ଲୋକ କହିଲା—କାହିଁ, ଏତେବେଳଯାଏତ କେହି ଆସିଲେ ନାହିଁ ? ଆଉ ଜଣେ ଉତ୍ତର ଦେଲା—ସେମାନେ ଘରୁ ବାହାରିବା ପରେ ଆମର ଲୋକ ଆସି ସମ୍ବାଦ ଦେଲା । ବାଟରେତ ଘର ଗ୍ରାମ କିଛି ନାହିଁ, କେଉଁଠି ରହିବେ ? ବୋଧହୁଏ ବେହେରାମାନେ ବାଟରେ ବିଶ୍ରାମ ନେଇଛନ୍ତି । ଏହି ଅଳ୍ପ ସମୟ ଭିତରେ ପହଞ୍ଚି ଯିବେ । ଆଉ ଜଣେ ଲୋକ କହିଲା—ତେଣେ ରାଜାର ଭୟ ଏଣେ ବାଘର ଭୟ । ଆମେ ଏବେ କଣ କରିବା-? ଅନ୍ୟ ଜଣକ ଉତ୍ତର ଦେଲା—ବାଘ କାମୁଡ଼ା ଅପେକ୍ଷା ରାଜାଙ୍କ ଘୋଷଡ଼ା ଗୁରୁତର-। ଯାଅ ଆଉ ପାଟି ତୁଣ୍ଡ କର ନାହିଁ ।

 

ଠିକ୍‌ ଏତିକିବେଳେ ଦୂରରେ ଏକ କ୍ଷୀଣ ଆଲୋକରେଖା ଦେଖା ଦେଲା । ଲୋକମାନେ ଦୁଇଭାଗ ହୋଇଯାଇ ବୁଦା ଭିତରେ ଲୁଚିଗଲେ ।

 

ଶୁକୁରୁ ଏ ସମସ୍ତେ ଶୁଣି ଗଛରେ ଗଛରେ ପଛକୁ ଫେରିଲା । କେତେଦୂର ଯିବାପରେ ସେ ଏକ ସାଙ୍କେତିକ ଶବ୍ଦକଲା । ପାଖ ବୁଦାରୁ ମଧ୍ୟ ସାଙ୍କେତିକ ଶବ୍ଦ ଶୁଭିଲା ।

 

ଶୁକୁରୁ ଗଛର ତଳ ଡାଳକୁ ଓହ୍ଲାଇ ଆସି ମୃଦୁ କଣ୍ଠରେ ଡାକିଲା ସମରୁ ?

 

ଅନ୍ଧକାରରେ ବୁଦା ଭିତରୁ ଉତ୍ତର ଆସିଲା—ହଁ, ଖବର କଣ ?

 

ଶୁକୁରୁ ତଳକୁ ଓହ୍ଲାଇଲା । ସମସ୍ତେ ଆସି ଏକତ୍ରିତ ହେଲେ ।

 

ଶୁକୁରୁ ଯାହା ଶୁଣିଥିଲା, ସମସ୍ତ ଗୋଟି ଗୋଟି ସେମାନଙ୍କ ନିକଟରେ ବର୍ଣ୍ଣନା କଲା । ଅର୍ଜ୍ଜୁନ କହିଲା—ତୁ ଗଛ ଉପରକୁ ଯାଇ ପ୍ରକୃତରେ କିଏ ଆସୁଛି କି ନାହିଁ ଦେଖ ।

 

ଶୁକୁରୁ ଗଛରେ ଚଢ଼ି ଅଳ୍ପ ସମୟ ପରେ ଫେରିଆସି କହିଲା—ଆଉ ଦଳେ ଲୋକ ମସାଲ ଜାଳି ଆସୁଛନ୍ତି । ସେମାନଙ୍କ ସହିତ ଗୋଟିଏ ସବାରି ମଧ୍ୟ ଅଛି ।

 

ସମରୁ କହିଲା—ମୋର ମନେହୁଏ ଏମାନେ ବୋଧହୁଏ ଡକାୟତ ଦଳ । ସେମାନଙ୍କ ଆସିବା ଖବର ପାଇ ଲୁଟି କରିବା ପାଇଁ ଲୁଚି ବସିଛନ୍ତି ।

 

ଅର୍ଜ୍ଜୁନ କହିଲା—ତାଙ୍କୁ ଏ ବିପଦରେ ସାହାଯ୍ୟ କରିବା ଆମର ଏକାନ୍ତ ଉଚିତ । ଶୁକୁରୁ, ତୁ ଯାଇ ସେମାନଙ୍କ ପାଖରେ ଚଢ଼େଇ ପରି ବୋବାଇବୁ । ଆମେ ଧୀରେ ଧୀରେ ଯାଉଛୁ-। ତୋ ଶବ୍ଦ ଶୁଣିଲେ ଆମେ ବନ୍ଦ ହୋଇଯିବୁ । ତୁ ଗଛ ଉପରେ ରହି କଣ ଘଟୁଛି ଦେଖ-। ଆମେ ମଧ୍ୟ ଏଣେ ପ୍ରସ୍ତୁତ ହୋଇ ରହିଲୁ । ଆବଶ୍ୟକ ଅନୁସାରେ କାମ କରିବା ।

 

ସମସ୍ତେ ତା କଥାରେ ଏକମତ ହେଲେ । ଶୁକୁରୁ ଗଛର ଡାଳେ ଡାଳେ ଚାଲିଲା । ଏଣେ ଅର୍ଜ୍ଜୁନ ସିଂହ ଦଳ ସଡ଼କରେ ନ ଯାଇ ବୁଦା ଭିତରେ ଲୁଚି ଲୁଚି ଚାଲିଲେ ।

 

ଅଳ୍ପବାଟ ଯିବାପରେ ଚଢ଼େଇ ବୋବାଇବାର ଶବ୍ଦ ଶୁଭିଲା । ଅର୍ଜ୍ଜୁନ ସିଂହର ଦଳ ସେହିଠାରେ ରହି ଦୁଇ ଭାଗରେ ବିଭକ୍ତ ହୋଇଗଲେ । ସମରୁ ଦଳଟି ଧୀର ଭାବରେ ରାସ୍ତା ଅତିକ୍ରମ କରି ଆରପାଖର ଚାଲିଗଲେ । ଅର୍ଜ୍ଜୁନର ଦଳ ଏ ପାଖରେ ରହି ପ୍ରସ୍ତୁତ ହେବାରେ ଲାଗିଲେ ।

 

ପ୍ରାୟ ଘଡ଼ିଏ ଦୁଇଘଡ଼ି ବିତିଯିବା ପରେ ମଶାଲ ଆଲୋକ ଦେଖାଗଲା । ଅର୍ଜ୍ଜୁନ ଓ ସମରୁର ଦଳ ଉଙ୍କିମାରି ଦେଖିଲେ ଯେ କେତେଜଣ ଲୋକ ଆସୁଛନ୍ତି । ଆଗ ଓ ପଛରେ ଦୁଇଟି ମସାଲ । ଚାରିଜଣ ଲୋକ ଗୋଟିଏ ସବାରି କାନ୍ଧରେ ଧରି ଚାଲିଛନ୍ତି ।

 

ଅର୍ଜ୍ଜୁନ ସିଂହ ପ୍ରଭୃତି ଯେଉଁଠି ଲୁଚିଥିଲେ ତାର ଅଳ୍ପ ଦୂରରେ ସବାରି ପହଞ୍ଚିବା ମାତ୍ରେ ହଠାତ୍‌ ରାସ୍ତାର ଦୁଇ ପାଖରୁ କେତେକ ଲୋକ ବାହାରି ଆସି ସେମାନଙ୍କୁ ଆକ୍ରମଣ କଲେ । ବାହକମାନେ ତଳେ ସବାରି ଥୋଇ ଦେଇ ସାଙ୍ଗରେ ଥିବା ଲୋକମାନଙ୍କ ସହିତ ସବାରି ଚାରିପାଖରେ ଘେରିଯାଇ ଆତ୍ମରକ୍ଷା କରିବାରେ ଲାଗିଲେ ମାତ୍ର ସେମାନଙ୍କ ସଂଖ୍ୟା ଖୁବ୍‌ କମ୍‌ ଥିବାରୁ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରି ପାରିଲେ ନାହିଁ ।

 

ଆକ୍ରମଣକାରୀଙ୍କ ମଧ୍ୟରୁ କିଏ ଜଣେ କହିଲା—ତୁମକୁ ମାରିବା ଆମର ଉଦ୍ଦେଶ୍ୟ ନୁହେଁ-। ତୁମେ ତଫାତ୍‌ ଯାଅ । ସବାରୀରେ ଯେଉଁ ଲୋକଟି ଅଛି, ଆମେ ତାକୁ ହିଁ ନେବାକୁ ଆସିଛୁ-

 

ସବାରୀ ରକ୍ଷକମାନେ ସେ କଥାରେ କର୍ଣ୍ଣପାତ ନକରି ଆତ୍ମରକ୍ଷା କରିବାରେ ଲାଗିଲେ-। ବନପଥ । କାହାରିଠାରୁ ସାହାଯ୍ୟର ମଧ୍ୟ ଆଶା ନାହିଁ ।

 

ଦୁର୍ଯ୍ୟୋଗକୁ ଆକ୍ରମଣକାରୀଙ୍କ ଆଘାତରେ ସବାରୀ ସହିତ ଆସିଥିବା ଲୋକମାନଙ୍କର ଘାଟୀ ରଖୁଆଳ ଆହତ ହୋଇ ତଳେ ପଡ଼ିଗଲା । ଅନ୍ୟ ଲୋକମାନେ ଯିଏ, ଯେଉଁଆଡ଼େ ପାରିଲେ ପଳାଇଗଲେ ।

 

ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଲୋକଯାଇ ସବାରୀ ଦୁଆର ଖୋଲି ଜଣେ ଅପୂର୍ବ ରୂପବତୀ ଯୁବତୀକୁ ପଦାକୁ ଟାଣି ଆଣିଲା । ଯୁବତୀଟି କଣ କରିବ, କିଛି ଉପାୟ ନପାଇ କେବଳ ଭୟରେ ଥରିବାକୁ ଲାଗିଛି । ସେମାନଙ୍କ ଭିତରୁ ଜଣେ କହିଲା—ବେଶ ଖାସା ମାଲଟିଏ । ରାଜା ଦେଖିଲେ ଖୁସି ହୋଇଯିବେ ।

 

ଲୋକଟିର କଥା ଶେଷ ହେବା ପୂର୍ବରୁ ପାଖ ବୁଦାରୁ ଚଢ଼େଇ ବୋବାଇବାର ଶବ୍ଦହେଲା । ତା ପରେ ପରେ ସନସନ ଶବ୍ଦ କରି ତୀରଗୁଡ଼ିଏ କେଉଁଠୁ ଛୁଟି ଆସିଲା ।

 

ଏଭଳି ଅତର୍କିତ ଆକ୍ରମଣ ପାଇଁ ଲୋକମାନେ ଆଦୌ ପ୍ରସ୍ତୁତ ନଥିଲେ । ତୀର ବାଜି ଚାରି ଛଅଜଣ ଲୋକ ଆହତ ହେଲେ । ଅନ୍ୟମାନେ ଯୁବତୀକୁ ଛାଡ଼ି ପ୍ରାଣ ବିକଳରେ କିଏ କୁଆଡ଼େ ପଳାଇଗଲେ ।

 

ଅର୍ଜ୍ଜୁନ ସିଂହ ବ୍ୟତୀତ ଅନ୍ୟ ଯୁବକମାନେ ଆସି ମଶାଲ ଜାଳି ଚାରି ପାଖରେ ଭଲ ଭାବରେ ଦେଖି ନେଲେ । କେହି କୁଆଡ଼େ ନାହାନ୍ତି । ତାପରେ ସେମାନଙ୍କ ଇଙ୍ଗିତପାଇ ଅର୍ଜ୍ଜୁନ ଓ ଫୁଲରା ଆସି ଘଟଣା ସ୍ଥଳରେ ପହଞ୍ଚିଲେ ।

 

ଯୁବତୀଟି ଅଚେତ ଅବସ୍ଥାରେ ତଳେ ଶୋଇଛି । ତା ନିକଟରେ ତାଙ୍କ ଦଳର କେତୋଟି ଲୋକ ମରି ପଡ଼ିଛନ୍ତି ।

 

ଅର୍ଜ୍ଜୁନ କହିଲା—ଆଉ ବିଳମ୍ବ କର ନାହିଁ । ସେମାନେ ହୁଏତ ବେଶୀ ଲୋକ ସଂଗ୍ରହ କରି ପୁଣି ଫେରି ଆସିବେ ! ଏ ନାରୀଟିକୁ ସବାରୀରେ ପୂରାଇ ଦୁଇଜଣ ସବାରୀ କାନ୍ଧେଇ ଚାଲ ।

 

ଅର୍ଜ୍ଜୁନର କଥା ଅନୁସାରେ ଶୁକୁରୁ ପୁଣି ଗଛରେ ଚଢ଼ି ଆଗେ ଆଗେ ଚାଲିଲା । ଶବର ଯୁବକମାନେ ଆଉ ଦୁଇଦଳ ନ ହୋଇ ଗୋଟିଏ ଦଳରେ ସବାରୀ କାନ୍ଧେଇ ଚାଲିଲେ ।

 

ଏ ଘଟଣା ପୁଣି ଅଠର ବର୍ଷ ପଛକୁ ଫେରି ଯିବାକୁ ପଡ଼ୁଛି । କାରଣ ସେଦିନର ଚତୁର୍ଦ୍ଦଶ ବର୍ଷିୟ କିଶୋର ଦୁର୍ଜ୍ଜୟ ସିଂହ ଆଜି ବତିଶ ବର୍ଷର ଯୁବକ ।

 

ଦେବୀ ଲୁଚି ଚାଲି ଆସିବା ପରେ ରାଣୀ ମାୟାଦେବୀ ଦୀର୍ଘଦିନ ଧରି ତାକୁ ଖୋଜାଖୋଜି କରିଥିଲେ । ମାତ୍ର କୌଣସିଠାରେ ସନ୍ଧାନ ପାଇଲେ ନାହିଁ । ପର ଦିବସର ରାତ୍ରରେ ଜଗନ୍ନାଥ ରାଜ୍ୟ ଛାଡ଼ି ଚାଲି ଯାଉଥିବାବେଳେ ରାଣୀଙ୍କର ଲୋକମାନେ ଘୋଡ଼ାଟାପୁର ଶବ୍ଦ ଜାଣି ତୀର ନିକ୍ଷେପ କରିଥିଲେ । ତୀର ଆଘାତରେ ଘୋଡ଼ାଟି ଭୂମିରେ ପଡ଼ି ଯାଇଥିଲା । ମାତ୍ର ଜଗନ୍ନାଥ ଘୋଡ଼ାରୁ ଡେଇଁ ଆତ୍ମରକ୍ଷା କରିଥିଲା । ତାପରେ ବିପଦର ସମ୍ଭାବନା ଜାଣି ଘୋଡ଼ାଟିକୁ ପାହାଡ଼ ଖାତକୁ ଠେଲିଦେଇ ନିଜେ ଏକ ବୁଦାରେ ଆତ୍ମଗୋପନ କରି ପରେ ନିଜ ବାଟରେ ଚାଲି ଯାଇଥିଲା ।

 

ରାଣୀଙ୍କର ଲୋକମାନେ ମଶାଲ ଜାଳି ଘଟଣାସ୍ଥଳକୁ ଆସିଥିଲେ । ମାତ୍ର ସେଠାରେ କେବଳ ଗୁଡ଼ାଏ ରକ୍ତ ବ୍ୟତୀତ ଆଉ କିଛି ଦେଖିବାକୁ ପାଇ ନ ଥିଲେ । ପାହାଡ଼ ଖାତରେ ଶବ୍ଦଶୁଣି ସେଦିନ ରାତିରେ ସେମାନେ ଫେରି ଯାଇଥିଲେ ।

 

ପରଦିନ ସକାଳୁ ଆସି ସେମାନେ ପାହାଡ଼ ଖାତରେ ଅନୁସନ୍ଧାନ କରିଥିଲେ । ସେଠାରେ ମଧ୍ୟ କେତେକ ରକ୍ତ ଓ ବାଘର ପାଦଚିହ୍ନ ବ୍ୟତୀତ ଆଉ କିଛି ଦେଖିବାକୁ ପାଇ ନଥିଲେ-। ଅବଶେଷରେ ସେମାନେ ସ୍ଥିର କରିନେଲେ ଯେ ରାତିରେ ବାଘ ବୋଧହୁଏ ଆରୋହୀ ଓ ଘୋଟକକୁ ନେଇ ଯାଇଛି ।

 

ରାଣୀ ମାୟାଦେବୀ ତାହାହିଁ ବିଶ୍ୱାସ କଲେ ।

 

ଏଣିକି ସେ ଦେବୀ ବିଷୟ ଭୁଲିଯାଇ ରାଜ୍ୟ ଶାସନରେ ମନ ଦେଲେ ।

 

ପାତ୍ର ମିତ୍ରମାନଙ୍କର ତୋଷାମଦ ଏବଂ ଐଶ୍ୱର୍ଯ୍ୟରେ ଭୋଳ ହୋଇ ମାୟାଦେବୀ କ୍ରମେ ସମସ୍ତ କିଛି ଭୁଲି ଯିବାରେ ଲାଗିଲେ । ତରୁଣ ଦୁର୍ଜ୍ଜୟ ସିଂହ ଉପରେ ରାଣୀଙ୍କର ଯେଉଁ ଟିକିଏ ଦୃଷ୍ଟି ଓ ଶାସନ ଥିଲା ତାହା ଅପସରି ଯିବାରୁ ସେ ଅଧିକ ସ୍ୱେଚ୍ଛାଚାରୀ ହୋଇ ପଡ଼ିଲା ।

 

ଦୁର୍ଜ୍ଜୟ କ୍ରମେ ଯୌବନରେ ପଦାର୍ପଣ କଲା । ଏହି ସମୟରେ ତାକୁ ଶାସନ କରିବାକୁ କେହି ନାହିଁ । ତେଣୁ ସେ ନଅରର ଦାସୀମାନଙ୍କ ସହିତ ପ୍ରଣୟାସକ୍ତ ହୋଇପଡ଼ିଲା ।

 

କଥାରେ ଅଛି, ବାଘ ଥରେ ନର ରକ୍ତର ସ୍ୱାଦ ପାଇଲେ ସେ ଯେପରି ଅନ୍ୟ ଶିକାରକୁ ମନ ବଳାଏ ନାହିଁ, ସେହିପରି ଯେ ନାରୀମାଂସର ସ୍ୱାଦ ପାଏ ସେ ବାଧା ନ ପାଇବାଯାଏ ଦିନ ରାତି କେବଳ ସେହି ଚିନ୍ତାରେ ନିଜକୁ ବୁଡ଼ାଇ ରଖେ । ଦୁର୍ଜ୍ଜୟ ସିଂହ ଜୀବନରେ ଠିକ୍‌ ତାହାହିଁ ଘଟିଲା । କୌଣସିଠାରୁ ବାଧା ପାଇବାର ସମ୍ଭାବନା ନ ଦେଖି ସେ ଦିନକୁ ଦିନ ଅତି ଉତ୍ସୃଙ୍ଖଳ ହୋଇପଡ଼ିଲା । ନଅରର ଦାସୀମାନଙ୍କ ପରେ ତାର ଦୃଷ୍ଟି ବାହାରେ ଯାଇ ପଡ଼ିଲା । ସେ ଦିନକୁ ଦିନ ନୂଆ ନୂଆ ନାରୀମାଂସ ଶିକାରରେ ମନ ବଳାଇଲା । ଏତେବେଳେ ତାର ବହୁ ସାଙ୍ଗ ସାଥୀ ମଧ୍ୟ ମିଳିଗଲେ । ଘଟଣା କ୍ରମେ ଏତେଦୂର ଅଗ୍ରସର ହେଲା ଯେ ଶେଷରେ ତାହା ରାଣୀଙ୍କର କର୍ଣ୍ଣଗୋଚର ହେଲା ମାତ୍ର ସେତେବେଳକୁ ଉପାୟ ନାହିଁ । ଲଗାମହୀନ ଘୋଡ଼ାପରି ଦୁର୍ଜ୍ଜୟ ବହୁ ଦୂରକୁ ଚାଲି ଯାଇଥିଲା ।

 

ରାତ୍ରର ତୃତୀୟ ପ୍ରହରବେଳକୁ ଅର୍ଜ୍ଜୁନ ସିଂହର ଦଳ କପିଳାସ ପାହାଡ଼ ଉପରେ ଆସି ପହଞ୍ଚିଲେ, ସେତେବେଳକୁ ସମସ୍ତେ କ୍ଳାନ୍ତ ।

 

ଏତେ ରାତିଯାଏ ଅର୍ଜ୍ଜୁନ ନ ଫେରିବାରୁ ଦେବୀ ଚିନ୍ତିତ ମନରେ ଦୁଆର ବନ୍ଧରେ ବସି ରହିଛି । ସର୍ଦ୍ଦାର ତାକୁ କହୁଛି—ରାଣୀ ମା’ ତୁ ଥୟ ଧର । ଏତେଗୁଡ଼ାଏ ଭେଣ୍ଡିଆ ଯେତେବେଳେ ଯାଇଛନ୍ତି, ସେତେବେଳେ କୌଣସି ବିପଦ ଆପଦ ପଡ଼ିଥିଲେ ନିଶ୍ଚୟ କେହି ଆସି ଖବର ଦେଇ ଥାଆନ୍ତେ । ତୁ ଚିନ୍ତା କରନା’, ଆମର ଲୋକମାନେ ଖୋଜିବାକୁ ଯାଇଛନ୍ତି, ବର୍ତ୍ତମାନ ଫେରି ଆସିବେ ।

 

ଠିକ୍‌ ଏତିକିବେଳେ ଅର୍ଜ୍ଜୁନ ସିଂହ ଓ ତାର ସାଙ୍ଗ ସାଥୀମାନେ ଆସି ପହଞ୍ଚିଲେ । ସେମାନଙ୍କ ସହିତ ସବାରୀ ଦେଖି ଦେବୀ ଚମକି ପଡ଼ି ପଚାରିଲା—ଏ କଣ ? ୟାକୁ କେଉଁଠୁ ଆଣିଲ ?

 

ଅର୍ଜ୍ଜୁନ କହିଲା—ମା’ ତା ଭିତରେ କ’ଣ ଅଛି ଆଗ ଦେଖ । ତୋତେ ସବୁକଥା କହିବି-

 

ଦେବୀ ବିସ୍ମୟରେ ଅବିଭୂତ ହୋଇ ସବାରୀ ନିକଟକୁ ଯାଇ ଦୁଆର ଖୋଲିଦେଲା । ଦେଖିଲା ଯେ ତା ଭିତରେ ଜଣେ ଯୁବତୀ ଭୟରେ ଥରିବାରେ ଲାଗିଛି ।

 

ଦେବୀ ଚିତ୍କାର କରି ଉଠିଲା—ଅର୍ଜ୍ଜୁନ ! ତୁ ଏ କାହାର ଝିଅକୁ ଧରି ଆଣିଛୁ ? କାହିଁକି ବା ଆଣିଛୁ ? ତୁ କଣ ଏହା ଭିତରେ ଏତେ ଉତ୍ସୃଙ୍ଖଳ ହୋଇଗଲୁଣି ?

 

ଦେବୀର ସେ ଚିତ୍କାରରେ ସମସ୍ତେ ଚମକି ପଡ଼ିଲେ । ମାତ୍ର ଏକା ଫୁଲରା ତା ନିକଟକୁ ଯାଇ କହିଲା—

 

ନାଁ ରାଣୀ ମା’, ୟାକୁ ଡକାୟତମାନେ ଲୁଟିକରି ନେଇ ଯାଉଥିଲେ । ଆମେ ସେମାନଙ୍କ ହାତରୁ ଉଦ୍ଧାର କରିନେଇ ଆସିଛୁ ।

 

ଦେବୀ ଆଶ୍ୱସ୍ତ ହେଲା ।

 

ଅର୍ଜ୍ଜୁନ ଯୁବତୀଟିର ଉଦ୍ଧାର କାହାଣୀ ମା’ ଆଗରେ ବର୍ଣ୍ଣନା କଲା ।

 

ଦେବୀ ସବାରୀ ଭିତରକୁ ହାତ ବଢ଼ାଇ କହିଲା—ଆ’ ମା’, ତୋର କିଛି ଭୟ ନାହିଁ । ମୁଁ କାଲି ତୋ ଘରକୁ ତୋତେ ପଠାଇ ଦେବି । ତୋର କେହି କିଛି ଅନିଷ୍ଟ କରିବେ ନାହିଁ ।

 

ଯୁବତୀଟି ଦେବୀଠାରୁ ଆଶ୍ୱାସନା ପାଇ ସବାରୀରୁ ବାହାରି ଆସି ତା ଗୋଡ଼ତଳେ ପଡ଼ିଯାଇ କହିଲା—ମା’ ମୋତେ ରକ୍ଷାକର ।

 

ଦେବୀ ତାର ଦୁଇହାତ ଧରି କୋଳକୁ ଆଉଜେଇ ନେଇ କହିଲା—ମା’ ତୋର କିଛି ଭୟ ନାହିଁ । ତୁ ନିରାପଦ ସ୍ଥାନରେ ଆସି ପହଞ୍ଚିଛୁ । ମାତ୍ର ତୋର ଏପରି ଦୁର୍ଦ୍ଦଶା କିଭଳି ହେଲା ?

 

ଯୁବତୀଟି ଯାହା କହିଲା—ତାର ସାର ମର୍ମ ହେଉଛି—ତାର ବାପା ଜଣେ ଗୌନ୍ତିଆ । ପ୍ରଜାଙ୍କଠାରୁ ଖଜଣା ଅସୁଲ କରିବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ । ସେଠାରେ ସେ ଅସୁଖ ହୋଇ ପଡ଼ିଥିବା ଖବର ପାଇ ଯାଉଥିବା ବେଳେ ଦଳେ ଡକାୟତ ଆକ୍ରମଣ କରି ତାକୁ ନେଇଯିବାକୁ ବସିଥିଲେ । ମାତ୍ର ଏମାନେ ପହଞ୍ଚି ତାଙ୍କ ହାତରୁ ଉଦ୍ଧାର କରିନେଇ ଆସିଛନ୍ତି ।

 

ଦେବୀ ଯୁବତୀଟିକୁ ସଙ୍ଗରେ ନେଇଗଲା । ସେଦିନ ରାତ୍ର ଅଧିକ ହୋଇ ଯାଇଥିବାରୁ ସମସ୍ତେ ନିଜ ନିଜ ଘରକୁ ଯାଇ ଶୋଇଲେ । ଫୁଲରା ମଧ୍ୟ ଯାଇ ଦେବୀ ପାଖରେ ଶୋଇଲା ।

 

ପର ଦିବସର ପ୍ରଭାତ ହେବା ସଙ୍ଗେ ସଙ୍ଗେ ଫୁଲରା ବିଛଣାରୁ ଉଠି ଦେଖିଲା ଯେ ବେଳ ବହୁତ ହୋଇଗଲାଣି । ରାଣୀମା’ ଉଠି ବାହାରେ ବସିଛନ୍ତି । କାଲି ରାତିର ଅପହୃତା ଯୁବତୀଟି ମଧ୍ୟ ବସିଛି । ପଲ୍ଲୀରେ ଯେତେ ଯୁବକ ଯୁବତୀ ବୃଦ୍ଧ ଓ ବୃଦ୍ଧାଥିଲେ ସମସ୍ତେ ଆସି ଏକତ୍ରିତ ହୋଇଛନ୍ତି । ଦେବୀ ଗତ ଦିବସର ସମସ୍ତ ବିବରଣୀ ବୁଝୁଛି ।

 

କାଲି ସାରା ଦିବସ କ୍ଳାନ୍ତି ଯୋଗୁଁ ଫୁଲରା ଟିକିଏ ବେଶୀ ସମୟ ଶୋଇ ପଡ଼ିଥିଲା । ସେ ତରବରରେ ଉଠି ଘରୁ ବିଛଣା ଉଠାଇ, ଝାଡ଼ୁଦେଇ ଠିଆ ହୋଇଗଲା ବେଳକୁ ତାର ଚିଠି କଥା ମନେ ପଡ଼ିଗଲା । ଫୁଲରା ପଣତକାନି ଦେଖିଲା ଯେ ଚିଠିଟି ଠିକ୍‌ ବନ୍ଧାଯାଇଛି । ଗତ ରାତ୍ରରେ ଏସବୁ ଗଣ୍ଡଗୋଳ ଯୋଗୁଁ ସେ ରାଣୀମା’ଙ୍କୁ ଚିଠିଟି ଦେବାକୁ ଭୁଲି ଯାଇଥିଲା । ଫୁଲରା ପଣତ କାନିର ଗଣ୍ଠିଖୋଲି ଚିଠିଟି ନେଇ ରାଣୀମା’ଙ୍କ ହାତରେ ଦେଲା ।

 

ଦେବୀ କଥାବାର୍ତ୍ତା ବନ୍ଦକରି ପ୍ରଥମେ ଚିଠିଟି କଣ ବୋଲି ପଢ଼ି ବସିଲା । ତାପରେ ଗାଲରେ ହାତଦେଇ ଉପରକୁ ଅନାଇ କେତେ ସମୟ କଣ ଚିନ୍ତା କରିବାରେ ଲାଗିଲା ।

 

ଉପସ୍ଥିତ ଲୋକମାନଙ୍କ ଆଲୋଚନା ବନ୍ଦ ହୋଇଗଲା । କେତେ ସମୟ ପରେ ଦେବୀ ଦୀର୍ଘ ନିଶ୍ୱାସ ତ୍ୟାଗକରି ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇ କହିଲା—ଈଶ୍ୱର ତୁମରି ଇଚ୍ଛା ପୂର୍ଣ୍ଣ ହେଉ ।

 

ଘଟଣା କଣ ଜାଣିବା ପାଇଁ ସମସ୍ତେ ଉଦ୍‌ବିଘ୍ନ ଚିତ୍ତରେ ଚାହିଁ ରହିଛନ୍ତି । ଦେବୀ କିଛି ନକହିବାରୁ ସର୍ଦ୍ଦାର ପଚାରିଲା—ରାଣୀ ମା’ ଖବର କଣ ? ତୁ ଏମିତି ହୋଇଗଲୁ କାହିଁକି ?

 

ଦେବୀ ପୁଣି ଥରେ ଦୀର୍ଘ ନିଶ୍ୱାସ ପକାଇ କହିଲା—ଆମର ରାଜ ପୁରୋହିତ ଯେଉଁ ଚିଠିଟି ଦେଇଛନ୍ତି ତାହା ପଢ଼ୁଛି । ତାପରେ ତୁମେ ସମସ୍ତେ ବସି ଯାହା ଠିକ୍‌ କରିବ ।

 

ଦେବୀ ଚିଠିଟି ପଢ଼ିଲା । ତହିଁରେ ଲେଖାଥିଲା—

 

ମା ଦେବୀ,

 

ଆଜି ତୋର ଖବର ପାଇ ବିଶେଷ ଆନନ୍ଦିତ ହେଲି । ତୁ ଯିବା ଦିନଠାରୁ ଏ ଅଠର ବର୍ଷ ଯେ କିପରି କଟିଛି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ମୋର କେବଳ ଦୃଢ଼ ବିଶ୍ୱାସ ଥିଲା ଯେ ଯେଉଁଠି ହେଉ ତୁ ତୋ ଶିଶୁପୁତ୍ର ସହିତ ମଙ୍ଗଳରେ ଅଛୁ । ଆଜି ମହାରାଜାଙ୍କର ଅଙ୍ଗୁରୀୟ ଅର୍ଜ୍ଜୁନ ହାତରେ ଦେଖି ମୁଁ ପ୍ରଥମେ ତାକୁ ଚିହ୍ନିଲି । ତାପରେ ତାଠାରୁ ତୋର ସମସ୍ତ ଖବର ଜାଣି ପାରିଲି । ପୁଅକୁ ବଞ୍ଚାଇ ରଖିବା ପାଇଁ ତୁ ଯେ କି କଷ୍ଟରେ ଚଳୁଛୁ ତାହା ଅର୍ଜ୍ଜୁନର ବେଶ ପୋଷାକରୁ ଜାଣି ପାରୁଛି । ଯାହାହେଉ ମା’ ମୁଁ ନିଜ ହାତରେ ତୋର ବିବାହ ଦେଇଥିଲି । ପୁଣି ଆଜି ତୋର ପୁତ୍ରର ବିବାହ ଦେବାର ସୌଭାଗ୍ୟ ଲାଭ କଲି । ଅର୍ଜ୍ଜୁନ ସଙ୍ଗରେ ଯେଉଁ ଝିଅଟି ଆସିଥିଲା ତାକୁ ଦେଖି ମୋର ମନେ ହେଲା—ସେ ସ୍ୱୟଂ ଶକ୍ତି ଏବଂ ଅର୍ଜ୍ଜୁନ ଶିବ । ଶକ୍ତି ବିନା ଶିବ ଶବତୁଲ୍ୟ । ଏ କନ୍ୟାଟି ଯଦି ଅର୍ଜ୍ଜୁନ ସହିତ ନ ରହିବ, ତେବେ ତାର କୌଣସି ମୂଲ୍ୟ ନାହିଁ । ଏଣୁ ଦେବୀଙ୍କୁ ସାକ୍ଷୀରଖି ମୁଁ ତାଙ୍କରି ପୁଷ୍ପମାଲ୍ୟରେ ଦୁହିଁଙ୍କୁ ବିବାହ ଦେଇ ଶିବ ଓ ଶକ୍ତିଙ୍କୁ ଏକ କରି ଦେଇଛି । ମୋର ବିଶ୍ୱାସ ତୁ ତୁଚ୍ଛ ଅଭିମାନରେ ଏ ବିବାହକୁ ଅସ୍ୱୀକାର କରିବୁ ନାହିଁ ।

 

ମା’ ମୁଁ ତ ବୃଦ୍ଧ ହେଲିଣି । ବର୍ତ୍ତମାନ ବିଷୟ ବାସନା ତ୍ୟାଗକରି ମା’ ମହାମାୟାଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଛି । ତାଙ୍କରି ନିର୍ଦ୍ଦେଶରେ ଯେଉଁ କାମକଲି ସେଥିପାଇଁ ମୋତେ କ୍ଷମା ଦେବୁ ବୋଲି ଆଶାକରେ । ମୁଁ ଯେତିକି ଦୈବୀକୃପା ଲାଭ କରିଛି ଏବଂ ହସ୍ତରେଖାରୁ ଯାହା ଜ୍ଞାତହେଲି ତହିଁରୁ ଜାଣିଲି ଯେ ଏ କନ୍ୟାଟି ବ୍ୟତୀତ ଅର୍ଜ୍ଜୁନର ନିଜସ୍ୱ କିଛି ନାହିଁ । ଏଣୁ ଏହା ବ୍ୟତୀତ ତାହାର ମଙ୍ଗଳ ହେବା କଦାପି ସମ୍ଭବ ନୁହେଁ । ଆଉ ଏ ବିଷୟରେ ଅଧିକ କିଛି ଲେଖିବି ନାହିଁ ।

 

ପରିଶେଷରେ ତୋତେ ଜଣାଉଛି ଯେ ରାଜ୍ୟର ଅବସ୍ଥା ବର୍ତ୍ତମାନ ଭଲନୁହେଁ । ଦୁର୍ଜ୍ଜୟର ଶାସନରେ ପ୍ରଜାମାନେ ଅତିଷ୍ଠ ହୋଇ ପଡ଼ିଲେଣି । ତା’ ଭୟରେ ଘରୁ ଝିଅ ବୋହୂ ବାହାରିବା ସମ୍ଭବ ହେଉ ନାହିଁ । କାହାରି ଘରେ ଭଲ ଝିଅଟିଏ ଦେଖିଲେ ସେ ବଳପୂର୍ବକ ତାକୁ ଅପହରଣ କରି ନେଉଛି । ରାଣୀ ମାୟାଦେବୀ ତାର ଏ କାମକୁ ପ୍ରତିବାଦ କରି ଆଜିକି ଦଶବର୍ଷ ହେବ କାରାଗାରରେ ରହି ନିଜ ପାପର ପ୍ରାୟଶ୍ଚିତ କରୁଛନ୍ତି । ଯାହାହେଉ, ଆଉ ଅଧିକ ବିଳମ୍ବ କରିବା ଉଚିତ ନୁହେଁ ଯଦି ଶକ୍ତିଅଛି, ତେବେ ଅର୍ଜ୍ଜୁନକୁ ଆଣି ତୁ ରାଜଗାଦି ଦଖଲ କର । ମୋର ବିଶ୍ୱାସ ରାଜ୍ୟର ସମସ୍ତ ପ୍ରଜା ତୋତେ ସହଯୋଗ କରିବେ । ମୁଁ ସେହି ଶୁଭଦିନକୁ ଅପେକ୍ଷା କରି ରହିଲି ।

 

। ଇତି ।

ତୋର

ବିଦ୍ୟା ବାଚସ୍ପତି

 

ଚିଠିଟି ପଢ଼ିସାରି ଦେବୀ କହିଲା—ସର୍ଦ୍ଦାର; ରାଜ ପୁରୋହିତ ବିଦ୍ୟା ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମୁଁ ଅମାନ୍ୟ କରି ପାରିବି ନାହିଁ, ଏଣିକି ତୁମ୍ଭମାନଙ୍କର ଯାହା ଇଚ୍ଛା କର ।

 

ସର୍ଦ୍ଦାର ଉତ୍ତର ଦେଲା—ରାଣୀ ମା’ ତୋର ଇଚ୍ଛା, ମୁଁ ମନା କରିବି କିଆଁ ? ଫୁଲି ମୋର ରାଣୀ ହେବରେ ରାଣୀ ହେବ ।

 

ସଙ୍ଗେ ସଙ୍ଗେ ଶବର ପଲ୍ଲୀରେ ଚହଳ ପଡ଼ିଗଲା । ଅର୍ଜ୍ଜୁନ ଓ ଫୁଲରାର ସାଙ୍ଗ ସାଥୀମାନେ ଆସି ହସି, ଖେଳି, ଗୀତ ଗାଇ ସେଦିନଟା ବିତାଇ ଦେଲେ ।

 

କପିଳାସ ପାହାଡ଼ର କଠିଣ ଶିଳାଖଣ୍ଡ ମଧ୍ୟ ସେଦିନ ଆନନ୍ଦ ଉଲ୍ଲାସରେ ବିଭୋର ହୋଇପଡ଼ିଲା ।

 

ଦେବୀ ଫୁଲରାକୁ ବୋହୂରୂପେ ବରଣ କରି ଘରକୁ ଆଣିଲେ ଶବରମାନେ ମାଦଳ ବଜାଇ ହାଣ୍ଡିଆ ପିଇ ପ୍ରମତ୍ତ ହେଲେ ।

 

ଅର୍ଜ୍ଜୁନ ଓ ଫୁଲରା ନୂତନ ଜୀବନର ସ୍ୱାଦ ଅନୁଭବ କଲେ ।

 

ସେଦିନ ଅର୍ଜ୍ଜୁନର ଦଳ ବିପନ୍ନା ଯୁବତୀଟିକୁ ଉଦ୍ଧାର କରି ଆଣିଲାବେଳେ ଆକ୍ରମଣକାରୀମାନେ ପ୍ରକୃତରେ ପଳାଇଯାଇ ନ ଥିଲେ । କେତେକ ଲୋକ ଆହତ ବ୍ୟକ୍ତିମାନଙ୍କ ସହ ପଳାଇ ଯାଇଥିଲେ ହେଁ, ଦୁଇଜଣ ଗଛ ଉପରେ ବସି ଅବସ୍ଥାକୁ ଲକ୍ଷ୍ୟ କରୁଥିଲେ । ଅର୍ଜ୍ଜୁନର ଦଳ ବିପନ୍ନା ଯୁବତୀଟିକୁ ନେଇଯିବାରୁ ସେ ଦୁହେଁ ସେମାନଙ୍କର ଅନୁସରଣ କରି କପିଳାସ ପାହାଡ଼ ସେମାନଙ୍କର ନିବାସ ସ୍ଥାନ ଜାଣି, ଫେରିଗଲେ ।

 

ପ୍ରକୃତରେ ରାଜା ଦୁର୍ଜ୍ଜୟ ସିଂହ ସେତେବେଳକୁ ପ୍ରବଳ ଅତ୍ୟାଚାରୀ ରୂପେ ପରିଚିତ ହୋଇ ସାରିଥିଲା । ବାଇଶି ବର୍ଷ ବୟସବେଳେ ସେ ଯେତେବେଳେ ନିଜର ସାଙ୍ଗ ସାଥୀମାନଙ୍କ ଜରିଆରେ ବଳପୂର୍ବକ ଯୁବତୀମାନଙ୍କୁ ଅପହରଣ କରି ନଅରକୁ ନେଇ ଆସିଲା, ସେତେବେଳେ ରାଣୀ ମାୟାଦେବୀ ତାକୁ ନିଷେଧ କରିଥିଲେ ଏବଂ ଭର୍ତ୍ସନା ମଧ୍ୟ କରିଥିଲେ । ଫଳସ୍ୱରୂପ ଦୁର୍ଜ୍ଜୟ ତାଙ୍କୁ ବନ୍ଦୀକରି ସିଂହାସନରେ ବସିଲା । ଏଣିକି ତାକୁ କହିବା ପାଇଁ କେହି ନାହାନ୍ତି । ପ୍ରଜାମାନେ ତ୍ରାହି ତ୍ରାହି ରାବ ଛାଡ଼ିଲେ । ସୁନ୍ଦରୀ ଯୁବତୀମାନେ ଚିତାକୁଟାଇ ଦେହ ଓ ମୁହଁକୁ ପୋଡ଼ି ସେମାନଙ୍କ ଦେହର ରଙ୍ଗକୁ ବିକୃତ କରି ଦେଲେ ।

 

ଏଥିରେ ନଅରର ଆଖପାଖ ଅଞ୍ଚଳର ସ୍ତ୍ରୀ ଲୋକମାନେ କେତେକ ପରିମାଣରେ ନିଜର ସତୀତ୍ୱ ରକ୍ଷା କରି ପାରିଲେ । ନଅର ପରିସର ମଧ୍ୟରେ ସୁନ୍ଦରୀ ଯୁବତୀର ଅଭାବ ଦେଖି ଦୁର୍ଜ୍ଜୟ ସିଂହ ଦୂର ଗ୍ରାମମାନଙ୍କରେ ଦୃଷ୍ଟି ପକାଇଲା । ସୁନ୍ଦରୀ ଯୁବତୀ ଯୋଗାଇବା ପାଇଁ ତାର ଗୋଟିଏ ବଡ଼ ଦଳ ଥିଲେ । ଏମାନେ ମୋଟା ବେତନ ପାଇ ବିଭିନ୍ନ ସ୍ଥାନରେ ବୁଲି ସୁନ୍ଦରୀ ଯୁବତୀର ସନ୍ଧାନ ନେଉଥିଲେ । ତାପରେ କଳେ ବଳେ କୌଶଳେ ତାକୁ ଅପହରଣ କରି ଆଣି ନଅରରେ ପହଞ୍ଚାଉଥିଲେ । ଏହା ବଦଳରେ ସେମାନେ ଯଥେଷ୍ଟ ପାରିଶ୍ରମିକ ମଧ୍ୟ ପାଉଥିଲେ ।

 

ବିକ୍ରମପୁର ଗ୍ରାମର ଗୌନ୍ତିଆଙ୍କ କନ୍ୟା ବାସନ୍ତୀ । ବାପା ମା’ଙ୍କର ଏକମାତ୍ର କନ୍ୟା, ଗତ ଦୁଇବର୍ଷରୁ ମା ପରଲୋକ ପ୍ରାପ୍ତ ହେଲେଣି ।

 

ବାସନ୍ତୀ ନବଯୌବନା । ବୟସ ଅଠର କି ଊଣେଇଶି ହେବ । ରୂପରେ ଯେପରି ସୁନ୍ଦରୀ ଗୁଣରେ ମଧ୍ୟ ସେହିପରି ଅଦ୍ୱିତୀୟା । ବାପା ବାସନ୍ତୀକୁ ଖୁବ୍‌ ସ୍ନେହ କରନ୍ତି । ତାଙ୍କର ଇଚ୍ଛା ଉପଯୁକ୍ତ ପାତ୍ରଟିଏ ପାଇଲେ ତା ସହିତ ବାସନ୍ତୀକୁ ବିବାହ ଦେଇ ତାକୁ ଘର ଜ୍ୱାଇଁଆ କରି ରଖିବେ-

 

ଦୁର୍ଜ୍ଜୟ ସିଂହଙ୍କର ଅନୁଚରମାନଙ୍କର ଦୃଷ୍ଟି ପଡ଼ିଲା ବାସନ୍ତୀ ଉପରେ । କିପରି ତାକୁ ହସ୍ତଗତ କରି ରାଜାଙ୍କ ନିକଟରେ ପହଞ୍ଚାଇବେ ସେ ସମ୍ପର୍କରେ ଭାଳେଣି ପଡ଼ିଗଲା । ବହୁ ବିଚାର ଆଲୋଚନା ପରେ ଦିନେ ରାଜାଙ୍କର ଜଣେ ଅନୁଚର ଏକ ପତ୍ର ନେଇ ଆସିଲା । ତହିଁରେ ଗୌନ୍ତିଆ ନିକଟକୁ ଲେଖାଥିଲାହରିପୁର ଗ୍ରାମର ଲୋକମାନେ ମେଳିକରି ଖଜଣା ଦେଉ ନାହାନ୍ତି-। ତୁମେ ଏ ପତ୍ର ପାଇବା ମାତ୍ରେ ତୁରନ୍ତ ଆସି ପ୍ରଜାମାନଙ୍କୁ ବୁଝାଇ ସୁଝାଇ ମେଳି ଭାଙ୍ଗିଦିଅ-

 

ଗୌନ୍ତିଆ ରାଜାଙ୍କର ମୋହର ଓ ଦସ୍ତଖତ ଦେଖି ବିଶ୍ୱାସ ଗଲା ଏବଂ ସଙ୍ଗେ ସଙ୍ଗେ ସେଠାକୁ ଯିବାପାଇଁ ଆୟୋଜନ କଲା । ଯିବା ପୂର୍ବରୁ ବାସନ୍ତୀକୁ କହିଗଲା—ମୁଁ ଯାଉଛି, ହୁଏତ ଦିନେ ଓଳିଏ ବି ବିଳମ୍ବ ଘଟିପାରେ । ତୁ ଚିନ୍ତା କରିବୁ ନାହିଁ । ତାପରେ ଘରର ବୁଢ଼ୀ ଚାକରାଣୀ ସାରିଆ ମାକୁ ବାସନ୍ତୀ ଉପରେ ଦୃଷ୍ଟି ରଖିବାକୁ କହି ଚାଲିଗଲା ।

 

ଗୌନ୍ତିଆ ହରିପୁର ଗ୍ରାମରେ ପହଞ୍ଚି ମେଳିର କୌଣସି ସୂଚନା ପାଇଲା ନାହିଁ । ତଥାପି ରାଜାଙ୍କର ଯେତେବେଳେ ଆଦେଶ, ସେତେବେଳେ ରହିଗଲେ ଭଲ ହେବ ବୋଲି ସେଦିନ ସେଠାରେ ରହିବାକୁ ସ୍ଥିରକଲା । ଗୌନ୍ତିଆ ସେଦିନ ଦ୍ୱିପ୍ରହରେ କଚେରୀରେ ଖାଇ ଶୋଇଥିବା ବେଳେ ଆଗରୁ ଲୁଚି ରହିଥିବା ରାଜାଙ୍କର ଅନୁଚର ତାଙ୍କର ପଗିଡ଼ିଟି ଚୋରି କରି ସଙ୍ଗେ ସଙ୍ଗେ ଘୋଡ଼ାରେ ବସି ଚାଲି ଆସିଲା ।

 

ବିକ୍ରମପୁରରୁ ହରିପୁର ପ୍ରାୟ ଦଶକୋଶ ବାଟ । ଘୋଡ଼ା ପ୍ରହରକ ମଧ୍ୟରେ ଆସି ବିକ୍ରମପୁରରେ ପହଞ୍ଚିଲା । ରାଜାଙ୍କ ଅନୁଚରଟି ଗୌନ୍ତିଆଙ୍କ ଘରେ ଆସି ସମ୍ବାଦ ଦେଲା ଯେ ମେଳିଆ ପ୍ରଜାଙ୍କ ମାଡ଼ରେ ଗୌନ୍ତିଆଙ୍କ ମୁଣ୍ଡ ଫାଟି ଯାଇଛି । ସେ ବାସନ୍ତୀକୁ ଦେଖିବାକୁ ଚାହୁଁଛନ୍ତି-। ଏଣୁ ଏହି ମୁହୂର୍ତ୍ତରେ ସେଠାକୁ ଯିବାକୁ ହେବ ।

 

ବାପାଙ୍କ ମୁଣ୍ଡର ପଗଡ଼ି ଦେଖି ବାସନ୍ତୀ ଆଉ ଅବିଶ୍ୱାସ କରି ପାରିଲା ନାହିଁ । ସେ ସଙ୍ଗେ ସଙ୍ଗେ ସେଠାକୁ ଯିବାକୁ ବାହାରିଲା ।

 

ସାରିଆ ମା କହିଲା—ବାସ, ଯାହା ହେବାର ତ ହୋଇଗଲାଣି । ଏ ରାତିରେ ବଣ ପଥରେ ଯିବା ଠିକ୍‌ ହେବ ନାହିଁ । ଏଣୁ ତୁ ରହି ଯା । କାଲି ସକାଳେ ଯାହାହେବ ଦେଖାଯିବ ।

 

ମାତ୍ର ବାସନ୍ତୀ ସେହି ରାତି ଭିତରେ ଯିବା ପାଇଁ ଏକା ଜିଦ୍‌ ଧରିଲା । ଶେଷରେ ଗୋଟିଏ ସବାରୀର ବନ୍ଦୋବସ୍ତ କରାଗଲା । ତହିଁରେ ବସି ଦୁଇଜଣ ମଶାଲଚି ଓ ଚାରିଜଣ ଲାଠିଆଙ୍କ ସହିତ ହରିପୁର ଯାତ୍ରାକଲା ।

 

ରାଜାଙ୍କ ଅନୁଚରଟି ବାସନ୍ତୀ ବାହାରିବା ଦେଖି ସଙ୍ଗେ ସଙ୍ଗେ ଘୋଡ଼ା ଝପଟାଇ ଆସି ଅନ୍ୟମାନଙ୍କୁ ସମ୍ବାଦ ଦେଇ ଦେଲା । ସେମାନେ ବନ ପଥରୁ ବାସନ୍ତୀକୁ ଅପହରଣ କରି ନେବା ପାଇଁ ଜଗି ରହିଲେ ।

 

ବାସନ୍ତୀ ନିଜ ଲାଠିଆଳମାନଙ୍କ ସହ ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଲୋକେ ତାଙ୍କୁ ଆକ୍ରମଣ କଲେ । ତରବାରି ଆଘାତରେ ଲାଠିଆଳଙ୍କ ସର୍ଦ୍ଦାର ଭୂମିରେ ପଡ଼ିଯିବା ପରେ ଅନ୍ୟମାନେ କିଏ କୁଆଡ଼େ ପଳାଇ ଗଲେ । ଏହି ଅବସରରେ ରାଜାଙ୍କ ଅନୁଚରମାନେ ବାସନ୍ତୀକୁ ସବାରୀରୁ ବାହାର କରି ରାଜାଙ୍କ ନିକଟକୁ ନେଇ ଯିବାକୁ ବସିଲେ । ମାତ୍ର ଏଥିରେ ବାଦ ସାଧିଲେ ଅର୍ଜ୍ଜୁନ ସିଂହର ଦଳ । ସେମାନଙ୍କ ତୀରରେ ରାଜାଙ୍କ ଅନୁଚରରୁ କେତେକ ଆହତ ହେଲେ । ଆଉ କେତେକ ପଳାଇଗଲେ ।

 

ଅର୍ଜ୍ଜୁନ ସିଂହର ଦଳ ବାସନ୍ତୀକୁ ନେଇଯିବା ସଙ୍ଗେ ସଙ୍ଗେ ଲୁଚି ରହିଥିବା ଲୋକ ଦୁଇଜଣ ସେମାନଙ୍କ ପଛେ ପଛେ ଆସି କପିଳାସ ପାହାଡ଼ ନିକଟରେ ପହଞ୍ଚିଲେ । ତାପରେ ସେମାନେ ପାହାଡ଼ ଉପରକୁ ଉଠିବା ଦେଖି ଆଉ ଅଧିକ ଦୂରକୁ ଅଗ୍ରସର ହେବା ନିରାପଦ ନୁହେଁ ଭାବି ରାଜାଙ୍କ ଅନୁଚର ଦୁହେଁ ଫେରିଯାଇ ଦୁର୍ଜ୍ଜୟ ସିଂହକୁ ସମସ୍ତ ସମ୍ବାଦ ଦେଲେ ।

 

କ୍ଷୁଧାର୍ତ୍ତ ବ୍ୟାଘ୍ର ମୁହଁରୁ ତାର ଖାଦ୍ୟ ବାହାର କରି ନେଲେ ସେ ଯେପରି କ୍ରୋଧରେ ଗର୍ଜ୍ଜନ କରି ଉଠେ, ଦୁର୍ଜ୍ଜୟ ସିଂହର ଅବସ୍ଥା ଠିକ୍‌ ସେହିପରି ହେଲା । ସେ କପିଳାସ ପାହାଡ଼ ଆକ୍ରମଣ କରି ସେଠାକାର ଯୁବତୀମାନଙ୍କ ସହିତ ବାସନ୍ତୀକୁ ନେଇଯିବା ପାଇଁ ଦଳେ ସୈନ୍ୟଙ୍କୁ ପଠାଇଲା ।

 

ରାଜାଙ୍କ ସୈନ୍ୟବାହିନୀ ଆସି ପ୍ରଥମେ ପୂର୍ବ ପାଖରେ ପାହାଡ଼କୁ ଉଠିବାକୁ ଆରମ୍ଭ କଲେ । ପାହାଡ଼ ତଳେ ପାଟିତୁଣ୍ଡ ଏବଂ ଘୋଡ଼ାଙ୍କର ହ୍ରେସାରବ ଶୁଣି ଶବରମାନେ ବିପଦର ସମ୍ଭାବନା ଜାଣି ପାରିଥିଲେ, ଏଣୁ ସେମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ । ସୈନ୍ୟମାନେ ପାହାଡ଼ର ଅଳ୍ପଦୂର ଉଠିବା ପରେ ଶବରମାନେ ବଣର ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଲେ । ମହୁମାଛି ଧୂଆଁ ଦେଖି କ୍ରୋଧରେ ଏଣେ ତେଣେ ଉଡ଼ି ବୁଲିଲେ । ଯାହାକୁ ଦେଖିଲେ ତାକୁ ଦଂଶନ କରିବାରେ ଲାଗିଲେ । ରାଜାଙ୍କ ସୈନ୍ୟବାହିନୀ ସେମାନଙ୍କ ଆକ୍ରମଣରେ ବିବ୍ରତ ହୋଇ ପଡ଼ିଲେ-। କେତେକ ପଳାଇ ଯିବାକୁ ଉଦ୍ୟମ କରି ପାହାଡ଼ ତଳକୁ ଖସି ପଡ଼ି ପ୍ରାଣ ହରାଇଲେ । କେତେକଙ୍କ ଦେହ ଓ ମୁହଁ ଫୁଲିଗଲା । ସେ ପାଖର ଆକ୍ରମଣରୁ ବିରତ ହୋଇ ସୈନ୍ୟମାନେ ଉତ୍ତର ପାଖକୁ ଗଲେ । ମାତ୍ର ସେଠାରେ ପାହାଡ଼ ସିଧା କାନ୍ଥପରି ଉଠିଥିବାରୁ ତା ଉପରକୁ ଯିବା ସମ୍ଭବ ହେଲା ନାହିଁ । ତାପରେ ପଶ୍ଚିମ ପାଖକୁ ଚାଲିଲେ ।

 

ଶବରମାନେ ଘନ ଜଙ୍ଗଲରେ ଲୁଚି ଶତ୍ରୁଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ । ସେ ପାଖରେ ଯେଉଁ ସୈନ୍ୟମାନେ ଆସିଲେ, ସେମାନଙ୍କ ମଧ୍ୟରୁ କେତେକ ବ୍ୟାଘ୍ର ଓ ସର୍ପଙ୍କର ଆହାର ହେଲେ । ଆଉ କେତେକ ଶବରଙ୍କ ଶରରେ ପ୍ରାଣ ହରାଇଲେ । ସେ ପାଖରୁ ତେଣୁ ପାହାଡ଼ ଉପରକୁ ଉଠିବା ପ୍ରସ୍ତାବ ମଧ୍ୟ ବନ୍ଦ ରହିଲା । ଏଥର ରହିଲା ପୂର୍ବଦିଗ ।

 

ଏ ପାଖରେ ପାହାଡ଼କୁ ଉଠିବା ପଥ ଯେପରି ସୁଗମ, ସେହିପରି ବିପଦ ମଧ୍ୟ କମ୍‌ । ସୈନ୍ୟମାନେ ନିଶ୍ଚିନ୍ତରେ ପାହାଡ଼ ଉପରକୁ ଉଠିବାକୁ ଲାଗିଲେ । ମାତ୍ର ମୃତ୍ୟୁ ଯେ ତାଙ୍କପାଇଁ ମୂର୍ତ୍ତିମନ୍ତ ହୋଇ ଅପେକ୍ଷା କରିଛି । ଏହା ସେମାନଙ୍କୁ ଜଣା ନ ଥିଲା ।

 

ରାଜାଙ୍କ ସୈନ୍ୟମାନେ ପାହାଡ଼ର ଅର୍ଦ୍ଧେକ ପଥ ଆସି ସାରିବା ପରେ ଶବରମାନେ ଜଳ ଭଣ୍ଡାର ବନ୍ଧ କାଟି ଦେଲେ । ଜଳସ୍ରୋତ ପ୍ରବଳ ବେଗରେ ନିମ୍ନ ଦେଶକୁ ବହିଯିବାରେ ଲାଗିଲା । ସେ ସ୍ରୋତରେ ରାଜାଙ୍କର ସମସ୍ତ ସୈନ୍ୟ ଓ ଅଶ୍ୱ ଭାସିଯାଇ ପାହାଡ଼ ତଳେ ପଡ଼ି ପ୍ରାଣ ହରାଇଲେ । କେବଳ ଜଣେ ମାତ୍ର ଲୋକ କୌଣସି ପ୍ରକାରରେ ରକ୍ଷାପାଇ ବହୁ କଷ୍ଟରେ ଯାଇ ଦୁର୍ଜ୍ଜୟ ସିଂହକୁ ସମ୍ବାଦ ଦେଲା ।

 

ସମସ୍ତ ସୈନ୍ୟବାହିନୀ ନିହତ ହୋଇଥିବା ସମ୍ବାଦ ଶୁଣି ଦୁର୍ଜ୍ଜୟ ସିଂହ ଅସ୍ଥିର ଆକ୍ରୋଶରେ ଉନ୍ମତ୍ତ ହୋଇ ଉଠିଲା । ମାତ୍ର ଉପାୟ ନାହିଁ, ସୈନ୍ୟବାହିନୀ ସଂଗ୍ରହ କରିବା ପାଇଁ ଦୀର୍ଘ ସମୟ ଆବଶ୍ୟକ । ଅଗତ୍ୟା ସେପର୍ଯ୍ୟନ୍ତ ଅପେକ୍ଷା କରିବା ବ୍ୟତୀତ ଦୁର୍ଜ୍ଜୟର ଅନ୍ୟ କୌଣସି ଉପାୟ ନ ଥିଲା ।

 

ଶତ୍ରୁ ସୈନିକମାନଙ୍କର ବିନାଶ ଦେଖି ଶବରମାନେ ଆନନ୍ଦ ଉଲ୍ଲାସରେ ମତ୍ତ ହୋଇ ଉଠିଲେ । ସେଦିନ ଶବର ପଲ୍ଲୀରେ ନାଚ, ଗୀତ ଓ ଖାଇବା ପିଇବାର ଆୟୋଜନ ଚାଲିଲା । ଦେବୀ କେବଳ ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଦୀର୍ଘଶ୍ୱାସ ଛାଡ଼ିଲା ।

 

ପରଦିନ ପ୍ରଭାତରୁ ସର୍ଦ୍ଦାର କହିଲା—ରାଣୀ ମା’ । ରାଜାର ସମସ୍ତ ସୈନ୍ୟ ମରିଯାଇଛନ୍ତି । ଏତେବେଳେ ରାଜଧାନୀ ଆକ୍ରମଣ କଲେ ଭଲ ହୁଅନ୍ତା ।

 

ଦେବୀ ଶୁଖିଲା ହସ ହସି କହିଲା—ନାଁ, ସେ ବେଳ ଆସି ନାହିଁ । ତାପରେ ଆମକୁ ମଧ୍ୟ ସୈନ୍ୟ ସଂଗ୍ରହ କରିବାକୁ ପଡ଼ିବ । ଏହି କୋଡ଼ିଏ ପଚିଶଜଣ ସୈନ୍ୟ ନେଇ ଗୋଟିଏ ରାଜ୍ୟର ଜଣେ ରାଜା ବିରୁଦ୍ଧରେ ସଂଗ୍ରାମ କରିବା ହାସ୍ୟାସ୍ପଦ ବ୍ୟାପାର ।

 

ସର୍ଦ୍ଦାର ନୀରବ ହେଲା ।

 

ଗ୍ରୀଷ୍ମଋତୁ ଅତୀତ ହେଲା । ଦୀର୍ଘ ପ୍ରତିକ୍ଷିତ ବୃଷ୍ଟି ଧରଣୀ ବୁକୁରେ ପତିତ ହେଲା । ମୃତ୍ତିକାର ଶୁଷ୍କ ବିଦୀର୍ଣ୍ଣ ବକ୍ଷ ଶାନ୍ତହେଲା । ବିବର୍ଣ୍ଣ ବୃକ୍ଷଗୁଡ଼ିକ ଧାରା ସ୍ନାନରେ ଶ୍ୟାମଳ ପ୍ରାଣମୟ ହୋଇ ଉଠିଲେ । ବୃଷ୍ଟିଜଳ ପାଇ ବୀଜ ଧାନଗୁଡ଼ିକ ପରମ କାମନା ନେଇ ମୁଣ୍ଡ ଟେକିଲେ । ସବୁଜର ସ୍ପର୍ଶ ଜାଗିଲା ଶକ୍ତ ମୃତ୍ତିକାରେ ।

 

ସଜଳ ଜଳଦ ଆକାଶ ଛାଇଯାଇ ଘନ ଘନ ବଜ୍ର ଓ ବିଦ୍ୟୁତରେ ଆକାଶ ଅବନୀ ମୁଖରିତ ହେଲା । ଚାତକର ସ୍ୱର ବନ୍ଦ ହେଲା । ମାତ୍ର ଗିରିବନରେ ମୟୂର ମୟୂରୀମାନଙ୍କର କେକାରାବ ଶ୍ରୁତିଗୋଚର ହେଲା ।

 

ଦେବୀ କପିଳାସ ପାହାଡ଼ର ଶିଖରି ଦେଶରେ ବସି ସୂର୍ଯ୍ୟ ଓ ମେଘର ଲୁଚକାଳି ଖେଳ ଦେଖେ । ଉପରେ ଅରୁଣଙ୍କର କନକ କିରଣ ବିଛାଡ଼ି ହୋଇ ପଡ଼ିଥିବାବେଳେ ବୃକ୍ଷଲତାର ଶୀର୍ଷ ଦେଶରେ ମେଘ ବର୍ଷିଯାଏ । ପାହାଡ଼ ବୁକୁର ବାଷ୍ପଉଠି ଦିଗ ଦିଗନ୍ତ ଅନ୍ଧକାରରେ ଛାଇଯାଏ । ଦେବୀର ଚକ୍ଷୁ ମଧ୍ୟ ସେହିପରି ବାଷ୍ପାଚ୍ଛନ୍ନ ହୋଇଯାଏ । ସେ ପଣତ କାନିରେ ଲୋତକ ପୋଛି ଘରକୁ ଫେରି ଆସେ ।

 

ଫୁଲରା ବୋହୂ ହୋଇ ଆସିବାପରେ ଦେବୀର ଗୃହ ଜଞ୍ଜାଳ ଶେଷ ହୋଇଯାଇଛି । ଫୁଲରା ଘର ଓଳାଏ, ବାସନ ମାଜେ, ଲୁଗା ଧୁଏ, ରୋଷେଇ କରି ଦେବୀ ଓ ଅର୍ଜ୍ଜୁନକୁ ଖାଇବାକୁ ଦିଏ ।

 

ଯୌବନୋଚ୍ଛଳା, ପ୍ରାଣଚଞ୍ଚଳା ଯୁବତୀଟି ଆଜି ଗୃହସ୍ଥର ବଧୂ । ବର୍ଷାର ପାହାଡ଼ି ଝରଣା ପରି ପୂର୍ବର ସେ ଉଦ୍ଦାମ ଗତି ଆଉ ନାହିଁ । ଶରତର ଚିରସ୍ରୋତା ନଦୀ ପରି ଗତି ତାର ମନ୍ଥର । ସାଙ୍ଗ ସାଥୀଙ୍କ ସହିତ ଖେଳି ବୁଲିବା କିମ୍ବା ଗୀତ ଗାଇବା ପାଇଁ ଆଉ ତାକୁ ସମୟ ମିଳେ ନାହିଁ । ଦେବୀ ସମସ୍ତ ସମୟ ଶିବଙ୍କ ସେବାରେ ବିତାଇ ଦିଏ । ସେଦିନ ପ୍ରଭାତରୁ ଦେବୀ ଅଭ୍ୟାସବଶତଃ ଅର୍ଜ୍ଜୁନ ଗଛମୂଳକୁ ଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ମାତ୍ରେ ସେ ଚମକି ପଡ଼ିଲା । ଦେଖିଲା–ଅର୍ଜ୍ଜୁନ ବୃକ୍ଷରେ ଅସଂଖ୍ୟ ସ୍ତବକ । ଦେବୀ ଚିତ୍କାର କରି ଉଠିଲା—ସର୍ଦ୍ଦାର, ସର୍ଦ୍ଦାର-

 

ପାଟି ଶୁଣି ଶବର ସର୍ଦ୍ଦାର ଆସି ତା ନିକଟରେ ଉପସ୍ଥିତ ହେଲା ।

 

ଦେବୀ କହିଲା—ସର୍ଦ୍ଦାର, ଏବେ ଠାକୁରଙ୍କର ନିର୍ଦ୍ଦେଶ ମିଳିଗଲା । ଏହି ଦେଖ ଅର୍ଜ୍ଜୁନ ବୃକ୍ଷରେ ମୁକୁଳ । ମୁଁ ପ୍ରତିଜ୍ଞା କରିଥିଲି—ଯେଉଁଦିନ ଏ ଗଛରେ ଫୁଲ ଫୁଟିବ, ସେଦିନ ମୁଁ ଅର୍ଜ୍ଜୁନକୁ ଯୁଦ୍ଧକୁ ପଠାଇବି । ଆଜି ଦେବତାଙ୍କ ନିର୍ଦ୍ଦେଶ ମିଳିଗଲା । ତୁମେ ଏ ମଧ୍ୟରେ ଯୁଦ୍ଧର ଆୟୋଜନ କର । ତୁମର ଚିହ୍ନାଜଣା ଯେତେ ଯେଉଁଠି ତୁମ ଜାତିର ଲୋକ ଅଛନ୍ତି ସମସ୍ତଙ୍କୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବାକୁ ସମ୍ବାଦ ଦିଅ । ଏ ବର୍ଷା ଋତୁ ଶେଷରେ ଆମକୁ ଯୁଦ୍ଧଯାତ୍ରା କରିବାକୁ ପଡ଼ିବ ।

 

ଦେବୀର ନିର୍ଦ୍ଦେଶମତେ ବିଭିନ୍ନ ସ୍ଥାନକୁ ଶାଳପତ୍ରର ସଙ୍କେତ ପ୍ରେରଣ କରାଗଲା । ଶବରମାନେ ଧନୁ ତୀର ସଜକରି ଆସନ୍ନ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ ।

 

ଚାହୁଁ ଚାହୁଁ ଶରତ ଶେଷରେ ହେମନ୍ତ ଋତୁ ଉପସ୍ଥିତ ହେଲା । ରଜନୀରେ ଆକାଶରୁ ଶିଶିରବିନ୍ଦୁ ଝରିପଡ଼ିଲା ।

 

କାର୍ତ୍ତିକ ମାସ ।

 

ପ୍ରଭାତରେ ବୃକ୍ଷେ ବୃକ୍ଷେ ପକ୍ଷୀମାନଙ୍କର କଳ କାକଳୀ ।

 

ଶୈଳ ସୁତାର କଳ କଳ ଶବ୍ଦ ବି ବଡ଼ କ୍ଷୀଣ । ଯେଉଁଠି ପ୍ରସ୍ତର ଖଣ୍ଡଦ୍ୱାରା ତାର ଗତିରୋଧ ହେଉଥିଲା । ସେଠାରେ ଟିକିଏ ଶବ୍ଦ ସ୍ପଷ୍ଟ । ଅନ୍ୟତ୍ର ପ୍ରବାହ ଯେପରି ଆପଣା ଦୁଃଖରେ ଆପେ ଭୋଳ । ଦୂରରେ କେବଳ ପ୍ରସ୍ରବଣର ଝରଝର ଶବ୍ଦ । ଶେଫାଳିକା ତୃଣ ଶଯ୍ୟାରେ ହରିତ ଶୋଭା ବିସ୍ତାର କରି ଦେବା ଉଦ୍ଦେଶ୍ୟରେ ଆପଣାର ପରିମଳ ଟିକକ ଉତ୍ସର୍ଗ କରୁଛି ।

 

ମହାମାୟାଙ୍କ ପୂଜାର ଦିବସ ଉପସ୍ଥିତ ହେଲା । ପ୍ରବାସୀ ଫେରି ଆସିଲା ଆପଣା ଗୃହକୁ । ଗୋଷ୍ଠ ବାହୁଡ଼ା ଗୋପାଳ ବାଳକର ବଂଶୀସ୍ୱନ ଗଗନ ପବନ ନିନାଦିତ କଲା ।

 

ଦଶହରା ପୂଜାପରେ ଦେବୀଙ୍କ ଆଶୀର୍ବାଦ ନେଇ କ୍ଷତ୍ରୀୟମାନେ ଯୁଦ୍ଧ ଯାତ୍ରା କରନ୍ତି ।

 

ସେଦିନ ପ୍ରଭାତରୁ ଦେବୀ ମହାମାୟାଙ୍କ ପୂଜା ଶେଷକରି ଅର୍ଜ୍ଜୁନକୁ ସିନ୍ଦୂର ପିନ୍ଧାଇ ଲାଖ ବିନ୍ଧିବାକୁ ପଠାଇ ଦେଲା । କପିଳାସ ପାହାଡ଼ର ଶିଖରି ଦେଶରେ ଶବର ଯୁବକମାନଙ୍କ ସହିତ ଅର୍ଜ୍ଜୁନ ଲାଖବିନ୍ଧି ଘରକୁ ଫେରି ଆସିଲା ।

 

ତହିଁ ପରଦିନଠାରୁ ଯୁଦ୍ଧର ଆୟୋଜନ ଚାଲିଲା । ସର୍ଦ୍ଦାରର ନିର୍ଦ୍ଦେଶମତେ ଶବରମାନେ ବିଭିନ୍ନ ସ୍ଥାନକୁ ଯାଇ ସୈନ୍ୟ ସଂଗ୍ରହରେ ଲାଗି ପଡ଼ିଲେ । ଦଶହରାକୁ କୁମାରପୂର୍ଣ୍ଣିମା ପାଞ୍ଚଦିନ । ସେଠାରୁ ଶ୍ୟାମାପୂଜା ପନ୍ଦର ଦିନ । ଏ କୋଡ଼ିଏ ଦିନ ମଧ୍ୟରେ ପ୍ରସ୍ତୁତ ହୋଇ ଶ୍ୟାମାପୂଜାର ପରଦିନ ଯୁଦ୍ଧ ଯାତ୍ରା କରିବାକୁ ହେବ । ତାର ଦିନେ ଦୁଇଦିନ ପୂର୍ବରୁ ସମସ୍ତେ ଆସି କପିଳାସ ପାହାଡ଼ରେ ଉପସ୍ଥିତ ହେବା ବାଞ୍ଛନୀୟ ।

 

ବାର୍ତ୍ତାବହମାନେ ବିଭିନ୍ନ ସ୍ଥାନକୁ ଶାଳପତ୍ରର ସଙ୍କେତ ନେଇ ଚାଲିଲେ । ଶାଳପତ୍ରରେ ଦେବୀଙ୍କ ସିନ୍ଦୂର, ପୁଷ୍ପ ଓ ଦୁର୍ବାକ୍ଷତ ।

 

ଯୁଦ୍ଧର ଏହିପରି ପୂର୍ଣ୍ଣ ଉଦାମ ଚାଲିଥିବାବେଳେ ଅର୍ଜ୍ଜୁନ ଆସି କହିଲା—ମା’ ଆମକୁ ଏ ଯୁଦ୍ଧରୁ କ’ଣ ମିଳିବ ? ମୁଁ ସତ କହୁଛି—ମୋର ସେ ରାଜ୍ୟ ବା ରାଜସିଂହାସନ ପ୍ରତି ତିଳେମାତ୍ର ଲୋଭନାହିଁ । ମୁଁ ବେଶ ଶାନ୍ତିରେ ଅଛି । ତୁମେ ଏସବୁ ଯୁଦ୍ଧ ଆୟୋଜନ ବନ୍ଦ କର ।

 

ଦେବୀ ଚମକି ପଡ଼ିଲା । ସେ ଚିତ୍କାର କରି କହିଲା—ବନ୍ଦ କର, ବନ୍ଦ କର ଅର୍ଜ୍ଜୁନ । ତୋର ଉପଦେଶ ମୁଁ ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ସିଂହାସନରେ ବସିବା ନ ବସିବା ତୋର ଇଚ୍ଛା । ମାତ୍ର ପୈତୃକ ସିଂହାସନ ଦସ୍ୟୁ ହସ୍ତରୁ ତୋତେ ନିଶ୍ଚୟ ଉଦ୍ଧାର କରିବାକୁ ପଡ଼ିବ । ତୁ କ୍ଷତ୍ରୀୟର ସନ୍ତାନ । ମୁଁ ମଧ୍ୟ କ୍ଷତ୍ରିୟର କନ୍ୟା । ମନେରଖ—ଏ ଯୁଦ୍ଧ ଗୌରବର । ଏଥିପାଇଁ ଯଦି ତୋର ପ୍ରାଣହାନୀ ଘଟେ, ତେବେ ମୁଁ ତିଳେ ମାତ୍ର ଦୁଃଖ ପ୍ରକାଶ କରିବି ନାହିଁ ।

 

ଅର୍ଜ୍ଜୁନ ! ଯେଉଁଦିନ ତୋ ସହିତ ମୋତେ ବନ୍ଦୀ କରାଯାଇଥିଲା ଏବଂ ଖାଦ୍ୟ ଅଭାବରୁ ତିଳେ ତିଳେ ଶୁଖାଇ ମାରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା, ତାହା କଣ ତୁ କଣ କଳ୍ପନା କରିପାରିବୁ । ସେଦିନର ସେ ଘଟଣା ମୁଁ ଆଜି ପର୍ଯ୍ୟନ୍ତ ଭୁଲିପାରି ନାହିଁ । ଏହାର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରି ସେହି ଦିନରୁ ମୁଁ ଏ କେଶ ଅବନ୍ଧା ରଖିଛି । ପ୍ରତିଶୋଧ.... ପ୍ରତିଶୋଧ ।

 

ଦେବୀର ଦୁଇ ଚକ୍ଷୁରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେବାରେ ଲାଗିଲା । ମାତ୍ର ଅର୍ଜ୍ଜୁନ ପୂର୍ବପରି ଅବିଚଳ ।

 

କେତେ ସମୟ ପରେ ଅର୍ଜ୍ଜୁନ ପୁଣି କହିଲା—ମା’ ଯିଏ ତୁମକୁ ବନ୍ଦୀ କରିଥିଲା, ସେତ ତାଙ୍କ ପାପର ପ୍ରାୟଶ୍ଚିତ ଭୋଗ କଲେଣି । ଆଉ ତାଙ୍କୁ ଅଧିକ କି ଦଣ୍ଡ ଦେବ ?

 

ଦେବୀ ଦୀର୍ଘ ନିଶ୍ୱାସ ପକାଇ କହିଲା—ଶତ୍ରୁକୁ ଜୟ କରି କ୍ଷମା ଦେବା ମଧ୍ୟ ଏକ ଦଣ୍ଡ-। ମୁଁ ତାହା ସ୍ୱୀକାର କରୁଛି । ମାତ୍ର ଏହା ସହିତ ତୋ ବଂଶର ମର୍ଯ୍ୟାଦା ରହିଛି । ତୁ ବୁଝିପାରୁ ନାହୁଁ–ତୋର ବଡ଼ମା’ ବର୍ତ୍ତମାନ ବାହାରର ଜଣେ ଲୋକଦ୍ୱାରା ବନ୍ଦୀ ଶାଳାରେ ଜୀବନ ବିତାଉଛି-। ତୁ ଯଦି ତାଙ୍କୁ ଉଦ୍ଧାର ନ କରିବୁ, ତେବେ ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସେଠାରେ ତାଙ୍କୁ ରହିବାକୁ ପଡ଼ିବ । ମୁଁ ଚାହେଁ—ତୁ ତୋ ବଡ଼ମା’ଙ୍କୁ ଆଣି ମୋ ନିକଟରେ ପହଞ୍ଚାଇବୁ ।

 

ଦେବୀ ଅଳ୍ପ କେତୋଟି ମୁହୂର୍ତ୍ତ ନୀରବ ରହି ପୁଣି କହିଲା—ତୁ ବୁଝିପାରିବୁ ନାହିଁରେ ଅର୍ଜ୍ଜୁନ । ବୁଝିପାରିବୁ ନାହିଁ । ବନ୍ଦୀ ଜୀବନରେ ଯେଉଁ ଦୁଃଶ୍ଚିନ୍ତା, ଯେଉଁ ମାନସିକ କଷ୍ଟ ତୁ ତାହା ବୁଝିପାରିବୁ ନାହିଁ । ମୁଁ ଅନୁଭବୀ.... ଦେବୀ ଆଉ କଥା କହିପାରିଲା ନାହିଁ । ଦୁଇ ଚକ୍ଷୁରୁ ତାର ଲୋତକ ରାଶି ବିଗଳିତ ହେବାରେ ଲାଗିଲା ।

 

ଅର୍ଜ୍ଜୁନ ମା’ ବୁକୁରେ ମୁହଁଗୁଞ୍ଜି କହିଲା—ମା’ ତୁ କାନ୍ଦନା । ମୁଁ ନିଶ୍ଚୟ ଯୁଦ୍ଧକୁ ଯିବି ଏବଂ ବଡ଼ ମା’ଙ୍କୁ ଆଣି ତୋ ନିକଟରେ ପହଞ୍ଚାଇ ଦେବି ।

 

ଦେବୀ ଅର୍ଜ୍ଜୁନର ମୁଣ୍ଡ ଆଉଁସି ଦେବାରେ ଲାଗିଲା ।

 

କ୍ରମେ ନିର୍ଦ୍ଦିଷ୍ଟ ଦିବସ ଉପସ୍ଥିତ ହେଲା । ଶବର ସୈନ୍ୟମାନେ ବିଭିନ୍ନ ସ୍ଥାନରୁ ଆସି କପିଳାସ ପାହାଡ଼ ଉପରେ ଉପସ୍ଥିତ ହେଲେ । ବଣର ଫଳମୂଳ ଓ ଝରଣାର ଜଳରେ ସେମାନଙ୍କର ଦିବସଗୁଡ଼ିକ ଅତିବାହିତ ହେବାରେ ଲାଗିଲା ।

 

ପରିଶେଷରେ ଏକ ନିର୍ଦ୍ଦିଷ୍ଟ ଦିବସରେ ଯୁଦ୍ଧଯାତ୍ରା ଆରମ୍ଭ ହେଲା ।

 

ଶବରମାନଙ୍କ କାନ୍ଧରେ ଧନୁଶର, ହାତରେ ବର୍ଚ୍ଛା, ବେକରେ ବିଭିନ୍ନ ରଙ୍ଗର ପଥରର ମାଳ ଓ ମୁଣ୍ଡର ପଗଡ଼ିରେ ନାନାଜାତି ପକ୍ଷୀର ପର ।

 

ଜଙ୍ଗଲ ପାହାଡ଼ ଅତିକ୍ରମ କରି ଶବରମାନେ ରାଜଧାନୀ ଅଭିମୁଖରେ ଚାଲିଲେ ।

 

ଏଥିପୂର୍ବରୁ କପିଳାସ ପାହାଡ଼ ଆକ୍ରମଣ କରିବାକୁ ଯାଇ ଦୁର୍ଜ୍ଜୟ ସିଂହର ସୈନ୍ୟବାହିନୀ ନିହତ ହୋଇଥିଲେ । ଯେଉଁ କେତେଜଣ ଥିଲେ ସେମାନେ ସାମାନ୍ୟ ଯୁଦ୍ଧରେ ପରାସ୍ତ ହୋଇଗଲେ । ଦୁର୍ଜ୍ଜୟ ସିଂହ ଗୁପ୍ତ ଦ୍ୱାରବାଟେ ସ୍ତ୍ରୀ ଓ ପିଲାମାନଙ୍କ ସହିତ ପଳାୟନ କଲା ।

 

ଶବରମାନେ ନଅର ଭିତରେ ପଶିଲେ । ଅର୍ଜ୍ଜୁନ ସିଂହ କହିଲା—ସାବଧାନ, ନଅରର ସମସ୍ତଦ୍ରବ୍ୟ ଲୁଟିକରି ନିଅ ପଛେ, କୌଣସି ସ୍ତ୍ରୀ ଲୋକ ବା ଶିଶୁଙ୍କୁ ଯେପରି ଅସମ୍ମାନ ନ କର । ସେପରି କଲେ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ।

 

ଅର୍ଜ୍ଜୁନର ନିର୍ଦ୍ଦେଶମତେ ଶବର ସୈନ୍ୟମାନେ ଯିଏ ଯାହା ପାରିଲେ ଲୁଣ୍ଠନ କରିବାରେ ଲାଗିଲେ ।

 

ଅର୍ଜ୍ଜୁନ ରାଣୀ ମାୟାଦେବୀଙ୍କୁ ବନ୍ଦୀଶାଳାରୁ ମୁକ୍ତକରି ଶବର ସୈନ୍ୟମାନଙ୍କ ସହିତ କପିଳାସ ପାହାଡ଼କୁ ଫେରି ଆସିଲା ।

 

ଦୀର୍ଘ ଦଶବର୍ଷ କାଳ ବନ୍ଦୀଶାଳରେ ରହି ମାୟାଦେବୀଙ୍କର ପୂର୍ବର ସେ ରୂପ ନାହିଁ । ଚକ୍ଷୁର ଜ୍ୟୋତି କ୍ଷୀଣ । ଭଲ ଭାବରେ କିଛି ଦେଖିପାରୁ ନାହାନ୍ତି । ଖାଦ୍ୟାଭାବରୁ ଚମ ଓହଳି ପଡ଼ିଲାଣି । ଶବରମାନେ କେଉଁଠାକୁ ତାଙ୍କୁ ନେଉଛନ୍ତି ସେ କିଛି ବୁଝି ପାରିଲେ ନାହିଁ । କେବଳ ଏତିକି ସେ ଜାଣିଲେ ଯେ ବନ୍ଦୀ ଦଶାରୁ ସେ ମୁକ୍ତିଲାଭ କରିଛନ୍ତି । ଯିଏ ଯେଉଁଠିକି ନିଅନ୍ତୁ ବା ଯେପରି ଭାବରେ ରଖନ୍ତୁ, ଟିକିଏ ମୁକ୍ତ ପବନ ଓ ସୂର୍ଯ୍ୟକିରଣ ସେ ଅବାଧରେ ଲାଭ କରିପାରିବେ ଏବଂ ସବୁଜ ପୃଥିବୀର ରୂପ, ରସ ଓ ଛନ୍ଦରେ ନିଜକୁ ହଜାଇ ଦେଇ ପାରିବେ । ଏଣୁ ତାଙ୍କ ମନରେ କୌଣସି ଦୁଃଖ ନାହିଁ ।

 

ଶବର ବାହିନୀ ଆସି କପିଳାସ ପାହାଡ଼ର ପାଦ ଦେଶରେ ଉପସ୍ଥିତ ହେଲେ । ଦୂରରୁ ସେମାନଙ୍କ କୋଳାହଳ ଶୁଣି ଦେବୀ ପାହାଡ଼ର ପାଦଦେଶକୁ ଓହ୍ଲାଇ ଆସିଥିଲା । ଅର୍ଜ୍ଜୁନ ଯାଇ ମାଙ୍କୁ ପ୍ରଣାମ କଲା ।

 

ଦେବୀ ମାୟାଦେବୀଙ୍କୁ ଦେଖି ଦଉଡ଼ି ଯାଇ ତାଙ୍କ ପାଦତଳେ ମୁଣ୍ଡିଆ ମାରି କହିଲା—ଅପା !

 

ମାୟାଦେବୀ ଗଭୀର ଭାବରେ ତାକୁ ନିରୀକ୍ଷଣ କରି କହିଲେ—କିଏ ଦେବୀ ?

 

ତାପରେ ତାଙ୍କର କଣ୍ଠରୋଧ ହୋଇଗଲା । ସେ ଦୁଇହାତରେ ଦେବୀକୁ କୁଣ୍ଢାଇ ଧରି ଚକ୍ଷୁର ଲୋତକରେ ତାର ପିଠିକୁ ଭିଜାଇ ଦେଲେ ।

 

କେତେ ସମୟ ପରେ ଦେବୀ କହିଲା—ଅପା ! ବିଦ୍ୟାବାଚସ୍ପତିଙ୍କ ଠାରୁ ସମ୍ବାଦ ପାଇ ମୁଁ ତୁମକୁ ଉଦ୍ଧାର କରିବା ନିମନ୍ତେ ଅର୍ଜ୍ଜୁନକୁ ପଠାଇଥିଲି ।

 

ମାୟାଦେବୀ କହିଲେ—ଅର୍ଜ୍ଜୁନ, ଅର୍ଜ୍ଜୁନ କିଏ ? ତୋର ସେହି ଶିଶୁ ପୁତ୍ର ? କାହିଁ ସେ-?

 

ବଡ଼ ମାଙ୍କୁ ପ୍ରଣାମ କରିବା ପାଇଁ ଦେବୀ ଅର୍ଜ୍ଜୁନକୁ ନିର୍ଦ୍ଦେଶ ଦେଲେ ।

 

ଅର୍ଜ୍ଜୁନ ଆସି ପ୍ରଣାମ କଲା ।

 

ମାୟାଦେବୀ ତାକୁ ବୁକୁରେ ଭିଡ଼ିଧରି କହିଲେ—ଅର୍ଜ୍ଜୁନ, ତୋ ପ୍ରତି ମୁଁ ଯେଉଁ ବ୍ୟବହାର କରିଛି, ସେ ପାପର କଣ ପ୍ରାୟଶ୍ଚିତ ଅଛି ? ତା’ପରେ ଦେବୀକୁ ଉଦ୍ଦେଶ୍ୟ କରି କହିଲେ–ଦେବୀ, ମୁଁ ତୋ ନିକଟରେ କ୍ଷମା ପାଇବାକୁ ଅଯୋଗ୍ୟ । ତଥାପି ତୁ ଯଦି ତୋ ମହତ ଗୁଣରେ କ୍ଷମା ଦେଇ ପାରିବୁ, ତେବେ ଏ ଜୀବନରେ ଅନ୍ତତଃ ଶାନ୍ତି ଟିକିଏ ପାଇ ପାରିବି ।

 

ଦେବୀ କହିଲାସେକଥା କହି ମୋତେ ଆଉ କଷ୍ଟ ଦିଅନା’ ଅପା ?

 

ତା’ପରେ ସେ ମାୟାଦେବୀ ହାତଧରି ପାହାଡ଼ ଉପରକୁ ଉଠିବାରେ ଲାଗିଲା ।

 

ଶବର ବାହିନୀ ସେ ରାତିଟା ସେଠାରେ ଆନନ୍ଦ ଉଲ୍ଲାସରେ ବିତାଇ ନିଜ ନିଜ ସ୍ଥାନକୁ ଫେରିଗଲେ ।

 

ଦିନ ବିତିଯାଏ ।

 

ଧୀରେ ଧୀରେ ବିତିଯିବା ତାର କାମ, ଦିବସ ଶେଷରେ ରାତ୍ରି ଆସେ । ସେ ଚାଲିଯାଏ, ପୁଣି ତମସାର ବୁକୁରେ ଖଡ୍‍ଗାଘାତ କରି ତରୁଣ ଅରୁଣ ଉଦିତ ହୁଏ । ଏହି ରାତ୍ରି ଓ ଦିବସ, ଅନ୍ଧାର ଓ ଆଲୋକର ବୈଚିତ୍ର୍ୟରେ ଗଢ଼ା ମାନବର ଜୀବନ । ଏଗୁଡ଼ିକ କାହା ନିକଟରେ ଉତ୍ତାଳା ହୋଇ ଦେଖାଦିଏ, ପୁଣି କାହାକୁ ବା ନୈରାଶ୍ୟର ଘନ ଅନ୍ଧକାରରେ ଜର୍ଜ୍ଜରିତ କରି ଦିଏ । ଦୁଃଖରେ ବିଦୀର୍ଣ୍ଣ ହୁଏ ମାନବର ହୃଦୟ, ସେତେବେଳେ ମୂର୍ଚ୍ଛିତ ହୋଇପଡ଼େ ନିରବଧି କାଳ ଏବଂ ବିପୁଳାଚ ପୃଥ୍ୱୀ । ମହାକାଳ ଚକ୍ଷୁବୁଜି ରୁଦ୍ରାକ୍ଷର ମାଳା ଜପକରି ଚାଲେ । ମନେହୁଏ ପ୍ରେତିନୀ, ଡାକିନୀର ଦଳ ନିଃଶବ୍ଦରେ ଯେପରି ତାର ସମ୍ଭାଷଣ କରୁଛନ୍ତି, ମଧ୍ୟେ ମଧ୍ୟେ ଶିବ ଦଳ ଡାକି ଚାଲିଛନ୍ତି ତାର ସମ୍ବର୍ଦ୍ଧନା ପାଇଁ ।

 

ଗତ ଯୁଦ୍ଧରେ ଶବର ସର୍ଦ୍ଦାର ନିହତ ହୋଇଛି । ଫୁଲରାର ଆଜି ଆଉ ନିଜର ବୋଲି କେହିନାହିଁ । ଅବଶ୍ୟ ଉପଯୁକ୍ତ ସ୍ୱାମୀ ଓ ରାଣୀମା’ପରି ଶାଶୁ ସେ ପାଇଛି । ତଥାପି ବାପା ପାଇଁ ବେଳେବେଳେ ମନ ତାର ହଜିଯାଏ କେଉଁ ଦୂର ଦିଗନ୍ତରେ । ସେ ବସି ଚିନ୍ତାକରେ । କେତେବେଳେ ବୁକୁ ବିଦାରୀ ଦୀର୍ଘଶ୍ୱାସ ବାହାରି ଆସେ, କେତେବେଳେ ବା ଦୁଇଟୋପା ଲୁହ ।

 

ଏଣେ ଦିନକୁ ଦିନ କ୍ରମଶଃ ବୁକୁ ଭାରି ହୋଇ ଉଠେ । ସେ ଅନ୍ତଃସତ୍ୱା, ଛୋଟ ଗୋଟିଏ ମନୁଷ୍ୟ, ସ୍ୱର୍ଗର ଖେଳଣା, ଛୋଟ ଛୋଟ ହାତ ଗୋଡ଼, ଛୋଟ ମୁଣ୍ଡ, ପତଳା ଓଠ । ମାଆର ନାଡ଼ି ଛିଣ୍ଡାଇ, କ୍ଷୁଧାର ଦାବୀନେଇ ସେ ଉପସ୍ଥିତ ହେବାକୁ ଚାହେଁ ଏହି ସବୁଜ ପୃଥିବୀରେ-। ଫୁଲରା ଗର୍ଭକୁ ଚାହିଁ ନୀରବରେ ହାତ ବୁଲାଇ ନିଏ ।

 

ସେଦିନର ମଧ୍ୟାହ୍ନରେ ଫୁଲରା ଧୀରେ ଧୀରେ ପାହାଡ଼ ତଳକୁ ଓହ୍ଲାଇଗଲା । କେଉଁଆଡ଼େ ଯାଉଛି, କାହିଁକି ବା ଯାଉଛି, ସେ ନିଜେ ମଧ୍ୟ ଜାଣେନାହିଁ । ମନେହୁଏ କି ଏକ ଦୁର୍ବାର ଆକର୍ଷଣ ତାକୁ ତଳକୁ ଟାଣି ଟାଣି ନେଉଛି । ଠିକ୍‌ ଯେପରି ଅଜଗରର ସମ୍ମୋହନ ଶକ୍ତି ବଳରେ ବଣର ପଶୁ ପକ୍ଷୀ ତା ନିକଟକୁ ଆକର୍ଷିତ ହୋଇ ଶେଷରେ ତାର କରାଳ ଗ୍ରାସରେ ନିଜକୁ ସମର୍ପଣ ଦିଅନ୍ତି ।

 

ପାହାଡ଼ର ଏକ ଗୁମ୍ଫା ନିକଟରେ ପହଞ୍ଚିବା ମାତ୍ରେ ଫୁଲରାର ଗର୍ଭ ବେଦନା ଆରମ୍ଭ ହେଲା । ଆଉ ତଳକୁ କିମ୍ବା ଉପରକୁ ଯିବାର ତାର ଶକ୍ତି ନାହିଁ । ସେ ଚିତ୍କାର କରି ଉଠିଲା—ମା’ ମା’ ମା’ ।

 

ତାର ସେ ଚିତ୍କାର ପାହାଡ଼ କନ୍ଦରରେ ପ୍ରତିଧ୍ୱନି ତୋଳି ଫେରି ଆସିଲା ।

 

ଫୁଲରା ଅନ୍ୟ ଉପାୟ ନ ଦେଖି ଗୁମ୍ଫାରେ ଯାଇ ଶୋଇଗଲା ।

 

ଏଣେ ଫୁଲରାକୁ ଘରେ ନ ଦେଖି ଦେବୀ ବ୍ୟସ୍ତ ହୋଇ ପଡ଼ିଲା । ଶବରଯୁବକ ଯୁବତୀମାନଙ୍କ ସହିତ ଅର୍ଜ୍ଜୁନ ସିଂହ ପାହାଡ଼ର ପ୍ରତ୍ୟେକ ସ୍ଥାନରେ ଅନ୍ୱେଷଣ କରିବାରେ ଲାଗିଲେ-। କେତେ ସମୟ ପରେ ଜଣେ ଯୁବକ ମୂର୍ଚ୍ଛିତାବସ୍ଥାରେ ପଡ଼ିଥିବା ଫୁଲରାକୁ ଦେଖି ସମ୍ବାଦ ଦେଲା-। ରାଣୀ ମାୟାଦେବୀଙ୍କ ସହିତ ଦେବୀ ଓ ଅନ୍ୟାନ୍ୟ ସମସ୍ତେ ପାହାଡ଼ ଖୋଲ ନିକଟକୁ ଗଲେ ।

 

ସେଠାରେ ସମସ୍ତେ ଦେଖିଲେ ଯେ ଫୁଲରା ଅଚେତନ ଅବସ୍ଥାରେ ପଡ଼ିଛି ଏବଂ ତା ପାଖରେ ସଦ୍ୟଜାତ କନ୍ୟାଟିଏ ଶୋଇଛି । କନ୍ୟାର ଶରୀରରୁ ନିର୍ଗତ ହେଉଥିବା ପଦ୍ମ ଗନ୍ଧରେ ଆକୃଷ୍ଟ ହୋଇ ଭ୍ରମରମାନେ ଏଣେ ତେଣେ ଉଡ଼ି ବୁଲୁଛନ୍ତି ।

ଦେବୀ କହିଲା—ଅପା, ଏ କଣ ହେଲା ? ଫୁଲରା ଶବର କନ୍ୟା ହେଲେ ମଧ୍ୟ ରାଜବଧୂ । ପାହାଡ଼ ଗୁମ୍ଫାରେ ରାଜାର ବଂଶଧର ଜାତ ହେଲା ?

ମାୟାଦେବୀ ତାକୁ ଆଶ୍ୱାସନା ଦେଇ କହିଲେ—ଦୁଃଖ କରନା, ଭଉଣୀ । ରାଜରାଣୀ ହୋଇ ସତୀ ସୀତା ପୁଣି ତ ଋଷି ଆଶ୍ରମରେ ସନ୍ତାନ ପ୍ରସବ କରିଥିଲେ । ସୀତାଙ୍କପରି ତୋ ବଧୂର ଏନ୍ତୁଡ଼ିଶାଳ ଯୁଗେ ଯୁଗେ ସତୀର ଏନ୍ତୁଡ଼ିଶାଳ ରୂପେ ପରିଚିତ ହୋଇ ରହିବ । ଏହି ଦେଖୁନାହୁଁ, ଏ କନ୍ୟାଟିର ଚାରି ପାଖରେ କିପରି ଭ୍ରମରମାନେ ଉଡ଼ି ବୁଲୁଛନ୍ତି । ଏ ଶିଶୁଟି ସାମାନ୍ୟ ନୁହେଁ, ଏ ପଦ୍ମିନୀ ଜାତୀୟା ନାରୀ ହେବ । ଆମର ବଂଶ ଏହାରି ଯୋଗୁଁ ଉଜ୍ଜ୍ୱଳ ହେବ ।

ଶବର ରମଣୀମାନେ ଫୁଲରାକୁ ଚେତନା କରାଇ ଶିଶୁର ଜାତକ୍ରିୟା ସମ୍ପାଦନ କଲେ । ମାତ୍ର କୁଳପ୍ରଥା ଅନୁସାରେ ସେଠାରେ ସାତ ଦିନଯାଏ ଏନ୍ତୁଡ଼ି ଜଳିବାର ବ୍ୟବସ୍ଥା କରାଗଲା । ଶବର ଯୁବକ ଯୁବତୀମାନେ ଗୁମ୍ଫା ଚାରି ପାଖରେ ଦିନରାତି ବସି ରହିଲେ ।

ଛଅଦିନ ଅତିବାହିତ ହେଲା । ଆଉ ଗୋଟିଏ ଦିନ । ଏହି ଦିନଟି ବିତିଲେ ଫୁଲରା ଶିଶୁକନ୍ୟା ସହ ଘରକୁ ଚାଲିଯିବ । ମୁଖରେ ତାର ପରିତୃପ୍ତିର ହସ । ନୂତନ ମାତୃତ୍ୱର ସ୍ୱାଦ ପରିପୂର୍ଣ୍ଣ ଭାବରେ ଉପଭୋଗ କରିବାରେ ଲାଗିଛି । ମାତ୍ର ସପ୍ତମ ଦିବସରେ ଦାରୁଣ ବିପର୍ଯ୍ୟୟ ଉପସ୍ଥିତ ହେଲା ।

ସେଦିନର ମଧ୍ୟାହ୍ନରେ ଶବର ଯୁବକ ଯୁବତୀମାନେ ଗଛମୂଳେ ବସି ବିଭିନ୍ନ ଆଳାପ ଆଲୋଚନାରେ ବ୍ୟସ୍ତ ଅଛନ୍ତି । ଫୁଲରା କ୍ଳାନ୍ତି ଅପନୋଦନ ପାଇଁ ପାହାଡ଼ ଗୁମ୍ଫାରେ ଶୋଇଯାଇଛି-। ହଠାତ୍‌ ଦେହରେ କି ଏକ ଯନ୍ତ୍ରଣା ଅନୁଭବ କରି ସେ ଉଠି ବସିଲା । ଦେଖିଲା ଯେ—ଏକ ବିରାଟ ନାଗସାପ ଫଣାତୋଳି ଶିଶୁକନ୍ୟାର ମସ୍ତକକୁ ଢାଙ୍କି ରହିଛି ।

ଫୁଲରା ଚିତ୍କାର କରି ଉଠିଲା—ସାପ, ସାପ, ତାର ସେ ଚିତ୍କାରରେ ଯିଏ ଯେଉଁଠି ଥିଲେ ଦଉଡ଼ି ଆସି ଖୋଲ ନିକଟରେ ଉପସ୍ଥିତ ହେଲେ । ସମସ୍ତେ ଦେଖିଲେ ଯେ ନାଗଶାପ ଶିଶୁକନ୍ୟାର ମୁଣ୍ଡ ଉପରେ ଫଣାତୋଳି ରହିଛି । ତା ନିକଟରେ ଫୁଲରା ମୂର୍ଚ୍ଛିତ ହୋଇ ପଡ଼ିଛି ।

ଲୋକଙ୍କ ଚିତ୍କାରରେ ସାପଟି ଧୀରେ ଧୀରେ ପଛକୁ ଆସି ପାହାଡ଼ ଖୋଲରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ସେତେବେଳକୁ ଦେବୀ ଓ ରାଣୀ ମାୟାଦେବୀ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ହୋଇ ସାରିଥିଲେ । ସାପ ଚାଲିଯିବା ମାତ୍ରେ ସମସ୍ତେ ଫୁଲରା ନିକଟକୁ ଗଲେ-। ମାତ୍ର ସେତେବେଳକୁ ବିଧାତାଙ୍କ ନାଟକର ପୁନରାବୃତ୍ତି ଘଟି ସାରିଥିଲା । ଯହିଁରେ କି ନୂତନ ଦୃଶ୍ୟ, ନୂତନ ଅଙ୍କ ବା ସାଜସଜ୍ଜା ନ ଥାଏ । ଥାଏ କେବଳ ପୁରାତନର ପୁନରାବୃତ୍ତି । ସେହି ଦୁଃଖ, ଶୋକ, ରୋଗ, ମୃତ୍ୟୁ, ହତାଶା ଓ ଦୀର୍ଘଶ୍ୱାସ ।

ସର୍ପ ଦଂଶନରେ ଫୁଲରାର ପ୍ରାଣପକ୍ଷୀ ଶରୀର ପିଞ୍ଜରା ଛାଡ଼ି ଉଡ଼ିଯାଇଛି । କେବଳ ମାଟିପିଣ୍ଡଟି ଭୂମିରେ ପଡ଼ି ରହିଛି । ଚକ୍ଷୁର ଡୋଳା ଓଲଟି ପଡ଼ିଛି, ପାଟିର ଦୁଇ ପାଖରେ ଗରଳର ଧାର । ତା ନିକଟରେ ଶିଶୁଟି ଗୋଡ଼ହାତ ହଲାଇ ଖେଳିବାରେ ବ୍ୟସ୍ତ ।

ଶବର ସର୍ଦ୍ଦାର କେବଳ ଏମାନଙ୍କ ମଧ୍ୟରେ ସର୍ପବିଷ ନିରାକରଣର ବ୍ୟବସ୍ଥା ଜାଣିଥିଲା-। ଗତ ଯୁଦ୍ଧରେ ସେ ପ୍ରାଣ ହରାଇଛି । ବର୍ତ୍ତମାନ ଆଉ ଉପାୟ ନାହିଁ ।

ଦେବୀର ଦୁଇ ଚକ୍ଷୁରେ ଲୋତକର ଧାର, ସେ ଯାଇ ଶିଶୁଟିକୁ ତା ମା’ ନିକଟରୁ ଉଠାଇ ଆଣିଲା । ତାପରେ ସେହି ପାହାଡ଼ ଗୁମ୍ଫାରେ ଫୁଲରାର ଚିତାଗ୍ନି ପ୍ରସ୍ତୁତ ହେଲା ।

ମହାକାଳର ରଥଚକ୍ର ଅସନ୍ତତ ଗତିଶୀଳ । ଦଣ୍ଡ, ଲିତା, ବିଲିତା ପ୍ରହର, ଦିନ ଓ ସପ୍ତାହରେ ସେ ଚାଲିଯାଏ । ନିରଳସ ସେ ଗତି । ତାର ସେ ଗତିପଥ ତଳେ କିଏ ପଡ଼ିଗଲା କି କିଏ ଉଠିଲା, ତାହାପାଇଁ ତାର ଶୋଚନା ନ ଥାଏ । କାହାରି ନିମନ୍ତେ ଅପେକ୍ଷା କରିବାକୁ ମଧ୍ୟ ତାର ସମୟ ନ ଥାଏ । ଏହି ଚକ୍ରରେ ଉତ୍‌ଥାନପତନ ସଙ୍ଗେ ସଙ୍ଗେ ମାନବ ଜୀବନରେ ଆସେ ସୁଖ ଓ ଦୁଃଖ । ଦୁହେଁଯାକ ହାତ ଧରାଧରି ହୋଇ ପଛକୁ ପଛ ଚାଲିଯାଆନ୍ତି ।

କପିଳାସ ପାହାଡ଼ ଉପରେ ଶବରମାନଙ୍କ ସହିତ ଦେବୀ ଓ ମାୟାର ଜୀବନ ମଧ୍ୟ ଦିନକୁ ଦିନ ବିତିଯିବାରେ ଲାଗିଛି । କେତେ ପୁରାତନ ଲୋକ ଚାଲି ଗଲେଣି । କେତେ ନୂତନ ମନୁଷ୍ୟ ଜନ୍ମ ଗ୍ରହଣ କଲେଣି । କର୍ମମୟ ଜୀବନ ଜଞ୍ଜାଳରେ ସାଙ୍ଗ ସାଥୀମାନେ ଫୁଲରାକୁ ଭୁଲିଯିବାକୁ ବସିଲେଣି । ମାତ୍ର ଏକା ଭୁଲିପାରି ନାହିଁ ଅର୍ଜ୍ଜୁନ । ସେ ଯେପରି ପ୍ରତ୍ୟେକ ପ୍ରସ୍ତର ଖଣ୍ଡରେ, ତରୁଲତା ମଧ୍ୟରେ, ଆକାଶରେ ଓ ବତାସରେ ଫୁଲରାର ଉପସ୍ଥିତି ଅନୁଭବ କରୁଛି । ଅର୍ଜ୍ଜୁନ ସବୁବେଳେ ଅନ୍ୟମନସ୍କ । ବେଳେ ବେଳେ ଉପରକୁ ଅନାଇ କଣ ଭାବେ । ପୁଣି ମନକୁ ମନ କଣ କହି ପକାଏ । ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ସେ ଏଣେତେଣେ ଘୂରି ବୁଲୁଥାଏ । କେତେବେଳେ ମିଳିଲେ ଖାଏ, ନ ମିଳିଲେ ଉପବାସରେ ରହିଯାଏ । କାହାରି ପ୍ରତି ତାର ଆକ୍ଷେପ ନାହିଁ କି କାହାରି ବିରୁଦ୍ଧରେ ଅଭିଯୋଗ ନାହିଁ । ମନେହୁଏ ସତେ ଯେପରି ଦମ୍‌ଦିଆ ଏକ କଳର ପିତୁଳା ।

ଦେବୀ ତାକୁ ପାଖରେ ବସାଇ କେତେ ବୁଝାଏ । ନିଜ ରାଜ୍ୟକୁ ଫେରିଯିବାକୁ କହେ । ସିଂହାସନର ଲୋଭ ଦେଖାଏ । ପୁଣି ଏକ ରାଜକୁମାରୀ ସହ ବିବାହ ଦେବାକୁ ମଧ୍ୟ ପ୍ରବର୍ତ୍ତାଏ । ଅର୍ଜ୍ଜୁନ ସବୁ ଶୁଣେ । ମାତ୍ର କିଛି କହେ ନାହିଁ । ଅନବରତ ତା କାନ ନିକଟରେ କାହାର ଗୁଞ୍ଜନ ଶୁଭେ—ଢେଙ୍କା ଶବର । ତାପରେ ଖିଲିଖିଲି ହସ । ଅର୍ଜ୍ଜୁନ ମା ପାଖରୁ ଉଠି ଚାଲିଯାଏ ।

ମାୟାଦେବୀ ପରାମର୍ଶ ଦିଅନ୍ତି—ଏଠାରେ ରହିଲେ ଅର୍ଜ୍ଜୁନ ପାଗଳ ହୋଇଯିବ । ଚାଲ ତାକୁ ନେଇ ଆମ ରାଜ୍ୟକୁ ଚାଲିଯିବା ।

 

ଦେବୀ ଦୀର୍ଘଶ୍ୱାସ ପକାଇ ନୀରବ ସମ୍ମତି ଜଣାଏ ।

 

ପୁଣି ଏକ ବସନ୍ତ ଆସିଛି । ତାର ସ୍ୱାଗତ ସମ୍ଭାଷଣ ପାଇଁ ଚାରିଆଡ଼େ ସାଜ ସାଜ ରବ-। ବୃକ୍ଷଲତାର ଡାଳେ ଡାଳେ ନବ ଜୀବନ ସଞ୍ଚାରିତ । ଫୁଲ ଆସିନାହିଁ । କିଶଳୟର ମଧ୍ୟ ଭାଗରେ ମୁକୁଳ ଉଦ୍‌ଗମର ସଙ୍କେତ ଦେଖାଦେଇଛି । ଭ୍ରମରର ଗୁଞ୍ଜନ ଓ କୋକିଳର କୂଜନ ଶ୍ରୁତିଗୋଚର ହେଲାଣି ।

 

ଆଜି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ । ଦେବୀ ଓ ରାଣୀ ମାୟାଦେବୀ ଦୁଇ ପାଖରେ ଶୋଇଛନ୍ତି । ମଧ୍ୟରେ ଶିଶୁକନ୍ୟା ପଦ୍ମାବତୀ ।

 

ହଠାତ୍‌ ରାତ୍ରି ଅର୍ଦ୍ଧରେ ନିଦ୍ରା ତ୍ୟାଗକରି ଦେବୀ ଡାକିଲା—ଅପା !

 

ମାୟାଦେବୀ କହିଲେ—ଦେବୀ !

 

—ଅପା, ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ।

 

—ଦେବୀ, ମୁଁ ମଧ୍ୟ ସ୍ୱପ୍ନ ଦେଖିଛି ।

 

—ତୁମେ କଣ ଦେଖିଲ ଅପା ?

 

ମାୟାଦେବୀ ବିଛଣାରେ ଉଠିବସି କହିଲେ—ହଠାତ୍‌ ଆକାଶରେ ଘୋର ଅନ୍ଧକାର ଛାଇଗଲା । ତା’ପରେ ସେହି ଅନ୍ଧକାର ମଧ୍ୟରେ କେତେ ଗୁଡ଼ିଏ ରଶ୍ମି ଏପାଖ ସେପାଖ ଗତିକଲା-। ଏକ ସମୟରେ ସେ ସମସ୍ତ ଦୂର ହୋଇଗଲା । ଆକାଶ ଅପୂର୍ବ ଆଲୋକରେ ଉଦ୍ଭାସିତ ହେଲା-। ମୁଁ ଦେଖିଲି—ତା ମଧ୍ୟରେ ବୃଷଭାରୁଢ଼ ଦେବ ଦେବ ମହାଦେବ । କଟୀରେ ବ୍ୟାଘ୍ରଚର୍ମ, ଗଳାରେ ସର୍ପର ହାର, ହାତରେ ଡମ୍ବରୁ ଓ ତ୍ରିଶୂଳ । ଜଟା ମଧ୍ୟରୁ ଜାହ୍ନବୀ ବହି ଚାଲିଛନ୍ତି-। କପାଳରେ ଅର୍ଦ୍ଧଚନ୍ଦ୍ର ।

 

ମୁଁ ଭକ୍ତି ସହକାରେ ତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ନିବେଦନ କଲି ।

 

ଭଗବାନ ଶଙ୍କର କହିଲେ—ରାଣୀ, ରାଜମୁକୁଟ ସମସ୍ତଙ୍କ ଶିରରେ ଶୋଭାପାଏ ନାହିଁ-। ତାହା ହୋଇଥିଲେ ମୁଁ ଆଜି ଉଲଗ୍ନ ଫକୀରଙ୍କ ପରି ଶ୍ମଶାନରେ ଭ୍ରମର କରୁଥାଆନ୍ତି କାହିଁକି-? ମୁଁ ସର୍ବସ୍ୱ ତ୍ୟାଗ କରିଛି ବୋଲି ତ ଆଜି ଦେବ ଦେବ ମହାଦେବ । ଏଣୁ ତୁମେ ଅର୍ଜ୍ଜୁନକୁ ନେଇ ଯିବାକୁ ଇଚ୍ଛା କରୁଛ କାହିଁକି ?

 

ରାଣୀ ! ଶକ୍ତି ହୀନ ଶିବ ଶବ ତୁଲ୍ୟ । ତୁମେ କଣ ଜାଣିନାହଁ—ଦକ୍ଷ ଯଜ୍ଞରେ ସତୀଙ୍କୁ ହରାଇ ପୂର୍ବେ ମୁଁ କି ଯନ୍ତ୍ରଣା ଭୋଗ କରିଛି ? ଆଜି ଅର୍ଜ୍ଜୁନର ଠିକ୍‌ ସେହି ଦଶା ଉପସ୍ଥିତ ହୋଇଛି-। ଫୁଲରା ଗୌରୀଙ୍କର ଅଂଶ ସମ୍ଭୂତ । ମାନବ ଶରୀର ପରିତ୍ୟାଗ କରି ସେ ଦିବ୍ୟଲୋକକୁ ଚାଲିଯାଇଛି । ତା ବିହୁନରେ ଅର୍ଜ୍ଜୁନ ଆଜି ଶବ ସହିତ ସମାନ । ତାର ନିଜସ୍ୱ ନାହିଁ କି ନିଜର ମଧ୍ୟ କୌଣସି କର୍ତ୍ତୃତ୍ୱ ନାହିଁ । ସେ ଏହିପରି ସତୀର ଅନ୍ୱେଷଣରେ ଜୀବନ ବିତାଇଦେବ-। ତୁମେ ବର୍ତ୍ତମାନ ମୋ ସ୍ଥାନ ତ୍ୟାଗକର । ଅର୍ଜ୍ଜୁନ ଏଠାରେ ରହି ସତୀ ପ୍ରାପ୍ତି ଯଜ୍ଞ ଆରମ୍ଭ କରୁ-। ବର୍ଷକରେ ଥରେ ଏହି ଫାଲଗୁନ୍‌ କୃଷ୍ଣ ଅମାବାସ୍ୟା ଦିନ ଆସି ତୁମେ ମୋର ପୂଜା କରିବ-

 

ରାଣୀ, ରାଜମାତା ହେବାର କଳ୍ପନା ତୁମର ବାସ୍ତବରେ ପରିଣତ ହେଲା ନାହିଁ ବୋଲି ଦୁଃଖ କରନାହିଁ । ଏହି ଶିଶୁକନ୍ୟା ବଡ଼ ହେଲେ ମୋର ପୂଜା କରିବାର ଅଧିକାର ପାଇବ । ସେହି ପୂଜା ବଳରେ ସେ ହେବ ରାଜରାଣୀ ଓ ରାଜମାତା । ତାହାରି ଗର୍ଭରୁ ଜନ୍ମିତ ସନ୍ତାନ ଏଠାରେ ନୂତନ ରାଜ୍ୟ ପ୍ରତିଷ୍ଠା କରିବ ।

 

ମାୟାଦେବୀ କେତେ ସମୟ ନୀରବ ରହି କହିଲେ—ଦେବୀ, ତାପରେ ସେ ଦିବ୍ୟପୁରୁଷ କେଉଁଆଡ଼େ ଉଭେଇ ଗଲେ । ହଠାତ୍‌ ତୋ ଡାକରେ ମୋ ନିଦ ଭାଜିଗଲା ।

 

ଦେବୀ କହିଲା—ଅପା, ମୁଁ ମଧ୍ୟ ଠିକ୍‌ ସେହି ସ୍ୱପ୍ନ ଦେଖିଲି । ମାତ୍ର ଆଶ୍ଚର୍ଯ୍ୟର କଥା—ଦୁହେଁ ଏକା ପ୍ରକାର ସ୍ୱପ୍ନ ଦେଖିଲେ କିପରି ?

 

ମାୟାଦେବୀ କହିଲେ—ଏ ସ୍ୱପ୍ନ ନୁହେଁ ସତ୍ୟ ଦେବୀ । ତୋରି ଯୋଗୁଁ ଆଜି ଜନ୍ମ ମୋର ସଫଳ ହେଲା । ମୁଁ ସ୍ୱଚକ୍ଷୁରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲି । ଦେବତାର ଯେତେବେଳେ ନିର୍ଦ୍ଦେଶ, ସେତେବେଳେ ଆମକୁ କାଲି ସକାଳେ ଏ ସ୍ଥାନ ପରିତ୍ୟାଗ କରିବାକୁ ପଡ଼ିବ । ତାହା ନ ହେଲେ କେତେବେଳେ କି ବିପଦ ଯେ ପଡ଼ିବ କିଏ ଜାଣେ ?

 

ଦେବୀ ଶିଶୁ କନ୍ୟାଟିକୁ କୋଳକୁ ନେଇ ତାର ଗଣ୍ଡ ଦେଶରେ ଅଜସ୍ର ଚୁମ୍ବନ ଆଙ୍କି ଦେଲା ।

 

ପରଦିବସର ପ୍ରତ୍ୟୁଷରୁ ଦେବୀ ସମସ୍ତଙ୍କୁ ଡାକି ସେ ସ୍ଥାନ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଲା । ଦେବୀର ଆଦେଶ ଅନୁସାରେ ଶବରମାନେ ପାହାଡ଼ ତଳକୁ ଓହ୍ଲାଇ ଏକ ନୂତନ ବସତି ସ୍ଥାପନ କଲେ । ଏହି ଗ୍ରାମର ନାମ ରହିଲା ଦେବୀ ଗ୍ରାମ ।

 

ଅର୍ଜ୍ଜୁନ ଏକାକୀ ପାହାଡ଼ ଉପରେ ରହିଲା । ବେଳେବେଳେ ମନ ହେଲେ ସେ ତଳକୁ ଓହ୍ଲାଇ ଆସେ । ପୁଣି କେତେ ସମୟ ପରେ ପାହାଡ଼ ଉପରକୁ ଉଠିଯାଏ ।

 

ରାଣୀ ମାୟାଦେବୀ ଆଦେଶ ଦେଲେ—ଏ ଗ୍ରାମ ମଧ୍ୟ ନ ଦେଇ କେହି କପିଳାସ ପାହାଡ଼ ଉପରକୁ ଯାଇ ପାରିବେ ନାହିଁ ।

 

ଏ ମଧ୍ୟରେ କେତେ ଯୁଗ ଯାଇଛି, ଶତାବ୍ଦୀ ମଧ୍ୟ ବିତିଛି । ମାତ୍ର ପୂର୍ବର ସ୍ମାରକୀ ସ୍ୱରୂପ ଆଜି କେବଳ ଦେବୀ ଗ୍ରାମ ଓ ସତୀର ଏନ୍ତୁଡ଼ିଶାଳ ରହିଛି । ଓଡ଼ିଶାର ଗଜପତି ରାଜା ପଦ୍ମାବତୀଙ୍କୁ ବିବାହ କରି କିପରି ଢେଙ୍କାନାଳ ରାଜ୍ୟ ସ୍ଥାପନ କଲେ ତାହା ଢେଙ୍କାନାଳର ଐତିହାସିକ ମାନେ କହିବେ । ମାତ୍ର ମାୟାଦେବୀଙ୍କର ସେ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ରହିଛି । ଆଜି ମଧ୍ୟ କପିଳାସର ମହାଦେବଙ୍କ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିବା ଯାତ୍ରୀମାନେ ଦେବୀ ଗ୍ରାମରେ ପହଞ୍ଚି, ପ୍ରଥମେ ସେଠାକାର ଧୂଳି ମୁଣ୍ଡରେ ଲଗାଉଛନ୍ତି । ତାପରେ ଆରମ୍ଭ କରୁଛନ୍ତି ଶିବ ସ୍ତୋତ୍ର—

 

ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ

ଭସ୍ମାଙ୍ଗ ରାଗାୟ ମହେଶ୍ୱରାୟ,

ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ

ତସ୍ମୈ ‘ମ’ କାରାୟ ନମଃ ଶିବାୟ ।

 

ମନ୍ଦାକିନୀ ସଲିଳ ଚନ୍ଦନ ଚର୍ଚ୍ଚିତାୟ

ନନ୍ଦୀଶ୍ୱର ପ୍ରମଥ ନାଥ ମହେଶ୍ୱରାୟ,

ମନ୍ଦାର ପୁଷ୍ପ ବହୁ ପୁଷ୍ପ ସୁପୂଜିତାୟ

ତସ୍ମୈ ‘ମ’ କାରାୟ ନମଃ ଶିବାୟ ।

Image